ତାଲାବନ୍ଦ ହେଉ ଅବା ତାଲାଖୋଲା, ଭାଗ୍ୟକୁ ବାଜି ଲଗେଇବା ଉଚିତ ହେବ କି?

ଡା. ବିମଳ ମହାପାତ୍ର

କୋଭିଡ଼-୧୯, ସଂକ୍ରମଣ ସମୟର ପ୍ରାରମ୍ଭିକ ପର୍ଯ୍ୟାୟରେ ଦେଶବ୍ୟାପୀ କଡାକଡି ଭାବେ ତାଲାବନ୍ଦର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେଲା ଓ ପରେ ପରେ ଆଉ ତିନୋଟି ପର୍ଯ୍ୟାୟ ପରେ ଏବେ ଲାଗୁଥିବା କଟକଣା ଅନେକାଂଶରେ କୋହଳ କରାଯାଇଛି। ଯଦିଓ ଆମ ରାଜ୍ୟରେ ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଛି କିନ୍ତୁ ପ୍ରଥମରୁ ଯେଉଁ କଟଣା ଥିଲା ତାହା ଏବେ ଆଉ ନାହିଁ।  କେବଳ ସାମୁହିକ ଭାବେ ସ୍ଥଳ ବିଶେଷରେ ଏବଂ କଣ୍ଟେନମେଣ୍ଟ ଜୋନ୍ ମାନଙ୍କରେ ହିଁ ଏହି ତାଲାବନ୍ଦର କଟକଣାମାନ ଲାଗୁ କରାଯାଇଛି।  ଦେଶର ଅନ୍ୟ ସମସ୍ତ ସ୍ଥାନରେ କେବଳ କିଛି ସତର୍କ ସୂଚନା ଯେପରିକି ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ତଥା ବ୍ୟକ୍ତିଗତ ସ୍ୱଚ୍ଛତା ବଜାୟ ରଖି ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହେବାଲାଗି ଜନସାଧାରଣଙ୍କୁ ସୁଯୋଗ ଦିଆଯାଇଛି।

ଏଭଳି କୋହଳ କଟକଣା ପଛର ମୁଖ୍ୟ ଉଦ୍ଦେଶ୍ୟ ଜୀବନ ଓ ଜୀବିକାର ସ୍ୱାଚ୍ଛନ୍ଦ୍ୟ ରକ୍ଷା କରିବା। ତେଣୁ ଏହି ସମୟକୁ ତାଲାବନ୍ଦ ବଦଳରେ ତାଲାଖୋଲାର ପ୍ରଥମ ଚରଣ ଭାବେ ଉପସ୍ଥାପିତ କରାଯାଇଛି । ବଡ଼ ବଡ଼ ସମାବେଶ ଓ ଯାତ୍ରା କଟକଣାମାନ ମଧ୍ୟ ସମୟ କ୍ରମେ ଦ୍ଵିତୀୟ ବା ତୃତୀୟ ଚରଣ ରେ ଆହୁରି କୋହଳ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି । କିନ୍ତୁ, ଏ ସବୁ ମଧ୍ୟରେ ଯେଉଁ ସମାଚାର ଆମକୁ ବିବ୍ରତ କରୁଛି, ତାହା ହେଲା ପ୍ରତିଦିନର କ୍ରମବର୍ଦ୍ଧିଷ୍ଣୁ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ! ସାରା ଦେଶ ବିଶେଷ କରି ବଡ଼ ସହର ମାନଙ୍କରେ ପ୍ରତିଦିନ ଏହା ଯେପରି ହୁ’ ହୁ’ ହୋଇ ବଢିଚାଲିଛି, ଆମ ପାଇଁ ଏକ ବିପଦ ସଂକେତ ନିଶ୍ଚୟ ! ଅପେକ୍ଷାକୃତ କମ ସଂକ୍ରମଣ ଥିବା ରାଜ୍ୟ ମାନଙ୍କରେ ମଧ୍ୟ ପ୍ରବାସୀ ଶ୍ରମିକ ମାନଙ୍କର ପ୍ରତ୍ୟାବର୍ତ୍ତନ ପରେ ଯେଉଁ ଭଳି ଭାବେ ଏହି ପରିସଂଖ୍ୟାନ ବଢି ଚାଲିଛି, ତାହା ଚିନ୍ତାର ବିଷୟ । ତେବେ ଏ ସବୁର ନିର୍ଯ୍ୟାସରେ ଦୁଇଟି ପ୍ରଶ୍ନ ଆମ ମନକୁ ଛୁଉଁଛି :

୧. ତାଲାବନ୍ଦ ର କଟକଣା ମାନଙ୍କୁ କୋହଳ କରିବା ପାଇଁ ଏହା କଣ ଉପଯୁକ୍ତ ସମୟ କି?

୨. କଟକଣାମାନ କୋହଳ ହୋଇଗଲେ ଆମେ ଯେତେ ସମ୍ଭବ ଆମ ସାଧାରଣ ଜୀବନଚର୍ଯ୍ୟାକୁ ଫେରିଆସିବା ଉଚିତ କି?

ଏ ସମ୍ବନ୍ଧରେ ସବିସ୍ତୃତ ଆଲୋଚନା କରାଯାଉ –

ସରକାରଙ୍କ ପକ୍ଷ:

ସରକାରଙ୍କ ବିଶ୍ଲେଷଣ ଅନୁସାରେ ପ୍ରଥମ ପର୍ଯ୍ୟାୟ ତାଲାବନ୍ଦର କଠୋର ନିୟମ ପ୍ରଣୟନର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ଅଚାନକ ଦେଖାଦେଇଥିବା କରୋନା ସଂକ୍ରମଣର ହାରକୁ ମୁକାବିଲା କରିବା ପାଇଁ ଦେଶରେ ଏକ ସୁଦୃଢ଼ ଭିତ୍ତିଭୂମିର ବିକାଶ କରିବା ଏବଂ ଅନଭିଜ୍ଞ ଜନତାଙ୍କୁ ଏହି ମହାମାରୀର ଭୟାବହତା ସମ୍ବନ୍ଧରେ ସଚେତନ କରାଇବା ।

ଏହି ୨ଟି ଉଦ୍ଦେଶ୍ୟ ଅନେକାଂଶରେ ସାଧିତ ହୋଇଛି। ବିଶ୍ୱ ପରିସଂଖ୍ୟାନ ଦୃଷ୍ଟିରୁ ବିଚାର କରାଗଲେ, ଯଦିଓ ଆମ ଦେଶରେ ସଂକ୍ରମଣ ହାର ବୃଦ୍ଧି ପାଇଛି ସେହି ଅନୁପାତରେ ସଂକ୍ରମଣରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ସନ୍ତୋଷଜନକ ରହିଛି। ଏବେ ସମୁଦାୟ ଆକ୍ରାନ୍ତଙ୍କ ଭିତରୁ ଆମ ଦେଶରେ ୪୮ ପ୍ରତିଶତ ସୁସ୍ଥ ହେଉଛନ୍ତି।  ସମୁଦାୟ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟାକୁ ତୁଳନା କଲେ ମୃତ୍ୟୁହାର ୨.୮% ରହିଛି। ବିଶ୍ଵରେ କୋଭିଡ୍‌ ଜନିତ ମୃତ୍ୟୁହାର  ୬.୧% ରହିଛି ।

ଆମ  ଦେଶ ଏଭଳି ଉନ୍ନତ ସ୍ଥିତିରେ ରହିବା ପଛରେ ରହିଥିବା ସମ୍ଭାବ୍ୟ କାରଣଗୁଡ଼ିକ ଭିତରେ ମୂଳ ହେଉଛି  ବୀଜାଣୁର ବିଘଟନ ଘଟି ତା’ର ଭୟାବହତା ହ୍ରାସ ପାଇବା। ଏହାବାଦ୍‌ ଆମ ଦେଶର ଲୋକଙ୍କ ଉଚ୍ଚ ରୋଗପ୍ରତିରୋଧକ କ୍ଷମତା, ତାପମାତ୍ରା ଇତ୍ୟାଦି ଏହି କମ୍‌ ସଂକ୍ରମଣ ଓ ଅଧିକ ସୁସ୍ଥ ହେବା ପଛର କାରଣ ହୋଇଛି।

