ନେଲା ଆଉଏକ ପ୍ରାଣ, ମୃତ୍ୟୁ ସଂଖ୍ୟା ୬
ପାଟଣା (ଓଟି): ବିଶ୍ଵ ମହାମାରୀ- ମାରାତ୍ମକ କରୋନା ତଥା କୋବିଡ-୧୯। ଜଣଙ୍କ ପରେ ଜଣଙ୍କ ଜୀବନ ନେଉଛି। ବିଶ୍ଵ ଇତିହାସରେ ସବୁଠୁ ବଡ଼ ଆତଙ୍କ ସୃଷ୍ଟି କରିଥିବା ଏହି ଅଦୃଶ୍ୟ ଭୂତାଣୁ ପାଇଁ ସବୁଠି ତ୍ରାହି ତ୍ରାହି ସ୍ଵର। ଏଯାଏଁ ବାହାରିନି ଏହାକୁ ଭଲ କରିବା ପାଇଁ ଔଷଧ କି ଟିକା। କେବଳ ପୂର୍ବ ସତର୍କତା ହିଁ ପ୍ରତିରୋଧର ମାର୍ଗ। ଏଭଳି ସ୍ଥିତିରେ ଭୂତାଣୁ ବ୍ୟାପିବାକୁ ରୋକିବା ଲାଗି ଆଜି ଦେଶରେ ‘ଜନତା କର୍ଫ୍ୟୁ’ ଜାରି ହୋଇଛି। ଲୋକେ ଘରୁ ନବାହାରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିବେଦନକୁ ଦେଶବାସୀ ସମ୍ମାନ ଜଣାଉଛନ୍ତି। ଏଭଳି ସନ୍ଧିକ୍ଷଣରେ ଆଉ ଏକ ଅଶୁଭ ସୂଚନା ଦେଶ ପାଇଁ ସୃଷ୍ଟି ହୋଇଛି। ମାରାତ୍ମକ କରୋନା ଦେଶରେ ନେଇଯାଇଛି ଆଉଏକ ଜୀବନ। ଫଳରେ ଦେଶରେ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି।
ସୂଚନା ଅନୁସାରେ ଏହାରି ମଧ୍ୟରେ ଭାରତରେ କରୋନାରେ ଆକ୍ରାନ୍ତ ଥିବା ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ମୃତକ ହେଉଛନ୍ତି ବିହାର ପାଟଣାର। କରୋନା ସଂକ୍ରମିତ ଥିବା ୩୮ବର୍ଷୀୟ ବ୍ୟକ୍ତିଙ୍କ ଆଜି ମୃତ୍ୟୁ ହୋଇଛି। ସମ୍ପୃକ୍ତ ବ୍ୟକ୍ତି କତାରରୁ ଫେରିଥିବା ଜଣାପଡ଼ିଥିଲା।
ଉଲ୍ଲେଖଯୋଗ୍ୟ ଯେ କରୋନା ଭାଇରସରେ ଦେଶରେ ୩୪୬ଜଣ ଆକ୍ରାନ୍ତ ଥିବା ବେଳେ ଓଡ଼ିଶାରେ ୨ଜଣ କରୋନାରେ ଆକ୍ରାନ୍ତ ରହିଥିବା ସୂଚନା ରହିଛି।