ମୋଦୀ-ଆବେଙ୍କ ବନ୍ଧୁତା ସତ୍ତ୍ୱେ ଜାପାନ କମ୍ପାନୀଗୁଡ଼ିକ ଭାରତ ନୁହେଁ ଭିଏତନାମକୁ ଯାଉଛନ୍ତି – ଏଥିପାଇଁ ଭାରତୀୟ ରାଜ୍ୟ ଦୋଷୀ

ଭାରତୀୟ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ବ୍ୟକ୍ତିଗତ ବନ୍ଧୁତା ଦୁଇ ଦେଶର ଆର୍ଥିକ ସମ୍ପର୍କକୁ ମଜବୁତ କରିପାରି ନାହିଁ । ଉଲ୍ଲେଖଥାଉ କି, ଭାରତ ଏବଂ ଜାପାନ ଚୀନ୍ ବିରୋଧରେ ଏକଜୁଟ ହୋଇଛନ୍ତି ଏବଂ ଖୁବ୍ ଶୀଘ୍ର ଦୁଇ ଦେଶ ମଧ୍ୟରେ ରଣନୀତିକ ଚୁକ୍ତି ହେବାର ସମ୍ଭାବନା ରହିଛି । କିନ୍ତୁ ତଥାପି ବନ୍ଧୁତ୍ୱର ଏହି ଉଷ୍ମତା ଆର୍ଥିକ ସଂପର୍କରେ ଦେଖାଯାଏ ନାହିଁ । ବାସ୍ତବରେ, କୋଭିଡ଼୍‌-୧୯ର ସମ୍ପ୍ରସାରଣ ପରେ ଚୀନ୍‌ ଛାଡ଼ିଥିବା ଜାପାନ କମ୍ପାନୀଗୁଡ଼ିକ ଭାରତ ଆସିବା ପରିବର୍ତ୍ତେ ଭିଏତନାମ ଯାଉଛନ୍ତି । ଏହାର ପ୍ରକୃତ କାରଣ ହେଉଛି ଜାପାନର କମ୍ପାନୀଗୁଡ଼ିକ ଭାରତର ଅନେକ ରାଜ୍ୟରେ କ୍ରମାଗତ ଭାବରେ ଦୁର୍ବ୍ୟବହାର ସମ୍ମୁଖୀନ ହେଉଛନ୍ତି । ତାଙ୍କର ବ୍ୟକ୍ତିଗତ ଅଭିଜ୍ଞତା ଭାରତର ରାଜ୍ୟ ସରକାରଙ୍କ ସହ ଏତେ ଖରାପ ହୋଇଛି, ବିଶେଷ କରି ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶ ପରି ଅଣ-ବିଜେପି ରାଜ୍ୟରେ, ତେଣୁ ଜାପାନୀ ଉଦ୍ୟୋଗପତିମାନେ ଭିଏତନାମକୁ ଭାରତ ଅପେକ୍ଷା ଭଲ ପସନ୍ଦ କରୁଛନ୍ତି ।

ମହାରାଷ୍ଟ୍ର ବିଷୟରେ କହିବାକୁ ଗଲେ ଜାପାନ ସେଠାରେ ମୋଦୀ ସରକାରଙ୍କ ଉଚ୍ଚାଭିଳାଷୀ ବୁଲେଟ୍ ଟ୍ରେନ୍ ପ୍ରକଳ୍ପର ମୋଟ ମୂଲ୍ୟର ୮୦ ପ୍ରତିଶତ ପ୍ରଦାନ କରୁଛି ଏବଂ ଏହା ମଧ୍ୟ ୫୦ ବର୍ଷ ପାଇଁ ନାମମାତ୍ର ସୁଧ ହାରରେ ପ୍ରଦାନ କରୁଛି । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କଦ୍ୱାରା ଏହି ପ୍ରକଳ୍ପ ଆରମ୍ଭ କରାଯାଇଥିଲା । ଯୋଜନା ଅନୁଯାୟୀ, ବୁଲେଟ୍ ଟ୍ରେନ୍ ମୁମ୍ବାଇ ଏବଂ ଅହମ୍ମଦାବାଦ ମଧ୍ୟରେ ୫୦୮ କିଲୋମିଟର ଦୂରତା ଅତିକ୍ରମ କରିବ, ଯେଉଁଥିରେ ୨୧କିଲୋମିଟରର ଏକ ଅଣ୍ଡର ୱାଟର ଟନେଲ୍ ଅନ୍ତର୍ଭୁକ୍ତ ହେବ । ଏହି ପ୍ରକଳ୍ପର ମୋଟ ମୂଲ୍ୟ ହେଉଛି ୧ ଲକ୍ଷ ୧୦ ହଜାର କୋଟି, ସେଥିମଧ୍ୟରୁ ୫ ହଜାର ୬ ଶହ କୋଟି ମହାରାଷ୍ଟ୍ର ସରକାରଙ୍କୁ ଦେବାକୁ ପଡ଼ିବ । ଏହି ରାଶି ସମଗ୍ର ପ୍ରକଳ୍ପର ମାତ୍ର ୬ ପ୍ରତିଶତ କିନ୍ତୁ ମହାରାଷ୍ଟ୍ର ସରକାର ଏହାକୁ ଦେବାକୁ ମନା କରି ଦେଇଛନ୍ତି ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କହିଛନ୍ତି, “ରାଜ୍ୟର ଆର୍ଥିକ ସ୍ଥିତିକୁ ଦେଖିବା ପରେ ବିକାଶ ପ୍ରକଳ୍ପର ପ୍ରାଥମିକତା ନିର୍ଣ୍ଣୟ କରାଯିବା ଉଚିତ । କେହି କେହି ଆମକୁ କମ୍ ସୁଧ ହାରରେ ଋଣ ଦେଉଛନ୍ତି, କାରଣ ଆମକୁ ନିଜ ଉପରେ ଚାପ ପକାଇବାକୁ ପଡ଼ିବ ନାହିଁ । ଏଥିପାଇଁ ଆମେ କୃଷକଙ୍କ ଜମି ନେବା ଆରମ୍ଭ କରିବୁ ନାହିଁ । ବୁଲେଟ୍ ଟ୍ରେନ୍ ଆମ ପାଇଁ ସମ୍ଭବ ନୁହେଁ ।” ଏବେ ପ୍ରଶ୍ନ ଉଠିଛି ଯେ ଯଦି ଭାରତର ଅର୍ଥନୈତିକ ରାଜଧାନୀ ତଥା ଦେଶର ଅନ୍ୟତମ ସମୃଦ୍ଧ ରାଜ୍ୟ କୁହାଯାଉଥିବା ମହାରାଷ୍ଟ୍ର ସରକାରଙ୍କର କୌଣସି ପ୍ରକଳ୍ପ ପାଇଁ ଟଙ୍କା ନାହିଁ, ତେବେ କେଉଁ ରାଜ୍ୟ ପାଖରେ ତାହା ରହିବ ? ବଡ଼ ପ୍ରଶ୍ନ ହେଉଛି ଯେ ମହାରାଷ୍ଟ୍ରରେ ବିଜେପି ସହ ଶାସନ କରୁଥିବାବେଳେ ଶିବସେନା ଏହି ପ୍ରକଳ୍ପକୁ ବିରୋଧ କରିନଥିଲା, କିନ୍ତୁ ବର୍ତ୍ତମାନ ଏହି ପ୍ରକଳ୍ପ ପାଇଁ ୬୦ ପ୍ରତିଶତରୁ ଅଧିକ ଜମି ଅଧିଗ୍ରହଣ ହୋଇସାରିଛି, ତେବେ ଉଦ୍ଧବ ଠାକ୍‌ରେଙ୍କୁ ଏହି ଯୋଜନାକୁ ବନ୍ଦ କରିବାର ଭୂତ ଲାଗିଛି ।

