କାଲିଠୁ ରାଜ୍ୟରେ ଲକ୍‌ଡାଉନ୍‌ ଅବଧି ବଢ଼ିବ ନା କୋହଳ ହେବ ? ଦିନ ସାଢ଼େ ୧ଟାରେ ହୋଇପାରେ ବଡ଼ ଘୋଷଣା

ଭୁବନେଶ୍ବର, (ଓଡିଶା ଟାଇମ୍): ଆଜି ବଡ଼ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ । ବୁଧବାର ଦିନ ଅପରାହ୍ନ ୧.୩୦ରେ କରୋନା ସ୍ଥିତି ନେଇ କିଛି ବଡ଼ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ରାଜ୍ୟରେ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ଗୁରୁବାର ଶେଷ ହେଉଛି । ତେଣୁ ଆଗକୁ ଲକ୍‌ଡାଉନ୍‌ ରହିବ କି ଅନ୍‌ଲକ୍‌ ହେବ । ସେନେଇ ବଡ଼ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ।

ଖବର ଅନୁଯାୟୀ, ଓଡ଼ିଶାରେ ଜୁନ୍‌ ମାସରେ କରୋନା ସଂକ୍ରମଣ ଖସିବାରେ ଲାଗିଛି । ହେଲେ ଏଥିରେ ଉତ୍ସାହିତ ହୋଇ ଢିଲା ହେବାର ସମୟ ଆସିନାହିଁ । ସାମାନ୍ୟ ଅବହେଳା ହିଁ ସାରା ରାଜ୍ୟକୁ ମହଙ୍ଗା ପଡ଼ିବ ବୋଲି ବିଶେଶଜ୍ଞ ମାନେ କହୁଛନ୍ତି । ରାଜ୍ୟରେ ଏବେ ସଂକ୍ରମଣ ହାର ୫ ପ୍ରତିଶତ ତଳକୁ ଖସିଛି । ତେଣୁ ରାଜ୍ୟରେ କଟକଣାକୁ କୋହଳ କରିବା ଉଚିତ୍‌ ହେବ ନାହିଁ, ତାହା ଆଜି ଜଣାପଡିବ । ଏପିରିକି ଦେଖିବାକୁ ଗଲେ ରାଜ୍ୟରେ ଏବେ ମୃତ୍ୟୁ ସଂଖ୍ୟା ଥମିବାରେ ଲାଗୁନି । ପ୍ରତିଦିନ ମୃତ୍ୟୁ ସଂଖ୍ୟା ୪୦ ଉପରେ ରହୁଛି ।

ସେହିପରି ରାଜ୍ୟରେ କିଛି ଜିଲ୍ଲାକୁ ଛାଡିଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ କମିବାରେ ଲାଗିଛି । ଖାସ୍‌ କରି ଖୋର୍ଦ୍ଧା, ଯାଜପୁର, କଟକ, ବାଲେଶ୍ୱର ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଅଧିକ ରହୁଛି । ଏହାଛଡ଼ା ଅନ୍ୟ ସମସ୍ତ ଜିଲ୍ଲାରେ ସଂକ୍ରମଣର ଗ୍ରାଫ୍‌ ଏବେ ତଳମୁହାଁ ହୋଇଛି । ଯାହାକି ଏକ ଆଶ୍ୱସ୍ତିକର ଖବର ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଆଗାମୀ ଦିନରେ ସଂକ୍ରମଣର ଗ୍ରାଫ୍‌ ଆହୁରୀ କମିବ ବୋଲି ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି । ରାଜ୍ୟରେ ୧୪ଟି ଜିଲ୍ଲା ଗ୍ରୀନ୍ ଜୋନରେ ଥିବା ବେଳେ ୧୨ଟି ଜିଲ୍ଲା ୟେଲୋ ଜୋନ୍ ରେ ରହିଛି। ସେହିପରି ୪ଟି ଜିଲ୍ଲା ରେଡ୍ ଜୋନରେ ରହିଛି। ତେବେ ଗ୍ରୀନ ଓ ୟେଲୋ ଜୋନରେ ଥିବା ଜିଲ୍ଲା ଗୁଡିକରେ କଟକଣା କୋହଳ ହୋଇପାରେ। ତେବେ ରେଡ୍ ଜୋନରେ ଥିବା ଜିଲ୍ଲା ଗୁଡିକରେ କଟକଣା ରହିବ ବୋଲି ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *