କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସାକ୍ଷାତକାର: ନବୀନ ଜଣେ ସୁବିଧାବାଦୀ ନେତା

0
81

କେନ୍ଦ୍ର ପେଟ୍ରୋଲିୟମ ତଥା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ରାଜନୀତିକ ସ୍ଥିତି ଓ ବିଜେପିର ଆଭିମୁଖ୍ୟ ବାବଦରେ “ଦି ହିନ୍ଦୁ’ ଖବରକାଗଜକୁ ଏକ ସାକ୍ଷାତକାର ଦେଇଛନ୍ତି, ଯାହା ଶୁକ୍ରବାର ପ୍ରକାଶ ପାଇଛି । ଏଥିରେ ସେ ନବୀନ ପଟ୍ଟନାୟକଙ୍କୁ ଜଣେ ସୁବିଧାବାଦୀ ନେତା ଭାବେ ବୟାନ କରିବା ସହ ଓଡ଼ିଶା ଏକ ପରିବର୍ତ୍ତନ ଆଡ଼କୁ ବମୁହାଁଇଛି ବୋଲି ବର୍ଣ୍ଣନା କରିଛନ୍ତି । ଏହାବାଦ୍‍ ବୈଜୟନ୍ତଙ୍କ ପାଇଁ ଦଳର ଦ୍ୱାର ଉନ୍ମୁକ୍ତ ଥିବା ମଧ୍ୟ ପରୋକ୍ଷରେ ସୂଚନା ଦେଇଛନ୍ତି । ଉପସ୍ଥାପନ କରୁଛୁ ସେହି ସାକ୍ଷାତକାରର କିଛି ଅନୁବାଦିତ ଅଂଶକୁ ।

 

କିଛିଦିନ ପୂର୍ବରୁ ହୋଇଥିବା ବିଜେପୁର ଉପ ନିର୍ବାଚନରେ ବିଜେପି ଯାହା ଆଶା କରିଥିଲା ତାହା ହେଲା ନାହିଁ । ଏହା ପାର୍ଟିର ପରାଜୟ ବୋଲି ଗ୍ରହଣ କରାଯିବ କି? ସାଧାରଣ ନିର୍ବାନରେ ଏହାର ପ୍ରଭାବ ପଡ଼ିବ କି?

ଗୋଟିଏ ବିରୋଧି ଦଳ ଯେମିତି ନିର୍ବାଚନରେ ଲଢ଼େ ଆମେ ଠିକ୍‍ ସେହିଭଳି ଜିତିବା ପାଇଁ ଳଢ଼ିବୁ । ବିଜେପୁର ଉପ ନିର୍ବାଚନରେ ଆମେ ଆମ ଦଳର ପ୍ରକୃତ ସ୍ଥିତି ବିଷୟରେ ଜାଣିବାକୁ ପାଇଲୁ । ନବୀନ ପଟ୍ଟନାୟକଙ୍କ ଶକ୍ତି ହେଉଛି କ୍ଷମତା ଓ ସରକାରୀ ବ୍ୟବସ୍ଥାର ଅପବ୍ୟବହାର । ସାଧାରଣ ନିର୍ବାଚନରେ ଏହା କାମ ଦେବନି । ଓଡ଼ିଶା ପାଇଁ ଆମେ ଯେଉଁ ଅଭିଯାନ ଆରମ୍ଭ କରିଛୁ ତାହା ଏକ ଏକ ବିରାଟ ପରିବର୍ତ୍ତନ ପାଇଁ । ତାହା ଆମେ ଆମ କ୍ୟାମ୍ପେନ୍‍ରୁ ଅନୁଭବ କରୁଛୁ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହୁଛନ୍ତି ସେ ଉଭୟ ବିଜେପି ଓ କଂଗ୍ରେସଠୁ ସମାନ ଦୂରତା ତୁଲାଉଛନ୍ତି । ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ସଙ୍ଗେ ବିଧାନସଭା ଓ ଲୋକସଭା ନିର୍ବାଚନ ନୀତିକୁ ସମର୍ଥନ କରିଛନ୍ତି କିନ୍ତୁ ଆୟୁଷ୍ମାନ ଭାରତକୁ ବିରୋଧ କରିଛନ୍ତି । ଆପଣ ଏହାକୁ କେମିତି ଅନୁଭବ କରୁଛନ୍ତି?

ନବୀନ ପଟ୍ଟନାୟକ ହେଉଛନ୍ତି ଦେଶର ଜଣେ ସବୁଠାରୁ ବଡ଼ ସୁବିଧାବାଦୀ ନେତା । ଯେଉଁପ୍ରକାରେ ସେ ସମର୍ଥନ ଓ ବିରୋଧ ପାଇଁ ପ୍ରସଙ୍ଗ ବାଛନ୍ତି ସେଇଠୁ ତାହା ସ୍ପଷ୍ଟ । ସେ ସମ ଦୂରତା ବଜାୟ ରଖୁ ନାହନ୍ତି ବରଂ ସମାନ ସମ୍ପର୍କ ବଜାୟ ରଖିବାକୁ ଚେଷ୍ଟା କରୁଛନ୍ତି । ୨୦୦୪ ମସିହାରୁ ଓଡ଼ିଶା ଏକ ସମୟରେ ବିଧାନସଭା ଓ ଲୋକସଭା ନିର୍ବାଚନ ଦେଖିଆସୁଛି । ଏଣୁ ଏହି ପ୍ରକାର ନୀତିକୁ ସମର୍ଥନ କରିବା ତାଙ୍କର କିଛି ବଡ଼ପଣ ନୁହେଁ । ଆପଣ ଯଦି ପ୍ରଧାନମନ୍ତ୍ରୀ ମୋଦିଙ୍କ ଚିନ୍ତାଧାରା ପ୍ରତି ଏତେ ପରିମାଣରେ ପସନ୍ଦ କରିଛନ୍ତି ତେବେ ଭାରତର ବିକାଶ ପାଇଁ ମୋଦି ଯେଉଁ ଏକ ଟିମ୍‍ର ଆହ୍ୱାନ ଦେଉଛନ୍ତି ତାହାକୁ ବି ଦେଖିବା ଉଚିତ ।

ଶ୍ରୀ ପଟ୍ଟନାୟକ ସାମାଜିକ କ୍ଷେତ୍ରରେ ବିକାଶ ପାଇଁ କେନ୍ଦ୍ରୀୟ ସମୀକ୍ଷାକୁୁ ରୋକ୍‍ ଲଗାଇଛନ୍ତି । ଆକାଂକ୍ଷା ଜିଲ୍ଲାଗୁଡ଼ିକର ବିକାଶ ପାଇଁ ଯେଉଁ ଧ୍ୟାନ କେନ୍ଦ୍ର ସରକାର ଦେଉଛନ୍ତି ତାହାକୁ ପ୍ରତ୍ୟାଖ୍ୟାନ କରୁଛନ୍ତି । ସ୍ୱଚ୍ଛ ଭାରତ କଥା କହନ୍ତୁ କି ସ୍ୱାସ୍ଥ୍ୟ ସେବା ସୁରକ୍ଷା ସବୁଥିରେ କେନ୍ଦ୍ରକୁ ରାଜ୍ୟ ସରକାର ବିରୋଧ କରିଛନ୍ତି ।

ସେ ବାଜପାୟୀ ଏବଂ ଆଡ୍‍ଭାନୀଙ୍କ କାନ୍ଧରେ ବସି ରାଜନୀତିରେ ନିଜ ପାଦକୁ ସୁଦୃଢ଼ କଲେ । ଏବେ ଅନ୍ୟମାନଙ୍କୁ ଦ୍ୱନ୍ଦ୍ୱରେ ପକାଉଛନ୍ତି । ଏହା ତାଙ୍କ ରାଜନୀତିକ ରଣନୀତି ଯେ, ସେ କହିବେ ସମସ୍ତଙ୍କୁ ସମାନ ଦୂରତା ରକ୍ଷା କରୁଛନ୍ତି କିନ୍ତୁ ବାସ୍ତବରେ ଏହା ସମସ୍ତଙ୍କୁ ବିଭ୍ରାନ୍ତ କରିବା ପାଇଁ ଉଦ୍ଦିଷ୍ଟ ।

