ଡା. ସମ୍ୱିତ ପାତ୍ର : କାଶ୍ମୀର ଗେଟ ନିଗମ ପରାଜୟରୁ ପୁରୀ ଲୋକସଭା ପ୍ରାର୍ଥୀ

ବ୍ରାହ୍ମଣ ସମୀକରଣ ଉପରେ ନଜର

୧୯୫୨ରୁ ବିଜେପି ଜିତି ନାହିଁ ପୁରୀ ଲୋକସଭା

ଧର୍ମକ୍ଷେତ୍ର ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ଯେଉଁ ପ୍ରଚାର ହେଉଥିଲା ବିଜେପିର ମୁଖପାତ୍ର ଡା. ସମ୍ୱିତ ପାତ୍ରଙ୍କ ନାମ ଘୋଷଣା ପରେ ତାହା ବନ୍ଦ ହୋଇଛି। ପୁରୀ ଲୋକସଭା ପାଇଁ ବିଜେପି ପ୍ରାର୍ଥୀ ହୋଇଥିିବା ଏହି ଡା. ସମ୍ୱିତ ପାତ୍ର କିଏ, ତାଙ୍କର ରାଜନୈତିକ ଜୀବନ ଯାତ୍ରାର ଅଭିଜ୍ଞତା କେତେ ଓ ରାଜନୀତିରେ ସେ କାହା ଆଙ୍ଗୁଠି ଧରି ଉପରକୁ ଉଠିଛନ୍ତି ଆସନ୍ତୁ ସେ ସମ୍ପର୍କରେ ଜାଣିବା।

ଛାତ୍ର ଜୀବନ

ଡା. ସମ୍ୱିତ ପାତ୍ର ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ ଓ ହସପିଟାଲରୁ ଏମବିବିଏସ ଡିଗ୍ରୀ ହାସଲ କରିବା ପରେ କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରୁ ସର୍ଜରୀରେ ପିଜି କରିଥିଲେ। ୨୦୧୧ରେ ହିନ୍ଦୁ ରାଓ ଡାକ୍ତରଖାନାରେ ଥିବାବେଳେ ଚାନ୍ଦୀନୀଚୌକ ଓ ମଲକାଗଞ୍ଜ ଅଞ୍ଚଳରେ ହେଉଥିବା ବିଜେପି ବୈଠକରେ ଅଂଶଗ୍ରହଣ କରି ନିଜକୁ ପାର୍ଟି ସହିତ ପରିଚିତ କରାଇଥିଲେ।

ରାଜନୈତିକ ଜୀବନ ଆରମ୍ଭ

ପରେ ଡା. ପାତ୍ରଙ୍କର ଦିଲ୍ଲୀ ବିଜେପି ନେତା ବିଜୟ ଗୋୟଲ ଓ ଡା. ହର୍ଷବର୍ଦ୍ଧନ ସହିତ ସମ୍ପର୍କ ବଢ଼ିବା ପରେ ସେ ଦିଲ୍ଲୀ ପ୍ରଦେଶ ବିଜେପିର ମୁଖପାତ୍ର ଦାୟିତ୍ୱ ସମ୍ଭାଳିଥିଲେ। ବର୍ଷକ ଭିତରେ ତାଙ୍କୁ ବିଜେପି ପକ୍ଷରୁ କାଶ୍ମିରୀଗେଟ ୱାର୍ଡରୁ ନଗର ନିଗମ ନିର୍ବାଚନରେ ପ୍ରାର୍ଥୀ କରାଯାଇଥିଲା। ନିର୍ବାଚନରେ ପାତ୍ର ପୁରା ଦମରେ ପ୍ରଚାର କରିବା ସହିତ ସ୍ଥାନୀୟ ଅଞ୍ଚଳରେ ନାଳୀ ଓ ନାଡୀକୁ ଠିକ୍ କରିଦେବେ ବୋଲି ସ୍ଥାନୀୟ ଲୋକମାନଙ୍କୁ ଭରଷା ଦେଇଥିଲେ। ସେ ପ୍ରଚାର ସମୟରେ ବେକରେ ଷ୍ଟେଥୋସ୍କୋପ ପକାଇ କେବଳ ବିକାଶ କଥା କହୁଥିଲେ।

