୬୯ ବର୍ଷରେ ଆମ ସମ୍ବିଧାନ: ଏକ ଅନୁଚିନ୍ତା

0
6
PURI, NOV 25 9UNI):- Sand artist Sudarsan pattnaik creating a sand sculpture on the occasion of Constitution day with message " Three Pillars of the indian Constitution Liberty ,Equality Fraternity " at Puri beach of Odisha on Sunday. UNI PHOTO-131U
advt
< a href= "#">

ବିଶ୍ଵପ୍ରିୟ କାନୁନଗୋ

advt

 

ଲେଖକ ଜଣେ ଆଇନଜୀବୀ ତଥା ମାନବାଧିକାର କର୍ମୀ ଭାବେ ପ୍ରତିଷ୍ଠିତ। ଏହି ଆଲେଖ୍ୟ ତାଙ୍କ ବ୍ୟକ୍ତିଗତ ଅନୁଶୀଳନ ଓ ମନ୍ତବ୍ୟ ଉପରେ ଆଧାରିତ।

ସମ୍ବିଧାନ ଦିବସର ତିନିଦିନ ପୂର୍ବରୁ ଗୋଟିଏ ଦୈନିକ ଓଡ଼ି୍ଆ ଖବରକାଗଜରୁ ସକାଳୁ ପଢ଼ିବାକୁ ମିଳିଲା ଯେ, ’୪ ଝିଅ ତିନିଦିନ ହେଲା ଖାଡ଼ା ଉପାସ’। ରୋଗରେ ପିଡ଼ିତ ହୋଇ ସେମାନଙ୍କ ୫ ବର୍ଷ ତଳେ ମାଆ ଚାଲିଯାଇଥିଲେ। ବାପା କାମ ଧନ୍ଦା କରି ପରିବାର ପୋଷୁଥିଲେ। ୨୦୧୮ ମସିହା ନଭେମ୍ବର୧୮ ତାରିଖରେ ସେ ବି ଆଖିବୁଜିଦେଲେ। ବାପାଙ୍କ ଶେଷ କର୍ମ ଗ୍ରାମବାସୀମାନେ ଚାନ୍ଦାଭେଦା କରି ତୁଲାଇଦେଲେ। ତିନିଦିନ ଘରେ ଚୁଲି ଜଳି ନାହିଁ। ଦାରିଦ୍ର୍ୟ ଯୋଗୁ ବାପା ମା’ ନଥିବା ୪ ଭଉଣୀଙ୍କ ପାଠ ପଢ଼ାରେ ଡୋରି ବନ୍ଧା ହେବ। ଏପରି ହୃଦୟ ବିଦାରକ ଖବର ହେଉଛି ଉପକୂଳ ଅଞ୍ଚଳ ପୁରୀ ଜିଲ୍ଲା ଅନ୍ତର୍ଗତ ଚନ୍ଦନପୁର ନିକଟସ୍ଥ ରଘୁରାଜପୁର ଗ୍ରାମଙ୍କ ଲକ୍ଷ୍ମୀଧର ମହାପାତ୍ରଙ୍କ ପରିବାର କଥା।

କେବଳ ଲକ୍ଷ୍ମୀଧର ନୁହନ୍ତି, ଏହିଭଳି ଲକ୍ଷ ଲକ୍ଷ ସଂଖ୍ୟାରେ ଦରିଦ୍ର, ଅସହାୟ, ଲକ୍ଷ୍ମୀଧର, ସରସ୍ଵତୀ… ଆମ ରାଜ୍ୟରେ ଓ ଦେଶରେ ରହିଛନ୍ତି। ସେମାନଙ୍କ ପ୍ରତି ଦେଶ ଓ ରାଜ୍ୟ  ସରକାର ମାନଙ୍କର କ’ଣ ଦାୟିତ୍ଵ ରହିଛି ସେ ପ୍ରସଙ୍ଗ ଭାବିଲାବେଳେ ସଦାବେଳେ ମନରେ ପ୍ରଶ୍ନ ଉଠେ, we the People of India  ଆମ ଜନଗଣଙ୍କ ସ୍ଥାନ କେଉଁଠି?

