ଉଦ୍ଧବ ଆପଣାଉଛନ୍ତି ଫିନ୍‌ଲାଣ୍ଡ୍ ଫର୍ମୁଲା!

ମୁମ୍ବାଇ (ଓଟି): ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆପଣାଉଛନ୍ତି ଫିନ୍‌ଲାଣ୍ଡ ଫର୍ମୁଲା… ଏଭଳି ଚର୍ଚ୍ଚା ଆରମ୍ଭ ହୋଇଯାଇଛି ଦେଶରେ। କାରଣ ଏଣିକି ମହାରାଷ୍ଟ୍ରର ସରକାରୀ କର୍ମଚାରୀ ସପ୍ତାହକୁ ୫ ଦିନ କାମ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ତେବେ ଏହା ସହ ଫିନ୍‌ଲାଣ୍ଡ୍‌ର ସମ୍ପର୍କ କଣ?

ସେମିତି କିଛି ସିଧାସଳଖ ନାହିଁ, ଆସନ୍ତୁ ଜାଣିବା…

ବିଶ୍ଵର ଦ୍ଵିତୀୟ କମ୍‌ ବୟସ୍କା ପ୍ରଧାନମନ୍ତ୍ରୀ ଭାବେ ପରିଚିତ ସୁନ୍ଦରୀ ସନ୍ନା ମରିନ୍‌ (୩୪) ଗତ ଜାନୁଆରୀରେ ନିଜ ଦେଶ ଫିନ୍‌ଲାଣ୍ଡରେ ନୂଆ ନିଷ୍ପତ୍ତି ନେଇଥିଲେ। ଯାହାକୁ ନେଇ ବିଶ୍ଵବ୍ୟାପି ଆଲୋଚନା ହୋଇଥିଲା। ସପ୍ତାହକୁ ୪ ଦିନ ଓ ଦିନକୁ ୬ ଘଣ୍ଟା କାର୍ଯ୍ୟ କରାଯିବା ନେଇ ବଡ଼ ନିଷ୍ପତ୍ତି ନେଇଥିଲେ ସନ୍ନା। ଏହାଦ୍ଵାରା କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇବ ଓ ପାରିବାରିକ ସୁଖସନ୍ତୋଷ କାରଣରୁ କାର୍ଯ୍ୟ କ୍ଷେତ୍ରରେ ସକାରାତ୍ମକ ପ୍ରଭାବ ପଡ଼ିବ। ଫଳରେ ଦେଶର ବିକାଶ ଓ ଅଭିବୃଦ୍ଧିରେ ତାହା ବେଶ୍‌ ସହାୟ ହେବ ବୋଲି ପ୍ରଧାନମନ୍ତ୍ରୀ ସନ୍ନା ବିଶ୍ଵାସ କରୁଥିବା ପ୍ରକାଶ କରିଥିଲେ।

ମହାରାଷ୍ଟ୍ର ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସପ୍ତାହକୁ ୨ଦିନ ଛୁଟି ଦେବାକୁ ନିଷ୍ପତ୍ତି ନେବା ପରେ ଆଲୋଚନା ଜୋର ଧରିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଫେବୃଆରୀ ୨୯ରୁ ଏହି ବ୍ୟବସ୍ଥା ଲାଗୁ ହେବ ବୋଲି ସୂଚନା ମିଳିଛି। ସୂଚନାନୁଯାୟୀ, ମହାରାଷ୍ଟ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଦ୍ୱିତୀୟ ଓ ଚତୁର୍ଥ ଶନିବାର ଛୁଟି ପାଉଛନ୍ତି। ମୋଟ୍ ୨୦ ଲକ୍ଷ ଅଧିକାରୀ ଓ କର୍ମଚାରୀଙ୍କୁ ଏହି ସୁବିଧା ମିଳୁଛି। ଅନ୍ୟପକ୍ଷରେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ଏବଂ ଅନ୍ୟ କେତେକ ସଂରକ୍ଷିତ ବର୍ଗଙ୍କ ପାଇଁ କାର୍ଯ୍ୟ କରୁଥିବା ବିଭାଗ ଏଣିକି ବହୁଜନ କଲ୍ୟାଣ ବିଭାଗ ନାମରେ ନାମିତ ହେବ ବୋଲି କ୍ୟାବିନେଟ୍‌ରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିସହ ଫେବୃଆରୀ ୧୯ ଛତ୍ରପତି ଶିବାଜୀ ମହାରାଜାଙ୍କ ଜନ୍ମ ତାରିଖରୁ ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ଜାତୀୟ ସଙ୍ଗୀତ ଗାନ ବାଧ୍ୟତାମୂଳକ ହେବ ବୋଲି କ୍ୟାବିନେଟ୍‌ରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।  

Leave a Reply

Your email address will not be published.