କୋଭିଡ୍‌ କଷାଘାତର କେତେକ କାହାଣୀ

ମନୋଜ ଦାଶ

ବିଶ୍ଵର ସବୁ ଦେଶରେ ହାହାକାର ସୃଷ୍ଟି କରିଥିବା କରୋନା ଭୁତାଣୁର ଅସଲି ଉତ୍ସ ଓ କାରଣଗୁଡ଼ିକ ମଧ୍ୟରେ ରହିଛି ଅନେକ ଷଡ଼ଯନ୍ତ୍ର, କପୋଳକଳ୍ପିତ ଗଳ୍ପ ଓ ମନଗଢ଼ା କାହାଣୀ। ଏହାଦ୍ଵାରା ଲୋକମାନଙ୍କ ମନରେ ସ୍ଵାସ୍ଥ୍ୟକର୍ମୀଙ୍କ ପ୍ରତି ଘୋର ଅବିଶ୍ଵାସ ଓ ପ୍ରଶାସନ ପ୍ରତି ଭୟ ସୃଷ୍ଟି ହୋଇଛି। ହୁଏତ ଭୁତାଣୁ ଧ୍ବଂସ ପାଇଗଲା ପରେ ମଧ୍ୟ ଜନମାନସରେ ତାହା ବଞ୍ଚି ରହିବ! ଆସନ୍ତୁ ଜାଣି ସେଗୁଡ଼ିକ ବିଷୟରେ।

ପ୍ରଥମେ ଲୋକମାନେ କାହିଁକି ଷଡ଼ଯନ୍ତ୍ର ଭିତ୍ତିକ କାହାଣୀ ପ୍ରତି ଆକୃଷ୍ଟ ହୁଅନ୍ତି? ଯେଉଁ ସମୟରେ ମଣିଷର ଚାରି ପାଖରେ ଭୟ ବାତାବରଣ ସୃଷ୍ଟି ହୁଏ ସେ ସମୟରେ କିଛି ଭିନ୍ନ ସ୍ଵାଦର କାହାଣୀ ପାଇଁ ଆଗ୍ରହ ପ୍ରକାଶ କରିବା ଏବଂ ଏହାକୁ ଅନ୍ୟ କେହି ଜାଣିବା ଆଗରୁ ମୁଁ ଜାଣିଛି  ବୋଲି କହି ଖୁସି ହେବା ଏକ ମନୋବିଜ୍ଞାନ ଦିଗ। କୌଣସି ଗୁପ୍ତ କଥା ଜାଣିବାକୁ ପାଇଲେ ମଣିଷର ମନ ଖୁସି ହୋଇଥାଏ। ସାମ୍ପ୍ରତିକ ଅସ୍ଥିର ପରିସ୍ଥିତିରେ ଏକ ନିଷିଦ୍ଧ ଜ୍ଞାନ ପ୍ରାପ୍ତି ହେଲେ ଯେକୌଣସି ବ୍ୟକ୍ତି ନିଜକୁ ଅଧିକ ବଳଶାଳୀ, ପ୍ରଭାବଶାଳୀ ବୋଲି ମନେକରି ଖୁସି ହୁଏ ଏବଂ ସେହିଭଳି ବିଷୟକୁ ଅନ୍ୟମାନଙ୍କ ମଧ୍ୟରେ ବଖାଣିଲେ ମୃତ୍ୟୁ ଭୟ ଓ ସଂଗରୋଧ କଷ୍ଟ ଲାଘବ ହୁଏ।

ପ୍ରସିଦ୍ଧ ମନୋବୈଜ୍ଞାନିକମାନେ କହନ୍ତି, ଯେତେବେଳେ ମାନସିକ ଚାପରେ କେହି ରୁହନ୍ତି ଏବଂ ସାଧାରଣ ଚଳଣୀରେ ଅସ୍ଵଭାବିକ ଗତିରୋଧ ସୃଷ୍ଟି ହୁଏ, ସେତେବେଳେ ଷଡ଼ଯନ୍ତ୍ରଭିତ୍ତିକ ଗଳ୍ପମାନ ମନକୁ ଅତି ଭଲ ଲାଗେ । ଏହି ପରିସ୍ଥିତି ଭୋଗୁଥିବା ଲୋକଟି ମନର ଆଙ୍କୁଡ଼ିରେ ଟାଣି ହୋଇ ସହଜରେ ଆପଣାଇ ନିଏ। ଠିକ୍‌ ସେହିପରି ଯତେବେଳେ ମଣିଷର ପ୍ରୟାସ ସ୍ଵଭାବିକ ପରିସ୍ଥିତିକୁ ଫେରାଇ ଆଣିବାରେ ବିଫଳ ହୁଏ, ସେତେବେଳେ ତାକୁ ଅନ୍ୟର ଷଡ଼ଯନ୍ତ୍ରର ଶିକାର ହେଲା ଭଳି ଅନୁଭବ ହୁଏ।