କ’ଣ ରହିଥିଲା ଆମ ଶପଥ

ଆମ୍ଭେ ଭାରତବାସୀ, ଶପଥ ସହ ଦୃଢ଼ ସଂକଳ୍ପ କରୁଛୁଯେ, ଆମ୍ଭେ ଭାରତବର୍ଷକୁ ଏକ ‘ସାର୍ବଭୌମ, ସମାଜବାଦୀ, ଗଣତାନ୍ତ୍ରିକ, ସାଧାରଣତନ୍ତ୍ର ରାଷ୍ଟ୍ରଭାବେ ଗଠନ କରିବୁ ’ ଏବଂ ଏହାର ସମସ୍ତ ନାଗରିକଙ୍କୁ ‘ସାମାଜିକ, ଅର୍ଥନୀତିକ, ରାଜନୀତିକ ନ୍ୟାୟ’ ଯେଗାଇଦେବୁ। ସମସ୍ତ ନାଗରିକମାନଙ୍କ ନିମନ୍ତେ ‘ସ୍ଵାଧୀନ ଚିନ୍ତା, ଅଭିବ୍ୟକ୍ତି ଏବଂ ଉପାସନା’ ଯୋଗାଇଦେବୁ। ସେହିପରି ସମସ୍ତଙ୍କୁ ’ ସ୍ଥିତି ବା ପ୍ରତିଷ୍ଠା ଏବଂ ସୁଯୋଗର ସମତା’ ଯୋଗାଇଦେବୁ।  ସେମାନଙ୍କ ମଧ୍ୟରେ ଜାତୀୟ ଏକତା ଏବଂ ଅଖଣ୍ଡତା ସହିତ ବ୍ୟକ୍ତି ବିଶେଷର ମର୍ଯ୍ୟାଦାକୁ ନିଶ୍ଚିତ କରିବା ନିମନ୍ତେ ଭାଇଚାରା ସୃଷ୍ଟି କରିବୁ।  ଆଜି ୧୯୪୯ ମସିହା ନଭେମ୍ବର ଛବିଶ ଦିନରେ ଆମ୍ଭର ସାମ୍ବିଧାନିକ ସଭାରେ ଏତ୍ତଦ୍ଵାରା ଏହି ସମ୍ବିଧାନ ପ୍ରଣୟନ କରୁଛୁ। ଗ୍ରହଣ କରୁଛୁ ଏବଂ ଆମ୍ଭକୁ ପ୍ରଦାନ କରୁଛୁ।

 

ଆମେ କେତେ ରକ୍ଷା କରିଛୁ ଆମ ଶପଥ

ସମ୍ବିଧାନ ଦିବସରେ ମୋ ଭଳି ରାଜନୀତି ବିଜ୍ଞାନର ଛାତ୍ରମାନଙ୍କ ମନରେ ଏ ପ୍ରଶ୍ନ ବାରମ୍ବାର ଉଠୁଛି। ଏହି ସମ୍ବିଧାନକୁ ଆମ୍ଭେମାନେ କରିଥାଇପାରୁ କିନ୍ତୁ ଏହାକୁ କ’ଣ ଆମ୍ଭମାନଙ୍କ ପାଇଁ ଆମ୍ଭମାନଙ୍କୁ ପ୍ରଦାନ କରାଯାଇଛି?

ପ୍ରାରମ୍ଭରେ ଲକ୍ଷ୍ମୀଧରଙ୍କ ପରିବାର କଥା ଏହାର ଏକ ନମୁନା ନୁହେଁ କି? ଗ୍ରାମାଞ୍ଚଳରେ ରହୁଥିବା ବ୍ୟାପକ ଜନଜାତି ବିଶେଷକରି କୃଷକ, କ୍ଷେତ ମୁଲିଆ, ଦିନ ମଜୁରିଆଙ୍କ ସମେତ ଦଳିତ, ଆଦିବାସୀ, ସହରାଞ୍ଚଳରେ ରହୁଥିବା ବସ୍ତିବାସିନ୍ଦାମାନଙ୍କ ପାଇଁ ’ମର୍ଯ୍ୟାଦା’ର ଅର୍ଥ କ’ଣ?

ଆମ ରାଜ୍ୟରେ ୫୪ ପ୍ରତିଶତ ପରିବାର ପାଇଁ ଚାଷ କରିବାକୁ ଜମି ନାହିଁ ।  ଚାଷ କାମ ଯାହାର କି ଆନନ୍ଦ ତାହାର ’ ବୋଲି ଯାହା ପଢୁଥିଲୁ ତାହା କିନ୍ତୁ ଏବେ ବିପରୀତ ହୋଇଛି। ଦିନକୁ ଦିନ ଚାଷୀ ଦୁଃଖ ସହି ନପାରି ଆତ୍ମହତ୍ୟା କରୁଛି। ଖାଲି ଆମ ରାଜ୍ୟରେ ଗଲା ୬ ବର୍ଷ ଭିତରେ ଏହି ସଂଖ୍ୟା ୩ ହଜାର ଟପିଛି। ଚାଷୀ ପରିବାରର ମାସକୁ ହାରାହାରି ରୋଜଗାର ୧୪୦୭ ଟଙ୍କା ବୋଲି ଆକଳନ କରାଯାଇଛି। ୫ ଜଣିଆ ପରିବାର ମାସକୁ ୧୪୦୭ ଟଙ୍କାରେ କେତେ ’ମର୍ଯ୍ୟାଦା’ରେ ଚଳୁଥିବେ ତାହା ସହଜରେ ଅନୁମେୟ!