ସେହିପରି ଆନ୍ଧ୍ରପ୍ରଦେଶ ସରକାରଙ୍କ ଅବସ୍ଥା । ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁଙ୍କ ସରକାର ସମୟରେ ଜାପାନ ସହିତ ସ୍ୱଚ୍ଛ ଶକ୍ତି ପାଇଁ ‘କ୍ରୟ ଶକ୍ତି ଚୁକ୍ତି’ (PPAs) ସ୍ୱାକ୍ଷରିତ ହୋଇଥିଲା । କିନ୍ତୁ ଆନ୍ଧ୍ରପ୍ରଦେଶରେ ସରକାର ପରିବର୍ତ୍ତନ ପରେ ଏହି ପ୍ରକଳ୍ପ ସ୍ଥଗିତ ରଖାଯାଇଛି । ଏହି ମାମଲା କୋର୍ଟରେ ପହଞ୍ଚିଥିଲା । ଏପରିକି ଜାପାନର ରାଷ୍ଟ୍ରଦୂତ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କୁ ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରିବାକୁ ବାଧ୍ୟ ହୋଇଥିଲେ ।

ଆସାମରେ ସିଏଏ ବିରୋଧୀ ଆନ୍ଦୋଳନ ହେତୁ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ତାଙ୍କ ଆସାମ ଗସ୍ତ ବାତିଲ କରିବାକୁ ପଡ଼ିଲା । ଏହି ଯାତ୍ରା ଜାପାନ ସରକାରଙ୍କଦ୍ୱାରା ଉତ୍ତର-ପୂର୍ବ ଭାରତରେ ହଜାର ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ଆଣିବ ବୋଲି ଆଶା କରାଯାଉଥିଲା, କିନ୍ତୁ ତାହା ହୋଇପାରିଲା ନାହିଁ । ଯଦି ଜାପାନ ଏହି କ୍ଷେତ୍ରରେ ପୁଞ୍ଜି ବିନିଯୋଗ କରିଥାନ୍ତା, ତେବେ ଏହା କେବଳ ଅର୍ଥନୈତିକ କ୍ଷେତ୍ରରେ ନୁହେଁ, ରଣନୀତିକ ଦୃଷ୍ଟିରୁ ମଧ୍ୟ ବହୁତ ଲାଭଦାୟକ ହୋଇଥାନ୍ତା । ଚୀନ୍ ଏହି ଅଞ୍ଚଳର ଅରୁଣାଚଳ ନିକଟରେ ଦାବି କରିଛି ଏବଂ ଯଦି କ୍ୱାଡ଼ର ସଦସ୍ୟ ଥିବା ଜାପାନ ଏହି ଅଞ୍ଚଳରେ ପୁଞ୍ଜି ବିନିଯୋଗ କରେ, ତେବେ କ୍ୱାଡ଼, ଆମେରିକା ଏବଂ ଅଷ୍ଟ୍ରେଲିଆର ଅନ୍ୟ ସଦସ୍ୟମାନେ ମଧ୍ୟ ଉତ୍ସାହିତ ହୋଇପାରନ୍ତି ।

ତେଣୁ ଏହା ସ୍ପଷ୍ଟ ଯେ ଭାରତରେ ଜାପାନ ନିବେଶକଙ୍କ ଅଭିଜ୍ଞତା ଅତ୍ୟନ୍ତ ଖରାପ ଅଟେ । ଭାରତରେ ସରକାର ପରିବର୍ତ୍ତନ କରିବାଦ୍ୱାରା ଅର୍ଥନୈତିକ ବିକାଶର ଦୃଷ୍ଟିକୋଣ ବଦଳିଯାଏ । କେନ୍ଦ୍ର ସରକାରଙ୍କ ଯୋଜନାଗୁଡ଼ିକର ସ୍ଥଗିତାଦେଶ, ଏହାକୁ ବିଚାର ନକରି, ଏକ ଭୁଲ୍‌ ଉଦାହରଣ ଉପସ୍ଥାପନ କରିଛି, ଯାହାଦ୍ୱାରା ଦେଶ ଯନ୍ତ୍ରଣା ଭୋଗୁଛି । ଆଶା କରୁଛି, ଭାରତର ବିରୋଧୀ ଦଳ ଏହା ବୁଝିବେ, ନଚେତ୍ ଭାରତ ଏଭଳି ସୁଯୋଗ ହରାଇବ ।

Leave a Reply