ବିଜୁ ବିଜେପିନେତାଙ୍କଠାରୁ ହାରିଗଲେ ଧର୍ମେନ୍ଦ୍ର

ବିଜେପିର ପୋଷ୍ଟରବୟ ଧର୍ମେନ୍ଦ୍ର ପ୍ରଧାନ ଉପକୂଳ ନେତାଙ୍କଠାରୁ ଯେଉଁ ବିପଦ ଆଶଙ୍କା କରି ସେମାନଙ୍କୁ ଦଳରୁ ବାହାରି ଯିବା ପାଇଁ ବିଭିନ୍ନ ଉପାୟରେ ବାଧ୍ୟ କରିଥିଲେ ତାହା ସତ୍ୟରେ ପରିଣତ ହେବାକୁ ଯାଉଛି। ଫଳରେ ରାଜନୀତିରେ ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲ୍ଳାରେ ଧର୍ମେନ୍ଦ୍ର ନିଜ ଅନୁଗତମାନଙ୍କୁ ସୁରକ୍ଷା ଦେଇ ନ ପାରି ଭାଣ୍ଡିଆ ହୋଇଛନ୍ତି। ଅନୁଗତମାନଙ୍କଠାରୁ ପ୍ରଶ୍ନବାଣର ଆଶଙ୍କା ଥିବାରୁ ସେମାନଙ୍କୁ ଧର୍ମେନ୍ଦ୍ର ଆଉ ଧରାଛୁଆଁ ଦେଉନଥିବା ଆଲୋଚନା ହେଉଛି।

ଧର୍ମେନ୍ଦ୍ରଙ୍କ ପାଇଁ ସବୁଠାରୁ ଅଧିକ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିବା ବିଜୟ ମହାପାତ୍ରଙ୍କୁ ବିଗତ ଦୁଇ ବର୍ଷ ହେଲା କିପରି ଦଳରୁ ଦଳରୁ ତଡ଼ିବେ ସେହି ଚିନ୍ତାରେ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରାପଡ଼ା ଜିଲ୍ଲାରେ ନିଜର ଅନୁଗତ ଭୁବନ ମୋହନ ଜେନାଙ୍କ ମାଧ୍ୟମରେ ଧର୍ମେନ୍ଦ୍ର ପ୍ରଧାନ ବିଜୟ ଓ ତାଙ୍କ ଅନୁଗତମାନଙ୍କ ବିେୀରାଧରେ ଷଡ଼ଯନ୍ତ୍ର ପ୍ରସ୍ତୁତ କରିଥିଲେ। ଏପରିକି ରାଜଧାନୀରେ ଥିବା କିଛି ଅନୁଗତ ଓ ଗୋଡ଼ାଣିଆ ସାମ୍ୱାଦିକମାନଙ୍କ ଦ୍ୱାରା ବିଜୟଙ୍କୁ ଅପମାନିତ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ବିଜୟଙ୍କୁ କିପରି ଅପମାନିତ କରାଯିବ ସେ ଦିଗରେ ଧର୍ମେନ୍ଦ୍ରଙ୍କ ଦ୍ୱାରା ପ୍ରତିପାଳିତ କିଛି ଗଣମାଧ୍ୟମରେ ଉଦ୍ୟମ କରାଯାଇଥିଲା। ଏପରିକି ବିଜୟ କାହିଁକି ବିଜେପିରେ ଅଛନ୍ତି, କାହିଁକି ଇସ୍ତଫା ଦେଉନାହାନ୍ତି ବୋଲି ପ୍ରଶ୍ନ କରାଯାଇଥିଲା।

ଏଭଳି ଷଡ଼ଯନ୍ତ୍ରରେ ବିଜୟ ଅତିଷ୍ଠ ହୋଇ ଗତ ୫ମାସ ତଳେ ବିଜେପିରୁ ଇସ୍ତଫା ଦେଇଥିଲେ। କିନ୍ତୁ ଗତମାସରେ ବୈଜୟନ୍ତ ଧର୍ମେନ୍ଦ୍ରଙ୍କୁ ନପଚାରି କେନ୍ଦ୍ର ନେତାଙ୍କ ସହିତ ଯୋଗାଯୋଗ କରି ବିଜେପିରେ ଯୋଗଦେଲା ପରେ ବିଜୟଙ୍କୁ ଦଳକୁ ଫେରାଇ ଆଣିବାକୁ ଯୋଜନା ପ୍ରସ୍ତୁତ କରିଥିଲେ। ବୈଜୟନ୍ତଙ୍କ ଏହି ଯୋଜନା ଜାଣିବା ପରେ ଧର୍ମେନ୍ଦ୍ର ନିଜର ଅନୁଗତ ଭୁବନ ମୋହନ ଜେନାଙ୍କୁ ଧରି ବିଜୟ ଫେରିବା ବାଟକୁ ରୋକିବା ଉଦ୍ୟମ କରିଥିଲେ। କିନ୍ତୁ ବୈଜୟନ୍ତଙ୍କ ଦାବି ଓ ଯୁକ୍ତିକୁ ଶୁଣି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ବିଜୟଙ୍କ ଘରକୁ ଯାଇ ତାଙ୍କୁ ଦଳକୁ ପାଛୋଟି ଆଣିଥିଲେ।