ଶ୍ରମିକ, ଯୁବକ, ଦଳିତ, ଆଦିବାସୀ, ମହିଳା ଯେକୌଣସି ବର୍ଗରେ ଏ ବିଷୟକୁ ସମ୍ବେଦନଶୀଳତାର ସହ ଆଲୋଚନା କଲେ ଏହା ମନ ଭିତରେ ଆସିବା ସ୍ଵଭାବିକ ଯେ, ଆମେ ନୁହେଁ, ବରଂ ଆମ୍ଭମାନଙ୍କ ଆଳରେ ଆଉ କେହି ଏ ସମ୍ବିଧାନ ପ୍ରଣୟନ କରିଛି। ଏହା ଆମ୍ଭର ନୁହେଁ ବା ଆମ୍ଭମାନଙ୍କ ପାଇଁ ନୁହେଁ।

ରାଜଧାନୀରେ ଥିବା ରାଜମହଲ ଛକ ଫ୍ଲାଏଓଭର ବ୍ରିଜ୍‌ ତଳେ ରହୁଥିବା ମଣିଷମାନଙ୍କୁ ଦେଖିଲେ ଏବଂ ଅମୁକ କମ୍ପାନୀର ମାଲିକ, ଅମୁକ ବିଲ୍ଡରଙ୍କ ବିଷୟକୁ ଆଲୋଚନା କଲେ ଏହା ଅନୁମାନ କରିବା ସ୍ଵଭାବିକ ଯେ, ସମ୍ବିଧାନର ‘ଅର୍ଥନୀତିକ ସମାନତା’ କେବଳ ଏକ ଛଳନା ଛଡ଼ା ଆଉ କିଛି ନୁହେଁ।

ଗଲା କିଛିବର୍ଷ ଧରି ସାମ୍ବିଧାନିକ ସଂସ୍ଥା ପ୍ରତି ଅଧିକ ବିପଦ ସୃଷ୍ଟି ହୋଇଛି। ପରିସ୍ଥିତି ଏପରି ହୋଇଛି ଯେ, ବିଚାରପତିମାନେ ମଧ୍ୟ ଏହା ବିରୋଧରେ ଖୋଲା ଖୋଲି ସ୍ଵର ଉତ୍ତୋଳନ କରିଛନ୍ତି। ଗଲା କିଛିଦିନ ତଳେ ସର୍ବୋଚ୍ଚ ନ୍ୟାୟାଳୟର ୪ ଜଣ ବରିଷ୍ଠ ବିଚାରପତି ଗଣମାଧ୍ୟମ ଜରିଆରେ ଜନତାଙ୍କୁ କହିଲେ ଅଦାଲତର ହାଲ୍‌ ଭଲ ନାହିଁ।

ରିଜର୍ଭ ବ୍ୟାଙ୍କ୍‌ ଏବଂ କେନ୍ଦ୍ରସରକାରଙ୍କ ମଧ୍ୟରେ ବିବାଦ ଏଭଳି ସ୍ତରକୁ ଯାଇଛି ଯେ, ରିଜର୍ଭ ବ୍ୟାଙ୍କର ଗଭର୍ନର ଇସ୍ତଫା ଦେବା ପାଇଁ ଚେତାବନୀ ଦେଇଛନ୍ତି। ବିଭିନ୍ନ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟରେ ସରକାରୀ ନିୟନ୍ତ୍ରଣ ବୃଦ୍ଧି ପାଇଛି। ମୋଟାମୋଟି ଭାବେ କହିଲେ ଶିକ୍ଷା ନୀତିର ସଙ୍କୋଚନ ଓ ବିଷୟାତନର ସ୍ଵାୟତ୍ତତା ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ହସ୍ତକ୍ଷେପର ଅଭିଯୋଗ ହେଉଛି।

ଧର୍ମୀୟ ସ୍ଵାଧୀନତାର ଅଧିକାର ଥିଲେ ମଧ୍ୟ ଅସହିଷ୍ଣୁତା ଏ କ୍ଷେତ୍ରରେ ଏତେମାତ୍ରାରେ ବୃଦ୍ଧି ପାଇଛି ଯେ, କିଏ କ’ଣ ଖାଇବ ତାହା ମଧ୍ୟ ଉଗ୍ର ହିନ୍ଦୁ ଗୋଷ୍ଠୀ ସ୍ଥିର କରିବାକୁ ଚାହୁଁଛନ୍ତି। ସେମାନଙ୍କୁ ସରକାରୀ ପୁଷ୍ଠପୋଷକତା ବି ମିଳୁଛି। ସଂଖ୍ୟା ଲଘୁଙ୍କ ଉପରେ ଉଗ୍ର ହିଂସା ବୃଦ୍ଧି ପାଇବା ଫଳରେ ସେମାନେ ବର୍ତ୍ତମାନ ଅଧିକ ଆତଙ୍କିତ ହୋଇପଡ଼ିଛନ୍ତି। ମନେ ହେଉଛି ସତେ ଯେପରି ସେମାନେ ସଂଖ୍ୟା ଗରିଷ୍ତଠଙ୍କ ଅଧସ୍ଥନ। ବୈଜ୍ଞାନିକ ବିଚାରଧାରା ବୃଦ୍ଧି ପରିବେର୍ତ୍ତ ପାରମ୍ପରିକ, ନୈତିକତା ଆଳରେ ରୁଢ଼ିବାଦୀ ବିଚାରଧାରା ବୃଦ୍ଧି ପାଇଁ ସରକାରୀ ପ୍ରୋତ୍ସାହନ ଦିଆଯାଉଛି। ହେତୁବାଦୀମାନଙ୍କୁ ହତ୍ୟା କରାଯିବା, ଏହାର ଜ୍ବଳନ୍ତ ଉଦାହରଣ।

