ବିଜେଡିରେ ଯୋଗଦେଲେ ପ୍ରାକ୍ତନ ଓଏନ୍‍ଜିସି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ଟିଟିଲାଗଡ଼ ବ୍ଲକର ପୂର୍ବତନ ଅଧ୍ୟକ୍ଷ

0
42
advertisement

ଭୁବନେଶ୍ୱର, (ଓଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ଅବସରପ୍ରାପ୍ତ ଓଏନ୍‍ଜିସି କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ  ଚିନ୍ତାମଣି ତାଣ୍ଡି, ଟିଟିଲାଗଡ଼ ବ୍ଲକର ପୂର୍ବତନ ଅଧ୍ୟକ୍ଷ  ଭରତ ତାଣ୍ଡିଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବା ଶ୍ରୀ ତାଣ୍ଡି ଏବଂ ତାଙ୍କ ସମର୍ଥକଙ୍କୁ ନବୀନ ନିବାସରେ ମାନ୍ୟବର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଆଜି ଶ୍ରୀ ତାଣ୍ଡି ଏବଂ ତାଙ୍କ ସମର୍ଥକମାନେ ଆମ ଦଳରେ ଯୋଗ ଦେବା ଫଳରେ ବଲାଙ୍ଗୀର ଜିଲ୍ଲା ତଥା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଶକ୍ତି ବୃଦ୍ଧି ହେବ ।

ଏହି ଅବସରରେ ଚିନ୍ତାମଣି ତାଣ୍ଡି କହିଥିଲେ ଯେ ମୁଁ ୩୭ବର୍ଷ ଚାକିରି କରିବା ପରେ ମୋର ରାଜ୍ୟ ପାଇଁ କିଛି କରିବା ପାଇଁ ଇଚ୍ଛା ପ୍ରକାଶ କଲି । ଯେଉଁ ମାଟି, ପାଣି ପବନରେ ମୁଁ ବଢ଼ିଛି, ସେହିଠାର ଲୋକମାନଙ୍କୁ ମୋର ଅନୁଭୂତିରୁ କିଛି ଦେଇପାରିବି ତେବେ ତାହା ମୋ ପାଇଁ ଗୌରବର ବିଷୟ ହେବ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ, ସୁଶାସନ, ବିଜୁ ଜନତା ଦଳର କାର୍ଯ୍ୟକାରିତା ମୋତେ ବହୁତ ପ୍ରେରଣା କରିଥିବା ଯୋଗୁ ମୁଁ ବିଜୁ ଜନତା ଦଳରେ ଯୋଗଦେଲି । ଆଜିର ଏହି କାର୍ଯ୍ୟକ୍ରମରେ ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କ ସମେତ ଦଳର ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ ।