ମଧୁମେହ ରକ୍ତ ଶର୍କରା ନୁହେଁ ବରଂ ରକ୍ତ ନଳୀ ରୋଗ : ଡା. ବି ଜଗଦୀଶ

ଭୁବନେଶ୍ବର, (ବ୍ୟୁରୋ): ଅନେକାଂଶରେ ଲୋକଙ୍କୁ ମୃତ୍ୟୁ ମୁଖକୁ ଠେଲୁଥିବା ତଥା ବିଭିନ୍ନ ରୋଗର କାରଣ ହେଉଥିବା ମଧୁମେହ ରୋଗ ରକ୍ତ ଶର୍କରା ନୁହେଁ ବରଂ ରକ୍ତନଳୀ ରୋଗ। ସେଥିଲାଗି ଯେତେବେଳେ ମଧୁମେହ ରୋଗୀ ଡାକ୍ତରୀ ଚିକିତ୍ସା ପାଇଁ ଆସୁଛନ୍ତି ସେମାନଙ୍କୁ ସେମାନଙ୍କ ଧମନୀ ତଥା ଶିରା ପ୍ରଶିରାର ଯତ୍ନ ରକ୍ଷା ପାଇଁ ଚିକିତ୍ସା କରାଯିବା ଆବଶ୍ୟକ। ଏହା ନହେଲେ ତାହା ରକ୍ତଚାପ ଏବଂ ଅନ୍ୟାନ୍ୟ ରୋଗର କାରଣ ହୋଇପାରେ ବୋଲି ଜଣାଶୁଣା ଡାଏବେଟୋଲୋଜିଷ୍ଟ ଡ. ଜଗଦୀଶ କହିଛନ୍ତି।

ଏକ ସାଂଖ୍ୟ ( ଡିଜିଟାଲ୍‌) ସମ୍ମିଳନୀରେ ଯୋଗ ଦେଇ ଡା. ଜଗଦୀଶ କହିଛନ୍ତି, ନିୟମିତ ବ୍ୟାୟାମ, ରକ୍ତନଳୀ ଯତ୍ନ ଏବଂ ସନ୍ତୁଳିତ ଆହାର ଦ୍ବାରା ଡାଏବେଟିସ୍‌ ଏବଂ ଅନ୍ୟ ମାରାତ୍ମକ ରୋଗ କବଳରୁ ମୁକ୍ତି ମିଳିପାରିବ। ଯେତେବେଳେ ଡାଏବେଟିସ୍‌ ଲକ୍ଷ୍ୟଣ ଦିଶୁଛି ସେତେବେଳେ ଚିକିତ୍ସକ ନିୟମିତ ବ୍ୟବଧାନରେ ରୋଗୀଙ୍କୁ କୋଲେଷ୍ଟୋରଲ୍‌ ଚିକିତ୍ସା କରାଇବା ଦରକାର। ରୋଗୀ ବାହାର ଖାଦ୍ୟ ତଥା ତେଲ ଏବଂ ମସଲା ଯୁକ୍ତ ଖାଦ୍ୟକୁ ଦୂରେଇବା ଦରକାର। ଶର୍କରା ନିୟନ୍ତ୍ରଣ ସାଙ୍ଗକୁ ଧମନୀ ଯେପରି ସୁସ୍ଥ ରହି ତଥା ରକ୍ତ ପ୍ରବାହରେ ବାଧା ନଆସିବ ସେଥିଲାଗି ଆବଶ୍ୟକ ଯାଞ୍ଚ ଓ ଚିକିତ୍ସା ହେବା ଦରକାର।

ଖାଲି ରକ୍ତରେ ଶର୍କରା ନିୟନ୍ତ୍ରଣ ହେଲେ ଡାଏବେଟିସ୍‌ର ମାରାତ୍ମକ ପ୍ରଭାବରୁ ମୁକ୍ତି ମିଳିବ ନାହିଁ ବୋଲି ସେ କହିଛନ୍ତି। ଯେହେତୁ ଏହି ରୋଗ ଦ୍ବାରା ଚକ୍ଷୁକୁ ରକ୍ତ ପ୍ରବାହ କରୁଥିବା ଧମନୀ ପ୍ରଭାବିତ ହେବା ଆଶଙ୍କା ରହିଛି ସେଥିପାଇଁ ନିୟମିତ ବ୍ୟବଧାନରେ ରେଟିନା ପରୀକ୍ଷଣ ଓ ଆବଶ୍ୟକଯତ୍ନ ନିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି।

Leave a Reply

Your email address will not be published.