ବିଚାରପତି କୃଷ୍ଣା ଆୟାରଙ୍କ ମତରେ ଜନସଂଖ୍ୟାର ଏକ ତୃତୀୟାଂଶ ମହିଳା କିନ୍ତୁ ସେମାନେ ଦୁଇ ତୃତୀୟାଂଶ  ଘଣ୍ଟାର ଶ୍ରମ କରନ୍ତି। ହେଲେ ବିଶ୍ଵ ଆୟର ଏକ ଦଶମାଂଶ ଆୟ କରନ୍ତି ଏବଂ ସାର୍ବୋପରି ବିଶ୍ଵର ଏକ ଭାଗ ସମ୍ପତ୍ତିର ଅଧିକାରିଣୀ। ଏହି ଉଦାହରଣ ଆହୁରି ଖରାପ ହୋଇପାରେ।

ସାମ୍ବିଧାନିକ ନୈତିକତା ରକ୍ଷା କରିବା ନିମେନ୍ତ ବିଧାନସଭା ସଦସ୍ୟଙ୍କଠାରୁ ଆରମ୍ଭ କରି ପାର୍ଲାମେଣ୍ଟର ସଦସ୍ୟ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଏପରିକି ବିଚାରପତିମାନେ ଯେଉଁ ଶପଥ ଗ୍ରହଣ କରି ନିଜ ଗାଦିରେ ବସନ୍ତି ତାହାକୁ ସେମାନେ ପାଳନ କରନ୍ତି କି ବୋଲି ଆଜିର ଦିନରେ ପ୍ରଶ୍ନ କରିବାର ପ୍ରାସଙ୍ଗିକତା ରହିଛି।

ଏହି ସାମ୍ବିଧାନିକ ପଦପଦବୀରେ ଥିବା ବିଶିଷ୍ଟ ବ୍ୟକ୍ତିମାନେ ସମ୍ବିଧାନ ଅନୁଯାୟୀ ଶପଥ କରନ୍ତି’ ମୁଁ କୌଣସି ଭୟ କିମ୍ବା ପକ୍ଷପାତିତା, ସ୍ନେହ କିମ୍ବା ବିଦ୍ଵେଷ ଭାବର ବଶବର୍ତ୍ତୀ ନହୋଇ ସମସ୍ତଙ୍କ ପ୍ରତି ସମାନ ନ୍ୟାୟ ପ୍ରଦାନ କରିବି। ଏହି ଶପଥକୁ ସେମାନେ କେତେ ପାଳନ କରନ୍ତି ଓ କେତେ ଅଧିକମାତ୍ରାରେ ଉଲ୍ଲଙ୍ଘନ କରନ୍ତି ତା’ର ଉଦାହରଣ ନିଃଷ୍ପ୍ରୟୋଜନ।

ଆଜି ଏଭଳି ପରିସ୍ଥିତି ଉପୁଜିଛି ଯେ, ସାଧାରଣ ମଣିଷଟିଏ ମଣିଷଭଳି ବଞ୍ଚିବାଠାରୁ ଆରମ୍ଭ କରି ନିଜର ଗଣତାନ୍ତ୍ରିକ ଅଧିକାର ପାଇଁ ପ୍ରଶ୍ନ କରିବା ମଧ୍ୟ ଦେଶ ଦ୍ରୋହ ବୋଲି ବିଚାର କରାଯାଉଛି।  

 

ଫେସ୍‌ବୁକ୍‌ ପୋଷ୍ଟିଂକୁ ଲାଇକ୍‌ କରିବା ବି ଦେଶଦ୍ରୋହ!

ଫେସ୍‌ବୁକ୍‌ରେ ଗୋଟିଏ ପୋଷ୍ଟିଂକୁ ଲାଇକ୍‌ କରିବା ଯଦି ଦେଶ ଦ୍ରୋହ ହୁଏ ତେବେ ସେ ଦେଶରେ ମଣିଷଟି କେତେ ସ୍ଵାଧୀନ ତା’ର ଏହା ସାଙ୍କେତିକ ପ୍ରମାଣ ଭାବେ ଗ୍ରହଣ କରାଯାଇପାରେ।

ଦେଶର ବିକାଶ ପ୍ରକ୍ରିୟାରେ ଆଦିବାସୀମାନେ ହିଁ ସବୁଠାରୁ ଅଧିକ ବଳି ପଡ଼ୁଛନ୍ତି। ସବ୍‌କା ସାଥ୍‌ ସବ୍‌କା ବିକାଶ ନାରା ୨୦୧୪ରୁ ଚାଲିଛି। ଏଠାରେ ଯଦି ଆଦିବାସୀଙ୍କ ପ୍ରସଙ୍ଗକୁ ଆଲୋଚନା କରିବା ତେବେ ପଶ୍ଚିମ, କେନ୍ଦ୍ର ଓ ପୂର୍ବ ଆଦିବାସୀଙ୍କ ମଧ୍ୟରୁ ଅଶୀଭାଗ ଆଦିବାସୀ ଏଠାରେ ବସବାସ କରନ୍ତି। ପ୍ରାୟ ୧୨ ପ୍ରତିଶତ ଉତ୍ତରପୂର୍ବାଞ୍ଚଳରେ ବସବାସ କରନ୍ତି। ୫ ପ୍ରତିଶତ ଦକ୍ଷିଣରେ ଏବଂ ଉତ୍ତର ଭାରତରେ ୧ ପ୍ରତିଶତ ଆଦିବାସୀ ବସବାସ କରନ୍ତି। ୧୯୫୧ରୁ ୧୯୯୦ ଭିତରେ ବିଭିନ୍ନ ପ୍ରକଳ୍ପ ପାଇଁ ୨କୋଟି ୧୦ ଲକ୍ଷ ଲୋକ ବିସ୍ଥାପିତ ହୋଇଥିଲେ। ସେଥିରୁ ୮୦ ଲକ୍ଷ ୫୪ହଜାର ହେଉଛନ୍ତି ଆଦିବାସୀ। ସବୁଦାୟ ଜନସଂଖ୍ୟାର ମାତ୍ର ୮ଭାଗ ଆଦିବାସୀଙ୍କ ମଧ୍ୟରୁ ସମୁଦାୟ ବିସ୍ଥାପିତଙ୍କ ମଧ୍ୟରୁ ୪୦ ଭାଗ ହେଉଛନ୍ତି ଆଦିବାସୀ। ଯେଉଁମାନେ ଜମି ଓ ଜୀବୀକା ହରାଇଥିଲେ। ସେମାନେ କିନ୍ତୁ ବିକାଶର ସୁଫଳ ପାଇଲେ ନାହିଁ। ଏପରିକି ସେମାନଙ୍କ ଥଇଥାନ ମଧ୍ୟ ଠିକଣା ଭାବେ ଆଜି ର୍ଯ୍ୟନ୍ତ ହୋଇ ନାହିଁ। ୨୦୦୪-୦୫ରେ ୪୬.୫ ପ୍ରତିଶତ ଆଦିବାସୀ ଦାରିଦ୍ର୍ୟ ସୀମାରେଖା ତଳେ ଥିଲେ। ସେମାନଙ୍କର ଶିକ୍ଷା ଓ ସ୍ଵସ୍ଥ୍ୟ ଓ ଶିକ୍ଷା ସ୍ଥିତି ମଧ୍ୟ ଅନୁରୂପ। ଆମ ରାଜ୍ୟର ୮୦ଟି ପ୍ରକଳ୍ପ ଭିତରୁ ୫୭ଟି ଇସ୍ପାତ, ୬ଟି ଆଲୁମିନିୟମ୍‌ ଓ ୧୫ଟି ବିଜୁଳି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଘରୋଇ କମ୍ପାନୀମାନଙ୍କ ସହ ଚୁକ୍ତି କରିଛନ୍ତି। ଏହିସବୁ ପ୍ରକଳ୍ପ ପାଇଁ ପ୍ରାୟ ୪୦ ହଜାର ଏକର ଜମି ଆବଶ୍ୟକ।  ଏଥିପାଇଁ କେତେ ଜଙ୍ଗଲ କ୍ଷୟ ହେବ ସେ ହିସାବ ନାହିଁ। ପ୍ରଥମେ ପ୍ରଥମେ ବିସ୍ଥାପନକୁ ଆଦିବାସଦୀମାନେ ବିରୋଧ କରୁ ନଥିଲେ। ଆଶା ଥିଲା ସାମୁହିକ ବିକାଶ ହେବ ଓ ସେଥିରେ ବି ସେମାନଙ୍କ ଭାଗିଦାରୀ ରହିବ। କିନ୍ତୁ ଫଳ ଓଲଟା ହେଲା। ସାମୁହିକ ବିକାଶ ହେଲା ନାହିଁ କି ସେମାନଙ୍କର ଉନ୍ନତି ହେଲା ନାହିଁ। ଆସ୍ତେ ଆସ୍ତେ ଅସନ୍ତୋଷ ଜମାଟ ବାନ୍ଧି ୧୯୭୦ର ଶେଷ ଭାଗକୁ ବିରୋଧ ଚାଲିଲା। ୧୯୯୦ରୁ ଦେଶରେ ତଥାକଥିତ ଆର୍ଥିକ ସଂସ୍କାର ପରେ ବିସ୍ଥାପନର ହାରବୃଦ୍ଧିକୁ ତାଳ ଦେଇ ଜନଜାତିଙ୍କ ବିରୋଧ ମଧ୍ୟ ବଢ଼ିଲା।

