ବିଶ୍ୱର ଶ୍ରେଷ୍ଠ ୧୦ ଆଇବି ସ୍କୁଲ୍‍ ତାଲିକାରେ ଧିରୁଭାଇ ଅମ୍ବାନୀ ସ୍କୁଲ

ଭୁବନେଶ୍ୱର, (ଓଟି): ମୁମ୍ବାଇର ବାନ୍ଦ୍ରା-କୁର୍ଲା କମ୍ପେ୍ଲକ୍ସରେ ଥିବା ଧିରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ୍‍ ସ୍କୁଲ (ଡିଏଆଇଏସ୍‍) ଏକ ମାତ୍ର ଭାରତୀୟ ସ୍କୁଲ ଭାବେ ବିଶ୍ୱର ଶ୍ରେଷ୍ଠ ୧୦ ଇଣ୍ଟରନ୍ୟାସନାଲ୍‍ ବାକ୍କାଲରେଟ୍‍ (ଆଇବି) ସ୍କୁଲ ମଧ୍ୟରେ ସ୍ଥାନ ପାଇଛି । ଇଂଲଣ୍ଡରୁ କାର୍ଯ୍ୟ କରୁଥିବା ନିରପେକ୍ଷ ଶିକ୍ଷା ପରାମର୍ଶ ସଂସ୍ଥା ଏଜୁକେସନ ଆଡ୍‍ଭାଇଜର୍ସ ଲିମିଟେଡ୍‍ର ଅନୁଧ୍ୟାନ ମତେ ‘ବିଶ୍ୱସ୍ତରୀୟ ଶ୍ରେଷ୍ଠ ୫୦ ଆଇବି ସ୍କୁଲ ୨୦୧୯’ ତାଲିକାରେ ଏହା ୧୦ମ ସ୍ଥାନରେ ରହିଛି। ଏହି ର‌୍ୟାଙ୍କିଂ ୨୦୧୯ର ହାରାହାରି ଆଇବି ଡିପ୍ଲୋମା ସ୍କୋରିଂ ଆଧାରରେ କରାଯାଇଛି । ଏହି ସ୍କୁଲ୍‍ ନୀତା ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ ହେଉଛି ।

୨୦୧୯ ଆଇବି ଡିପ୍ଲୋମା ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ ଡିଏଆଇଏସ୍‍ ଛାତ୍ରଛାତ୍ରୀ ହାରାହାରି ୩୯.୫ ପଏଣ୍ଟ ସ୍କୋର କରିଛନ୍ତି । ଏ କ୍ଷେତ୍ରରେ ସର୍ବାଧିକ ସମ୍ଭାବ୍ୟ ସ୍କୋର ୪୫ ପଏଣ୍ଟ ହୋଇଥିବା ବେଳେ ଡିଏଆଇଏସ୍‍ର ସ୍କୋର ଭାରତ ତଥା ଦକ୍ଷିଣ ଏସିଆରେ ସର୍ବାଧିକ, ଏସିଆରେ ଷଷ୍ଠ ଏବଂ ବିଶ୍ୱରେ ୧୦ମ ସ୍ଥାନ ।

ତାଲିକା ଅନୁଯାୟୀ ସ୍ଥାନିତ ଅଧିକାଂଶ ସ୍କୁଲର ସମୃଦ୍ଧି ରହିଛି – ସେସବୁ ମଧ୍ୟରୁ ଅନେକ ୧୦୦ ବର୍ଷରୁ ଅଧିକ ପୁରୁଣା ଏବଂ ଆଇବି ଡିପ୍ଲୋମା ପରୀକ୍ଷା ଫଳରେ ଉକ୍ରର୍ଷ ହାସଲ କରିଛନ୍ତି ।

ଡିଏଆଇଏସ୍‍ ୨୦୦୩ରେ ସ୍ଥାପିତ ହୋଇଥିଲା ଏବଂ ଏହାର ପ୍ରଥମ ବ୍ୟାଚ୍‍ ଆଇବି ଡିପ୍ଲୋମା ଛାତ୍ରଛାତ୍ରୀ ୨୦୦୭ରେ ସ୍କୁଲରୁ ଉତ୍ତୀର୍ଣ୍ଣ ହୋଇଥିଲେ । ସେମାନେ ନିରବଚ୍ଛିନ୍ନ ଭାବେ ଆଇବିି ଡିପ୍ଲୋମା ପରୀକ୍ଷାରେ ଉକ୍ରର୍ଷ ହାସଲ କରିଛନ୍ତି ।

