କ’ଣ ଘଟିଲା ୨୦୧୯ରେ

ବର୍ଷ ୨୦୧୯ ଆରମ୍ଭ ହୋଇଥିଲା ନରେନ୍ଦ୍ର ମୋଦିଙ୍କ ବିଜୟରୁ, ବିଜେପିର ବିଜୟରୁ । ପୁଣି କ୍ଷମତାକୁ ଆସିଲେ ମୋଦି ପୁଣି କ୍ଷମତାକୁ ଆସିଲା ବିଜେପି । ଦେଶର ଜନତା ମୋହର ମାରିଥିଲେ ବିଜେପି ସରକାର ଉପରେ ।


ନିର୍ବାଚନ ପୂର୍ବରୁ ପୁଲୱାମାରେ ଯବାନଙ୍କ ଗାଡି ଉପରକୁ ଆତଙ୍କବାଦୀ ଆକ୍ରମଣ ସାରା ଦେଶକୁ ଦୋହଲାଇ ଦେଇଥିଲା। ଏହି ଆକ୍ରମଣରେ ପ୍ରାଣ ହରାଇଥିଲେ ପ୍ରାୟ ୪୫ ଯବାନ । ହେଲେ ଏହାର ଯବାବ ଦେଇଥିଲା ଭାରତ । ଭାରତୀୟ ସେନା ପକ୍ଷରୁ ବାଲାକୋଟରେ ହୋଇଥିଲା ଏୟାର ଷ୍ଟ୍ରାଇକ । ଏହି ଆକ୍ରମଣରେ ପାକିସ୍ତାନରେ ଆତଙ୍କବାଦୀଙ୍କ ଶିବିର ଖିନବିନ ହୋଇଯାଇଥିଲା । ଏପରିକି ଅଭିନନ୍ଦନ ବର୍ଦ୍ଧମାନଙ୍କୁ ପାକିସ୍ତାନ ନିଜ କବଜାକୁ ନେଇଯାଇଥିଲା । ହେଲେ ଭାରତ କୁଟନୈତିକ ଚାପ ପ୍ରୟୋଗ କରିଥିଲା । ଏହି କୁଟନୈତିକ ଚାପର ପ୍ରଭାବରେ ଅଭିନନ୍ଦନଙ୍କୁ ଛାଡିଥିଲା ପାକିସ୍ତାନ। ଏହି ଏୟାର ଷ୍ଟାଇକ ପରେ ପରେ ହୋଇଥିବା ନିର୍ବାଚନରେ ବିଜେପି ପାଇଁ ଭାରତରେ ଆସିଥିଲା ସହଜ ବିଜୟ । ପାକିସ୍ତାନ ଉପରେ ଆକ୍ରମଣ କରି ଦେଶପ୍ରେମର ଏମିତି ଗୀତ ଗାଇଥିବା ବିଜେପି ଯାହା ତାକୁ ଭୋଟ ସାଉଁଟିବାରେ ବେଶ ସହାୟକ ହୋଇଥିଲା ।


୨୦୧୯ର ଆଉ ଏକ ବଡ ଘଟଣା ଥିଲା ତିନି ତଲାକ ବିଲ । ଏହି ବିଲକୁ ଉଭୟ ଗୃହରେ ପାସ କରି ଆଇନରେ ପରିଣତ କରିବା ଥିଲା ବିଜେପି ସରକାର ପାଇଁ ସବୁଠାରୁ ବଡ ଚ୍ୟାଲେଂଜ । ଆଉ ଏହି ଚ୍ୟାଲେଂଜକୁ ସଫଳତାର ସହ ସାମନା କରିଥିଲା ବିଜେପି ଏବଂ ସଫଳ ମଧ୍ୟ ହୋଇଥିଲା । ଖାଲି ଏହି ବିଲ ନୁହେଁ, ଜାମ୍ମୁକାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ଥିଲା ମୋଦି ସରକାରର ଆଉ ଏକ ସଫଳତା । ଧାରା ୩୭୦ ଉଚ୍ଛେଦ କରି ଲାଗିରହିଥିବା ବର୍ଷ ବର୍ଷର ଦ୍ୱନ୍ଦ୍ୱକୁ ଦୂର କରିଥିଲା ବିଜେପି ସରକାର । ଜାମ୍ମୁକାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରି ଲାଗୁ ହୋଇଥିଲା ଏହି ବ୍ୟବସ୍ଥା । ଆଉ ଘାଟିରେ ଶାନ୍ତିପ୍ରତିଷ୍ଠା ହିଁ ସରକାରଙ୍କ ଉଦ୍ଦେଶ୍ୟ ବୋଲି ନାରା ଦେଇ ଦେଶବାସୀଙ୍କ ହୃଦୟ ଜିତିବାକୁ ଚେଷ୍ଟା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।


