ରାଜଧାନୀ ଭୁବନେଶ୍ଵରରେ ଡରାଇଲାଣି ବସ୍ତି ସଂକ୍ରମଣ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ମହାମାରୀ ଦିନକୁ ଦିନ ବଢିବାରେ ଲାଗିଛି। ବିଶେଷ କରି ବର୍ତ୍ତମାନ ଖୁର୍ଦ୍ଧା ଜିଲା ରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେହିପରି ରାଜଧାନୀ ଭୁବନେଶ୍ଵରରେ ସଂକ୍ରମଣ ସଂଖ୍ୟା ଚିନ୍ତାଜନକ ରହିଛି । ରାଜଧାନୀ ସଂକ୍ରମଣ ଦିନକୁ ଦିନ ଉପରମୁହାଁ ହୋଇଚାଲିଛି । ସଂକ୍ରମିତଙ୍କ ସଂଖ୍ୟା ବେକାବୁ ହୋଇ ମାଡୁଛି । ମଙ୍ଗଳବାର ସକ୍ରିୟ ରୋଗୀ(ଆକ୍ଟିଭ୍‌ କେସ୍‌) ସଂଖ୍ୟା ୩ହଜାର ଡେଇଁଛି । କଟକ ଓ ଗଞ୍ଜାମ ଭଳି ଜିଲ୍ଲାଠାରୁ ବି ଭୁବନେଶ୍ୱରରେ ଅଧିକ ସକ୍ରିୟ ରୋଗୀ ଅଛନ୍ତି । ମୋଟ ସଂକ୍ରମିତ ସଂଖ୍ୟା ୭୯୩୧ରେ ପହଞ୍ଚିଛି । ଆଜି ଆଉ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

ଗଞ୍ଜାମ ଜିଲ୍ଲାରେ ମଙ୍ଗଳବାର ସୁଦ୍ଧା ୧୮୭୦ଜଣ ସକ୍ରିୟ ରୋଗୀ ଥିଲେ । କଟକରେ ୨୩୯୯ ଓ ରାୟଗଡାରେ ୧୪୭୫ ସକ୍ରିୟ ରୋଗୀ ଅଛନ୍ତି । କିନ୍ତୁ ଭୁବନେଶ୍ୱର ସମସ୍ତଙ୍କୁ ଟପି ଏହି ରୋଗୀ ସଂଖ୍ୟା ତାଲିକାରେ ଉପରେ ରହିଛି । ଖୋର୍ଦ୍ଧା ଜିଲ୍ଲାରେ ମୋଟ ୫୫୨୭ ସକ୍ରିୟ ରୋଗୀ ସଂଖ୍ୟା ଥିବାବେଳେ ଏହାର ୫୭ପ୍ରତିଶତ କେବଳ ଭୁବନେଶ୍ୱରରୁ ବାହାରିଛନ୍ତି ।

ଅଗଷ୍ଟ ୩୧ ତାରିଖ ସୁଦ୍ଧା ରାଜଧାନୀରେ ୩୪୨୯ ସକ୍ରିୟ ରୋଗୀ ଥିବେ । ଗତ ଶନିବାର ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏଭଳି ଆକଳନ କରିଥିଲେ । କିନ୍ତୁ ସକ୍ରିୟ ରୋଗୀ ସଂଖ୍ୟା ଯେଉଁ ହାରରେ ବଢୁଛି ତାହା ବିଏମ୍‌ସି ଆକଳନଠାରୁ ଟପିଯିବ । ଆଜି ଦିନକରେ ସକ୍ରିୟ ରୋଗୀ ସଂଖ୍ୟାରେ ୧୬୮ଜଣ ଯୋଡି ହୋଇଛନ୍ତି । ରାଜଧାନୀର ସକ୍ରିୟ ରୋଗୀ ସଂଖ୍ୟା ୩୧୬୨ରେ ପହଞ୍ଚିଛି । ଏହି ରୋଗୀଙ୍କ ଭିତରୁ ଅନେକ ହସ୍ପିଟାଲ ବା କୋଭିଡ୍‌ କେୟାର ସେଣ୍ଟରରେ ରହି ଚିକିତ୍ସିତ ହେଉଥିବାବେଳେ ବାକି ହୋମ୍‌ ଆଇସୋଲେସନ୍‌ରେ ଅଛନ୍ତି ।

ଗତକାଲି ରାଜଧାନୀରୁ ୩୩୨ ନୂଆ ସଂକ୍ରମିତ ବାହାରିଛନ୍ତି । ଏଥିରୁ ୧୭୩ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ ବୋଲି ବିଏମ୍‌ସି ଦର୍ଶାଇଛି । ବାକି ୧୫୯ଜଣ ସ୍ଥାନୀୟ ସଂକ୍ରମିତ । ସପ୍ତମ ବାଟାଲିୟନରୁ ଆଉ ୧୩ଜଣ ପୁଲିସ ଓ ପୁଲିସ ସିକ୍ୟୁରିଟି ୱିଙ୍ଗରୁ ୨ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଭରତପୁରରୁ ୬, ମଧୁସୂଦନନଗରରୁ ୨, ନୂଆପଲ୍ଲୀରୁ ୭, କଳିଙ୍ଗନଗରରୁ ୪, ଜଗନ୍ନାଥ ବସ୍ତିରୁ ୩, ସାଲିଆ ସାହିରୁ ୪, ମଞ୍ଚେଶ୍ୱରରୁ ୩, ବରମୁଣ୍ଡାରୁ ୩, ସତ୍ୟନଗରରୁ ୩ଜଣ ସଂକ୍ରମିତ ବାହାରିଛନ୍ତି । ନିର୍ବାଚନ ଆୟୋଗଙ୍କ ଅଫିସ୍‌ରୁ ୨, ୟୁନିଟ-୬ରୁ ୨, ୟୁନିଟ-୮ରୁ ୨, ଖାରବେଳନଗରରୁ ୩, ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ୩, ନୀଳ୍ରାଦ୍ରିବିହାରରୁ ୩, ସୌଭାଗ୍ୟନଗରରୁ ୩, ସତ୍ୟନଗରରୁ ୨ଜଣ ସ୍ଥାନୀୟ ସଂକ୍ରମିତ ଧରା ପଡିଛନ୍ତି । ବସ୍ତି ଅଞ୍ଚଳରୁ ପୁଳା ପୁଳା ସଂକ୍ରମିତ ବାହାରିଛନ୍ତି । ସାଲିଆ ସାହି, ସୁବାସନଗର, ଶିରିପୁର ଶବର ସାହି, ସାଇନା ଶ୍ରମିକ, ଦୁର୍ଗା ବସ୍ତି ଓ ବେହେରା ସାହି ବସ୍ତିରୁ ୫୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସହରରେ ଆଜିସୁଦ୍ଧା ମୋଟ ୩୩ଜଣଙ୍କର ମୃତ୍ୟୁ ହୋଇଛି । ମଙ୍ଗଳବାର ରାଜଧାନୀରୁ ଆଉ ୧୭୩ ଜଣ ସୁସ୍ଥ ହୋଇଛନ୍ତି । ସହରରେ ଆଜିସୁଦ୍ଧା ମୋଟ ୪୭୨୬ ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥ ହାର ୫୯ ପ୍ରତିଶତ ରହିଛି । ରାଜଧାନୀରେ ସୁସ୍ଥ ହାର ୬୦ରୁ ୬୫ ପ୍ରତିଶତ ରହୁଥିବାବେଳେ ଏବେ ସୁସ୍ଥ ହାର ଖସୁଛି ।

Leave a Reply