ଗୁଜରାଟରେ ଭୂକମ୍ପ ଝଟକାରେ ଥରି ଉଠିଲା ମାଟି, ତୀବ୍ରତା ୫.୮

ଗାନ୍ଧୀନଗର, (ଓଡିଶା ଟାଇମ୍) : ଗୁଜରାଟରେ ଭୂମିକମ୍ପ। ଆଜି ସନ୍ଧ୍ୟା ୮.୧୩ ମିନିଟ ସମୟରେ ଗୁଜରାଟରେ ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟାସ୍‌ନ୍ୟାଲ୍ ସେଣ୍ଟର ଫର୍‌ ସେସ୍ମୋଲୋଜୀ (ଏନ୍‌ସିଏସ୍‌)ର ପ୍ରାଥମିକ ରିପୋର୍ଟ ନୁସାରେ, ଏହାର ତୀବ୍ରତା ୫.୮ ରହିଥିବା ଜଣାପଡ଼ିଛି। ଭୂକମ୍ପର କେନ୍ଦ୍ରସ୍ଥଳ ରାଜକୋଟରୁ ୧୨୨ କିଲୋମିଟର ଉତ୍ତର-ପଶ୍ଚିମରେ ଥିବା କୁହାଯାଉଛି। ଏ ପର୍ଯ୍ୟନ୍ତ କୌଣସି ପ୍ରକାରର କ୍ଷୟକ୍ଷତି ସୂଚନା ମିଳିନାହିଁ। ଭୂକମ୍ପର ଝଟକା ଅନୁଭୂତ ହେବା ମାତ୍ରେ ଲୋକେ ଭୟରେ ଜୀବନ ବଞ୍ଚାଇବା ପାଇଁ ଘରୁ ବାହାରି ଆସିଛନ୍ତି। ଭୂକମ୍ପର ଝଟକା ବହୁତ ଜୋର ଥିଲା ବୋଲି ଲୋକେ କହିଛନ୍ତି। କିଛି ସେକେଣ୍ଟ ପର୍ଯ୍ୟନ୍ତ ଝଟକା ଅନୁଭୂତ ହୋଇଥିଲା। କିନ୍ତୁ ଅଦ୍ୟାବଧି କୌଣସି କ୍ଷୟକ୍ଷତି ସୂଚନା ମିଳିନାହିଁ।

ଗୁଜରାଟରେ ଭୂକମ୍ପ ହେଲେ ଲୋକଙ୍କୁ ୨୦୦୧ ମସିହାର ଶକ୍ତିଶାଳୀ ଭୂକମ୍ପ କଥା ମନେ ପଡିଯାଏ। ଜାନୁଆରୀ ୨୬ ସକାଳେ ଘଟିଥିବା ଭୂକମ୍ପରେ ହଜାର ସଂଖ୍ୟାରେ ଲୋକଙ୍କ ପ୍ରାଣହାନୀ ଘଟିଥିଲା। ବହୁ ସଂଖ୍ୟାରେ ଲୋକ ବେଘର ହୋଇ ଯାଇଥିଲେ। ଅନେକ ସହର, ଟାଉନ ଓ ଗାଁ ଧ୍ଵଂସ ହୋଇ ଯାଇଥିଲା। ସେହି ଦିନ ଭୂକମ୍ପର କେନ୍ଦ୍ରସ୍ଥଳ କଚ୍ଛ ଥିଲା ଏବଂ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୯ ଥିଲା।

ଉଲ୍ଲେଖନୀୟ, ଗତ ଦୁଇ ତିନି ମାସ ହେବ ଦେଶର ଭିନ୍ନ ଭିନ୍ନ ପ୍ରାନ୍ତରେ ଭୂକମ୍ପ ଝଟକା ଅନୁଭୂତ ହେଉଛି। ଦିଲ୍ଲୀ-ଏନସିଆରରେ ଭୂକମ୍ପରେ ଗତ ୪୫ ଦିନରେ ୧୦ରୁ ଅଧିକ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି। କେବଳ ଏତିକି ନୁହେଁ ଜାମ୍ମୁ-କାଶ୍ମୀର, ଝାରଖଣ୍ଡ ସମେତ ଅନେକ ରାଜ୍ୟରେ ଗତ କିଛି ଦିନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି ।

Leave a Reply

Your email address will not be published.