ଭୁବନେଶ୍ୱରରେ ୧୯୪କୋଟିର ନିର୍ବାଚନୀ ବଣ୍ଡ ବିକ୍ରି

ନିର୍ବାଚନୀ ବଣ୍ଡ ବିକ୍ରି ୬୨% ବୃଦ୍ଧି

ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ଇଲେକ୍ଟ୍ରୋରାଲ ବଣ୍ଡ (ନିର୍ବାଚନୀ ବଣ୍ଡ) ବିକ୍ରିରେ ବଡ଼ ବୃଦ୍ଧି ଦେଖାଦେଇଛି। ଏସବିଆଇ ପକ୍ଷରୁ ଏହି ବଣ୍ଡ ବିକ୍ରି ହେଉଥିଲାବେଳେ ଆରଇଟିଆରୁ ମିଳିଥିବା ଉତ୍ତର ଅନୁସାରେ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ୧୭୧୬.୦୫କୋଟିର ବଣ୍ଡ ବିକ୍ରି ହୋଇଛି। ଯାହା ପୂର୍ବ ବର୍ଷ ତୁଳନାରେ ୬୨% ଅଧିକ।

ଆଉ ବଡ଼ କଥା ହେଉଛି ଏହି ବଣ୍ଡ ବିକ୍ରି ତାଲିକାରେ ଭୁବନେଶ୍ୱର ୫ମ ସ୍ଥାନରେ ରହିଛି। ଏହି ଅବଧୀରେ ଏସବିଆଇ ଭୁବନେଶ୍ୱର ପକ୍ଷରୁ ୧୯୪କୋଟି ଟଙ୍କାର ବଣ୍ଡ ବିକ୍ରି ହୋଇଛି।

ପୁନେ ସ୍ଥିତ ଭିହାର ଧୃବ ନାମକ ଜଣେ ବ୍ୟକ୍ତି ଆରଟିଆଇ ମାଧ୍ୟମରେ କେତେ ପରିମାଣର ବଣ୍ଡ ବିକ୍ରି ହୋଇଛି, ତାହାର ତଥ୍ୟ ମାଗିଥିଲାବେଳେ ଏସବିଆଇ ପକ୍ଷରୁ ମିଳିଥିବା ଉତ୍ତରରେ ଉଲ୍ଲେଖ କରାଯାଇଛି ଯେ, ୨୦୧୮ବର୍ଷର ମାର୍ଚ୍ଚ, ଏପ୍ରିଲ, ମେ, ଜୁଲାଇ, ଅକ୍ଟୋବର, ନଭେମ୍ୱରରେ ୧୦୫୬.୭୩କୋଟିର ବଣ୍ଡ ବିକ୍ରି ହୋଇଛି। ଚଳିତ ବର୍ଷ ବ୍ୟାଙ୍କ ଜାନୁଆରୀ ଓ ମାର୍ଚ୍ଚ ମାସରେ ୧୭୧୬.୦୫କୋଟିର ନିର୍ବାଚନୀ ବଣ୍ଡ ବିକ୍ରି
କରିଛି। ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ବଣ୍ଡ ବିକ୍ରିରେ ବଡ଼ ବୃଦ୍ଧି ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏସବିଆଇ ପକ୍ଷରୁ ପ୍ରଦତ୍ତ ତଥ୍ୟାନୁସାରେ ୨୦୧୯ ବର୍ଷରେ ସର୍ବାଧିକ ନିର୍ବାଚନୀ ବଣ୍ଡ କିଣା ମୁମ୍ୱାଇରେ ହୋଇଛି। ଏହି ପରିମାଣ ହେଉଛି ୪୯୫.୬୦ କୋଟି ଟଙ୍କା। ମୁମ୍ୱାଇ ପରେ କୋଲକାତା (୩୭୦.୦୭କୋଟି), ହାଇଦ୍ରାବାଦ (୨୯୦.୫୦କୋଟି), ଦିଲ୍ଲୀ (୨୦୫.୯୨କୋଟି) ଏବଂ ଭୁବନେଶ୍ୱରରେ ବିକ୍ରି ହୋଇଛି ୧୯୪କୋଟିର ବଣ୍ଡ। ରାଜନୈତିକ ଦଳମାନଙ୍କୁ ମିଳୁଥିବା ଚାନ୍ଦାରେ ସ୍ୱଚ୍ଛତା ଆଣିବା ପାଇଁ ୨୦୧୮ରେ କେନ୍ଦ୍ର ସରକାର ଏହି ନିର୍ବାଚନୀ ବଣ୍ଡର ଘୋଷଣା କରିଥିଲେ।

ବିଜ୍ଞପ୍ତି ଅନୁସାରେ ପୂର୍ବ ସାଧାରଣ ନିର୍ବାଚନରେ ଯେଉଁ ଦଳ ମୋଟ ଭୋଟର ୧ ପ୍ରତିଶତରୁ ଅଧିକ ଭୋଟ ହାସଲ କରିଥିବ, ସେହି ଦଳମାନେ ଏହି ବଣ୍ଡ ଗ୍ରହଣ ପାଇଁ ଯୋଗ୍ୟତା ରଖିବେ। ଏହି ବଣ୍ଡ ଜଣେ ଭାରତୀୟ ନାଗରିକ କ୍ରୟ କରିପାରିବ। ଏହି ବଣ୍ଡର ଅବଧି ୧୫ଦିନ ଥିଲାବେଳେ ଏହାକୁ ଭଙ୍ଗାଇ ନଗଦ ଟଙ୍କା ଗ୍ରହଣ କରିବାର ଯୋଗ୍ୟତା ରାଜନୈତିକ ଦଳ ରଖିଛନ୍ତି । ସେମାନେ ସ୍ୱୀକୃତିପ୍ରାପ୍ତ ଏସବିଆଇ ଶାଖାରୁ ଏହି କାରବାର କରିପାରିବେ। ସାଧାରଣ ନିର୍ବାଚନ ଆରମ୍ଭ ହେବାର ୩ମାସ ପୂର୍ବରୁ ଏହି ବଡ଼ ପରିମାଣର କାରବାର ସତରେ ନିର୍ବାଚନରେ ସ୍ୱଚ୍ଛତା ଆସିବ କି ବୋଲି ପ୍ରଶ୍ନବାଚୀ ସୃଷ୍ଟି କରେ।

ନିର୍ବାଚନୀ ବଣ୍ଡ କ’ଣ?

