ଲକ୍ଷଣ ଲୁଚାଇଲେ ଚିରଦିନ ପାଇଁ ଆପଣ ଲୁଚିଯିବାର ଆଶଙ୍କା ରହିଛି: ବାଗଚୀ

ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନା ଅପଡେଟ ନେଇ ମୁଖପାତ୍ର ସୁବ୍ରତ ବାଗଚୀ ଲୋକଙ୍କୁ ସୂଚନା ଦେବା ବେଳେ ଆମେରିକାର ଉଦାହରଣ ଦେଇ ସତର୍କ କରାଇଲେ। ଆମେରିକାରେ ଗୋଟିଏ ଦିନରେ ୫୨ ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି, ଆମେ ଯଦି ସତର୍କ ନହେବା, ଦିନକରେ ସ୍ଥିତି ଆମେରିକା ଭଳି ହୋଇପାରେ ବୋଲି ବାଗ୍‌ଚୀ କହିଛନ୍ତି। ଏଥିସହିତ ହୋମ୍ କ୍ୱାରେଣ୍ଟିନକୁ କଡ଼ାକଡ଼ି ମାନିବା, ବୟସ୍କଙ୍କୁ ବିପଦରେ ପକାଇବାନି ବୋଲି କହିବା ସହିତ ଯେଉଁମାନେ କ୍ୱାରେଣ୍ଟିନ ମାନୁନାହାନ୍ତି, ସେମାନେ ଯମ କୋଳକୁ ଯାଉଛନ୍ତି ବୋଲି ବାଗ୍‌ଚୀ କହିଛନ୍ତି।

ସେ କହିଛନ୍ତି ଯେ କରୋନା ମୁକାବିଲା ପାଇଁ ଆମକୁ ନିୟମ ମାନିବାକୁ ପଡ଼ିବ । ନିୟମ ଉଲ୍ଲଙ୍ଘନ କଲେ କିପରି ସଂକ୍ରମଣ ବଢ଼େ ତାହା ଆପଣମାନେ ଜାଣିପାରୁଥିବେ । ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିଚାଲିଛି । ଓଡ଼ିଶାରେ ଏବେ ବି ମଧ୍ୟ ବିପର୍ଯ୍ୟୟ ଅବସ୍ଥା ହୋଇନାହିଁ । ହେଲେ ଆମକୁ ସାବଧାନ ରହିବାକୁ ପଡ଼ିବ । ନଚେତ ପରେ ପସ୍ତେଇବାକୁ ପଡ଼ିବ ।ଏହାସହ ମାସ୍କ ପିନ୍ଧିବାକୁ ଓ ହାତ ଧୋଇବାକୁ ପରାମର୍ଶ ଦେଇଛନ୍ତି ବାଗଚୀ । ଘରକୁ ଘର ୪୫ଦିନର ଅଭିଯାନ ଜାରି ରହିବ । ଘର ଘର ଅଭିଯାନ ବେଳେ ଲକ୍ଷଣ ଥିଲେ ଲୁଚାନ୍ତୁ ନାହିଁ । ସାମନ୍ୟ ଲକ୍ଷଣ ଥିଲେ ବି ଲୁଚାନ୍ତୁ ନାହିଁ । ଲକ୍ଷଣ ଲୁଚାଇଲେ ଚିରଦିନ ପାଇଁ ଆପଣ ଲୁଚି ଯିବାର ସମ୍ଭାବନା ରହିଛି । ଜନଜୀବନ ବଞ୍ଚାଇବା ପାଇଁ କଠୋର ପଦକ୍ଷେପ ନେବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧୦୬ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୫୫୦୨ଜଣ ସୁସ୍ଥ ହୋଇଥିବା ବେଳେ ୨୯ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୨୫୬୭ ଜଣ ସଂକ୍ରମିତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି ।

Leave a Reply

Your email address will not be published.