ନବୀନଙ୍କୁ ଦାମଙ୍କ କଡ଼ା ସମାଲୋଚନା

0
179
advertisement

ବାରିପଦା,(ଓଟି):ବିଜେଡିରୁ ବହିଷ୍କୃତ ବରିଷ୍ଠ ବିଧାୟକ ଦାମୋଦର ରାଉତ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି। ଆଜି ମୟୂରଭଞ୍ଜ ମାଟିରେ ସେ ନବୀନଙ୍କୁ ଜଣେ ଭ୍ରଷ୍ଟ ନେତା କହି ସମାଲୋଚନା କରିଛନ୍ତି। ମୟୂରଭଞ୍ଜ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦାମ ଯୋଗ ଦେଇ ନବୀନଙ୍କୁ ଟାର୍ଗେଟ କରିବା ସହ ନବୀନ, ଓଡ଼ିଆ ପ୍ରୀତି ନଥିବା ଜଣେ ଭ୍ରଷ୍ଟ ନେତା ବୋଲି କହିଛନ୍ତି।

କେବଳ ସେତିକି ନୁହେଁ ମୟୂରଭଞ୍ଜ ଜିଲ୍ଲା ପାଇଁ ନବୀନ କିଛି କରି ନଥିବା ଅଭିଯୋଗ ଆଣିଛନ୍ତି ଦାମ। କହିଛନ୍ତି, ନବୀନ ଜିଲ୍ଲାର ଆଦିବାସୀ, ହରିଜନ, ସାଧାରଣ ବର୍ଗ ପାଇଁ କିଛି କରି ନାହାନ୍ତି। ସବୁଥିରେ କେବଳ ମୟୂରଭଞ୍ଜବାସୀଙ୍କୁ ଧୋକା ଦେଇଛନ୍ତି।

ସଭା ମଞ୍ଚରେ ବିଜୁ ବାବୁଙ୍କ ପୁଅ ହେବାକୁ ନେଇ ଦାମ, ନବୀନଙ୍କୁ ଭର୍ତ୍ସନା କରିଛନ୍ତି। ବିଜୁ ବାବୁଙ୍କ ପରି ବାପର ପୁଅ ହୋଇ କିପରି ସେ ଏପରି କରୁଛନ୍ତି ବୋଲି ଦାମ ପ୍ରଶ୍ନ କରିଛନ୍ତି। ଜାତିର ସ୍ୱାଭିମାନ ପାଇଁ କୋଟିପତି ବିଜୁ ବାବୁ କୋଠି ବିକି ଦେଇଥିଲେ। ହେଲେ ତାଙ୍କ ପୁଅ କହୁଛନ୍ତି, ଆଜି ଦଳରେ ମିଶି କାଲି କୋଟିପତି ହୁଅ ବୋଲି ଦାମ କହିଛନ୍ତି।ନବୀନଙ୍କୁ ସବୁ ବିଧାୟକଙ୍କ ନାଁ ଜଣାନାହିଁ ବୋଲି ଅଭିଯୋଗ କରିଛନ୍ତି ଦାମ। ଏହାସହ ରାଜ୍ୟରେ କେତେ ତହସିଲ ଅଛି ତାହା ସେ କହିପାରିବେ ନାହିଁ ବୋଲି କହିଛନ୍ତି।

ଦାମବାବୁ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି: ବିଜେଡି

ଏହା ଅତି ଦୁଃଖ ଓ ପରିତାପର ବିଷୟ ଯେ ଦାମବାବୁ ବର୍ତ୍ତମାନ ତାଙ୍କର ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ଆଜିକାଲି ସେ ପ୍ରାୟ ସମସ୍ତଙ୍କ ବିରୋଧରେ କହୁଛନ୍ତି। କେତେବେଳେ ମହିଳାମାନଙ୍କୁ ତ କେତେବେଳେ ଅଙ୍ଗନବାଡ଼ି କର୍ମୀଙ୍କୁ ଅପମାନିତ କରୁଛନ୍ତି। କେତେବେଳେ ଚାଷୀଙ୍କୁ ତ କେତେବେଳେ ବ୍ରାହ୍ମଣ ଓ ଅନୁସୂଚିତ ଜାତିଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି। ସେ ନିଜେ କ’ଣ କହୁଛନ୍ତି, ବୁଝିପାରୁ ନାହାନ୍ତି। ବିଜୁ ଜନତା ଦଳ ଆଶା କରୁଛୁ, ଯେ ଦାମବାବୁ ଉଚିତ୍ ଚିକିତ୍ସା ଗ୍ରହଣ କରିବେ ଏବଂ ଖୁବ‍୍‌ଶୀଘ୍ର ଆରୋଗ୍ୟ ଲାଭ କରିବେ। ବିଜେଡିର ଗଭୀର ସମବେଦନା ତାଙ୍କ ସହିତ ରହିଛି ବୋଲି ଦଳ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।