ବିଜୟ ଦଳକୁ ଫେରିବା ପରେ ବୈଜୟନ୍ତ ସୁଚିନ୍ତିତ ଭାବରେ ଧର୍ମେନ୍ଦ୍ରଙ୍କ ଡେ଼ଣା କାଟିବା ଆରମ୍ଭ କରିଛନ୍ତି। କେନ୍ଦ୍ରୀୟ ଦାୟିତ୍ୱ ବଣ୍ଟନ ଅନୁସାରେ ଧର୍ମେନ୍ଦ୍ର କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ୱରେ ଥିଲେ ବି ଦଳର ଟିକଟ ବଣ୍ଟନ କ୍ଷେତ୍ରରେ ତାଙ୍କୁ କେନ୍ଦ୍ର ନେତାମାନେ ଗୁରୁତ୍ୱ ଦେଇନାହାନ୍ତି। ଅପରପକ୍ଷରେ ଦଳରେ ନୂଆକରି ଯୋଗଦେଇ କେନ୍ଦ୍ରାପଡ଼ା ସାଂସଦ ଟିକଟ ପାଇଥିବା ବୈଜୟନ୍ତଙ୍କ ପ୍ରସ୍ତାବକୁ ଗୁରୁତ୍ୱ ଦେଇ କାର୍ଯ୍ୟକାରୀ କରିଛନ୍ତି।

ପରିଣାମ ସ୍ୱରୁପ ମହାକାଳପଡ଼ା ବିଧାନସଭା ଆସନରୁ ଲଢ଼ିବା ପାଇଁ ଧର୍ମେନ୍ଦ୍ରଙ୍କ ଅନୁଗତ ଭୁବନ ମୋହନ ଜେନା ଆଶା କରିଥିଲେ। ଭୁବନଙ୍କ ଆଶାକୁ ବୈଜୟନ୍ତ-ବିଜୟ ଯୋଡ଼ି ପାଣି ପକାଇ ଦେଇଛନ୍ତି। ମହାକାଳପଡ଼ାରୁ ବିଜୟ ମହାପାତ୍ରଙ୍କ ଅନୁଗତ ବିଜୟ ପ୍ରଧାନ ପ୍ରାର୍ଥୀ ହୋଇଛନ୍ତି। ଉତ୍କଳକେଶରୀ ପରିଡ଼ାକୁ ପାଟକୁରାରୁ ଲଢ଼ିବା ପାଇଁ ଧର୍ମେନ୍ଦ୍ର ଅଭୟବାଣୀ ଦେଇଥିଲେ। ବିଜୟ ମହାପାତ୍ର ଦଳକୁ ଫେରିବା ପରେ ସେ ପାଟକୁରାରୁ ପ୍ରାର୍ଥୀ ହୋଇଛନ୍ତି। ଫଳରେ ଉତ୍କଳକେଶରୀ ପରିଡ଼ା ପ୍ରାର୍ଥୀ ହେବା କ୍ଷେତ୍ରରେ ନିରାଶ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ପର୍ଯ୍ୟବେକ୍ଷକ ହୋଇ ନିଜ ପସନ୍ଦର ଅନୁଗତମାନଙ୍କୁ ପ୍ରାର୍ଥୀ କରିବାରେ ବିପଳ ହୋଇଥିବାରୁ ଧର୍ମେନ୍ଦ୍ର ବିଜୁ ବିଜେପି ନେତାମାନଙ୍କୁ ନିର୍ବାଚନରେ ହରାଇବାକୁ ଯୋଜନା କରୁଥିବା ଆଲୋଚନା ହେଉଛି। ଏହି ଯୋଜନାର ନେତୃତ୍ୱ ଭୁବନମୋହନ ଜେନା ନେଉଛନ୍ତି ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

ବିଜେପିର ସ୍ଲୋଗାନ ‘ପାର୍ଟି ଉଇଥ ଏ ଡିଫରେନ୍ସ’ ଛଳନା

ପ୍ରଥମ ପର୍ଯ୍ୟାୟରେ ୬୦ ଲକ୍ଷ ମତଦାତା ନିର୍ଦ୍ଧାରଣ କରିବେ ୨୧୭ ପ୍ରାର୍ଥୀଙ୍କ ଭାଗ୍ୟ

ମୋଦୀ ହାୱା ଭରସାରେ ଜୁଏଲ

Leave a Reply

Your email address will not be published.