ସାଇବର ଠକେଇ ପାଇଁ ‘ସ୍ବତନ୍ତ୍ର କଲ୍‌ ସେଣ୍ଟର’

ଭୁବନେଶ୍ବର, (ଓଡିଶା ଟାଇମ୍) : କ୍ରମବର୍ଦ୍ଧିଷ୍ଣୁ ସାଇବର ଅପରାଧ ଏବେ ସବୁଠାରୁ ଚିନ୍ତାର ବିଷୟ ହୋଇଛି। ନୂଆ ନୂଆ ଉପାୟରେ ନିର୍ଦିଷ୍ଟ କିଛି କଲ୍‌ସେଣ୍ଟରରୁ ଏହା ପରିଚାଳିତ ହେଉଥିବା କମିସନରେଟ ପୁଲିସ ସନ୍ଦେହ କରୁଛି। କିଛି ନିର୍ଦିଷ୍ଟ ଗ୍ୟାଙ୍ଗ ବିଭିନ୍ନ ୱେବ୍‌ସାଇଟ୍‌ ଏବଂ ଅନ୍‌ଲାଇନ୍‌ ସପିଙ୍ଗ ସାଇଟ୍‌ରୁ ତଥ୍ୟ ଚୋରିକରି ଲୋକଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅନ୍‌ଲାଇନ୍‌ ମାଧ୍ୟମରେ ଠକୁଛନ୍ତି। କମିସନରେଟ ପୁଲିସ ମଧ୍ୟ ଏନେଇ ତତ୍ପରତା ପ୍ରକାଶ କରିଛି। ଅନ୍‌ଲାଇନ୍‌ ଠକେଇ ନେଇ ଯେଉଁ ଯେଉଁ ଅଞ୍ଚଳରୁ ଫୋନ୍‌ କଲ୍‌ ଆସୁଛି ତାକୁ ଟ୍ରାକିଂ କରୁଛି। ତେବେ ପ୍ରାୟତଃ ଅଧିକାଂଶ ଫୋନ୍‌କଲ୍‌ ବାହାର ରାଜ୍ୟରୁ ଆସୁଥିବା ଜଣାପଡୁଛି। ବିଶେଷକରି ଝାଡ଼ଖଣ୍ଡ, ଧାନବାଦ ଏବଂ କଲକାତାରୁ ଆସୁଛି। ସେସବୁ ଅନ୍‌ଲାଇନ୍‌ ଠକେଇ ଅତ୍ୟନ୍ତ ସୁଚିନ୍ତିତ ଢଙ୍ଗରେ ସ୍ବତନ୍ତ୍ର କଲ୍‌ସେଣ୍ଟର ଦ୍ବାରା କରାଯାଉଥିବା ଅନୁମାନ କରାଯାଉଛି ବୋଲି ଡିସିପି ଡ. ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।

ଇତିମଧ୍ୟରେ ସାଇବର ଅପରାଧୀମାନେ ବ୍ୟବହାର କରୁଥିବା ୩୦୦ରୁ ଅଧିକ ସିମ୍‌କାର୍ଡ ବ୍ଲକ୍‌ କରାଗଲାଣି। ତେବେ ଉକ୍ତ ସାଇବର ଅପରାଧୀ କିପରି ନୂଆ ନୂଆ ନମ୍ବର ପାଉଛନ୍ତି ଏବଂ ସେମାନଙ୍କୁ ସିମ୍‌କାର୍ଡ ଯୋଗାଇବାରେ କେଉଁମାନେ ସମ୍ପୃକ୍ତ ତାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। କମିସନରେଟ ପୁଲିସ ପକ୍ଷରୁ ଏଥିପାଇଁ ଏକ ସ୍ବତନ୍ତ୍ର ନମ୍ବର ଜାରି କରାଯାଇଛି। ଏହି ନମ୍ବରକୁ ମାତ୍ର କିଛି ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୧୨୦୭ କଲ୍‌ ଆସିଛି। ସାଇବର ଅପରାଧୀ ମୋଟ ଦେଢ଼ କୋଟି ଟଙ୍କାରୁ ଅଧିକ ଠକେଇ କରିଥିବା ଜଣାପଡ଼ିଛି। କିଛି ଅଭିଯୋଗକାରୀଙ୍କ ୭ ଲକ୍ଷ ୧୯ ହଜାର ଟଙ୍କା ଫେରସ୍ତ ଅଣାଯାଇପାରିଛି। ସମସ୍ତ ଠକେଇ କଲ୍‌ ଓଡ଼ିଶା ବାହାରୁ ଆସୁଥିବା ପୁଲିସ କମିସନର ଡ. ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ୟୁପିଆଇ ଠକେଇ ଯୋଗୁଁ ସାଇବର ଅପରାଧୀଙ୍କ ଆକାଉଣ୍ଟରୁ ଟଙ୍କା ଫେରସ୍ତ ଆଣିବା କଷ୍ଟକର ହୋଇପଡୁଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *