ପୁଲିସଠାରୁ ଲାଞ୍ଚ ନେଲା ପୁଲିସ, କନଷ୍ଟେବଳଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ବର, (ଓଡିଶା ଟାଇମ୍) : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କନେଷ୍ଟବଳ। ପୋଲିସ ସେବା ଭବନରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଥିଲା । ସେଠାରେ ଜଣେ କନେଷ୍ଟବଳଙ୍କୁ ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି ଭିଜିଲାନ୍ସ । ପ୍ରୋଭିଡେଣ୍ଟ ଫଣ୍ଡ କରେଇଦେବା ନାମରେ ସେ ଲାଞ୍ଚ ନେଉଥିଲେ । ସେ ୮ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ନେଇ ସୂଚନା ମିଳିଛି । ଏହାସହ ଲାଞ୍ଚ ନେଇ ଗିରଫ ହେବା ପରେ କନେଷ୍ଟବଳ ସୁରେଶ ଚନ୍ଦ୍ର ଦାସଙ୍କୁ ନିଲମ୍ବନ କରାଯାଇଛି । ତାଙ୍କୁ ନିଲମ୍ବନ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।

ସୂଚନା ଅନୁସାରେ, ଅଭିଯୋଗକାରୀ ରତ୍ନାକରଙ୍କ ଘର ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ ଇମାଲିଗୁଡ଼ା ଗ୍ରାମରେ ।​‌ ସେ ଏବେ ବାଲିପାଟଣା ଥାନାରେ ଓଏପିଏଫ ଭାବେ କାର୍ଯ୍ୟରତ ଅଛନ୍ତି। ଘରଭଡ଼ା ବାବଦରେ ଏରିଅର ବିଲ୍‌ କରାଇଦେବାକୁ କମିଶନରେଟ ପୁଲିସର ଆକାଉଣ୍ଟ ସେକ୍ସନରେ କାର୍ଯ୍ୟରତ ସୁରେଶ ଦାସ ତାଙ୍କୁ ୮ ହଜାର ଟଙ୍କା ମାଗିଥିବା ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଭିଜିଲାନ୍ସ ଅଧିକାରୀମାନେ ଯୋଜନା ମୁତାବକ ସୁରେଶଙ୍କୁ ଗିରଫ କରିଥିଲେ। କମିଶନରେଟ ପୁଲିସ କାର୍ଯ୍ୟାଳୟ ପଛପଟେ ସୁରେଶ ଅଭିଯୋଗକାରୀଙ୍କଠାରୁ ଟଙ୍କା ନେବା ସମୟରେ ଅଧିକାରୀମାନେ ତାଙ୍କୁ ରେଡ୍‌ ହ୍ୟାଣ୍ଡେଡ୍‌ ଧରିଥିଲେ। ଲାଞ୍ଚ ବାବଦ ଅର୍ଥ ତାଙ୍କଠାରୁ ଜବତ କରାଯାଇଛି। ଏ ନେଇ ଭୁବନେଶ୍ଵର ଭିଜିଲାନ୍ସ ଥାନାରେ ଏକ ମାମଲା(୧୮/୨୦) ରୁଜୁ ହୋଇଛି।

Leave a Reply

Your email address will not be published.