ତେବେ ଏ କାହାଣୀ କିଏ ସୃଷ୍ଟି କରୁଛି? ଖାଲି ବ୍ୟକ୍ତି ନା କିଛି ଅନୁଷ୍ଠାନ? ଆଜିକାଲିର ପରିସ୍ଥିତିରେ ଅନେକ ବ୍ୟକ୍ତି, ସଂସ୍ଥା ଏବଂ ଦଳମତ ନିର୍ବିଶେଷରେ  ସରକାର  ମଧ୍ୟ ମନଗଢ଼ା କାହାଣୀ ସୃଷ୍ଟି କରୁଛନ୍ତି।   ଏ ଭିତରେ ସମ୍ପୃକ୍ତ ବ୍ୟକ୍ତି, ଅନୁଷ୍ଠାନ ଓ ସରକାରଙ୍କ ଫାଇଦା ସନ୍ନିବସିତ ରହିଥାଏ।

ମାନବସଭ୍ୟତାରେ ଅନେକଥର ମହାମାରୀ ଆସିଛି। କିନ୍ତୁ ବର୍ତ୍ତମାନ ସମୟ ଅତୀତଠାରୁ ସମ୍ପୂଣ୍ଣ ଭିନ୍ନ। କାରଣ ଏବେ ମାନବ ସମାଜ ପାଖରେ ତଥ୍ୟ ପାଇବାକୁ ଯେମିତି ବିକଳ୍ପସବୁ ରହିଛି ତାହା ପୂର୍ବରୁ ନଥିଲା। ଅଙ୍ଗୁଳି ସ୍ପର୍ଶରେ ସେ ବିଭିନ୍ନ ଦେଶର ଖବର ସହ ଅନେକ ଲୋକଙ୍କ ମତାମତକୁ ଜାଣିବାପରୁଛି ଓ ନିଜେ ବି କହିବା ଲାଗି ଅନେକ ଫୋରମ୍‌ ପାଇପାରୁଛି। ଏହାକୁ ଇଂରାଜୀରେ    ‘ଇନ୍‌ଫୋଡେମିକ୍‌’ ବୋଲି କୁହାଯାଏ। ଅର୍ଥାତ୍‌ ଆମେ ସମସ୍ତେ ଏହି ଇନ୍‌ଫୋଡେମିକ୍‌ରେ ପୀଡ଼ିତ। ଏବେ ଟେକ୍ନୋଲୋଜି ଏମିତି ହେଲାଣି ଯାହାଦ୍ଵାରା ଆମର ରୁଚି ଓ ଆଗ୍ରହକୁ ଦେଖି ସୂଚନା ତଥା ଇନ୍‌ଫରମେସନ୍‌କୁ ବିନା ସ୍ପର୍ଶ ଓ ଖୋଜିବାରେ ମଧ୍ୟ ଆମ ଆଗରେ ଉପସ୍ଥାପନ ହୋଇପାରୁଛି।

ଗତ ଦୁଇ ତିନିମାସ ମଧ୍ୟରେ ବିଶେଷକରି ଯେବେଠାରୁ କୋଭିଡ୍‌-୧୯ମହାମାରୀର ଭୟ ତଥା ଆତଙ୍କ ବିଶ୍ଵରେ ସୃଷ୍ଟି ହେଲା ସେବେଠାରୁ  ଅନେକ ଷଡ଼ଯନ୍ତ୍ର ସିଦ୍ଧାନ୍ତ ବିଭିନ୍ନ ପାରମ୍ପରିକ ଓ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ହେଉଛି। ସେଗୁଡ଼ିକ ଭିତରୁ କିଛି ଏଠାରେ ଉପସ୍ଥାପନ କରାଯାଇପାରେ।