କେନ୍ଦ୍ର ସରକାର ରାଜନୈତିକ ଦଳମାନଙ୍କୁ ମିଳୁଥିବା ଚାନ୍ଦା ପରିମାଣରେ ସ୍ୱଚ୍ଛତା ଓ ପାରଦର୍ଶିତ ଆଣିବା ପାଇଁ ୧ହଜାର ଟଙ୍କା, ୧୦ହଜାର ଟଙ୍କା, ୧ଲକ୍ଷ ଟଙ୍କା, ୧୦ଲକ୍ଷ ଟଙ୍କା ଏବଂ ୧କୋଟି ଟଙ୍କା ମୂଲ୍ୟରେ ନିର୍ବାଚନୀ ବଣ୍ଡ ଜାରି କରିଛନ୍ତି। ଏହି ବଣ୍ଡକୁ ଷ୍ଟେଟ ବ୍ୟାଙ୍କର ନିର୍ଦ୍ଦିଷ୍ଟ ଶାଖାରୁ କ୍ରୟ କରାଯାଇପାରେ।

ନିର୍ବାଚନୀ ବଣ୍ଡର ଅର୍ଥ ହେଉଛି ଏହା ଏକପ୍ରକାର ବଣ୍ଡ, ଯାହା ଉପରେ ସାଧାରଣ ନୋଟରେ ଲେଖାହେଉଥିବା ମୂଲ୍ୟ ତଥା ପରିମାଣ ଏଥିରେ ମଧ୍ୟ ଉଲ୍ଲେଖ ଥାଏ। ଏହି ବଣ୍ଡ ବ୍ୟକ୍ତିଙ୍କୁ, ସଂସ୍ଥାକୁ ଏବଂ ସଂଗଠନ ଦ୍ୱାରା ରାଜନୈତିକ ଦଳମାନଙ୍କୁ ଟଙ୍କା ଦାନ କରିବାରେ ବ୍ୟବହାର କରାଯାଇପାରେ। କେନ୍ଦ୍ର ସରକାର ଦେଶର ରାଜନୈତିକ ଦଳମାନଙ୍କର ନିର୍ବାଚନୀ ଚାନ୍ଦାରେ ସ୍ୱଚ୍ଛତା ଆଣିବା ପାଇଁ ୨୦୧୭-୧୮ ବଜେଟରେ ଏହି ବଣ୍ଡ ଶୁଭାରମ୍ଭର ଘୋଷଣା କରିଥିଲେ। ରାଜନୈତିକ ଚାନ୍ଦା କ୍ଷେତ୍ରରେ ଏହା ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି।

୨୦୧୭ ବଜେଟ ପୂର୍ବରୁ ନିୟମ ଥିଲା ଯେ, ଯଦ କୌଣସି ରାଜନୈତିକ ଦଳକୁ ୨୦ହଜାର ଟଙ୍କାରୁ କମ‍୍‌ ମୂଲ୍ୟର ଚାନ୍ଦା ମିଳେ, ତେବେ ଏହି ଦଳକୁ ଚାନ୍ଦା କେଉଁଠି ମିଳିଛି ତାହା ଜଣାଇବାର ଆବଶ୍ୟକତା ନାହିଁ। ଏହି ନିୟମର ଫାଇଦା ଉଠାଇ ଅଧିକାଂଶ ରାଜନୈତିକ ଦଳ କହିଆସୁଥିଲେ ଯେ, ସେମାନଙ୍କୁ ଯେଉଁ ଚାନ୍ଦା ମିଳୁଥିଲା ତାହା ୨୦ ହଜାରରୁ କମ‍୍‌। ଏହି ଅର୍ଥରେ ସେମାନେ ପ୍ରତି ବ୍ୟକ୍ତିଙ୍କଠାରୁ ହାସଲ କରୁଥିଲେ। ତେଣୁ ଏହାର ସ୍ରୋତ ବତାଇବାର ଆବଶ୍ୟକ ନାହିଁ। ଏହି ବ୍ୟବସ୍ଥା ପ୍ରଚଳନ ହେବା ଦ୍ୱାରା ଦେଶରେ କଳାଟଙ୍କାର ପ୍ରସାର ଅଧିକ ହେଉଥିଲା ଏବଂ ନିର୍ବାଚନରେ ଏହି ଅର୍ଥର ବ୍ୟବହାର ହେଉଥିଲା।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

୩ରୁ ଦକ୍ଷିଣ ଓଡ଼ିଶାରୁ ନବୀନଙ୍କ ମାରାଥନ ପ୍ରଚାର ଆରମ୍ଭ

ଆଉ ୯ ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା, ୩ ବରିଷ୍ଠ କଟିଲେ, ଭର୍ତ୍ତୃହରି ସୁରକ୍ଷିତ

କଂଗ୍ରେସ-ବିଜେଡି ଗରିବ ଓ କୃଷକଙ୍କ ଶତ୍ରୁ

Leave a Reply

Your email address will not be published.