୨୦୦୯ ମସିହାରେ ସେ ଆମ ସହ ମେଣ୍ଟ ଭାଙ୍ଗିଲେ । ତାପରେ ୪ ମାସ ଧରି କଂଗ୍ରେସକୁ ମନାଇବାରେ ସକ୍ଷମ ହେଲେ । ଫଳରେ କ୍ଷମତାରେ ରହିପାରିଲେ । ୨୦୦୯ ମସିହାରେ ସେ ବିରୋଧି ଦଳ ନେତାଙ୍କୁ ନିଜ ପକ୍ଷଭୁକ୍ତ କରାଇଲେ । ଏଣୁ ତାଙ୍କର ତଥାକଥିତ ସମଦୂରତ୍ୱ ନୀତି କୌଣସି ଆଦର୍ଶ ଉପରେ ପର୍ଯ୍ୟବସିତ ନୁହେଁ ।

 

ଆପଣ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତଭାବେ ମାନ୍ୟତା ଦେବାକୁ ସମର୍ଥନ କରୁଛନ୍ତି । ଏହା ରାଜ୍ୟରେ ଆଉ ଏକ ନୂଆ ଆଞ୍ଚଳିକବାଦ ସୃଷ୍ଟି ପାଇଁ ପ୍ରୋତ୍ସୋହନ ଦେବ ନାହିଁ କି?

୧୯୩୬ ମସିହାରେ ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶାର ପୁନର୍ଗଠନ ହେଲା । ଆମେ ସେବେଠାରୁ ଏହି ଗୀତକୁ ଗାଇ ଆସୁଛୁ । ପ୍ରଶ୍ନ ଉଠୁଛି ଆମେ କାହିଁକି ଏ ପ୍ରସଙ୍ଗକୁ ଉଠାଇଲୁ? ଯେଉଁ ପ୍ରସଙ୍ଗଗୁଡ଼ିକରେ କିଛି କରିବାରେ ନାହିଁ ଏବଂ ଯାହା ତାଙ୍କ ପରିସର ଭିତରେ ନାହିଁ ସେହି ପ୍ରସଙ୍ଗଗୁଡ଼ିକୁ ନବୀନ ପଟ୍ଟନାୟକ ଉଠାଇ ଲୋକଙ୍କୁ ବିଭ୍ରାନ୍ତ କରିବାର ଏକ ବିଚାରଧାରା ସୃଷ୍ଟି କରିଛନ୍ତି । ଯେମିତି ହକିକୁ ଜାତୀୟ ଖେଳ ଭାବେ ପଞ୍ଜୀକରଣ କରିବା ପ୍ରସଙ୍ଗ । ବିଜୁ ଜନତା ଦଳ ଏକ ଆଞ୍ଚଳିକ ଦଳ । ଓଡ଼ିଶା ବିଧାନସଭା ୨୦୦୬ରେ ସର୍ବ ସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିଲେ ଯେ, “ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ମିଳୁ । ଏହି ସମୟରେ ବିଜେଡି ସରକାର ଚାଲିଥିଲା । କାହିଁକି ଏଯାଏ ତାହା ହୋଇପାରି ନାହିଁ?

 

ଆପଣ ମହାନଦୀ ବିବାଦରେ ବିଜେପି ନେତୃତ୍ୱାଧିନ ଛତିଶଗଡ଼ ସରକାରଙ୍କୁ ଆକ୍ରମଣ କରିଛନ୍ତି । ଏହ ନିଜ ଭିତରେ ଏକ ହିତ ବିବାଦ ନୁହେଁକି? କାହିଁକି?

ଯେତେବେଳେ ନର୍ମଦା ଜଳ ବିବାଦ କଥା ଉଠିଥିଲା ତାହା ହିତ-ବିବାଦ ନଥିଲା? କାବେରୀ ବିବାଦ ସମୟରେ କର୍ଣ୍ଣାଟକ ବିଜେପି ଓ ତାମିଲନାଡ଼ୁ ବିଜେପି ନିଜ ନିଜ ରାଜ୍ୟର ସ୍ୱାର୍ଥ ପାଇଁ ଲଢ଼େଇ କରୁ ନଥିଲେ କି? ପ୍ରତି ରାଜ୍ୟର ସଂଗଠନ ସେମାନଙ୍କ ନିଜ ରାଜ୍ୟର ସ୍ୱାର୍ଥ କଥା କହିବା ପାଇଁ ପ୍ରତିଶୃତିବଦ୍ଧ । ସେଇଥିପାଇଁ ଆମେ ଓଡ଼ିଶାରେ ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ କରୁଛୁ ଏବଂ ଓଡ଼ିଶାର ସ୍ୱାର୍ଥ କେଉଁଠି ସାଲିସ ହେବ ତାହାକୁ ଆମେ ବରଦାସ୍ତ କରିବୁ ନାହିଁ ।