ଜେଟଲୀଙ୍କ ନିକଟତର

ଏସବୁ ପରେ ବି ଡା. ପାତ୍ର ନଗର ନିଗମ ନିର୍ବାଚନରେ ଶୋଚନୀୟ ପରାଜୟ ବରଣ କଲେ। କିନ୍ତୁ ଏହି ସମୟ ମଧ୍ୟରେ ସେ ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କ ନଜରକୁ ଆସିଯାଇଥିଲେ। ୨୦୧୪ରେ ତାଙ୍କୁ ଦଳର ରାଷ୍ଟ୍ରୀୟ ମୁଖପାତ୍ର କରାଯାଇଥିଲା। ଏହାପରେ ସେ ଟେଲିଭିଜନ ବିତର୍କରେ ପାର୍ଟି ତରଫରୁ ଅଂଶଗ୍ରହଣ କରି ନିଜର ସର୍ବଭାରତୀୟ ପରିଚୟ ସୃଷ୍ଟି କରିଥିଲେ।

ଜାତୀୟ ସମୀକରଣ

ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାର୍ଥୀ ନ ହୋଇ ସମସ୍ତ ସମୀକରଣକୁ ଦୃଷ୍ଟିରେ ରଖି ଡା. ସମ୍ୱିତ ପାତ୍ରଙ୍କୁ ପ୍ରାର୍ଥୀ କରାଯାଇଛି। ଡା. ପାତ୍ର ଓଡ଼ିଶାରୁ ହୋଇଥିବାରୁ ତାଙ୍କୁ ପୁରୀରୁ ପ୍ରାର୍ଥୀ କରାଯାଇଛି। ଜାତୀୟ ସମୀକରଣ ମଧ୍ୟ ଡା. ପାତ୍ରଙ୍କ ସପକ୍ଷରେ ରହିଛି। ସେ ବ୍ରାହ୍ମଣ ହୋଇଥିବାରୁ ପୁରୀର ବ୍ରାହ୍ମଣ ବହୁଳ ମତଦାତାମାନେ ତାଙ୍କୁ ସମର୍ଥନ କରିବେ ବୋଲି କେନ୍ଦ୍ରୀୟ ନେତାମାନେ ଆଶାବ୍ୟକ୍ତ କରିଛନ୍ତି।

କେନ୍ଦ୍ରରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଡା. ସମ୍ୱିତ୍ ପାତ୍ରଙ୍କ ପରିଚୟ ଦେଶବ୍ୟାପୀ ବଢ଼ିବାରେ ଲାଗିଛି। ତେଣୁ ତାଙ୍କୁ ମତଦାତାଙ୍କ ନିକଟରେ ପରିଚିତ କରାଇବାର ଆବଶ୍ୟକତା ନାହିଁ। ଏଡା ଛଡ଼ା ଡା. ପାତ୍ରଙ୍କ ଛଡା ପାର୍ଟିରେ କୌଣସି ଚର୍ଚ୍ଚିତ ନେତା ନଥିଲେ ଯିଏକି ବିଜେଡି ପ୍ରାର୍ଥୀଙ୍କୁ ଟକ୍କର ଦେଇପାରିବ। ସେଥିପାଇଁ ପାର୍ଟି ଡା. ପାତ୍ରଙ୍କୁ ପ୍ରାର୍ଥୀ କରିଛି।

କଣ୍ଟକିତ ପୁରୀ ରାସ୍ତା

ଅଦ୍ୟାବଧି ପୁରୀ ଲୋକସଭା ଆସନରେ ବିଜେପି କେବେ ବିଜୟୀ ହୋଇନାହିଁ। ଏପରିକି କେବେ ବି ଦ୍ୱୀତିୟ ସ୍ଥାନ ହାସଲ କରିନାହିଁ। ପୁରୀରୁ ବିଜେଡିରୁ ସୁପ୍ରିମକୋର୍ଟ ଓକିଲ ପିନାକୀ ମିଶ୍ର ୨୦୦୯ରୁ ଦୁଇ ଥର ସାଂସଦ ନିର୍ବାଚିତ ହେଲେଣି। ପୁରୀ ଜିଲ୍ଳାରେ ସଂଗଠନ ଦୃଷ୍ଟିରୁ ଦୁର୍ବଳ କୁହାଯାଉଥିବା ବିଜେପି ଓ ଡା. ପାତ୍ରଙ୍କ ପାଇଁ ଚଳିତ ନିର୍ବାଚନ କଣ୍ଟକିତ ରାସ୍ତା ଭଳି ମନେ ହେଉଛି।

Leave a Reply

Your email address will not be published.