୧୩ରୁ କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ; ଆଶଙ୍କାରେ ୪୦ ନେତା
ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରାର୍ଥୀ ଚୟନ ସଂପର୍କରେ ମତାମତ ଓ ତଥ୍ୟ ସଂଗ୍ରହ ନିମନ୍ତେ ନିଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ କେନ୍ଦ୍ରୀୟ ସ୍କ୍ରିନିଂ କମିଟିର ଅଧ୍ୟକ୍ଷ ଭି.ଡି. ସଥୀସାନ ଓ ସଦସ୍ୟ ନୌସାଦ ସୋଲାଙ୍କି ଚଳିତ ମାସ ୧୩ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଓଡିଶା ଗସ୍ତରେ ଆସୁଛନ୍ତି । ଏହି ଗସ୍ତ କାଳରେ ସେମାନେ ରାଜ୍ୟରେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ଚୁଡାନ୍ତ କରିବେ । ଏଥିସହିତ ପ୍ରାର୍ଥୀ ହେବା ପାଇଁ କେଉଁମାନେ କ୍ରାଇଟେରିଆ ଫୁଲଫିଲ କରୁଛନ୍ତି ତାହାର ମଧ୍ୟ ଆକଳନ କରିବେ । ଏହିକ୍ରମରେ ରାଜ୍ୟ କଂଗ୍ରେସର ୪୦ଜଣ ପୂର୍ବତନ ବିଧାୟକ, ମନ୍ତ୍ରୀ, ସାଂସଦଙ୍କ ପ୍ରାର୍ଥୀତ୍ବ ବିପଦରେ ।

ସୋଲାଙ୍କି ୧୩ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲା ଜୟପୁରଠାରେ ଅବସ୍ଥାନ କରିବେ । ୧୩ ତାରିଖ ସକାଳ ୯ଟା ୩୦ ଠାରୁ ୧୧-କଳାହାଣ୍ଡି ଓ ୧୨-ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଚୟନ ସଂପର୍କରେ ଏହି ସମସ୍ତ କ୍ଷେତ୍ର ଅନ୍ତର୍ଗତ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି, ଜିଲ୍ଲା କଂଗ୍ରେସ ସଭାପତି / କାର୍ଯ୍ୟକାରୀ ସଭାପତି, ଜିଲ୍ଲା ପରିଷଦ ଜୋନ କଂଗ୍ରେସ ସଭାପତି, ପିସିସି ସଭ୍ୟ, ଏଆଇସିସି ସଭ୍ୟ, ସାଂସଦ / ପୂର୍ବତନ ସାଂସଦ, ବିଧାୟକ / ପୂର୍ବତନ ବିଧାୟକ, ଜିଲ୍ଲା ଦାୟିତ୍ବରେ ଥିବା ପିସିସି କର୍ମକର୍ତ୍ତା, ପ୍ରଭାରୀ ଓ ସହ-ପ୍ରଭାରୀ, କାଉନସିଲର, ପୂର୍ବତନ କାଉନସିଲର, ଜିଲ୍ଲା ପରିଷଦ ସଭ୍ୟ ଓ ପୂର୍ବତନ ସଭ୍ୟମାନଙ୍କୁ ଭେଟି ପ୍ରାର୍ଥୀ ଚୟନ ସଂପର୍କରେ ମତାମତ ଓ ତଥ୍ୟ ସଂଗ୍ରହ କରିବେ ।
ସେହିପରି ସୋଲାଙ୍କି ୧୪ ତାରିଖ ଦିନ ୨୧-କୋରାପୁଟ ଓ ୨୦-ବ୍ରହ୍ମପୁର ଲୋକସଭା ଏବଂ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ଏବଂ ୧୫ ତାରିଖ ଦିନ ୧୯-ଆସ୍କା ଲୋକସଭା ଏବଂ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ଉପରୋକ୍ତ ବର୍ଗର ନେତୃବୃନ୍ଦମାନଙ୍କୁ ଭେଟି ମତାମତ ଓ ତଥ୍ୟ ସଂଗ୍ରହ କରିବେ । ସ୍କ୍ରିନିଂ କମିଟି ଅଧ୍ୟକ୍ଷ ସଥୀସାନ ଭୁବନେଶ୍ବର କଂଗ୍ରେସ ଭବନ ଠାରେ ୧୩ ତାରିଖ ସକାଳ ୯ଟା ୩୦ ମିନିଟ୍ ଠାରୁ ୧୮-ଭୁବନେଶ୍ବର ଲୋକସଭା ଓ ୧୪-କଟକ ଲୋକସଭା ଓ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା, ୧୪ ତାରିଖ ଦିନ ୧୭-ପୁରୀ ଲୋକସଭା ଓ ୧୬-ଜଗତସିଂହପୁର ଲୋକସଭା ଓ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା ଏବଂ ୧୫ ତାରିଖ ଦିନ ୧୫-କେନ୍ଦ୍ରାପଡା ଲୋକସଭା ଓ ୯-ଢେଙ୍କାନାଳ ଲୋକସଭା ଏବଂ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ଉପରୋକ୍ତ ବର୍ଗର ନେତୃବୃନ୍ଦମାନଙ୍କୁ ଭେଟି ମତାମତ ଓ ତଥ୍ୟ ସଂଗ୍ରହ କରିବେ ବୋଲି ପିସିସି ଉପସଭାପତି ଅନନ୍ତ ପ୍ରସାଦ ସେଠୀ କହିଛନ୍ତି ।