ବିଜେଡି ଓଡ଼ିଶାର ଚାଷୀଙ୍କୁ ଜଳସେଚନ ସୁବିଧା ଦେବାରେ ବ୍ୟର୍ଥ ହୋଇଛି । ଗଲା ମାସରେ ପ୍ରଧାନମନ୍ତ୍ରୀ ଯାହା ସୂଚନା ଦେଇ ଗଲେ ସେହି ଅନୁସାରେ ରାଜ୍ୟ ସରକାର ଓଡ଼ିଶାରେ ସମୁଦ୍ରକୁ ବୋହିଯାଉଥିବା ଜଳର ଏକ ମିଲିମିଟର ବି ସଂରକ୍ଷଣ କରିବା ପାଇଁ ସମର୍ଥ ହୋଇପାରି ନାହାନ୍ତି । ଏହି ପ୍ରସଙ୍ଗକୁ ଲୁଚାଇବା ଲାଗି ବିଜେଡି ସରକାର ଛତିଶଗଡ଼ ସହ ବିବାଦ ରଚିଛନ୍ତି । ଛତିଶଗଡ଼ ମହାନଦୀ ଉପର ମୁଣ୍ଡରେ କିଛି ବନ୍ଧ ବାନ୍ଧିଛି ଯେଉଁଗୁଡ଼ିକ ୨ହଜାର ହେକ୍ଟର ଜମିରେ ଜଳ ସେଚନ ପାଇଁ ଉଦ୍ଦିଷ୍ଟ ବୋଲି ସେମାନେ କହୁଥିଲେ ମଧ୍ୟ ପ୍ରକୃତରେ ସେଥିରେ ଶିଳ୍ପାନୁଷ୍ଠାନକୁ ପାଣି ଯୋଗାଇବା ଉଦ୍ଦେଶ୍ୟ ଅନ୍ତର୍ନିହିତ । ଆମେ ଏହାକୁ ବିରୋଧ କରୁଛୁ ।

ବୈଜୟନ୍ତ ପଣ୍ଡା ଏବେ ବିଜେଡି ଛାଡ଼ିଛନ୍ତି, ଏହାସହ ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ସେ ବିଜେପିରେ ଯୋଗ ଦେବେ କି?

ଠିକ୍‍ ଭାବୁଥିବା କୌଣସି ଲୋକର ବିଜେଡିରେ ସ୍ଥାନ ନାହିଁ । ଯେଉଁ ନେତା ପ୍ରଧାନେମନ୍ତ୍ରୀ ମୋଦିଙ୍କ ନେତୃତ୍ୱ ଏବଂ ବିଜେପିର ଆଦର୍ଶକୁ ବିଶ୍ୱାସ କରନ୍ତି ତାଙ୍କ ପାଇଁ ବିଜେପି ଦ୍ୱାର ଉନ୍ମୁକ୍ତ ।

ଏବେ ବିଜେପି ବିରୋଧରେ ବିରୋଧି ଦଳମାନେ ଏକ ମେଣ୍ଟ ବାନ୍ଧିଛନ୍ତି । ଏକାଠି ହୋଇ ବିଜେପି ବିରୋଧରେ ଲଢ଼େଇ କରିବେ ବୋଲି ସୂଚନା ମିଳୁଛି । ଆପଣ କ’ଣ କହିବେ?

ଏମିତିକି ୨୦୧୪ ନିର୍ବାଚନରେ ମଧ୍ୟ ଏହିଦଳଗୁଡ଼ିକ ଆମ ବିରୋଧରେ ଏକାଠି ହୋଇଥିଲେ । ଏହି ଦଳଗୁଡ଼ିକ ସମାଜରେ ଧ୍ରୁବୀକରଣ ସୃଷ୍ଟି କରି କ୍ଷମତା ଅକ୍ତିଆର କରିବାକୁ ଚାହାନ୍ତି । କିନ୍ତୁ ଦେଶ ମନସ୍ତତ୍ତ୍ୱ କିଛି ଅଲଗା । ୨୦୧୪ ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ଆଗରେ କେହି ଠିଆ ହୋଇପାରି ନାହାନ୍ତି ।

ସୌଜନ୍ୟ: ଦି’ ହିନ୍ଦୁ, ଭୁବନେଶ୍ୱର ସଂସ୍କରଣ 

Loading...