  1. ସୋଶାଲ୍‌ ମିଡିଆରେ ଏହି ବିଷୟରେ ଚର୍ଚା ଚାଲିଛି ଯେ, ବିଶ୍ଵପ୍ରସିଦ୍ଧ ଆଇଟି ଶିଳ୍ପପତି ବିଲ୍‌ ଗେଟ୍ସ କରୋନା ଭୁତାଣୁ ସୃଷ୍ଟି କରିଛନ୍ତି। ଔଷଧ ଉତ୍ପାଦନକାରୀ ସଂସ୍ଥାକୁ ସାହାଯ୍ୟ କରିବା ଲାଗି ଏହାର ଭିତ୍ତି ସ୍ଥାପନା ହୋଇଛି।  ୨୦୧୫ ମସିହାରେ ଏକ ସମ୍ମିଳନୀରେ ଭାଷଣ ଦେବା ଭିଡିଓରେ ସେ କହିଥିଲେ- ଆଗାମୀ ଦିନମାନଙ୍କରେ ଭୁତାଣୁ ମାଧ୍ୟମରେ ଅଦୃଶ୍ୟ ଶକ୍ତିମାନେ ମାନବ ସଭ୍ୟତାର ବିକାଶ ପ୍ରକ୍ରିୟାରେ ଅବରୋଧ ସାଜିବେ। ଏଣୁ ଏଥିରୁ ବର୍ତ୍ତିବା ଲାଗି ସମସ୍ତ ଦେଶ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରିବା ସହ ଜରୁରୀ ତାଲିମ ପ୍ରଦାନ ସହ ପ୍ରତିଶେଧକ ଟୀକା ନିମନ୍ତେ ପୁଞ୍ଜି ନିବେଶ କରିବା ଦରକାର।
  2. ଅନ୍ୟ ଏକ ୟୁଟ୍ୟୁବ୍‌ ଭିଡିଓରେ ଏହି ଭୁତାଣୁକୁ ଜନସଂଖ୍ୟା ନିୟନ୍ତ୍ରଣର ଏକ ଉପାୟ ବୋଲି ବଣ୍ଣନା କରାଯାଇଛି।
  3. ଅନେକ ଅଜଣା ବ୍ୟକ୍ତି ଏହାକୁ ୫-ଜି ଉପକରଣର କୁ ପ୍ରଭାବ ବୋଲି ବି କହିଛନ୍ତି।
  4. ଆଉ ଏକ ଆଲେଖ୍ୟରେ କୁହାଯାଇଛି ଯେ, ଯେଉଁମାନେ କ୍ଷମତାରେ ଅଛନ୍ତି ସେମାନେ ନାଗରିକମାନଘଙ୍କ ସ୍ଵାଧୀନତାକୁ ସଙ୍କୁଚିତ କରିବା ଲାଗି ଚାହୁଁଛନ୍ତି। ଏହି କରୋନା ଭୁତାଣୁ ସେମାନଙ୍କୁ ଏକ ସୁଯୋଗ ଦେଇଛି। ଏହି ଭୁତାଣୁ ଦ୍ଵାରା କିପରି ଅଭିନବ ଉପାୟରେ ଜନସାଧାରଣଙ୍କୁ ତାଙ୍କ ଘରେ ବନ୍ଦୀ କରି କିପରି କ୍ଷମତା ବୃଦ୍ଧି କରାଯାଇପାରିବ ତାହାର ଏକ ସଫଳ ପରୀକ୍ଷଣ ଚାଲିଛି।
  5. ଏହି ଭୁତାଣୁକୁ ଡରି ଲୋକେ ଘରେ ବସିବେ ଏବଂ ଘରେ ବସି ବ୍ୟକ୍ତି ନିଜର ଦୈନ୍ଦିନ କିଣାକିଣି କ୍ରେଡିଟ୍‌କାର୍ଡ଼ ମାଧ୍ୟମରେ କରିବେ। ଏହାଫଳରେ ସେମାନଙ୍କ କାର୍ଯ୍ୟ ଶୈଳୀ ବ୍ୟକ୍ତିଗତ ଜୀବନ ଚାହିଦା ଇତ୍ୟାଦି ଉପରେ ଲକ୍ଷ୍ୟ ରଖାଯାଇପାରିବ। ଏହା ବ୍ୟକ୍ତିର ସ୍ଵତନ୍ତ୍ରତାକୁ କ୍ଷୁଣ୍ଣ କରି ବ୍ୟବସାୟିକ ସଂସ୍ଥାମାନଙ୍କର ସମାଜ ଉପରେ ନିୟନ୍ତ୍ରଣ ବିସ୍ତାରରେ ସହାୟକ ହେବ।
  6. ଏହି ଭୁତାଣୁ ଭୟରେ ଲୋକମାନେ ନିଜର ଟୀକାରଣ କରିବେ। ଫଳରେ ଏହା ଟୀକା ଉତ୍ପାଦନ କମ୍ପାନୀମାନଙ୍କ ଲାଗି ଲାଭ ଆଣିବ।
  7. କେତେକ ତଥାକଥିତ ବିଶେଷଜ୍ଞ କହୁଛନ୍ତି ଯେ, ବର୍ତ୍ତମାନର ବିଶ୍ଵ ଅର୍ଥନୀତିକ ବ୍ୟବସ୍ଥାକୁ ଧ୍ବଂସ କରି ଏକ ନୂତନ ବ୍ୟବସ୍ଥା ଗ୍ରହଣ ପାଇଁ ଏହି ଭୁତାଣୁକୁ ମାନବ ସମାଜ ମଧ୍ୟରେ ଛଡ଼ାଯାଇଛି। ସବୁଦେଶ ବର୍ତ୍ତମାନ ଗ୍ରହଣ କରିଥିବା ଲକ୍‌ଡାଉନ୍‌ ପଦକ୍ଷେପ ଯୋଗୁ ଆର୍ଥିକ ମାନ୍ଦାବସ୍ଥାର ଶିକାର ହେବେ। ଏହା ବିଶ୍ଵ ଅର୍ଥନୀତିକୁ ନିୟନ୍ତ୍ରଣ ଦିଗରେ ଚକ୍ରାନ୍ତକାରୀମାନଙ୍କୁ ସହାୟକ ହେବ।
  8. କେତେକ ଲୋକ କହୁଛନ୍ତି ଯେ, ଭବିଷ୍ୟତରେ ମହାମାରୀକୁ ନିୟମନ୍ତ୍ରଣରେ ଆଣିବା ଲାଗି ଲେକାମାନଙ୍କ ଗତିବିଧି, ଓ ବାସସ୍ଥାନ ଇତ୍ୟାଦି ତଥ୍ୟ ସରକାରଙ୍କ ପାଖରେ ଉପଲବ୍ଧ କରାଇବା ଆବଶ୍ୟକ। ସେଥିପାଇଁ ପ୍ରତ୍ୟେକ ନାଗରିକଙ୍କୁ ଏକ ଡିଜିଟାଲ୍‌ କାର୍ଡ ଦିଆଯିବ। ସେହି ବ୍ୟକ୍ତି କେଉଁ ସ୍ଥାନରେ କେତେବେଳେ କାହା ଘରେ କେତେ ସମୟ ବିତାଇଲେ ଏବଂ ତାଙ୍କ ଜିୀବନର ବିଭିନ୍ନ ତଥ୍ୟକୁ ଏହି କାର୍ଯ୍ୟ ମାଧ୍ୟମରେ ସଂଗ୍ରହ କରାଯାଇପାରିବ। ଯେଉମାନେ ଏହି କର୍ଡର ନିୟମାବଳୀକୁ ନମାନିବେ ସେମାନଙ୍କୁ ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚିତ ହେବାକୁ ପଡ଼ିବ। ଏଣୁ ବ୍ୟକ୍ତିର ଜୀବନ ଉପରେ ସମ୍ପୂଣ୍ଣ ନିୟନ୍ତ୍ରଣ ସରକାରଙ୍କର ରହିବ। ଯେଉଁ ବ୍ୟକ୍ତି ସରକାରଙ୍କ କଥା ନମାନିବେ ବା ସହମତି ପ୍ରକାଶ ନ କରିବେ ତେବେ ତାଙ୍କୁ ବାସନ୍ଦ ମଧ୍ୟ କରାଯାଇପାରେ।

