ପରିସଂସ୍ଥାନ ସଭ୍ୟତା: ଚଳିତ ନିର୍ବାଚନର ଆହ୍ୱାନ

0
14372
advertisement
ବିଭୁତି ପତି ଜଣେ ବିଶ୍ଳେଷକ ତଥା ସ୍ଵାଧୀନ ଚିନ୍ତକ। ଏହି ଆଲେଖ୍ୟରେ ସେ ଯେଉଁ ଯୁକ୍ତି ଉପସ୍ଥାପନ କରିଛନ୍ତି ତାହା ତାଙ୍କର ବ୍ୟକ୍ତିଗତ ଅନୁଶୀଳନ।

ବିଭୂତି ପତି
ସଫ୍ଦରଜଙ୍ଗ୍ ଏନ୍କ୍ଲେଭ, ନୂଆଦିଲ୍ଲୀ
୯୯୧୦୭୪୦୮୩୯

ବିଶ୍ୱ ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ସଂଙ୍କଟର ସମାଧାନ ପାଇଁ ପରିସଂସ୍ଥାନ ସଭ୍ୟତା ସୃଷ୍ଟି କରି ମାନବଜାତିକୁ ସୁରକ୍ଷିତ କରିବାର ସମୟ ଆସିଛି । ପରିବେଶ ଅବକ୍ଷୟ, ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପମାତ୍ରା ବୃଦ୍ଧି ଭଳି ଭୟଙ୍କର ସଙ୍କଟ ଆଗାମୀ ଦିନରେ ମଣିଷ ସମାଜରେ ସାମାଜିକ ଓ ଅର୍ଥନୈତିକ ଅସମାନତା ଏବଂ ଖାଦ୍ୟ-ପାଣି-ଶକ୍ତି ସୁରକ୍ଷା ବ୍ୟାହତ କରି ମାନବ ଜାତିପାଇଁ ବିପଦ ସମୂହକୁ ଡାକି ଆଣିବ । ଏହାଦ୍ୱାରା ପ୍ରାକୃତିକ ଦୁର୍ବିପାକ ଏବଂ ରୋଗ ପ୍ରାଦୃଭାବ ସମାଜରେ ବଢ଼ିଚାଲିବ ବୋଲି ପରିସଂସ୍ଥାନ ବୈଜ୍ଞାନିକମାନେ ସତର୍କ କରାଇଦେଲେଣି ।

ଏଭଳି ଏକାଧିକ ସଙ୍କଟ ସହିତ ମଣିଷ ଆଜି ଅହରହ ସଂଘର୍ଷ କରୁଛି । ଆମକୁ ସଚେତନ ହୋଇ ସଂଗଠିତ ଭାବେ ଏକ ସୁସଂଞ୍ଜତ ସାମାଜିକ ପଦ୍ଧତି ମାଧ୍ୟମରେ ଏଭଳି ବିପଦ ଓ ସଙ୍କଟର ମୁକାବିଲା କରିବାକୁ ପଡ଼ିବ ବୋଲି ପାଣିପାଗ ବିଶେଷଜ୍ଞ ଓ ଜଳବାୟୁ ବିଜ୍ଞାନୀମାନେ ସତର୍କ ସୂଚନା ଦେଇସାରିଲେଣି । କାରଣ ଏଭଳି ସଙ୍କଟ ସବୁ ପରସ୍ପର ସହିତ ଅନ୍ତର୍ନିହିତ ଭାବେ ଜଡ଼ିତ । ମାନବସଭ୍ୟତା ପାଇଁ ଉପୁଜୁଥିବା ଏଭଳି ସଙ୍କଟ ସବୁ ପୃଥିବୀର ଗୋଟିଏ ପ୍ରାନ୍ତରୁ ସୃଷ୍ଟି ହେଲେ ସଂକ୍ରମିତ ରୋଗଭଳି ଅନ୍ୟପ୍ରାନ୍ତକୁ ସହଜରେ ବ୍ୟାପିଯାଏ । ପ୍ରତ୍ୟେକ ସଙ୍କଟର ମୁକାବିଲା କ୍ଷେତ୍ରରେ ଏହା କେବଳ ଗୋଟିଏ କ୍ଷେତ୍ରରେ ସଂଗଠିତ ହେଉଥିବା ଏକମାତ୍ର ସଙ୍କଟ ବୋଲି ବିଚାର କରି ସାମାଧାନ କଥା ଭାବିଲେ ଏହା ଫଳପ୍ରଦ ହେବନାହିଁ । ଏସବୁ ବର୍ତ୍ତମାନ ଆମର ସାଧାରଣ ଆଖିକୁ ଦେଖା ଯାଉନଥିଲେ ମଧ୍ୟ ଭବିଷ୍ୟତର ବିପତ୍ତିକୁ ଜନ୍ମ ଦେଇ ଚାଲିଛି କାରଣ ଆମର ଧ୍ୟାନ ଗୋଟିଏ କ୍ଷୁଦ୍ର ଅଞ୍ଚଳ ଉପରେ କେନ୍ଦ୍ରୀଭୂତ ହେଉଥିବାରୁ ଏକ ବୃହତ୍ତ ଅଞ୍ଚଳର ଅବଧାରଣାକୁ ଆମେ ଦେଖିପାରିବା ନାହିଁ ।

