କରୋନା ଏବଂ ସାମାଜିକ ବାଚ୍ଛନ୍ଦ

କରୋନାକାଳରେ ଏବେ ସମଗ୍ର ପୃଥିବୀ ଏକାଠି ହୋଇ କରୋନା ବିରୋଧରେ ଜୋରଦାର ଲଢେଇ କରୁଛି । କରୋନାକୁ କିପରି ତୁରନ୍ତ ହରାଇ ହେବ ସେ ନେଇ ସମସ୍ତେ ନିଜ ନିଜ ବାଟରେ ଚେଷ୍ଟା କରୁଛନ୍ତି । ଯଦିଓ ଦିନକୁ ଦିନ କରୋନାରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧିପାଊଛି ତେବେ ଦିନେ ନା ଦିନେ ଯେ ଏହି ରୋଗ ଉପରେ ମଣିଷ କବଜା କରିବ ଏ ନେଇ ମଣିଷ ମଧ୍ୟରେ ଆତ୍ମପ୍ରତ୍ୟୟ ସୃଷ୍ଟି ହେଉଛି । ଦିନ ଯେତେ ଗଡୁଛି ଏ ମଣିଷ-କରୋନା ଲଢେଇ ସେତେ ତୀବ୍ରତର ହେଉଛି । ଆଉ ଏ ଲଢେଇ ଲଢାଯାଉଛି ସମସ୍ତଙ୍କ ଆଖି ସାମନାରେ, ମଣିଷର ନାକ ତଳେ, ଲକ୍ଷ ଲକ୍ଷ କୋଭିଡ୍ ଯୋଦ୍ଧାମାନେ ଏ ଲଢେଇରେ ପ୍ରତ୍ୟକ୍ଷରୁପେ ଯୋଗ ଦେଇ ନିଜ ଜୀବନକୁ ବାଜି ଲଗାଇ ଦେଉଛନ୍ତି । ମୃତ୍ୟୁ ଆଉ ସଂକ୍ରମଣର ଦୃଶ୍ୟପଟ୍ଟରେ ଏ ଲଢେଇ ଦିନକୁ ଦିନ ବେଶ୍ ଭୟଙ୍କର ପ୍ରତୀୟମାନ ହେଉଛି ।

ଅଥଚ ଏ ଲଢେଇ ବାହାରେ ବି ଆଉ ଗୋଟିଏ ବଡ ଲଢେଇ ମଣିଷ ଲଢୁଛି କରୋନାକୁ ନେଇ । ଏ ଲଢେଇ କିନ୍ତୁ ଅଦୃଶ୍ୟ । ଏ ଲଢେଇ ଲଢାଯାଉଛି ଆଉ ଦୁଇ ପକ୍ଷଙ୍କୁ ନେଇ । ଗୋଟିଏ ପଟରେ ଅଛି ମଣିଷ । ଆଉ ଗୋଟିଏ ପଟରେ ବି ସେଇ ମଣିଷ ଅବଶ୍ୟ ସେ କରୋନା ସଂକ୍ରମିତ । ଭଲ ମଣିଷର ମାନସିକତା କରୋନା ସଂକ୍ରମିତ ବା କରୋନାରେ ସଂକ୍ରମିତ ହେବାର ଆଶଙ୍କା ଥିବା ଲୋକଙ୍କପାଇଁ ଭିନ୍ନ ଭିନ୍ନ ହେଉଛି ।ଆଉ ଏହା ହିଁ ପାଲଟି ଯାଉଛି ଏହି ଲଢେଇର ପ୍ରମୁଖ ଉପାଦାନ । କରୋନାଯୋଗୁଁ ଦିନକୁ ଦିନ ବଢି ଚାଲିଥିବା ସାମାଜିକ ବାଚ୍ଛନ୍ଦ ଏବେ ଆମ ସମସ୍ତଙ୍କ ଅଲକ୍ଷ୍ୟରେ ଏକ ବିରାଟ ରାକ୍ଷସରେ ପରିଣତ ହୋଇଛି ଯାହାକୁ ଆମେମାନେ ହିଁ ବଡରୁ ଆହୁରି ବଡ କରିଚାଲିଛେ । ପରିସ୍ଥିିତି ଏବେ ଏତେ ଜଟିଳ ହେଲାଣି ଯେ ହୁଏତ କିଛି ଦିନ ପରେ କରୋନା ଜନିତ ସଂକ୍ରମଣ ଶେଷ ହୋଇଯିବ ହେଲେ କରୋନା ପରବ ିର୍ ସାମାଜିକ ବାଚ୍ଛନ୍ଦ ଆମ ସମସ୍ତଙ୍କର ଅବସ୍ଥାକୁ ଆହୁରି ଦୁର୍ବିସହ କରିଦେବ ।