ଏହିସବୁ ଷଡ଼ଯନ୍ତ୍ରର ଅସଲି ଉଦ୍ଦେଶ୍ୟ କ’ଣ ତାହା ସାଧାରଣ ଲୋକ ଜାଣିବା କଷ୍ଟକର। ଠିକ୍‌ ଯେମିତି କରୋନା ଭୁତାଣୁର ଅସଲି ଗୁଣ, ପ୍ରଭାବ, ଲକ୍ଷଣ, ପ୍ରତିକାର, ଔଷଧ, ପ୍ରତିରୋଧ ବିଷୟରେ ଅନେକ ମତ ପ୍ରକାଶ ପାଉଛି ଏବଂ ବିଭିନ୍ନ ସମୟରେ ବିଶେଷଜ୍ଞ ଭିନ୍ନ ଭିନ୍ନ ତଥ୍ୟ ଦେଉଛନ୍ତି ସେମିତି ଗୋଳିଆ ପାଣିର ଫାଇଦା ଉଠାଇବା ଲାଗି ଅନେକ ବ୍ୟବକ୍ତି ବିଭିନ୍ନ ଦେଶରେ ଭିନ୍ନଭିନ୍ନ ପ୍ରକାରର ଗୁଜବ ବିସ୍ତାର କରିବାରେ ଲାଗିପଡ଼ିଛି।