ଅବହେଳାରେ ଆଦିବାସୀ

ସମ୍ବିଧାନରେ ଥିବା ପଞ୍ଚମ ଅନୁଚ୍ଛେଦ, ଜନଜାତି ଜମି ସୁରକ୍ଷା ଆଇନ, ଏପରିକି ଜଙ୍ଗଲ ଜମିରେ ଅନଧିକାର ଆଇନ ଇତ୍ୟାଦି କାଗଜ କଲମରେ ରହିଗଲା। ଏଣୁ ଆଜି ଆରଦିବାସୀ ଜନତାଙ୍କର ଯେଉଁ ପ୍ରତିରୋଧ ଆନ୍ଦୋଳନ ଚାଲିଛି ସେମାନଙ୍କୁ ଏଇ ପୃଷ୍ଠଭୂମିରେ ଆଲୋଚନା ଅ୍ରାବଶ୍ୟକ। ନିୟମଗିରିରେ ଏକ ଘରୋଇ କମ୍ପାନୀ ପାଇଁ ଖଣି, ପାଣି ଓ ଜଙ୍ଗଲ ଦେବା ବିରୁଦ୍ଧରେ ସେ ଅଞ୍ଚଳରେ ଆଦିମ ଆଦିବାସୀ ଡଙ୍ଗରିଆମାନଙ୍କ ଆନ୍ଦୋଳନ ଓ ଆନ୍ଦୋଳନକୁ ଦମନ କରିବା ପାଇଁ ସରକାରୀ କଳ ସବୁ ଆଇନକୁ ଭାଙ୍ଗିଚାଲିଛନ୍ତି।

ଜଣେ ପୂର୍ବତନ ପ୍ରଶାସକ ଓ ଆଦିବାସୀ ଜୀବନ ଜୀବୀକା ସହ ନିରବଚ୍ଛିନ୍ନ ସମ୍ପର୍କରେ ଥିବା ଡ. ବିଡି ଶର୍ମାଙ୍କ ‘unbroken story of broken promises‘ ପୁସ୍ତକରେ ଜନଜାତିମାନେ କିପରି ବାରମ୍ବାର ପ୍ରତାରିତ ହେଉଛନ୍ତି ଓ ଚରମ ଅନ୍ୟାୟର ଶିକାର ହୋଇଛନ୍ତି। ଏହାର ଅନେକ ପ୍ରମାଣ ମିଳିପାରେ।

ମଣିଷ ଭାବେ ପ୍ରତ୍ୟେକଙ୍କର ମାନବିକ ଅଧିକାର ଏକ ଜନ୍ମଗତ ଅଧିକାର। ତାହାର ଜାତିସଙ୍ଘ ସନନ୍ଦରେ ୧୯୪୮ ଏବଂ ଭାରତୀୟ ସମ୍ବିଧାନରେ ମୌଳିକ ଅଧିକାର ଭାବେ ସ୍ଵୀକୃତ। ଦେଶରେ ଅସହିଷ୍ଣୁତା ଓ ମାନବିକ ଅଧିକାର ଉଲ୍ଲଙ୍ଘନ ବଢ଼ିଛି ବୋଲି ୫୦ ବର୍ଷ; ରାଜନୀତିକ ଜୀବନରେ ଥିବା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ମତ। ଏକ୍ଷେତ୍ରରେ ଏକ ନମୁନା ଭାବେ ଗ୍ରହଣ କରାଯାଇପାରେ।