ବିଶ୍ୱର ଅନ୍ୟ ରାଷ୍ଟ୍ରମାନଙ୍କ ତୁଳନାରେ ଆମ ଦେଶର ଆର୍ଥିକ ସ୍ଥିତି ଖୁବ ଦୁର୍ବଳ ରହିଥିବା ସତ୍ତ୍ୱେ ଆମ ଦେଶ ସର୍ବବୃହତ ଦେଶବ୍ୟାପୀ ତାଲାବନ୍ଦୀ  କଟକଣାକୁ ପାଳନ କଲା, ଯାହା ଅଭୂତପୂର୍ବ ଓ କଷ୍ଟସାଧ୍ୟ ଥିଲା । ଏହି ଦୁଃସାହସିକ ପଦକ୍ଷେପ ଅଧିକ ଦିନ ଜାରି ରଖିଲେ ଆର୍ଥିକ ସଙ୍କଟ ସୃଷ୍ଟି ହେବ ଓ ଅର୍ଥନୀତି ଅନେକ ବର୍ଷ ପଛକୁ ଫେରିଯିବ ଯାହାର ଭରଣା କରିବା ଅସମ୍ଭବ । ଏହାର ପ୍ରତ୍ୟକ୍ଷ ପ୍ରଭାବ ଦେଶର ଗରିବ ଓ ମଧ୍ୟବିତ୍ତଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେବ । ଅପର ପକ୍ଷରେ ସ୍ୱାସ୍ଥ୍ୟ ବିଶାରଦ ମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ, ଏହି କୋହଳ ପ୍ରକ୍ରିୟା ସଂକ୍ରମଣର ହାରକୁ ବହୁଗୁଣିତ କରିବ ଓ ମୃତ୍ୟୁସଂଖ୍ୟା ମଧ୍ୟ ଅନେକମାତ୍ରାରେ ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଅପରପକ୍ଷରେ ଆର୍ଥଶାସ୍ତ୍ରୀ ମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ଯଦି ବାରମ୍ବାର ତାଲାବନ୍ଦ କୁ ଆହୁରି ଆଗେଇ ନିଆଯାଏ ତେବେ ଦେଶର ଅର୍ଥନୀତି ଭୁଶୁଡି ପଡିବ ! ଉଭୟ ଦିଗରୁ ଦେଖିଲେ ” କ୍ଷତି ର ବ୍ୟବସାୟ” । ଏ କ୍ଷେତ୍ର ରେ ସରକାରଙ୍କୁ ସମତୁଲ ରକ୍ଷା କରି ନିର୍ଣ୍ଣୟ କରିବାର ଆବଶ୍ୟକତା ରହିଛି । ତୁଳନାତ୍ମକ ଭାବେ ଧୂଆଁପତ୍ର ର ଉଦାହରଣ ନିଆଯାଉ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ର ପରିସଂଖ୍ୟାନ ଅନୁସାରେ ବିଶ୍ଵର ପ୍ରାୟ ୧କୋଟି ଲୋକ ପ୍ରତିବର୍ଷ ଏହି ଧୂଆଁପତ୍ର ସେବନ ଦ୍ୱାରା ମୃତ୍ୟୁବରଣ କରୁଛନ୍ତି , ତେଣୁ ଏହାର ଚାଷ ଓ ତତ୍ ସମ୍ବନ୍ଧୀୟ ଶିଳ୍ପକୁ ନିଷିଦ୍ଧ କରାଯିବା ଉଚିତ । କିନ୍ତୁ ଏକ ବୃହତ ଭାଗ ଚାଷୀ ଓ ଶ୍ରମିକ ଏହି ଉଦ୍ୟୋଗରେ ନିୟୋଜିତ ଅଛନ୍ତି ଏବଂ ଏହାକୁ ନିଷିଦ୍ଧ କରିବା ଦ୍ୱାରା ସେମାନେ ପ୍ରଭାବିତ ହେବେ ଏବଂ ଏହାର ଆର୍ଥିକ ପ୍ରଭାବ ବହୁତ ଅଧିକ । ତେଣୁ ଧୂଆଁପତ୍ର ଭଳି ବିଷର ଉତ୍ପାଦନ ଏବଂ ବିକ୍ରି ଜାରିରଖିବାକୁ ପଡୁଛି ! ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନୀତି ନିର୍ଦ୍ଧାରଣ ସମୟରେ ବହୁଜନ ହିତାୟ, ବହୁଜନ ସୁଖାୟ କୁ ଗୁରୁତ୍ୱ ଦେବାକୁ ହୋଇଥାଏ । ତେଣୁ ବର୍ତ୍ତମାନ ସମୟରେ ଆର୍ଥିକ କାରଣ ପାଇଁ ତାଲାବନ୍ଦର ନିୟମ ଗୁଡିକୁ କୋହଳ କଲାବେଳେ ସରକାର ଏହି ଆଶା ରଖନ୍ତି ଯେ, ଆମେ ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ସତର୍କତା ଅବଲମ୍ବନ କରି ସଂକ୍ରମଣର ମୁକାବିଲା କରିବା । ଏହି ରୋଗର ଉପଯୁକ୍ତ ଔଷଧ ବା ଟୀକା ବାହାରିବା ପୂର୍ବରୁ ନିୟମ ମାନଙ୍କୁ କୋହଳ କରିବାର କୌଣସିବି ସମୟ ଉପଯୁକ୍ତ ସମୟ ହୋଇନଥାନ୍ତା l କିନ୍ତୁ ଦେଶର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ କିଛି ବିପଦ ଗ୍ରହଣ କରିବାକୁ ହୋଇଥାଏ !

