ଦୂରଦର୍ଶନର ପକ୍ଷପାତିତା

ବିନୟ ବିଶ୍ୱମ୍, ରାଜ୍ୟସଭା ସାଂସଦ
ନିର୍ବାଚନ କମିଶନ ବିଭିନ୍ନ ରାଜନୀତିକ ଦଳଙ୍କୁ ଦୂରଦର୍ଶନ ଓ ଅଲ୍ ଇଣ୍ଡିଆ ରେଡିଓରେ ସେମାନଙ୍କ ମତ ରଖିବା ଲାଗି ସମୟ ନିର୍ଦ୍ଧାରଣ କରିଛନ୍ତି । ଏଥିଲାଗି ଉଦ୍ଦିଷ୍ଟ ଭାଷଣକୁ ମୁଁ ଅନେକ ସମୟ ଆଗରୁ ଦୂରଦର୍ଶନରେ ଜମା କରିଥିଲି । କିନ୍ତୁ ଯେଉଁ ସମୟରେ ରେକର୍ଡ଼ିଂ ଥିଲା ତାହାର ଅବ୍ୟବହିତ ପୂର୍ବରୁ ମୋତେ ଷ୍ଟୁଡିଓ ଭିତରେ କିଛି ନିର୍ଦ୍ଦିଷ୍ଟ ପାରାଗ୍ରାଫ୍କୁ ଉଛେଦ କରିବା ଲାଗି କୁହାଗଲା । କାରଣରେ ଏହା ଦର୍ଶାଗଲା ଯେ, ଏହି ପାରାଗ୍ରାଫ୍ରେ ଲେଖାଯାଇଥିବା ବିଷୟ ପ୍ରମାଣ ଆଧାରିତ ନୁହେଁ । ଏହି ପାରାଗ୍ରାଫ୍ରେ ମୁଁ ବିଜେପି ଓ ଆର୍ଏସ୍ଏସ୍ ଭିତରେ ଥିବା ଅସାଧୁ ମେଣ୍ଟକୁ ଉଲ୍ଲେଖ କରିଥିଲି, ଯାହା ପ୍ରମାଣ ଓ ପୂର୍ବ ଲିଖିତ ସନ୍ଦର୍ଭଗୁଡ଼ିକ ଉପରେ ଆଧାରିତ ଥିଲା । ମୁଁ ଏକଥା କହିଥିଲେ ମଧ୍ୟ ତାହାକୁ ସମ୍ପୃକ୍ତ ଅଧିକାରୀ ଶୁଣି ନଥିଲେ ଏବଂ ଏହି ପାରାଗ୍ରାଫ୍କୁ ଉଛେଦ କରିବା ଲାଗି ଚାପ ପକାଇଥିଲେ । ଯେହେତୁ ଏହିଭଳି ଭାବରେ କୌଣସି ଭାଷଣକୁ ସେନ୍ସର କରାଯିବା ଗଣତନ୍ତ୍ରର ମୂଳ ଭିତ୍ତି ବିରୋଧୀ, ମୁଁ ମୋ ଭାଷଣକୁ ରେକଡିଂ କରିବା ଅପେକ୍ଷା ସେଠାରୁ ଉଠି ଆସିବାକୁ ଶ୍ରେୟସ୍କର ମନେକଲି ଏବଂ ତାହା ପାଳନ ମଧ୍ୟ କଲି ।
ନିର୍ବାଚନ କମିଶନଙ୍କ ନିୟମାବଳୀ ଅନୁସାରେ ଦୂରଦର୍ଶନରେ ବିଭିନ୍ନ ରାଜନୀତିକ ଦଳଙ୍କୁ ଦିଆଯାଇ ଥିବା ସମୟ ନିର୍ଘଣ୍ଟରେ ସେମାନେ ନିଜ ବକ୍ତବ୍ୟ ତଥା ମତାମତ ଉଲ୍ଲେଖ କରିବେ; କିନ୍ତୁ କିଛି ନିର୍ଦିଷ୍ଟ ସର୍ତ୍ତ ଏଥିଲାଗି ଉଲ୍ଲେଖ କରାଯାଇଛି ।