ଏହି ସଫଳତା ଅବସରରେ ଧିରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ୍‍ ସ୍କୁଲର ପ୍ରତିଷ୍ଠାତା ତଥା ଚେୟାରପର୍ସନ ଶ୍ରୀମତୀ ନୀତା ଅମ୍ବାନୀ କହିଲେ, ‘ଧିରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ୍‍ ସ୍କୁଲ ବିଶ୍ୱ ସ୍ତରରେ ଶ୍ରେଷ୍ଠ ୧୦ ଆଇବି ସ୍କୁଲ ମଧ୍ୟରେ ସ୍ଥାନୀତ ହୋଇଥିବାରୁ ଆମେ ଉଲ୍ଲସିତ । ଏହି ସ୍ୱୀକୃତି ଆମର ସ୍କୁଲର ଉକ୍ରର୍ଷ ସଂସ୍କୃତିକୁ ପ୍ରଦର୍ଶିତ କରୁଛି ଏବଂ ଏହା ଆମର ଛାତ୍ରଛାତ୍ରୀଙ୍କ ପ୍ରତିଭା ଓ କଠିନ ପରିଶ୍ରମର ତଥା ଆମର ଶିକ୍ଷକମାନଙ୍କ ଉତ୍ସର୍ଗୀକୃତ ପ୍ରତିଶ୍ରୁତିବଦ୍ଧତାର ଏକ ବାସ୍ତବ ନମୁନା । ଆମେ ଗର୍ବିତ ଯେ ୧୬ ବର୍ଷର ସ୍ୱଳ୍ପ ଅବଧି ମଧ୍ୟରେ ଆମର ସ୍କୁଲ ବିଶ୍ୱସ୍ତରରେ ସ୍ଥାପିତ ୧୦୦ ବର୍ଷରୁ ଅଧିକ ସ୍କୁଲ ମାନଙ୍କ ସହ ତାଳ ଦେବା ସହ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଏକ ସ୍କୁଲର ମାନ୍ୟତା ପାଇଛି । ଏହି ସଫଳତା ଆମର ପିଲାମାନଙ୍କୁ ଡିଏଆଇଏସ୍‍ରେ ଉକ୍ରର୍ଷ ଶିକ୍ଷା ପ୍ରଦାନ ପାଇଁ ଆମକୁ ଅନୁପ୍ରେରିତ କରିବ ।

ଏଜୁକେସନ୍‍ ଆଡ୍‍ଭାଇଜର୍ସ ଲିମିଟେଡ୍‍ର ପରିଚାଳନା ନିର୍ଦେଶକ ଶ୍ରୀଯୁକ୍ତ ଲେସ୍‍ ୱେବ୍‍ କହିଲେ, ‘ଚଳିତ ବର୍ଷ ଆମେ ପ୍ରଥମ ଭାରତୀୟ ସ୍କୁଲ ଭାବେ ଧିରୁଭାଇ ଅମ୍ବାନୀ ଇଣ୍ଟରନେସନାଲ୍‍ ସ୍କୁଲକୁ ଇଣ୍ଟରନ୍ୟାସନାଲ୍‍ ବାକ୍କାଲରେଟ୍‍ ଡିପ୍ଲୋମା ପ୍ରୋଗ୍ରାମ୍‍ ସ୍କୋର୍‍ ପାଇଁ ଆମର ‘ଗ୍ଲୋବାଲ୍‍ ଟପ୍‍ ୫୦ ଲିଗ୍‍ ଟେବୁଲ୍‍’ରେ ୧୦ମ ସ୍ଥାନରେ ପାଇ ସ୍ୱାଗତ କରୁଛୁ । ଏଥି ସହିତ ଏହା ଭାରତରେ ‘ଆଇବି ଡିପି’ ଏକ ନମ୍ବର ମାନ୍ୟତା ପାଇଛି । ନିକଟରେ କିଛି ବର୍ଷରେ ଆଇବି ତାଲିକାରେ କେତେକ ପ୍ରସିଦ୍ଧ ଘରୋଇ ୟୁକେ ସ୍କୁଲର ପ୍ରାଧ୍ୟାନ୍ୟ ରହି ଆସୁଥିଲା । କିନ୍ତୁ ଏବେ ବହୁ ସଂଖ୍ୟାକ ଏସୀୟ ସ୍କୁଲ ବିଶେଷ କରି ସିଙ୍ଗାପୁର ଓ ହଂକଂର ସ୍କୁଲଗୁଡ଼ିକ ପ୍ରଥମ ୧୦ଟି ସ୍ଥାନ ମଧ୍ୟରେ ୟୁକେର ସ୍କୁଲଗୁଡ଼ିକୁ ଅତିକ୍ରମ କରିପାରିଛନ୍ତି । ଏହି ପରିପ୍ରେକ୍ଷିରେ ସର୍ବାଧିକ ସମ୍ଭାବ୍ୟ ୪୫ ପଏଣ୍ଟ ସ୍କୋର୍‍ରୁ ୩୯.୫ ସ୍କୋର କରି ମୁମ୍ବଇର ଏକ ଶ୍ରେଷ୍ଠ ସ୍କୁଲ ଶ୍ରେଷ୍ଠ ୧୦ ସ୍ଥାନ ମଧ୍ୟରେ ରହିବା ଖୁସିର କଥା । ଆମେ ସବୁବେଳେ କହି ଆସିଛୁ ଯେ ଶ୍ରେଷ୍ଠ ପରୀକ୍ଷା ଫଳ ହାସଲ କରୁଥିବା ସ୍କୁଲ ଆପଣଙ୍କ ପିଲାଙ୍କୁ ସେହି ସ୍କୁଲକୁ ନେବାର ଏକମାତ୍ର ଅବଲମ୍ବନ ନୁହେଁ । ତେବେ, ଏଥିପାଇଁ ୭୦% ପିତାମାତା ଆମର ୧୨ଟି ୱେବ୍‍ସାଇଟ୍‍ର ଲିଗ୍‍ ଟେବୁଲ୍‍କୁ ସିଧାସଳଖ ଅବଲେକାନ କରିବା ଶୈକ୍ଷିକ ସଫଳତା କେତେ ଗୁରୁତ୍ୱପୂର୍ଣ୍ଣ ତାହା ସୂଚାଉଛି ।’