ସାମାଜିକ ବାଚ୍ଛନ୍ଦ କହିଲେ ଏକ ଏପରି ସ୍ଥିତିକୁ ବୁଝାଏ ଯେଉଁ ଜଣେ ବ୍ୟକ୍ତି କିମ୍ବା ଗୋଷ୍ଠୀ ଏକ ନିର୍ଦ୍ଦିଷ୍ଟ କାରଣରୁ ଭିନ୍ନ ଭିନ୍ନ ପରିସ୍ଥିତି ଯୋଗୁଁ ସମାଜରେ ଅନ୍ୟମାନଙ୍କ ସହ ସ୍ୱଚ୍ଛନ୍ଦରେ ବିଚରଣ କରିବାରେ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି । ସାଧାରଣତଃ କୌଣସି ଏକ କାରଣକୁ ଆଳ କରି ଏମାନଙ୍କୁ ଗାଁ, ପଡା କିମ୍ବା ସହରରେ ଅନ୍ୟମାନଙ୍କ ସହ ମିଶିବାକୁ ବାରଣ କରାଯାଇଥାଏ । କେତେବେଳେ ନିଆଁ ପାଣି ବାଚ୍ଛନ୍ଦ ତ ଆଉ କେତେବେଳେ ମୁଖ୍ୟ ଜନବସତିଠାରୁ ଅନେକ ଦୂରରେ ଘର କରିବାକୁ କୁହାଯାଇଥାଏ । ଥରେ ସାମାଜିକ ବାଚ୍ଛନ୍ଦର ଶୀକାର ହେଉଥିବା ଲୋକଟିଏ ସମାଜର ମୁଖ୍ୟ ସ୍ରୋତକୁ ଫେରିବା ପାଇଁ ଅନେକ କଷ୍ଟ କରିବାକୁ ପଡିଥାଏ । କେତେବେଳେ ସେ ମୋଟା ଅଂକ ଖର୍ଚ୍ଚ କରି ଜାତି ସମାଜକୁ ଭୋଜିଦିଏ ତ ଆଉ କେତେବେଳେ ଲଣ୍ଡା ହୋଇ ଗୋବରପାଣି ପିଇଥାଏ । ଜାତି, ବିପଦସଂକୁଳତା ଆଧାରରେ( ଯଥା ନିମ୍ନ ଆୟକାରୀ, ଏକୁଟିଆ ମହିଳା, ସ୍ୱାମୀ ପରିତ୍ୟକ୍ତା କିମ୍ବା ପୁଅଠାରୁ ଦୂରରେ ରହୁଥିବା ବିଧବା ଆଦି) ଏହି ସାମାଜିକ ବାଚ୍ଛନ୍ଦର ସ୍ୱରୁପ ଭିନ୍ନ ଭିନ୍ନ ହୋଇଥାଏ ।

କରୋନାକୁ ନେଇ ଏଯାଏ ଏମିତି କିଛି ଘଟିବାର ସଂକେତ ମିଳିନଥିଲେ ମଧ୍ୟ ଏହାକୁ ନେଇ ଯେ ସାମାଜିକ ବାଚ୍ଛନ୍ଦଯେ ନିଜର ଚେର ପୋତି ସାରିଲାଣି ତାହା ଦେଖିବାକୁ ମିଳୁଛି । ବାହାରୁ ଆସୁଥିବା ସବୁ ଲୋକଙ୍କୁ ଆମେ ସଂଦେହ ଦୃଷ୍ଟିରେ ଦେଖିବା, କରୋନା ସଂକ୍ରମଣର ଶୀକାର ହୋଇଥିବା ଲୋକ ଏବଂ ସେମାନଙ୍କ ପରିବାରକୁ ଭିନ୍ନ ଦୃଷ୍ଟିରେ ଦେଖିବା ଓ ସମୟକ୍ରମେ ସେମାନଙ୍କୁ ବିଭିନ୍ନ ସ୍ଥାନରେ ବାରଣ କରାଯିବା ଆଦି ଦେଖିବାକୁ ମିଳିଲାଣି । ଲୋକଙ୍କ ମୁହଁରେ କରୋନା କେସ୍ ଏବଂ କରୋନା ପେସେଂଟ ଏବଂ କରୋନା ପୀଡିତ ବୋଲି ଶବ୍ଦ ପ୍ରମାଣିତ କରୁଛି ଯେ ଲୋକମାନେ କରୋନାରେ ସଂକ୍ରମିତ ଲୋକଙ୍କୁ ନିମ୍ନ ଦୃଷ୍ଟିରେ ଦେଖିବାକୁ ଆରମ୍ଭ କଲେଣି । ଅନେକ ସ୍ଥାନରେ ଏପରି ଦେଖିବାକୁ ମିଳିଛି ଯେ କରୋନା ସଂକ୍ରମଣରୁ ଲୋକ ବାହାରକୁ ଆସିଲେ ବି ତା ପ୍ରତି ସମାଜର ଦୃଷ୍ଟିକୋଣ ବଦଳୁନାହିଁ ବରଂ ସେ ଚାଲୁଥିବା ରାସ୍ତା ଘାଟରେ ତା ପଛରେ ‘ଏଇ ଲୋକ କରୋନାରେ ପଡିଥିଲା’ ବୋଲି ଶୁଣିବାକୁ ପାଉଛି ।

କରୋନା ରୋଗର ବୈଷୟିକ ବିଶ୍ଲେଷଣକୁ ଦେଖିଲେ ଜଣାପଡିବ ଯେ ଏଥିରେ ପଡୁଥିବା ୯୭% ରୋଗୀ ଭଲ ହୋଇପାରୁଛନ୍ତି ଏବଂ ପାଖାପାଖି ୮୦% ରୋଗୀ ସାମାନ୍ୟରୁ ମଧ୍ୟମ ଧରଣର ଲକ୍ଷଣ ଦେଖାଇଥାନ୍ତି ଯାହାର ଡାକ୍ତରୀ ଚିକିତ୍ସା ସମ୍ଭବ । ଦୁନିଆରେ ଦୈନିକ ଲକ୍ଷ ଲକ୍ଷ ଲୋକ ଭଲ ହୋଇ ସୁରୁଖୁରୁରେ ନିଜ ଘରକୁ ମଧ୍ୟଫେରି ପାରୁଛନ୍ତି । ତେବେ ଏପରି ସ୍ଥିତିରେ ସାମାଜିକ ବାଚ୍ଛନ୍ଦ ନିଜର ପକ୍ଷ ବିସ୍ତାର କରୁଛି କିପରି? ଏହାର କାରଣ ସବୁର ବିଶ୍ଲେଷଣ କରିବା ଆବଶ୍ୟକ ।