ଲଦାଖ ବନିଗଲା କେନ୍ଦ୍ର ଶାସିତ ଅଂଚଳ । ଜାମ୍ମୁ କାଶ୍ମୀର ବି କେନ୍ଦ୍ର ଶାସିତ ଅଂଚଳରେ ପରିଣତ ହେଲା । କିନ୍ତୁ ଫରକ ଏତିକି ଯେ, ଜମ୍ମ ଓ କଶ୍ମୀରରେ ବିଧାନସଭା ବ୍ୟବସ୍ଥା ରହିଲା ଆଉ ଲଦାଖ ବିନା ବିଧାନସଭାରେ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ପରିଚିତ ହେଲା । ଏ ଭିତରେ ଦୁଇ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ଉପ ରାଜ୍ୟପାଳଙ୍କ ନିଯୁକ୍ତି ଶେଷ ହୋଇଛି ।
ସବୁଠୁ ବଡ ଘଟଣା ଥିଲା ବହୁ ଅପେକ୍ଷିତ ଅଯୋଧ୍ୟା ବିବାଦ । ଏହି ବିବାଦ ଉପରେ ଆସିଲା ସୁପ୍ରିମକୋର୍ଟଙ୍କ ରାୟ । ରାମଲଲା ସପକ୍ଷରେ ଯାଇଥିଲା ରାୟ । ବିବାଦୀୟ ସ୍ଥାନରେ ରାମ ଜନ୍ମଭୂମି ହିଁ ତିଆରି ହେବ ତେବେ ମୁସଲିମ ସଂଗଠନକୁ ଆଉ ଏକ ସ୍ଥାନରେ ୫ଏକର ଯାଗା ଦିଆଯିବ ବୋଲି କହିଦେଲେ ସୁପ୍ରିମକୋର୍ଟ । ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଏହି ବିବାଦର ସମାଧାନ ହୋଇପାରୁନଥିଲା । ତେବେ ବିବାଦରେ ସମାଧାନ ଆଣିବା ଥିଲା ଏହି ବର୍ଷର ବିଜେପି ସରକାର ପାଇଁ ଆଉ ଏକ ଉପଲବ୍ଧି ।


ମୋଦି ସରକାର ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲା ଗୋଟିଏ ପରେ ଗୋଟିଏ ଦୁଷ୍କର୍ମ ଘଟଣା । ଉନ୍ନାଓ କଥା କୁହନ୍ତୁ ଅବା ନିର୍ଭୟା ଅବା ହାଇଦ୍ରାବାଦ ଗଣଦୁଷ୍କର୍ମ । କେବଳ ବିଶ୍ୱ ଦରବାରରେ ଭାରତ ପାଇଁ ଏହି ଘଟଣା ଗୁଡିକ ଲଜ୍ଜା ହିଁ ଆଣିଥିଲା। ଉନ୍ନାଓ ଦୁଷ୍କର୍ମକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିବା ନେଇ ରାୟ ଶୁଣାଇଲେ ସୁପ୍ରିମକୋର୍ଟ । ସେପଟେ ଫାଶୀଖୁଂଟରେ ଝୁଲିବାକୁ ଅପେକ୍ଷା କରିରହିଛନ୍ତି ନିର୍ଭୟା ଦୋଷୀ । ୬ ଦୋଷୀଙ୍କ ମଧ୍ୟରେ ଜଣେ ନାବାଳକ ହୋଇଥିବା ବେଳେ ରାମ ସିଂହ ଜେଲ ଭିତରେ ଆତ୍ମହତ୍ୟା କରିସାରିଛନ୍ତି । ବାକି ୪ଜଣ ଦୋଷୀଙ୍କ ମଧ୍ୟରୁ ଜଣଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିସାରିଛନ୍ତି । ତେଣୁ ସେମାନଙ୍କୁ ଫାଶୀର ରାସ୍ତା ଏକ ପ୍ରକାର ସଫା ହୋଇଯାଇଛି । ସବୁଠୁ ବଳିଯାଇଥିଲା ହାଇଦ୍ରାବାଦରେ ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ଜୀଅନ୍ତା ଜାଳିଦେବା ଘଟଣା । ଘରକୁ ଫେରୁଥିବା ସମୟରେ ଜଣେ ମହିଳା ଡାକ୍ତରଙ୍କୁ ୪ ଦୁବୃର୍ତ ଗଣଦୁଷ୍କର୍ମ କରିବା ସହିତ ପେଟ୍ରୋଲ ପକାଇ ଜାଳିଦେଇଥିଲେ । ବହୁ ଖୋଜାଖୋଜିପରେ ମିଳିଥିଲା ମହିଳା ଡାକ୍ତରଙ୍କ ଦରପୋଡା ମୃତଦେହ । ଘଟଣାର ୪୮ ଘଂଟା ଭିତରେ ୪ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ତେବେ ଏହି ଦୁଷ୍କର୍ମ ଘଟମାକୁ ନେଇ ସାରା ଦେଶରେ ଦେଖିବାକୁ ମିଳିଥିଲା ବିରୋଧ ଓ ପ୍ରତିବାଦ । ହାଇଦ୍ରାବାଦ ପୋଲିସ ଏହି ୪ ଅଭିଯୁକ୍ତ ଖସିବାକୁ ଚେଷ୍ଟା କରୁଥିବା ବେଳେ ସେମାନଙ୍କୁ ଏନକାଉଁଟର କରି ଖତମ କରିଦେଇଥିଲା ।


୨୦୧୯ ବର୍ଷର ଏହି ଘଟଣା ସାରା ଦେଶକୁ କରିଦେଇଥିଲା ସ୍ତବ୍ଧ । ୨୦୧୯ର ଶେଷ ଭାଗକୁ ନାଗରିକତା ସଂଶୋଧନ ବିଲ ଆସିଥିଲା ଏବଂ ଉଭୟ ଗୃହରେ ପାରିତ ହୋଇଥିଲା ଏହି ବିଲ । ତେବେ ଏହି ବିଲକୁ ନେଇ ସାରା ଦେଶରେ ଲାଗିଗଲା ନିଆଁ । ପାକିସ୍ତାନ. ଆଫିଗାନିସ୍ତାନ, ବାଂଲାଦେଶରେ ଉତ୍ପିଡନ ସହୁଥିବା ହିନ୍ଦୁମାନେ ଚାହିଁଲେ ଦେଶକୁ ଆସିପାରିବେ । ତେବେ ମୁସଲମାନ ଆସିପାରିବେ ନାହିଁ । ବାସ ଏହାକୁ ନେଇ ଏବେ ବି ଜାରିରହିଛି ବିତର୍କ । ଦେଶରେ କାହାର ନାଗରିକତ୍ୱ ଯିବ, କିଏ ରହିବ କିଏ ଯିବ ଏବଂ କିଏ ଆସିବ ଏହାକୁ ନେଇ ଏବେ ବି ବାଦ ବିବାଦ, ପ୍ରତିବାଦ ଲାଗି ରହିଛି ।

Leave a Reply

Your email address will not be published.