ପ୍ରତିଷ୍ଠାଠାରୁ ବିବଧ ପୁରସ୍କାର ଓ ର‌୍ୟାଙ୍କିଂ ହାସଲ କରିବା ସହ ଡିଏଆଇଏସ୍‍ ୨୦୧୩ ପରଠାରୁ କ୍ରମାଗତ ୭ ବର୍ଷ ଧରି ଏଜୁକେସନ୍‍ ୱାର୍ଲ୍ଡ ଦ୍ୱାରା ଭାରତରେ ୧ ନମ୍ବର ଆନ୍ତର୍ଜାତିିକ ସ୍କୁଲର ମାନ୍ୟତା ପାଇଛି । ଏହି ସ୍କୁଲ ଶୈକ୍ଷିକ ଖ୍ୟାତି, ଫାକ୍‍ଲ୍ଟିଙ୍କ ଉକ୍ରର୍ଷ, କ୍ରୀଡ଼ା ଶିକ୍ଷା ଏବଂ ନେତୃତ୍ୱ ତଥା ପରିଚାଳନା ଗୁଣବତ୍ତା ପାଇଁ ସର୍ବଶ୍ରେଷ୍ଠ ରେଟିଂ ହାସଲ କରିଛି ।ଏଜୁକେସନ୍‍ ଆଡ୍‍ଭାଇଜର୍‍ ଲିମିଟେଡ୍‍ ଇଂଲଣ୍ଡ (ୟୁକେ)ରେ ଘରୋଇ ସ୍କୁଲ ଓ କଲେଜ ସମ୍ପର୍କିତ ସୂଚନା ପ୍ରଦାନରେ ସ୍ୱତନ୍ତ୍ରତା ହାସଲ କରିବା ସହ ଉଚ୍ଚ ଶିକ୍ଷା ପାଇଁ ଆବେଦନ କରୁଥିବା ଛାତ୍ରଛାତ୍ରୀଙ୍କୁ ସହାୟତା ପ୍ରଦାନ କରୁଛି । ଏହାର ୧୧ଟି ୱେବ୍‍ସାଇଟ୍‍ ମାଧ୍ୟମରେ ଏହି ଫାର୍ମ ସମ୍ପୂର୍ଣ୍ଣ ଏବଂ ସଠିକ୍‍ ଲିଗ୍‍ ଟେବୁଲ୍‍ ସମେତ ଘରୋଇ ସ୍କୁଲ ସମ୍ପର୍କରେ ସଦ୍ୟତମ ତଥ୍ୟ ପ୍ରଦାନ କରିବା ସହ ନିରପେକ୍ଷ ଶିକ୍ଷା ସମ୍ପର୍କରେ ସାଧାରଣ ତଥ୍ୟ ପ୍ରଦାନ କରୁଛି ।

ଆଇବି ଡିପ୍ଲୋମା କାର୍ଯ୍ୟକ୍ରମ ହେଉଛି ଏକ ବହୁ ପ୍ରଶଂସିତ ପ୍ରାକ୍‍ ବିଶ୍ୱବିଦ୍ୟାଳୟ ପ୍ରସ୍ତୁତିଧର୍ମୀ କାର୍ଯ୍ୟକ୍ରମ ଯାହାକୁ କି ବିଶ୍ୱସ୍ତରରେ ପ୍ରମୁଖ ବିଶ୍ୱବିଦ୍ୟାଳୟମାନେ ମାନ୍ୟତା ପ୍ରଦାନ କରିଥାଆନ୍ତି । ଆଇବି ପ୍ରୋଗ୍ରାମ୍‍ ୧୫୬ ଦେଶର ୫୧୩୯ ସ୍କୁଲରେ ପ୍ରଦାନ କରାଯାଉଛି ।

Leave a Reply

Your email address will not be published.