ପୁଲିସକୁ କିଏ ଶୃଙ୍ଖଳିତ କରିବ

ଏଠାରେ ୧୯୮୭ ମସିହାରେ ଏକ ଲୋମ ହର୍ଷଣକାରୀ ଘଟଣାରେ ଅବତାରଣା କରିବା ପ୍ରାସଙ୍ଗିକ ହୋଇପାରେ। ଉତ୍ତରପ୍ରଦେଶର ହସିମାପୁରଠାରେ ୩୮ ଜଣ ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ପୁଲିସ ଗଣହତ୍ୟା କରିଥିବା ବିଷୟ ଦିଲ୍ଲୀ ହାଇକୋଟରେ ପ୍ରମାଣିତ ହୋଇଛି। ୩୧ ବର୍ଷ ପରେ ଆସିଥିବା ଏହି ରାୟରେ ୧୬ ଜଣ ଉତ୍ତର ପ୍ରଦେଶ ରାଜ୍ୟ ଶସସ୍ତ୍ରବାହିନୀର ଜବାନଙ୍କୁ ଆଜୀବନ ଦଣ୍ଡ ରାୟ ଦିଆଯାଇଛି। ଏହି ଜଘନ୍ୟ ବର୍ବର ଗଣହତ୍ୟା ମାମଲାରେ ଆଇନ ଶୃଙ୍ଖଳା ରକ୍ଷାକାରୀଙ୍କ ମଧ୍ୟରେ ଆନୁଷ୍ଠାନିକ ଢାଞ୍ଚାଗତ ପୂର୍ବଗ୍ରହର ପରିଣତି ବୋଲି ହାଇକୋର୍ଟଙ୍କ ରାୟରେ କୁହାଯାଇଛି। ସେଥିପାଇଁ ଏକ ହାଜତ ହିଂସା ମାମଲାରେ ପ୍ରଶ୍ନ ପଚାରିଥିଲେ, who will police the Police? ଆଇନର ଶାସନରେ କୁହାଯାଏ ଜନତାଙ୍କ ଧନ ଜୀବନ ଓ ବ୍ୟକ୍ତି ସ୍ଵାଧୀନତା ରକ୍ଷା ହେଉଛି ପୁଲିସର ଦାୟିତ୍ଵ କିନ୍ତୁ ପୁଲିସ ପ୍ରଶାସନ ଭିତରେ ଏହି ଢାଞ୍ଚାଗତ ପୂର୍ବଗ୍ରହ ସାଧାରଣ ଜନତାଙ୍କ ସୁରକ୍ଷା ବଦଳରେ ସେମାନେ ପୁଲିସ ପ୍ରଶାସନକୁ ବ୍ରିଟିଶ୍‌ ଶାସନ କଳ ଭଳି ଦମନଗାରୀ ଭାବେ ଗ୍ରହଣ କରିବାକୁ ବାଧ୍ୟ ହୋଇଛନ୍ତି।

ସମ୍ବିଧାନର ଛାତ୍ରଭାବେ ମୋ ମନରେ ସନ୍ଦେହ ରହିଛି। ମଣିଷ ଜୀବନ ଜୀବୀକା ମୌଳିକ ନା ଧନସମ୍ପତ୍ତି ମୌଳିକ? ’ଧନସମ୍ପତ୍ତି କହିଲେ ମଣିଷ ଭଳି ମର୍ଯ୍ୟାଦାର ସହ ବଞ୍ଚିବା ପାଇଁ ଅର୍ଜନ କରିଥିବା ଧନ ସମ୍ପତ୍ତି ନୁହେଁ। ଲାଭ-ଲୋଭରେ ସାମୁହିକ ସମ୍ପଦକୁ ଲୁଣ୍ଠନ କରି ପରିବେଶକୁ ଲୁଣ୍ଠନ କରି ଠୁଣ କରିଥିବା ଧନସମ୍ପତ୍ତି ବିଷୟ କୁହାଯାଉଛି। ଆଇନର ଶାସନ ଭାବେ ଅନୁଧ୍ୟାନ କଲେ ମଣିଷର ଜୀବନ ବ୍ୟକ୍ତି ସ୍ଵାଧୀନତା ଉପରେ ’ଧନ-ସମ୍ପତ୍ତି ’ ବଳବତ୍ତର ରହୁଛି। ଆଇନ ଅଦାଲତର ରାୟରୁ ଏହି ସିଦ୍ଧାନ୍ତ ଗ୍ରହଣ କରାଯାଇପାରେ। ଜଣେ ଧନୀ ପ୍ରଭାବଶାଳୀ ବ୍ୟକ୍ତି ନିଜର ଆତ୍ମରକ୍ଷାପାଇଁ ବନ୍ଧୁକ ଭଳି ମାରଣାସ୍ତ୍ର ରଖିବା ନିମନ୍ତେ ଅନୁମତି ପାଇବା ସହଜ। କିନ୍ତୁ  ଜଣେ ଆଦିବାସୀ ବା ଅନ୍ୟଏକ ସାଧାରଣ ମଣିଷ ଯିଏ ଶ୍ରମ କରି ବଞ୍ଚେ ସେ ନିଜର ଆତ୍ମରକ୍ଷା ପାଇଁ ବନ୍ଧୁକ ରଖିବା ଲାଗି ବନ୍ଧୁକ ରଖିବା ସମ୍ଭବ ନୁହେଁ। ସେହିଭଳି ବିଭିନ୍ନ ଶିଳ୍ପ ହେଉ ବା ପ୍ରକଳ୍ପର ସୁରକ୍ଷା ପାଇଁ ପୁଲିସ ଗୁଳିରେ ସାଧାରଣ ଲୋକ ନିହତ ହେଲେ ସେଠାରେ ପୁଲିସ ବିରେଧରେ ମାମଲା ହୁଏ ନାହିଁ। ପୁଲିସ ଆଇନ ଶୃଙ୍ଖଳା ରକ୍ଷା ଆଳରେ ଆତ୍ମରକ୍ଷା ଆଳରେ ମଣିଷକୁ ମାରିପାରେ। ଏହା ସମ୍ବିଧାନର ଆତ୍ମା କିମ୍ବା ସମ୍ବିଧାନକୁ ପରିଚାଳନା କରୁଥିବା ଶାସକ ପ୍ରଶାସକ ମାନଙ୍କ ଢାଞ୍ଚାଗତ ପୂର୍ବାଗ୍ରହ ଜନିତ ବିପଜ୍ଜନକ ଆଭିମୁଖ୍ୟ।

ସମ୍ବିଧାନ ଯେତେ ଭଲ ହେଲେ ମଧ୍ୟ ଏହାର ପରିଚାଳନା ଦା୍ରିତ୍ଵରେ ଭଲ ଲୋକମାନେ ନରହିଲେ, ସାଧାରଣ ଜନତା ଏହାର ସୁଫଳ ପାଇବେ ନାହିଁ। ସମ୍ବିଧାନ ଭଲ ହୋଇ ନଥିଲେ ମଧ୍ୟ ଏହାର ପରିଚାଳନା ଦାୟିତ୍ଵରେ ଭଲ ଲୋକମାନେ ରହିଲେ ସମ୍ବିଧାନକୁ ସୁପରିଚାଳନା କରି ଜନସାଧାରଣଙ୍କ ହିତରେ ଏହାକୁ ଲଗାଇପାରିବେ।

ସମ୍ବିଧାନ ପ୍ରଣୟନ ସଭାର ଅନ୍ତିମ ପର୍ଯ୍ୟାୟରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଡ. ବି.ଆର ଆମ୍ବେଦକର ଏହି ବାର୍ତ୍ତା ଦେଇଥିଲେ। ଆଜିର ପରିସ୍ଥିତିରେ ଯେଉଁମାନେ ସମ୍ବିଧାନିକ ପରିସରରେ ଶାସନ ଗାଦିକୁ ଯାଉଛନ୍ତି ସେମାାନେ ଶାସନ ଗାଦିକୁ କର୍ତବ୍ୟ ବୋଲି ଆଭିମୁଖ୍ୟ ଭାବେ ଗ୍ରହଣ କରୁଛନ୍ତି, କି ଏହା ସେମାନଙ୍କର ଆଧିପତ୍ୟ ତାହାର ପ୍ରମାଣ ଗାନ୍ଧିଜୀଙ୍କର ନିନ୍ମୋକ୍ତ ଉକ୍ତିରୁ ମିଳିପାରେ

‘ତୁମେ ଯେଉଁ କାମ କରିବାକୁ ଯାଉଛ, ତୁମେ ମନେ ପକାଅ ତୁମର ଜୀବନକାଳ ଭିତରେ ତୁମେ ଦେଖିଥିବା ସବୁଠାରୁ ଦୁଃଖୀ ମଣିଷର ହିତପାଇଁ ଏହି କାମ କେତେ ହିତରେ ଆସିବ।

 

ଅଧିକ ଅନୁଶୀଳନ ପଢ଼ିବା ପାଇଁ କ୍ଲିକ୍‌ କରନ୍ତୁ

ଅପରାଜିତା ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ: ଓଡ଼ିଶାରେ ହୋଇପାରେ ଦିଲ୍ଳୀ ଇତିହାସର ପୁନରାବୃତ୍ତି

ଅପରାଜିତା ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ: ଓଡ଼ିଶାରେ ହୋଇପାରେ ଦିଲ୍ଳୀ ଇତିହାସର ପୁନରାବୃତ୍ତି

ପ୍ରାକୃତିକ ବାଷ୍ପର ଉତ୍ପାଦନ ବୃଦ୍ଧି ବର୍ତ୍ତମାନର ଆହ୍ୱାନ 

ପ୍ରାକୃତିକ ବାଷ୍ପର ଉତ୍ପାଦନ ବୃଦ୍ଧି ବର୍ତ୍ତମାନର ଆହ୍ୱାନ

ରାଜନୀତିରେ ବାବୁ ବାବୁଆଣୀ: ଏମାନେ ସ୍କାଉଣ୍ଡ୍ରାଲ୍‌ ନା ବ୍ୟବସାୟୀ

ରାଜନୀତିରେ ବାବୁ ବାବୁଆଣୀ: ଏମାନେ ସ୍କାଉଣ୍ଡ୍ରାଲ୍‌ ନା ବ୍ୟବସାୟୀ

ରାଜନୀତିରେ ବାବୁ ବାବୁଆଣୀ: ଏମାନେ ସ୍କାଉଣ୍ଡ୍ରାଲ୍‌ ନା ବ୍ୟବସାୟୀ

 

 

advt
< a href= "#">