ଆମର ବର୍ତ୍ତମାନ ଆଧୂନିକ ଜୀବନଶୈଳୀ ଓ ବିକାଶଧାରାରେ ମହତ୍ୱାକାଂକ୍ଷୀ ବସ୍ତୁବାଦୀ ଯୋଜନା ଆଗକୁ ବଢ଼ିଚାଲିଛି । ଏଥିପାଇଁ ଆମର ବୃଦ୍ଧି ପାଉଥିବା ଅନାବଶ୍ୟକୀୟ ଆଗ୍ରହ ସବୁ ମୂଳ ରୂପରୁ ସୂକ୍ଷ୍ମ ରୂପ ପର୍ଯ୍ୟନ୍ତ ବୃଦ୍ଧିପାଇ ସୂକ୍ଷ୍ମ ରୂପରେ ଦୃଷ୍ଟି ନିବଦ୍ଧ ହେଉଛି । ଏହାଦ୍ୱାରା ଆଗାମୀ ଦିନରେ ଅସଂଖ୍ୟ ସଙ୍କଟ ପରସ୍ପର ସହିତ ଯୋଡ଼ି ହୋଇ ପୃଥିବୀ ପୃଷ୍ଠରେ ଉଭାହେବେ। ଗୋଟିଏ ପ୍ରାନ୍ତର ଛୋଟିଆ ପରିବେଶ ସଙ୍କଟରୁ ମୁକ୍ତି ପାଇବାକୁ ହେଲେ ଅନିୟନ୍ତ୍ରୀତ ବସ୍ତୁବାଦୀ ବିକାଶ ପ୍ରକ୍ରୀୟା ଓ ଆଧୂନିକ ଅନାବଶ୍ୟକୀୟ ଜୀବନଶୈଳୀ ଉପରେ ଅଙ୍କୁଶ ଲଗାଇବାକୁ ପଡ଼ିବ । ଏଥିପାଇଁ ଆମକୁ ମୂଲ୍ୟବୋଧ ଓ ପରିବେଶ ସୁରକ୍ଷା ଭିତ୍ତିକ ଜୀବନ ଧାରଣର ମାନକୁ ଆପଣାଇବାକୁ ପଡ଼ିବ। ଆମର ଜୀବନଶୈଳୀ ପରିସଂସ୍ଥାନ ଉପଯୋଗୀ ମାର୍ଗରେ ପରିଚାଳିତ ହେବା ଆବଶ୍ୟକ । ପୃଥିବୀର ପରିସଂସ୍ଥାନ ଏକ ସୂତାରେ ବନ୍ଧା ହୋଇ ରହିଛି, ଏହା ହେଉଛି ବାସ୍ତବତା । ଆମମାନଙ୍କର ମୃତ୍ତିକା ସ୍ତର ପ୍ରତିଦିନ ଲକ୍ଷ-ଲକ୍ଷ ଟନ୍ ପଲିଥିନ୍ ଓ ପ୍ଲାଷ୍ଟିକ
ଆବର୍ଜ୍ଜନାରେ ମରିଯାଉଛି । ଅନୁର୍ବର ହୋଇଯାଉଥିବା ଏହି ମୃତ୍ତିକା ସ୍ତରରୁ ଭୂତଳ ଜଳ ଦୂରେଇ ଯାଉଛି । ବ୍ୟବହୃତ ବହୁଳ କୀଟନାଶକର ବିଷ ପ୍ରୟୋଗ ଦ୍ୱାରା ମାଟିଉପରର ଅନେକ କୀଟ ପତଙ୍ଗ ଓ ପଶୁପକ୍ଷୀ ଅକାଳରେ ମରିଯାଉଛନ୍ତି ଏବଂ ବୃକ୍ଷଲତା ଉଭାନ ହୋଇ ଜଳ ଜହର ହେବା ସହିତ ପବନ ଜୀବନନାଶକ ପାଲଟି ଗଲାଣି । ବାୟୁମଣ୍ଡଳରେ ପ୍ରତିଦିନ ଅଙ୍ଗାରକାମ୍ଳ ବଢ଼ି ବଢ଼ି ଚାଲିଛି ।