ତେବେ ଏଆଇସିସି ଅଧ୍ୟକ୍ଷ ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ତିଆରି କରିଥିବା ଲକ୍ଷ୍ମଣ ରେଖା ପରେ ସ୍କ୍ରିନିଂ କମିଟିର ଏହି ଗସ୍ତ ରାଜ୍ୟର ପ୍ରାୟ ୪୦ କଂଗ୍ରେସ ନେତାଙ୍କୁ ଚିନ୍ତାରେ ପକାଇ ଦେଇଛି । ସେମାନଙ୍କ ଭିତରେ ଅଛନ୍ତି ଜଟଣୀ ନିର୍ବଚନ ମଣ୍ଡଳିର କୁହାଳିଆ ନେତା ସୁରେଶ କୁମାର ରାଉତରାୟ, ପିପଲିର ଜୁଧିଷ୍ଟିର ସମାନ୍ତରା, ସୁକିନ୍ଦାର ଶରତ ରାଉତ, କେନ୍ଦ୍ରପଡା ନେତା ଗଣେଶ୍ବର ବେହେରା, କଟକର ସୁରେଶ ମହାପାତ୍ର, କଳାହାଣ୍ଡିର ଜଗନ୍ନାଥ ପଟ୍ଟନାୟକ ଓ ବଲାଙ୍ଗୀରର ଶରତ ପଟ୍ଟନାୟକଙ୍କ ଭଳି ଚର୍ଚ୍ଚିତ ନେତା । ସେହିଭଳି ଅମର ପ୍ରଧାନ, ମତଲୁବ ଅଲ୍ଲି, କିଶୋର ପଟେଲଙ୍କ ଭଳି ୪୦ଟି ପୂର୍ବତନ ବିଧାୟକ, ସାଂସଦ ତଥା ମନ୍ତ୍ରୀ ଏଥର କଂଗ୍ରେସ ଟିକେଟ ପାଇବେନି । ଏହିସବୁ ହାରୁ ନେତାଙ୍କ ତାଲିକା ପ୍ରସ୍ତୁତ କରିଛି ପିସିସି ।
ରାହୁଲ ଗାନ୍ଧୀଙ୍କ ଏଭଳି ନିଷ୍ପତି ଖୋଦ୍ ପିସିସି ମୁଖିଆଙ୍କ ପାଇଁ ମଧ୍ୟ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି । ଯଦିଓ ସେ ୨୦୧୪ରେ ନିର୍ବାଚନ ଲଢିନଥିଲେ, ତଥାପି ୨୦୦୪ ଓ ୨୦୦୯ରେ ସେ ଲଗାତାର ଦୁଇ ଥର ହାରିଥିଲେ । ଏପରିକି ତାଙ୍କ ସାଙ୍ଗରେ ଏବେ ବୁଲୁଥିବା କିଛି ପୁରୁଖା ନେତା ହାରୁପାର୍ଟି ତାଲିକାରେ ଥିବାରୁ ସେମାନଙ୍କ ଥଇଥାନ ଏବେ ପିସିସି ସଭାପତିଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ଏଭଳି ରଣନୀତି କରି କଂଗ୍ରେସ ଶାସନ ଗାଦିକୁ ଫେରିଛି। ତେଣୁ ଏଥର ଟିକେଟ ବଣ୍ଟା ଉପରେ କଡା ନଜର ରଖିଛନ୍ତି ଖୋଦ କଂଗ୍ରେସ ଅଧ୍ୟକ୍ଷ। ଯେଉଁଥିପାଇଁ ଫେବୃଆରୀ ଶେଷ ସୁଦ୍ଧା ପ୍ରାର୍ଥୀ ତାଲିକା ଦେବାକୁ କହିଛନ୍ତି।
ଗୋଟେପଟେ ନିର୍ବାଚନ ସମୟରେ ଦଳରୁ ଇସ୍ତାଫ ଦେଇଛନ୍ତି କୃଷ୍ଣ ସଗରିଆ, ଯୋଗେଶ ସିଂହ ଓ ନବ ଦାସଙ୍କ ପରି ଟାଣୁଆ ବିଧାୟକମାନେ । ଏହି ତିନୋଟି ନିର୍ବାଚନମଣ୍ଡଳୀରେ କଂଗ୍ରେସ ବିକଳ୍ପ ନେତା ସନ୍ଧାନ କରୁଥିଲେ ବି ଏମାନଙ୍କ ଭଳି ଦବଦବା ଥିବା ନେତା ପାଉନି । କେବଳ ସେତିକି ନୁହେଁ ଚର୍ଚ୍ଚା ହେଉଛି ଠିକ ନାମାଙ୍କନପତ୍ର ଦାଖଲ ସମୟରେ ଆଉ କିଛି ବଡମୁଣ୍ଡ କଡ ଲେଉଟାଇବେ । ଏଭଳିସ୍ଥିତିରେ ରାଜ୍ୟ କଂଗ୍ରେସର ମେରି ଖୁଣ୍ଟ ସମ୍ଭାଳିବା ନିରଂଜନଙ୍କ ପାଇଁ କାଠିକର ହୋଇପାରେ । ତେଣୁ କ୍ରାମାଗତ ଭାବେ ହାରିଥିବା ନେତାଙ୍କ ଟିକେଟ ନକାଟିବାକୁ ରାହୁଲଙ୍କୁ ଅନୁରୋଧ କରିଥିବା ବେଳେ ସ୍କ୍ରିନିଂ କମିଟି ଆଗରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇବେ ବୋଲି ତାଙ୍କ ନିକଟତମ ସୂତ୍ରରୁ ଜଣାପଡିଛି ।