ନାଗରିକଙ୍କ ପକ୍ଷ

ଯେତେବେଳେ ଚାପ ଅଧିକ ଥାଏ ଓ ତାହା ଅଚାନକ ହଟିଯାଏ ସେତେବେଳେ ମଣିଷ ଅତ୍ୟଧିକ ପ୍ରତିକ୍ରିୟାଶୀଳ ହୋଇପଡିବା ପ୍ରକୃତିର ନିୟମ। ଜନସାଧାରଣ ଯେତେବେଳେ ତାଲାବନ୍ଦର କଠୋର ନିୟମ ଯୋଗୁଁ ଅଣନିଶ୍ୱାସୀ ହୋଇ ରହିଥା’ନ୍ତି, ଅଚାନକ ସେହି ନିୟମ ସବୁ ହଟାଇ ନିଆଗଲେ ସେମାନେ ଭାବିନିଅନ୍ତି ଯେପରିକି କରୋନା ସଂକ୍ରମଣର ଭୟ ଆଉ ନାହିଁ ତେଣୁ ମୁକ୍ତ ଭାବେ ସାଧାରଣ ଜୀବନଯାପନ କରିବା ଆରମ୍ଭ କରିଦିଅନ୍ତି । ” ଯେତେବେଳେ ସବୁକିଛି ଖୋଲା ହୋଇସାରିଲାଣି, ତଥାପି ଆମେ ନିଜକୁ ଗୃହବନ୍ଦୀ କରିବା ରଖିବା ଉଚିତ କି” ? ମୁଁ ମୋ ପରିବାର ଓ ବନ୍ଧୁଙ୍କଠାରୁ ମଧ୍ୟ ଏହି ପ୍ରଶ୍ନର ସାମ୍ନା କରିଛି । ଯେଉଁ ସମସ୍ତ କାର୍ଯ୍ୟ ପାଇଁ ଅନୁମତି ଦିଆଯାଇଛି ସେସବୁକୁ ସ୍ୱଚ୍ଛନ୍ଦରେ ନ କରି ତଥାପି ନିଜକୁ ନିୟନ୍ତ୍ରଣରେ ରଖିବା ଆବଶ୍ୟକ କି? ହେଲେ ୟା’ ଉତ୍ତରରେ କେବଳ ଏତିକି କହିବି, ସମସ୍ତଙ୍କ ପାଇଁ ତାଲାଖୋଲା ସମୟର ଆଚରଣ ବିଧି ସମାନ ନୁହେଁ ।

ଅପେକ୍ଷାକୃତ କମ ବୟସର(୨୫ ରୁ ୫୫ ବର୍ଷୀୟ) ନାଗରିକ ମାନେ ହେଉଛନ୍ତି ଦେଶ ର ମୁଖ୍ୟ ଆୟକାରୀ । ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ସେମାନଙ୍କର କାର୍ଯ୍ୟରେ ଯୋଗଦାନ ନିତାନ୍ତ ଆବଶ୍ୟକ । କିନ୍ତୁ ସେମାନେ ରୋଗର ଲକ୍ଷଣ ବିହୀନ ବାହକ ସାଜି ସଂକ୍ରମଣ କୁ ବ୍ୟାପକ କରିପାରନ୍ତି । ୟା’ ର ଅର୍ଥନୁହେଁ ଯେ’ ଏହି ବୟସର ସଂକ୍ରମିତ ବ୍ୟକ୍ତି ମୃତ୍ୟୁବରଣ କରିବେନି ତେଣୁ ସେମାନଙ୍କୁ ନିଜକୁ ସୁରକ୍ଷିତ ରଖି ସଂକ୍ରମଣ ରୋକିବା ପାଇଁ ମଧ୍ୟ ପ୍ରୟାସ କରିବା ଉଚିତ । ସେଥିପାଇଁ ଆମେ କିଛିଟା ନିୟମ ମାନି ଚାଳିବା, ଯେପରିକି :

