ଦେଶରେ ଆୟତ୍ତକୁ ଆସୁଛି କରୋନା : ପିକ୍‌ ପରେ ୮୫ ପ୍ରତିଶତ କମିଛି ସଂକ୍ରମଣ ହାର, ତଥାପି ପ୍ରୋଟୋକଲ ମାନିବା ଜରୁରୀ-ଲବ୍‌ ଅଗ୍ରଓ୍ବାଲ

ନୂଆଦିଲ୍ଲୀ, (ଓଡିଶା ଟାଇମ୍ ): ଦେଶରେ କରୋନା ସଂକ୍ରମଣ ହାର ଲଗାତାର ଭାବେ ହ୍ରାସ ପାଇବାରେ ଲାଗିିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲ କହିଛନ୍ତି, ଦେଶରେ ସଂକ୍ରମଣ ହାର ପିକ୍‌ ରେ ରହିବା ପରେ ପ୍ରତିଦିନ ଚିହ୍ନଟ ନୂଆ ମାମଲାରେ ପାଖାପାଖି ୮୫ ପ୍ରତିଶତ କମିଛି । ପ୍ରାୟ ୭୫ ଦିନ ପରେ ଦେଶରେ ସଂକ୍ରମଣ ହାର ଏଭଳି ଥିବା ସେ ସୂଚନା ଦେଇଛନ୍ତି । ତେଣୁ ଏଥିରୁ ସ୍ପଷ୍ଟ ଅନୁମେୟ ଯେ, ଦେଶରେ ସଂକ୍ରମଣ ହାର ଦୃତଗତିରେ କମ ହେବାରେ ଲାଗିଛି ।

ସୂଚନାଯୋଗ୍ୟ, ଭାରତରେ ବର୍ତ୍ତମାନ ୯, ୧୩, ୩୭୮ ସକ୍ରିୟ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । ମେ ୧୦ ତାରିଖରେ ଦେଶରେ ଆକ୍ଟିଭ କେସ ୩୭ ଲକ୍ଷ ୪୫ ହଜାର ୨୩୭ ଥିଲା । ତେଣୁ ସଦ୍ୟ ପ୍ରକାଶିତ ରିପୋର୍ଟରେ ସଂକ୍ରମଣ ହାର ଦୃତ ଗତିରେ କମୁଥିବା ଦେଖିବାକୁ ମିଳୁଛି । ସଠିକ ସମୟରେ କୋଭିଡ କଟକଣା ଲାଗୁ କରିବା ସହିତ ରାଜ୍ୟମାନଙ୍କରେ ସଚେତନତା ବାର୍ତ୍ତା ପ୍ରସାରିତ ହେବା ଏବଂ କୋଭିଡ ନିୟମ କଡାକଡି ହେବା ଯୋଗୁଁ ଦେଶରେ ସ୍ଥିତି ନିୟନ୍ତ୍ରଣକୁ ଆସିପାରିଛି ।

ଶିଶୁଙ୍କୁ କରୋନା ସଂକ୍ରମଣ ମାମଲାକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲ କହିଛନ୍ତି ଯେ, ୧ ରୁ ୧୦ ବର୍ଷ ବୟସ ମଧ୍ୟରେ ୩.୨୮ ପ୍ରତିଶତ ଶିଶୁ କରୋନାର ପ୍ରଥମ ଲହରରେ ସଂକ୍ରମିତ ହୋଇଥିଲେ । ଦ୍ବିତୀୟ ଲହରରେ ୧ ରୁ ୧୦ ବର୍ଷ ବୟସ ମଧ୍ୟରେ ୩.୦୫ ପ୍ରତିଶତ ଶିଶୁ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି । ସେହିଭଳି ପ୍ରଥମ ଲହରରେ ୧୧ ରୁ ୨୦ ବର୍ଷ ବୟସ ପିଲା ୮.୦୩ ପ୍ରତିଶତ ସଂକ୍ରମିତ ହୋଇଥିବା ବେଳେ ଦ୍ବିତୀୟ ଲହରରେ ଏହା ସାମାନ୍ୟ ବୃଦ୍ଧିପାଇ ୮.୫୦ ପ୍ରତିଶତ ରହିଛି ।

କରୋନା ମହାମାରୀ ବିରୁଦ୍ଧରେ ଲଢିବା ପାଇଁ ଭ୍ୟାକସିନ ଏକ ପ୍ରମୁଖ ଅସ୍ତ୍ର । ଏହା ସହିତ ଜନସାଧାରଣଙ୍କୁ କୋଭିଡ ପ୍ରୋଟୋକଲ ମାନିବାକୁ ଅପିଲ କରିଛନ୍ତି ଲବ୍ ଅଗ୍ରଓ୍ବାଲ । ଟିକା ନେଇସାରିଥିଲେ ସୁଦ୍ଧା ମାସ୍କ ଲଗାଇବା, ସାମାଜିକ ଦୂରତା ପାଳନ କରିବା ଏବଂ ଅତି ଆବଶ୍ୟକ ନହେଲେ ଘରୁ ବାହାରକୁ ନବାହାରିବାକୁ ଅପିଲ କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲ ।

Leave a Reply

Your email address will not be published. Required fields are marked *