ଭାରତର ପ୍ରମୁଖ ୩୫୨ଟି ନଦୀ ଆଜି ସମ୍ପୂର୍ଣ୍ଣ ପ୍ରଦୂଷିତ ଓ ପାନୀୟ ଜଳ ଉପଯୋଗୀ ନୁହେଁ । ଏଥିରେ ଓଡ଼ିଶାର ବ୍ରାହ୍ମଣୀ ଓ ମହାନଦୀ ମଧ୍ୟ ସାମିଲ । ୨୦୧୮ମସିହାରେ ଏହି ରିପୋର୍ଟ କେନ୍ଦ୍ର ପ୍ରଦୂଷଣ ବୋର୍ଡ଼ ଘୋଷଣା କରିଛନ୍ତି ଏବଂ ନିକଟରେ କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ଓ ମନ୍ତ୍ରୀ ନୀତିନ ଗଡ଼କରୀ ମଧ୍ୟ ସୂଚନା ଦେଇଥିଲେ । ଭୂତଳ ଜଳସ୍ତରର ସ୍ଥିତି ଅତ୍ୟନ୍ତ ସଙ୍କଟଜନକ । ଭାରତର ୨୭୬ ଜିଲ୍ଲାର ଭୂତଳ ଜଳ ଫ୍ଲୋରାଇଡ଼୍, ୩୮୭ ଜିଲ୍ଲାର ଭୂତଳ ଜଳ ନାଇଟ୍ରେଟ୍, ୧୧୩ ଜିଲ୍ଲାର ଭୂତଳ ଜଳ ଭାରି ଧାତୁ ଏବଂ ୬୧ ଜିଲ୍ଲାର ଭୂତଳ ଜଳ ୟୁରାନିୟମ୍ ପ୍ରଭୃତି ମିଶ୍ରଣରେ ବିଷାକ୍ତ ପାଲଟିଛି । ପୃଥିବୀର ବାୟୁମଣ୍ଡଳରୁ ସର୍ବାଧିକ ଅଙ୍ଗାରକାମ୍ଳ ଶୋଷି ନେଉଥିବା ଆମର ସାଗର ଓ ମହାସାଗରଗୁଡ଼ିକର ଅଙ୍ଗାରକାମ୍ଳ ଶୋଷିବା କ୍ଷମତା ହ୍ରାସ ପାଇଚାଲିଛି । ଏହାଫଳରେ ଜଳବାୟୁ ପରିବର୍ତ୍ତନ ସମସ୍ୟା ପ୍ରତିଦିନ ଜଟିଳ ହୋଇ ପଡ଼ୁଛି ।
ପରିସଂସ୍ଥାନ ଓ ଜୈବବିବିଧତା ପରସ୍ପର ସହିତ ଅଙ୍ଗାଙ୍ଗୀଭାବେ ଜଡ଼ିତ । ଏକ ପ୍ରଶ୍ନ ଉଠୁଛି ଜୈବବିବିଧତା ସୁରକ୍ଷିତ ଉନ୍ନତ ସାମାଜିକ ପଦ୍ଧିତି କ’ଣ ? ଏହାର ସରଳ ଓ ସହଜ ଉତ୍ତର ହେଉଛି ପ୍ରକୃତିକୁ ଜୀବନ୍ତ ମା’ ଭଳି ମାନି ଏହାର ସୁରକ୍ଷା ପାଇଁ ଯତ୍ନବାନ ହେବା ।

ଯଦି ଅତ୍ୟନ୍ତ ବାସ୍ତୁବାଦୀ ହୋଇ ଆମେ ଆମର ପ୍ରକୃତିକୁ ଆଗାମୀ ଦିନରେ ଆହୁରି ଶୋଷଣ ଓ ଉତ୍ପିଡ଼ନ କରିବା ତେବେ ଆଧୁନିକ ଯୁଗ ଏକ ଅନ୍ଧକାର ଯୁଗରେ ପରିଣତ ହୋଇଯିବ । ଆଜି ଆମର ପ୍ରଯୁକ୍ତି ବିଦ୍ୟାକୁ ନେଇ ଆମେ ଯେଉଁ ଗର୍ବ କରୁଛେ, ଏହା ଭବିଷ୍ୟତରେ ଆମ ପ୍ରକୃତିକୁ ଏପରି ପରସ୍ଥିତି ଲାଗିରହିଲେ ସୁରକ୍ଷିତ କରିପାରିବନି । ଆମକୁ ବୁଝିବା ଦରକାର,”ପ୍ରକୃତି ପାଇଁ ମଣିଷ ବଞ୍ଚିଛି ଏବଂ ପ୍ରକୃତି ବିରୋଧରେ ମଣିଷର ଧ୍ୱଂସ ସାଧନ ହୋଇଛି” । ଏଥିପାଇଁ ପ୍ରକୃତିର ପ୍ରତ୍ୟେକ ଜୀବଜଗତ ଅର୍ଥାତ୍ ପରିସଂସ୍ଥାନ ସହିତ ମଣିଷ ଅର୍ନ୍ତନିହିତ ସମ୍ପର୍କ ସ୍ଥାପନ କରି ବଞ୍ଚିବା ଦରକାର । ଏହାକୁ ବର୍ତ୍ତମାନଠାରୁ ଶିଖି ପାଳନ କରିବା ଜରୁରୀ ।

ବସ୍ତୁବାଦୀ ପୁଞ୍ଜିପତି କର୍ପୋରେଟ୍ ଜଗତର ଉପପାଦ୍ୟ, “ଆମ ବିକାଶ ସହିତ ପରିବେଶକୁ ଖାପ ଖୁଆଇ ଏବଂ ପରିବେଶ ଓ ବିକାଶକୁ ସନ୍ତୁଳିତ କରି ଆମକୁ ଜୀବନ ଧାରଣ କରିବାକୁ ପଡ଼ିବ”, ଏହି ମତବାଦକୁ ଆଜି ବିଶ୍ୱ ସମୁଦାୟ ବୈଜ୍ଞାନିକମାନେ ଏକ ବିକୃତ ଚିନ୍ତାଧାରର ଆଖ୍ୟା ଦେଇସାରିଲେଣି । ବିଶିଷ୍ଟ ପରିବେଶ ଓ ଜୀବବିଜ୍ଞାନୀ ଏବଂ ଜଳବାୟୁ ବିଜ୍ଞାନୀମାନଙ୍କ ମତରେ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରଜାତିର ପ୍ରାଣୀ ଓ ବୃକ୍ଷଜଗତର ପରିସଂସ୍ଥାନ ବିଗିଡ଼ିଗଲେ ସେମାନେ ଲୁପ୍ତ ପାଇଯାନ୍ତି । ଯାହକୁ ପୁନରୁଦ୍ଧାର କରାଯାଇ ପାରିବା ଅସମ୍ଭବ । ଆଜି ଲକ୍ଷ ଲକ୍ଷ ଜୀବ ଓ ବୃକ୍ଷ ଆମମାନଙ୍କ ମଧ୍ୟରୁ ଲୋପ ପାଇଗଲେଣି, ଏହି ଉଜୁଡ଼ା ପରିସଂସ୍ଥାନକୁ ଆମେ ସଜାଡ଼ି ପୁନଶ୍ଚ ସ୍ଥିତିକୁ ଆଣିପାରିବା ନାହିଁ ଏବଂ ଯେପରି ଆମେ ଆମର ଜୈବ ବିବିଧତାକୁ ଧ୍ୱଂସ କରିଦେଲୁଣି, ଏହାଦ୍ୱାରା ଆମେ ଆମ ଜୀବନରେ ନିଆଁ ଲଗାଇ ସାରିଲୁଣି ।