ସାମାଜିକ ଦୂରତ୍ୱ ରକ୍ଷା ଓ ମାସ୍କ ପିନ୍ଧିବା –

କୌଣସି ଗୋଟିଏ ପରିବାର ଏକ ଏକକ ସଦୃଶ୍ୟ, ତେଣୁ ସେହି ପରିବାରରେ ଚଳୁଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷା ଅସମ୍ଭବ । ଏପରି କ୍ଷେତ୍ରରେ ଯଦି କୌଣସି ବ୍ୟକ୍ତିଙ୍କ ଠାରେ ଥଣ୍ଡା ସର୍ଦ୍ଦିର କୌଣସି ଲକ୍ଷଣ ଦେଖାଯାଏ ତେବେ ଯଥାଶୀଘ୍ର ଓ ଯଥାସମ୍ଭବ ପ୍ରତିଷେଧକ ମୂଳକ ଭାବରେ ସେ ନିଜକୁ ଅନ୍ୟମାନଙ୍କ ଠାରୁ ଅଲଗା କରିନେବା ଉଚିତ ।

ବାହାରକୁ ଗଲେ ପାଖାପାଖି ୬ ଫୁଟ ବା ଅତି କମ୍ ରେ ୩ ଫୁଟ ର ଦୂରତ୍ୱ ରକ୍ଷା କରିବା ବିଧେୟ

ଘର ଏରୁଣ୍ଡି ବନ୍ଧରୁ ଗୋଡ଼ କାଢ଼ିବା ମାତ୍ରେ ମୁହଁରେ ମାସ୍କ ରଖିବା ଉଚିତ । ହଁ, ଯଦି ଏକା ଏକା ନିଜ କାର ଚଳାଇ ଯାଉଥାନ୍ତି ବା ନିଜ ଅଫିସ କାଠରୀରେ ଏକା ଥା’ନ୍ତି ତେବେ ମାସ୍କ ବ୍ୟବହାର ନ କରିପାରନ୍ତି । କିଛି ବ୍ୟକ୍ତି ବୁଝନ୍ତି ଆମେ ସାମାଜିକ ଦୂରତ୍ୱ ରକ୍ଷା ବା ମାସ୍କ ପିନ୍ଧିବା, ଯେ’ କୌଣସି ଗୋଟିଏର ଅନୁପାଳନ କରିବା ଉଚିତ କିନ୍ତୁ ଏହା ଠିକ ନୁହେଁ । ବିନ୍ଦୁ (ଜଳକଣା) ସଂକ୍ରମଣ ରୋକିବା ପାଇଁ ଉଭୟ ନିହାତି ଆବଶ୍ୟକ ।

* ହାତକୁ ସ୍ୱଚ୍ଛ କରିବା ଓ ମୁହଁ ନ ଛୁଇଁବା ସମସ୍ତଂକପାଇଁ ଏକ ସର୍ବକାଳୀନ ଅଭ୍ୟାସରେ ପରିଣତ ହେବା ଉଚିତ । ବ୍ୟକ୍ତିଗତ ସ୍ୱଚ୍ଛତା ଯେପରିକି ବାହାରୁ ଫେରିଲେ ପ୍ରଥମେ ଲୁଗାପଟା ବଦଳେଇବା ଓ ଗାଧୋଇବା ବାଧ୍ୟତାମୂଳକ ହେବା ଉଚିତ ।

ଚାକିରି ବା ରୋଜଗାର ଉଦ୍ଦେଶ୍ୟରେ ବାହାରକୁ ଯିବା ନିହାତି ଆବଶ୍ୟକ କିନ୍ତୁ ଏକାଠି ହୋଇ ଭୋଜିଭାତ ବା ଖୁସି ମନେଇବା କି ସମାଜିକତା ନିଭେଇବା ପାଇଁ ଏକାଠି ହେବା ଅନୁଚିତ । ଆମେ ଯେତେ ବାହାରକୁ ଯିବା ସଂକ୍ରମଣର ଭୟ ସେତେ ଅଧିକ ରହିବ, ତେଣୁ କେବଳ କାର୍ଯ୍ୟକ୍ଷେତ୍ର ଯାଏଁ ସୀମାବଦ୍ଧ ରହିବା ଉଚିତ ।