ଭାରତୀୟ ସମାଜରେ ମଧ୍ୟ ଗୁଜବ, ମିଥ୍ୟା, ବିକୃତ ତଥ୍ୟଭିତ୍ତିକ ମନୋଭାବ ଲୋକମାନଙ୍କ ମଧ୍ୟରେ ରହିଛି। ଏହାର ପ୍ରଭାବ ଆମେ ସମସ୍ତେ ପ୍ରତ୍ୟେକ ଦିନ ବିଭିନ୍ନ ଘଟଣା ମାଧ୍ୟମରେ ଦେଖିପାରୁଛେ। ଉଦାହରଣ ସ୍ଵରୂପଳ କରୋନା ଭୁତାଣୁ ଦ୍ଵାରା ମୃତ ବ୍ୟକ୍ତିଙ୍କର ଅନ୍ତିମ ସତ୍କାର ସମୟରେ ଲୋକମାନେ ଅନେକ ବାଧା ସୃଷ୍ଟି ଓ ହିଂସା ପ୍ରୟୋଗ ମଧ୍ୟ କରୁଛନ୍ତିତ। ଭୁତାଣୁଦ୍ଵାରା ଆକ୍ରାନ୍ତ ଅନେକ ବ୍ୟକ୍ତି ସଫଳ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଲେ ସେମାନଙ୍କ ପ୍ରତିବ ବିଭନ୍ନ ପ୍ରକାର ଅସୁବିଧା ସୃଷ୍ଟି କରୁଛନ୍ତି।

ଏସବୁ ଘଟଣା ମାନବ ମନରେ ବିକାରଗ୍ରସସ୍ତ ମନକୁ ବଣ୍ଣନା କରୁଛି। ବିପଦ ସମୟରେ ମାନସିକ ସ୍ତରରେ ମଣିଷ କିଭଳି ଖଣ୍ଡ ଖଣ୍ଡ ହୋଇଯାଏ ସ୍ଵଭାବିକ ଜୀବନଯାପନ ଶୈଳୀରୁ ବିଚ୍ୟୁତ ହୋଇ କିଭଳି ଅସ୍ଵଭାବିକ ବ୍ୟବହାର ଏବଂ ମନଗଢ଼ା କଥାକୁ ଜନ୍ମ ଦିଏ, ଷଡ଼ଯନ୍ତ୍ରଭିତ୍ତିକ କାହାଣୀ ମାଧ୍ୟମରେ କିଭଳି ନିଜମନକୁ ସାନ୍ତ୍ଵନା ପ୍ରଦାନ କରେ ଏବଂ ନିଜକୁ ସୁରକ୍ଷିତ ତଥା ଶକ୍ତିଶାଳୀ ମନେକରେ ତାହାର ଅନେକ ନମୁନା ସାମ୍ପ୍ରତିକ ସମୟେରେ ଦେଖିବାକୁ ମିଳୁଛି।

ଆଗାମୀ ଦିନମାନଙ୍କରେ ଏହା ତୀବ୍ରତର ହେବାର ସମ୍ଭାବନା ମଧ୍ୟ ରହିଛି। ଏଣୁ ଏହି ପରିପ୍ରେକ୍ଷୀରେ ନିଜର ମନ ଉପରେ କିଭଳି ନିୟନ୍ତ୍ରଣ ରଖାଯାଇପାରିବ ଏବଂ ଶୃଙ୍ଖଳିତ ଚାଲିଚଳଣୀ ତଥା ସ୍ଵାସ୍ଥ୍ୟ କାରଣ ପଦକ୍ଷେପ ମାଧ୍ୟମରେ କିପରି ଆମେ ନିଜ ଜୀବନକୁ ଭୁତାଣୁର ଆକ୍ରମଣରୁ ବଞ୍ଚାଇ ପାରିବା ସେ ସମ୍ପର୍କରେ ଅଧିକରୁ ଅଧିକ ସଚେତନତା ଜରୁରୀ।

ବିଦ୍ର: ସ୍ତମ୍ଭକାର ଜଣେ ସାମାଜିକ କର୍ମୀ, ଲେଖକ ତଥା ଗବେଷକ। ଉପରୋକ୍ତ ସନ୍ଦର୍ଭରେ ଲିଖିତ ମତାମତ ତାଙ୍କ ନିଜସ୍ଵ ଗବେଷଣା ଉପରେ ଆଧାରିତ। ତାଙ୍କୁ ଯୋଗାଯୋଗ ଫୋନ୍‌ ନମ୍ବର: ୯୯୩୭୧୦୦୫୪୯

Leave a Reply

Your email address will not be published.