ବୃକ୍ଷଜଗତ ନଥିଲେ ଏୟାରକଣ୍ଡିସନ୍ ଆମକୁ ନିଶ୍ୱାସ ପ୍ରାଶ୍ୱାସ ପାଇଁ ବାୟୁ ଯୋଗାଇ ପାରିବ ନାହିଁ କିମ୍ବା ପଶୁପକ୍ଷୀ ନଥିଲେ ପରାଗ ସଙ୍ଗମ ହୋଇପାରିବ ନାହିଁ । ଫୁଲ ଫଳ ଓ ବୃକ୍ଷଲତାର ମୌଳିକ ବିକାଶକୁ ପରିସଂସ୍ଥାନରୁ ବାଦ ଦେଇ ବୈଜ୍ଞାନିକ ପରୀକ୍ଷଣ ସମ୍ଭବ ହେବନି। ନିକଟ ଗବେଷଣାରେ ବୈଜ୍ଞାନିକମାନେ ଦର୍ଶାଇଛନ୍ତି ବିଶ୍ୱ ତାପମାତ୍ରା ବୃଦ୍ଧି ହେତୁ ଆମ ପରିସଂସ୍ଥାନରୁ ଜୈବିକ ଶୃଙ୍ଖଳା ପାଇଁ ନିତାନ୍ତ ଆବଶ୍ୟକ ଓ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପରଜୀବି ଜୀବାଣୁଗୁଡ଼ିକ ମଧ୍ୟରୁ ଏକ ତୃତୀୟାଂଶ ବର୍ତ୍ତମାନ ବିଲୁପ୍ତ ହୋଇଗଲେଣି ।


ପରିସଂସ୍ଥାନଭିତ୍ତିକ ସଭ୍ୟତାର ରୂପରେଖ କ’ଣ ହେବା ଦରକାର ? ନିଜକୁ ସର୍ବଶକ୍ତିମାନ ଓ ଅଦମନୀୟ ଭାବୁଥିବା ମଣିଷ ପ୍ରକୃତି ସହ ଲଢ଼ିବା ପ୍ରବୃତ୍ତିରୁ ନିବୃତ ହେବା ସହିତ, ପ୍ରକୃତି କୋଳରେ ମଣିଷର ଆନ୍ତରିକ ଭାବନାକୁ ସମସ୍ତ ଜୀବନ ସତ୍ତା ମଧ୍ୟରେ ରହିଥିବା ସମ୍ପର୍କକୁ ସୁରକ୍ଷିତ କରି ବଞ୍ଚିବାର ପ୍ରୟାସ କରିବାକୁ ପଡ଼ିବ। ଆମର ଆର୍ଥିକ ହିସାବ ପ୍ରଣାଳୀରେ ଆମମାନଙ୍କର ମୂଲ୍ୟବୋଧ ପ୍ରତିଫଳତ ହୁଏ । ଆମେମାନେ ଏହାକୁ ବଦଳାଇବା ଆବଶ୍ୟକ, ଯେପରି ଆମ ପରିସଂସ୍ଥାନ ବ୍ୟବସ୍ଥାର ପ୍ରକୃତ ମୂଲ୍ୟ ଏବଂ ଏଗୁଡ଼ିକ ମଣିଷକୁ ଯୋଗାଉଥିବା ପରିସଂସ୍ଥାନୀୟ ସେବାର ମୂଲ୍ୟ ଏଥିରେ ପ୍ରତିଫଳିତ ହେବ । ଯେତେଦିନ ପର୍ଯ୍ୟନ୍ତ ଏକ ଜୀବନ୍ତ ଗଛର ମୂଲ୍ୟ ଜଙ୍ଗଲରୁ କାଟି ଦିଆଯାଉଥିବା ଗଛର କାଠର ମୂଲ୍ୟ ଅଧିକ ବୋଲି ଭାବିବା ସେତେଦିନ ପରିସଂସ୍ଥାନ ସଭ୍ୟତା ଆମେ ପାଇପାରିବା ନାହିଁ। ଏକ ପରିସଂସ୍ଥାନ ଭିତ୍ତିକ ସଭ୍ୟତା ସମାନତାର ସମାଜ ସୃଷ୍ଟି କରିପାରିବ।