ବୃଦ୍ଧ ଓ ବୟସ୍କ ବ୍ୟକ୍ତି, ରୋଗୀ, ରୋଗ ପ୍ରତିରୋଧକ କମ୍ ଥିବା ବ୍ୟକ୍ତି, ଛୋଟ ଛୁଆ ଓ ଗର୍ଭବତୀ ମହିଳାଙ୍କ ନିମନ୍ତେ ନିୟମ :

 ଯଦି ଘରୁ କାର୍ଯ୍ୟ ସମ୍ପାଦନ କରିବା ଅସମ୍ଭବ ହୋଇଥାଏ ଏବଂ ଜୀବନଧାରଣ ପାଇଁ କାର୍ଯ୍ୟକ୍ଷେତ୍ରକୁ ଯିବା ଅପରିହାର୍ଯ୍ୟ ହୁଏ ତେବେ ଯେତେ ସମ୍ଭବ ସୁରକ୍ଷା ନିୟମକୁ ମାନି ଘରୁ ବାହାରିବା ଉଚିତ । ଅତ୍ୟାବଶ୍ୟକୀୟ ନ ହେଲେ ଘରୁ ନ ବାହାରିବା ହିଁ ଶ୍ରେୟସ୍କର । ଅନ୍ୟଥା କରୋନାର ପ୍ରକୋପ କମିବା ପର୍ଯ୍ୟନ୍ତ ନିଜକୁ ନିଜେ ଘରେ ବନ୍ଦ କରି କରି ତାଲାବନ୍ଦ ଜୀବନ ଜୀଇଁବାକୁ ହେବ।

ଆମକୁ ମନେ ରଖିବାକୁ ହେବ ଯେ’, ସରକାର ଙ୍କ ତାଲା ବନ୍ଦ ବା  ତାଲା ଖୋଲାର ନିଷ୍ପତ୍ତି ଓ ନିୟମଗୁଡ଼ିକ ସାରା ଦେଶର ସାମଗ୍ରିକ ଲାଭ-କ୍ଷତିକୁ ଦୃଷ୍ଟିରେ ରଖି ନିଆଯାଇଛି। କୌଣସି ଜଣେ ବ୍ୟକ୍ତି ବା ପରିବାରର ସ୍ୱାର୍ଥ ପାଇଁ ନୁହେଁ । ନିଜ ପାଇଁ ଆମେ ନିଜେ ହିଁ ସମଗ୍ର ସଂସାର ଓ ନିଜ ପରିବାର ପାଇଁ ସବୁଠୁ ମୂଲ୍ୟବାନ। ଦେଶପାଇଁ ଜଣେ ବ୍ୟକ୍ତିର ମୃତ୍ୟୁ କେବଳ କେବଳ ଏକ ସଂଖ୍ୟା ବା ପରିସଂଖ୍ୟାନର ହାର ହୋଇପାରେ କିନ୍ତୁ ତା’ ପରିବାର ଓ ତାକୁ ଭଲ ପାଉଥିବା ସମସ୍ତଙ୍କ ପାଇଁ ସେ ହିଁ ସମଗ୍ର ପୃଥିବୀ  ସଦୃଶ। ବ୍ୟକ୍ତିଗତ ସ୍ତରରେ ଜଣଙ୍କର ମୃତ୍ୟୁ ସମଗ୍ର ପରିବାରକୁ ଛାରଖାର କରିଦେଇପାରେ , ଏହା ଏକ ପରିବାରର ସର୍ବକାଳୀନ ଘୋର କ୍ଷତି ଯାହା କୌଣସି ସରକାର କି ସମାଜ କଦାପି ଭରଣା କରି ପାରିବେ ନାହିଁ । ତେଣୁ ନିଜକୁ ସୁରକ୍ଷିତ ରଖିବାର ଦାୟିତ୍ୱ କେବଳ ଆମର।

(ଲେଖକ ଜଣେ ସ୍ଵାସ୍ଥ୍ୟସେବା ଓ ଜନ ସ୍ଵାସ୍ଥ୍ୟ ବିଶେଷଜ୍ଞ ଏବଂ ସ୍ତମ୍ଭକାର। ଏହି ସନ୍ଦର୍ଭରେ ତାଙ୍କ ବ୍ୟକ୍ତିଗତ ଅନୁଶୀଳନ ପ୍ରତିଫଳିତ। ତାଙ୍କ ସହ ଯୋଗ ମୋବାଇଲ୍‌ ନମ୍ବର: ୯୯୩୭୧୪୫୫୦୦୮)

Leave a Reply