ଯେମିତି ଭାଷଣରେ ଲିଖିତ କୌଣସି ଶବ୍ଦ ବା ବାକ୍ୟରେ କୌଣସି ରାଷ୍ଟ୍ରକୁ ସମାଲୋଚନା କରାଯିବ ନାହିଁ । କୌଣସି ଧର୍ମ ବା ସମ୍ପ୍ରଦାୟକୁ ଆକ୍ଷେପ କରିବା, ହିଂସା ଉଦ୍ରେକକାରୀ ଅଭିଭାଷଣ, କୌଣସି ଲୋକର ନାଁ ନେଇ ବା ତାକୁ ଆକ୍ଷେପ କରି ମନ୍ତବ୍ୟ, ରାଷ୍ଟ୍ରପତି ଏବଂ ବିଚାର ବିଭାଗକୁ ଆକ୍ଷେପ କରିବା, କାହାର ସମ୍ମାନ ହାନୀ କରିବା ତଥା ରାଷ୍ଟ୍ରର ସାର୍ବଭୌମତ୍ତ୍ୱ, ଏକତା ଓ ସଂହତିକୁ ଆଞ୍ଚ ଆଣିଲା ଭଳି ବକ୍ତବ୍ୟ ଆଦିକୁ ଦୂରଦର୍ଶନ ଏବଂ ଅଲ୍ ଇଣ୍ଡିଆ ରେଡିଓରେ ଅଭିଭାଷଣ ସମୟରେ ବାରଣ କରାଯାଇଛି ।
ମୁଁ ଏଠି କହିରଖିବାକୁ ଚାହୁଁଛି ଯେ, ଦୂରଦର୍ଶନରେ ଯେଉଁ ପାରାଗ୍ରାଫ୍କୁ ନେଇ ଆପତ୍ତି ଉଠାଗଲା ସେଠାରେ ଏହି ସର୍ତ୍ତ ଗୁଡ଼ିକର ଉଲ୍ଲଙ୍ଘନ ହେଉ ନଥିଲା । ମୁଁ ବିଜେପି ଓ ଆର୍ଏସ୍ଏସ୍ ସମ୍ପର୍କ ବିଷୟରେ ଉଲ୍ଲେଖ କରିଥିଲି ଏବଂ ଏହା ସମସ୍ତଙ୍କୁ ଜଣା ଯେ, ଆର୍ଏସ୍ଏସ୍ ହେଉଛି ବିଜେପିର ଆଦର୍ଶ ପିତା । ଆଉ ଏହି ଆଦର୍ଶ ଫାଶୀବାଦରୁ ସୃଷ୍ଟି ହୋଇଛି । ମୁଁ ଉପସ୍ଥାପନ କରିଥିବା ତଥ୍ୟ ଅମୂଳକ ନଥିଲା । ଏହାର ପ୍ରତିଟି ଅଂଶ ପଛରେ ପ୍ରମାଣ ନିହିତ ଥିଲା ।
ପ୍ରସାରଭାରତୀ ଆଇନ ୧୯୯୦ର ଧାରା ୧୨(ଖ) ସମସ୍ତ ନାଗରିକଙ୍କ ଜାଣିବାର ଅଧିକାରକୁ ସୁରକ୍ଷିତ କରିବା ଲାଗି ଉଦ୍ଦିଷ୍ଟ । ଜନସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗଗୁଡ଼ିକୁ ବିନା କୌଣସି ପକ୍ଷପାତୀତାରେ ସତ୍ୟ ଉପରେ ଆଧାର କରି ପରିବେଷଣ କରିବା ହେଉଛି ପ୍ରସାର ଭାରତୀର ମୂଳ ଦାୟିତ୍ୱ । ଏହି ପରିପ୍ରେକ୍ଷୀରେ କୌଣସି ବିଷୟକୁ ସ୍ୱଚ୍ଛ ଭାବେ ଭାରସାମ୍ୟ ରକ୍ଷା କରି ପରିବେଷଣ କରାଯିବା ଆବଶ୍ୟକ । ପ୍ରତି କ୍ଷେତ୍ରରେ ମତାମତକୁ ସେହିଭଳି ଉଲ୍ଲେଖ କରାଯିବା ବି ଜରୁରୀ । କେବଳ ଯେଉଁ କମିଟି ଏହାର ସମୀକ୍ଷା କରୁଛନ୍ତି ତାଙ୍କ ମତାମତ ସର୍ବଶ୍ରେଷ୍ଠ ବୋଲି ଗ୍ରହଣ କରିବା ଅନୁଚିତ । ପ୍ରତିଟି ପ୍ରସଙ୍ଗକୁ ନିରପେକ୍ଷ ଭାବେ ବିଚାର କରାଯିବା ନିହାତି ଆବଶ୍ୟକ ।
ଅବଶ୍ୟ ଏହା ପ୍ରଥମ ଘଟଣା ନୁହେଁ, ଯେଉଁଠାରେ ଦୂରଦର୍ଶନ ଶାସନ କଳକୁ ପକ୍ଷ କରୁଛି । ଏପ୍ରିଲ୍ ମାସରେ ନିର୍ବାଚନ କମିଶନ ଏ ବାବଦରେ ଏକ ଟିପ୍ପଣୀ ଦେଇଥିଲେ ଯେଉଁଥିରେ ସବୁ ରାଜନୀତିକ ଦଳଙ୍କୁ ଦୂରଦର୍ଶନ ସମାନ ସମୟ ଦେଉ ନଥିବା କୁହାଯାଇଥିଲା । ଯେତେବେଳେ ନିର୍ବାଚନ ଘୋଷଣା ହେଲା ତାହାର ୧ ମାସ ଧରି ବିଜେପି ୧୬୦ ଘଣ୍ଟା ଦୂରଦର୍ଶନରେ ନିଜ ପକ୍ଷ ରଖିବା ଲାଗି ସୁଯୋଗ ପାଇଥିବାବେଳେ କଂଗ୍ରେସ ୬୦ ଘଣ୍ଟା ପାଇଥିଲା । ସିପିଏମ୍କୁ ନିଜର ପକ୍ଷ ରଖିବା ଲାଗି ମାତ୍ର ୮ ଘଣ୍ଟା ସମୟ ମିଳିଥିଲା ।
ନିର୍ବାଚନ କମିଶନ ଦୂରଦର୍ଶନକୁ ଏନେଇ ଆବଶ୍ୟକ ନିର୍ଦେଶ ଦେଇଛନ୍ତି । କୌଣସି ଦଳକୁ ଅଧିକ ପକ୍ଷପାତୀ ନହୋଇ ସମସ୍ତଙ୍କୁ ସମାନ ସମୟ ଉତ୍ସର୍ଗ କରିବା ଲାଗି ନିୟମ ରହିଛି । ପୁଣି ଜଣେ ନାଗରିକ ଏହା ଜାଣିବାର ହକ୍ ରଖୁଛି ଯେ, ତା’ ଦେଶରେ କ’ଣ ସବୁ ପ୍ରସଙ୍ଗ ଉଙ୍କି ମାରୁଛି । ଏହିପରିପ୍ରେକ୍ଷୀରେ ଦୂରଦର୍ଶନ ଦ୍ୱାରା କାହାର ବାକ୍ ସ୍ୱାଧୀନତାକୁ ଛଡ଼଼ାଇ ନିଆଯିବା ବାବଦରେ ସାଧାରଣ ଲୋକ ଜାଣିବା ନିହାତି ଆବଶ୍ୟକ ।
(ଦି’ ଦିନ୍ଦୁ- ଏପ୍ରିଲ୍୨୨, ୨୦୧୯ରେ ପ୍ରକାଶିତ । ମୂଳ ଭାଷା ଇଂରାଜୀ । ଭାଷାନ୍ତର-ଶାଶ୍ୱତୀ ରଥ)