ବର୍ତ୍ତମାନ ଭାରତରେ ନିର୍ବାଚନ ଋତୁ । କିନ୍ତୁ ଦୁଃଖ ଓ ପରିତାପର ବିଷୟ କୌଣସି ଗୋଟିଏ ରାଜନୈତିକ ଦଳ ଆମ ଦେଶର ଭୟଙ୍କର ପରିବେଶ ଅବକ୍ଷୟ, ବାୟୁ ପ୍ରଦୂଷଣ, ମୃତ ନଈ ନାଳର ସୁରକ୍ଷା, ଜୈବବିବିଧତାର ଧ୍ୱଂସ ସାଧନ ଏବଂ ସମୁଦ୍ର ପ୍ରଦୂଷଣ ସଙ୍କଟର ମୁକାବିଲା ପାଇଁ ଆନ୍ତରିକତା ଓ ନିଷ୍ଠାପର ପ୍ରତିଶୃତି ନିଜ ନିର୍ବାଚନ ଇସ୍ତାହରରେ ଦେଇନାହାନ୍ତି। “ଗ୍ରୀନ ହାଉସ ଗ୍ୟାସ ହ୍ରାସ, ଜଙ୍ଗଲ ପରିଚାଳନା ନୀତି ଓ ନଈ ପ୍ରଦୂଷଣର ସୁରକ୍ଷା ଭଳି ପ୍ରତିଶୃତି କେବଳ ଭୋଟ ବ୍ୟାଙ୍କ ରାଜନୀତି ପାଇଁ ଉଦ୍ଦିଷ୍ଟ” ବୋଲି କୁହନ୍ତି ଭାରତର ପୂର୍ବତନ ବିଦେଶ ସଚିବ ତଥା ପ୍ରଧାନମନ୍ତ୍ରୀଙ୍କ ଜଳବାୟୁ ପରିବର୍ତ୍ତନ ବିଭାଗର ଉପଦେଷ୍ଟା ଶ୍ୟାମ ସରନ ମତ ଦେଇଛନ୍ତି ।

ନିର୍ବାଚନ ପ୍ରତିଶୃତିରେ ମୃତ ନଈକୁ ନେଇ କୌଣସି ରାଜନୈତିକ ନେତା ଚିନ୍ତା ପ୍ରକଟ କରିନାହାନ୍ତି । ଓଡିଶାର ଅଳକା, ବିଲୁଆଖାଇ, ଗଙ୍ଗୁଆ, ପେଟନାଳ ହେଉ କିମ୍ବା ସରସ୍ୱତୀ, ସରଜୁ ଅବା ଭେଡାନ୍, ରାଜ୍ୟରୁ ନେଇ କେନ୍ଦ୍ର ପର୍ଯ୍ୟନ୍ତ କେହି ଏସବୁ ମୃତ ନଈର ଧାର ପ୍ରତି ଟିକିଏ ମଧ୍ୟ ଆଡ ଆଖିରେ ଚାହିଁନାହାନ୍ତି । ଠିକ୍ ସେହିପରି ବାୟୁ ପ୍ରଦୂଷଣରୁ ମୁକ୍ତି ପାଇବାକୁ ସ୍ୱଚ୍ଛ ପବନର ପ୍ରସଙ୍ଗକୁ ପ୍ରତିଟି ରାଜନୈତିକ ନେତା ଅଣଦେଖା କରିଛନ୍ତି ।