କରୋନାକୁ ନେଇ ସଚେତନତାର ଘୋର ଅଭାବ ରହିଛି । କେବଳ ସମାଜର ଏକ ନିର୍ଦ୍ଦିଷ୍ଟ ବର୍ଗର ଲୋକ ଯେଉଁମାନେ ଇଂରାଜୀ ବୁଝି ପାରନ୍ତି ବା ଯେଉଁମାନେ ଏ ନେଇ ନିୟମିତ ସୂଚନା ପାଇବା ଦିଗରେ ଆଗ୍ରହ ଦେଖାନ୍ତି ସେମାନଙ୍କ ପାଖରେ ହିଁ ଏହାକୁ ନେଇ ସୂଚନା ଅଛି । ଅନ୍ୟମାନେ ଭିନ୍ନ ଭିନ୍ନ ସ୍ରୋତରୁ ସୂଚନା ସଂଗ୍ରହ କରନ୍ତି ଯାହା ପର୍ଯ୍ୟାପ୍ତ ନୁହେଁ । ପୁଣି ଅନେକ ସମୟରେ ମହାମାରୀ ପରି କ୍ଷେତ୍ରରେ ଲୋକ ସହଜରେ ଗୁଜବ ଏବଂ ଉଡାଖବରକୁ ବିଶ୍ୱାସକୁ ନେଇଯାଆନ୍ତି ଯାହା ଭୟଙ୍କର ସାବ୍ୟସ୍ତ ହୁଏ । ଆମ ଭିତରେ ବି ଏମିତି ଲୋକଥିବେ ଯେଉଁମାନେ କୌଣସି ଖବରର ସତ୍ୟତା ନ ପରଖି ତାକୁ ଆଗକୁ ବଢାଇ ଦିଅନ୍ତି । ଏହା ଆମ ଅଲକ୍ଷ୍ୟରେ ସାମାଜିକ ବାଚ୍ଛନ୍ଦ ପାଇଁ ହୁଏତ ଭି ିଭୂମୀ ତିଆରି କରିଥାଏ ।

ଏପରିସ୍ଥିତିରେ କରୋନାକୁ ନେଇ ଆହୁରି ଅଧିକ ତଥ୍ୟ କିପରି ଲୋକଙ୍କ ପାଖରେ ପହଁଚି ପାରିବ ସେ ନେଇ ସରକାର ଯତ୍ନବାନ ହେବା ସହ କରୋନା ଯୋଦ୍ଧାମାନେ କରୋନକୁ ନେଇ କିପରି ଅଧିକ ଫଳପ୍ରଦ ଆଲୋଚନା ଗୋଷ୍ଠୀ ଭି ିରେ ହୋଇପାରିବ ସେ ନେଇ ଯତ୍ନବାନ ହେବା ଦରକାର । କରୋନାକୁ ନେଇ ଉଠୁଥିବା ଗୁଜବ, ମିଥ୍ୟା ଖବର ଆଦିକୁ ରୋକିବା ପାଇଁ ଯଦି ଆମେ ଆଜିଠୁ ଯତ୍ନବାନ ନ ହେବା କିଏ ଜାଣେ ହୁଏତ ଆମେ କାଲି ନିଜେ ଏହି ସଂକ୍ରମଣର ଶୀକାର ହେଲାବେଳେ ଏହି ଗୁଜବ ହିଁ ଆମ ନିଜ ପାଇଁ ସାମାଜିକ ବାଚ୍ଛନ୍ଦର କାରଣ ହେବ । ଏଣୁ ଏ ନେଇ ଆଜିଠୁ ନୁହେଁ ବରଂ ଏବେଠୁ କାମ କରିବାର ଆବଶ୍ୟକତା ରହିଛି । ଏକଥା ଆମେ ମନେ ରଖିବା ଦରକାର ମଣିଷ ପ୍ରତି ଆସୁଥିବା କରୋନା ପରି ବିପଦର ହୁଏତ ସମାଧାନ ମଣିଷ ବାହାର କରିପାରିବ ହେଲେ ମଣିଷ ସୃଷ୍ଟି କରୁଥିବା ଅନେକ ବିପଦର ସମାଧାନ ଆଜି ମଧ୍ୟ ନାହିଁ । ସାମାଜିକ ବାଛନ୍ଦ ଏହା ମଧ୍ୟରୁ ଗୋଟିଏ ।

ଲେଖକ ଜଣେ ମୁକ୍ତବୃତ୍ତ ସ୍ତମ୍ଭକାର। ଏହି ସନ୍ଦର୍ଭରେ ପ୍ରତିଫଳିତ ମନ୍ତବ୍ୟ ତାଙ୍କ ବ୍ୟକ୍ତିଗତ ଚିନ୍ତନ ଉପରେ ଆଧାରିତ।  ତାଙ୍କ ଯୋଗାଯୋଗ ଠିକଣା:  ଧବଳଗିରି, ଯାଜପୁର ରୋଡ, ଫୋନ୍‌ : ୭୯୭୮୬୭୧୭୭୬

Leave a Reply