ବାୟୁ ପ୍ରଦୂଷଣ କାରଣରୁ ବିଶ୍ୱରେ ସବୁଠାରୁ ଅଧିକ ଶିଶୁ ପ୍ରତିବର୍ଷ ଭାରତରେ ମୃତ୍ୟୁ ବରଣ କରୁଛନ୍ତି । ୨୦୧୮ ରେ ପ୍ରତି ୮ଜଣରେ ଜଣେ ଲୋକ ବାୟୁ ପ୍ରଦୂଷଣ କାରଣରୁ ମୃତ୍ୟୁ ବରଣ କରୁଛନ୍ତି । ବିଷାକ୍ତ ପାଣି କାରଣରୁ ଆମ ଦେଶରେ ସର୍ବାଧିକ ଶିଶୁ ପ୍ରତିବର୍ଷ ମରଣ ମୁହଁରେ ପଡୁଛନ୍ତି, ଯାହାକି କ୍ୟାନ୍ସର୍ ଠାରୁ ଯଥେଷ୍ଟ ଅଧିକ ବୋଲି ବିଶ୍ୱ ସ୍ୱ୍ୟାସ୍ଥ୍ୟ ସଙ୍ଗଠନ ପ୍ରକାଶ କରିଛି ।

“ପରିବେଶକୁ ସୁରକ୍ଷା ଦେଇ ଏବଂ ଆମର ଜୈବବିବିଧତାକୁ କ୍ଷତି ନ ପହଞ୍ଚାଇ ମଣିଷ ବଞ୍ଚି ରହିବାର ବିକଳ୍ପ ଜୀବନଶୈଳୀ ଆମ ପାଖରେ ରହିଛି । ଆମ ଦେଶର ନୀତି ନିର୍ଦ୍ଧାରକମାନେ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି । ଆମର ସୁସ୍ଥ ଶାନ୍ତ ନୀରାମୟ ଜୀବନ ପାଇଁ ପରିସଂସ୍ଥାନ ସଭ୍ୟତା ଦିଗରେ ଆମେ ଅଗ୍ରସର ହେବା ଉଚିତ୍ । ଏଥିପାଇଁ ରାଜନୈତିକ ଦୃଢ ଇଚ୍ଛଶକ୍ତି ଆବଶ୍ୟକ, ଯାହାକି ଆମ ଦେଶରେ ଦେଖିବାକୁ ମିଳୁନାହିଁ । ଚଳିତ ନିର୍ବାଚନରେ ନିର୍ବାଚିତ ସରକାର ପରିସଂସ୍ଥାନର ସଭ୍ୟତା ପାଇଁ ବିଶେଷ କିିଛି କରିପାରିବାର ଆଶା ନାହିଁ କାରଣ ନିର୍ବାଚନ ଇସ୍ତାହାରରୁ ଏହା ବୁଝାପଡିଛି”, ବୋଲି କୁହନ୍ତି ଦେଶର ବିଶିଷ୍ଟ ପରିବେଶବିଦ୍ ଓ ଲେଖକ ଚନ୍ଦ୍ର ଭୂଷଣ ।

ପରିବେଶର ସୁରକ୍ଷା ସହିତ ଜୈବ ବିବିଧତାର ସଂରକ୍ଷଣ ମଧ୍ୟରେ ପରିସଂସ୍ଥାନ ସଭ୍ୟତା ସମାଜ ଗଠନ ଆମର ସୁନ୍ଦର ଭବିଷ୍ୟତ ସୃଷ୍ଟି କରିପାରିବ । ଉପରୋକ୍ତ ବିଫଳତାକୁ ଆମେ ଦୃଷ୍ଟି ଦେବାର ସମୟ ଆସିଛି । ଏହା ସହିତ ପରିସଂସ୍ଥାନ ସଭ୍ୟତା ଦିଗରେ ଅଗ୍ରସର ହେବାକୁ ନିଷ୍ଠାପର ଉଦ୍ୟମ କରିବା ଜରୁରୀ ହୋଇପଡିଛି ।