କଂଗ୍ରେସ ଜାରି କଲା ନିର୍ବାଚନୀ ଇସ୍ତାହାର

ଏଥିରେ ୧୫ଟି ପ୍ରତିଶ୍ରୁତି ଦିଆଯାଇଛି

ଦେଶଦ୍ରୋହ କାନୁନ ସମାପ୍ତ କରିବୁ

ବିଜେପି ସରକାରର ପ୍ରତି ଚୁକ୍ତିର ଯାଞ୍ଚ କରିବୁ

ଆସନ୍ତା ସାଧାରଣ ନିର୍ବାଚନରେ କ୍ଷମତା ଦଖଲ ପାଇଁ ଆଜି କଂଗ୍ରେସ ତାର ଗୋଟି ଚାଳନା କରିଛି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଆଜି କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାର ଘୋଷଣା କରାଯାଇଛି। ଏହି ଘୋଷଣା ପତ୍ରରେ ଏକାଧିକ ଲୋଭନୀୟ ଯୋଜନା ସମ୍ପର୍କରେ ପ୍ରତିଶ୍ରୁତି ଦିଆଯାଇଛି। ଗରିବୀଠାରୁ ଆରମ୍ଭ କରି ନିଯୁକ୍ତି ଏବଂ ଚାଷୀ ଠାରୁ ଆରମ୍ଭ କରି ଜାତୀୟ ସୁରକ୍ଷା ସମ୍ପର୍କରେ କଂଗ୍ରେସ ଦେଶବାସୀଙ୍କୁ ଅନେକ ପ୍ରତିଶ୍ରୁତି ଦେଇଛି। ଏହାବାଦ୍‌ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଉଦ୍ୟୋଗୀ ମାନଙ୍କ ପାଇଁ କଂଗ୍ରେସ ତା’ର ଘୋଷଣା ପତ୍ରରେ ଅନେକ ପ୍ରତିଶ୍ରୁତି ଦେଇଛି।

କଂଗ୍ରେସ ଗରିବଙ୍କ ପାଇଁ ‘ନ୍ୟାୟ’ ଯୋଜନା ପ୍ରଣୟନ କରିବ। ଏହାଦ୍ୱାରା ଦେଶର ୨୦% ସବୁଠାରୁ ଗରିବ ପରିବାରଙ୍କୁ ବର୍ଷକୁ ୭୨ ହଜାର ଟଙ୍କା ପାଇବେ। ଏହି ଟଙ୍କା ସିଧାସଳଖ ସେମାନଙ୍କ ଆକାଉଣ୍ଟକୁ ଯିବ। ସେହିପରି ଗ୍ରାମପଞ୍ଚାୟତ ସ୍ତରରେ ୧୦ ଲକ୍ଷ ଯୁବକଙ୍କୁ ଚାକିରି ଓ ଯୁବ ଉଦ୍ୟୋଗୀମାନଙ୍କୁ ବ୍ୟବସାୟ ଆରମ୍ଭର ୩ ବର୍ଷ ଯାଏ କାହାଠାରୁ ଅନୁମତି ନେବାର ଆବଶ୍ୟକତା ରହିବ ନାହିଁ ବୋଲି କଂଗ୍ରେସ ପ୍ରତିଶ୍ରୁତି ଦେଇଛି।

ସେହିପରି ଏମଜିନରେଗା ଅଧିନରେ କଂଗ୍ରେସ କ୍ଷମତାକୁ ଫେରିଲେ ୧୦୦ଟି କାର୍ଯ୍ୟ ଦିବସକୁ ବଢ଼ାଇ ୧୫୦ ଦିନ କରାଯିବ। ଚାଷୀମାନେ ଋଣ ସୁଝି ନ ପାରିଲେ ଏହାକୁ ଅପରାଧିକ ମାମଲା ବଦଳରେ ସିଭିଲ୍‌ଅଫେନ୍ସ ଭାବେ ବିଚାର କରାଯିବ। କଂଗ୍ରେସ କ୍ଷମତାକୁ ଆସିଲେ ଜିଡିପିର ୬% ଅର୍ଥକୁ ଶିକ୍ଷା କ୍ଷେତ୍ରରେ ନିବେଶ କରାଯିବ। ଗରିବ ଲୋକମାନେ ସରକାରୀ ହସ୍ପିଟାଲ୍‌ରେ ଯେମିତି ଅତ୍ୟାଧୁନିକ ଚିକିତ୍ସା ସୁବିଧା ପାଇପାରିବେ, ସେ ଦିଗରେ କଂଗ୍ରେସ କ୍ଷମତାକୁ ଆସିଲେ ବ୍ୟବସ୍ଥା କରିବ।

ସେହିପରି କଂଗ୍ରେସ କ୍ଷମତାକୁ ଆସିଲେ ଆପ୍ସା ଆଇନ୍‌ରେ ସଂଶୋଧନ କରିବ। ବିଦ୍ରୋହୀ ସକ୍ରିୟ ଥିବା ଅଞ୍ଚଳରେ ଭାରତୀୟ ସେନାକୁ ଏହି ଆଇନ୍‌ଅନୁସାରେ ସ୍ୱତନ୍ତ୍ର କ୍ଷମତା ଦିଆଯିବ। ସେନାକୁ କ୍ଷମତା ଦେବା ବେଳେ ମାନବାଧିକାରକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ଜମ୍ମୁ-କଶ୍ମୀର ପାଇଁ ଲାଗୁ ହେଉଥିବା ଆଇନ୍‌ରେ ମଧ୍ୟ କଂଗ୍ରେସ କ୍ଷମତାକୁ ଆସିଲେ ଏକାଧିକ ପରିବର୍ତ୍ତନ କରିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ବର୍ତ୍ତମାନ ଜମ୍ମୁ-କଶ୍ମୀର, ନାଗାଲ୍ୟାଣ୍ଡ, ମଣିପୁର ଓ ଉତ୍ତର ଭାରତର କିଛି ଅଂଶରେ ଆପ୍ସା ଆଇନ୍‌ଲାଗୁ କରାଯାଉଛି।

କଂଗ୍ରେସ କ୍ଷମତାକୁ ଆସିଲେ ଦେଶଦ୍ରୋହ ସଂକ୍ରାନ୍ତ ଆଇନ୍‌ଉଚ୍ଛେଦ କରିବ। ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୧୨୪ଏ(ଦେଶଦ୍ରୋହ)କୁ ଉଚ୍ଛେଦ କରାଯିବ। ଏହି ଧାରାର ଅପବ୍ୟବହାର କରାଯାଉଥିବାରୁ କଂଗ୍ରେସ କ୍ଷମତାକୁ ଆସିଲେ ଏହାକୁ ହଟାଇବ ବୋଲି କହିଛି।

ଆଜି ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ବିଭିନ୍ନ ରାଜ୍ୟର କଂଗ୍ରେସ ପଦାଧିକାରୀଙ୍କ ଉପସ୍ଥିତିରେ ନିର୍ବାଚନୀ ଇସ୍ତାହାରକୁ ସାର୍ବଜନୀନ କରାଯାଇଛି।

ଆସନ୍ତୁ ଜାଣିବା ଇସ୍ତହାରରେ ରାହୁଲ ଗାନ୍ଧୀ କରିଥିବା ୧୫ଟି ପ୍ରତିଶ୍ରୁତି ବିଷୟରେ

କ୍ଷମତାକୁ ଆସିବା ପରେ ଦେଶରୁ ଦାରିଦ୍ର୍ୟକୁ ହଟାଇବା ପାଇଁ କଂଗ୍ରେସ ନ୍ୟୁନତମ ଆୟ ଯୋଜନା ଲାଗୁ କରିବାର ପ୍ରତିଶ୍ରୁତି ଦେଇଛି। ଏହି ଯୋଜନା ଅନୁଯାୟୀ, ଦେଶରେ ଥିବା ୨୦ପ୍ରତିଶତ ଅତି ଦରିଦ୍ର ଲୋକମାନଙ୍କୁ ପ୍ରତିବର୍ଷ ୭୨,୦୦୦ଟଙ୍କାର ସହାୟତା ଦିଆଯିବ।

ଦେଶର ଯୁବପିଢ଼ିଙ୍କୁ ସାର୍ବଜନିକ ଏବଂ ଘରୋଇ କ୍ଷେତ୍ରରେ ଚାକିରି ଦେବା ନେଇ କଂଗ୍ରେସ ପ୍ରାଥମିକତା ଦେବ । ନିର୍ବାଚନ ଜିତିବା ପରେ ସାର୍ବଜନିକ କ୍ଷେତ୍ରରେ ଯୁବକ-ଯୁବତୀମାନଙ୍କୁ ୩୪ଲକ୍ଷ ଚାକିରିର ସୁବିଧା ମିଳିବ ।

କୃଷକମାନେ କରିଥିବା ଋଣକୁ ଛାଡ଼ କରି ସେମାନଙ୍କୁ କରଜ ମୁକ୍ତ କରି ଦିଆଯିବ । ପ୍ରତିବର୍ଷ କୃଷି ବଜେଟ୍‌ ଆଣାଯିବ । କୃଷି ବିକାଶ ଏବଂ ଯୋଜନା ପାଇଁ ଏକ ସ୍ଥାୟୀ ରାଷ୍ଟ୍ରୀୟ ଆୟୋଗର ସ୍ଥାପନା କରାଯିବ ।

ସ୍ବାସ୍ଥ୍ୟସୁରକ୍ଷା ଅଧିନିୟମ ଲାଗୁ କରି ସାର୍ବଜନିକ ଡ଼ାକ୍ତରଖାନା ଏବଂ ଘରୋଇ ଡ଼ାକ୍ତରଖାନା ମାଧ୍ୟମରେ ଲୋକମାନଙ୍କୁ ମାଗଣା ଡାଏଗ୍ନୋସିସ୍‌, ଆଉଟ୍‌ ପେସେଣ୍ଟ କେୟାର, ମାଗଣାରେ ଔଷଧ ଏବଂ ଡ଼ାକ୍ତରଖାନାରେ ଭର୍ତ୍ତି କରାଇବାର ପ୍ରତିଶ୍ରୁତି ଦେଇଛି କଂଗ୍ରେସ ।

ଜିଏସ୍‌ଟିକୁ ସରଳୀକରଣ କରିବା ସହ ସବୁ ଦ୍ରବ୍ୟର ଜିଏସ୍‌ଟି ହାର ସମାନ ରଖାଯିବ ।

ପ୍ରତିରକ୍ଷା ବିଭାଗ ପାଇଁ ଖର୍ଚ୍ଚ ବଢ଼ାଇବା ସହ ବିଭିନ୍ନ ଅସ୍ତ୍ର ଶସ୍ତ୍ରର ଆଧୁନୀକରଣ କରାଯିବ ।

କ୍ଷମତାକୁ ଆସିଲେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାକୁ ଅନିବାର୍ଯ୍ୟ ଏବଂ ମାଗଣା କରାଯିବ ।

ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ଆସନ ପ୍ରଦାନ କରିବା ପାଇଁ ମହିଳା ଆରକ୍ଷଣ ବିଲ୍‌ ଏବଂ ସବୁ କେନ୍ଦ୍ର ସରକାରୀ ଚାକିରିରେ ମହିଳାମାନଙ୍କ ପାଇଁ ୩୩ପ୍ରତିଶତ କୋଟା ପ୍ରଦାନ କରିବାର ପ୍ରତିଶ୍ରୁତି ।

କ୍ଷମତାକୁ ଆସିଲେ ବନ ଅଧିକାର ଅଧିନିୟମ ୨୦୦୬କୁ ଲାଗୁ କରିବା ସହ କୌଣସି ବନବାସୀଙ୍କ ସହ ଅନ୍ୟାୟ ହେବ ନାହିଁ ।

କ୍ଷମତାକୁ ଆସିବା ପରେ ଗୃହ ଅଧିକାର ଅଧିନିୟମ ଲାଗୁ କରି ଯେଉଁମାନଙ୍କ ପାଖରେ ନିଜର ଘର ବା ଜମି ନାହିଁ, ସେମାନଙ୍କୁ ଜମି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛି କଂଗ୍ରେସ ।

ବିଜେପି ସରକାର ଆସିବା ଦ୍ୱାରା ଦଳିତ ଲୋକମାନଙ୍କ ପ୍ରତି ଅତ୍ୟାଚାର ବଢ଼ି ଯାଇଥିବା ବେଳେ ଏହାକୁ ଶେଷ କରିବାର ପ୍ରତିଶ୍ରୁତି ଦେଇଛି କଂଗ୍ରେସ।

ଗୋପନୀୟତା ଉପରେ ଏକ ଆଇନ୍‌ ପ୍ରଣୟନ କରିବା ସହ ଆଧାର ଅଧିନିୟମର ମୂଳ ଉଦ୍ଦେଶ୍ୟ ପାଇଁ ଆଧାରର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରତିଶ୍ରୁତି ଦେଇଛି କଂଗ୍ରେସ ।

ସିଧା ନିର୍ବାଚିତ ହୋଇଥିବା ମେୟରମାନଙ୍କ ଦ୍ୱାରା ସହରମାନଙ୍କ ପାଇଁ ଶାସନର ଏକ ନୂଆ ମଡେଲ ଆଣିବା ।

ହେଉଥିବା ବାୟୁ ପ୍ରଦୂଷଣକୁ ଆଖି ଆଗରେ ରଖି ରାଷ୍ଟ୍ରୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମକୁ ମଜବୁତ୍‌ କରିବାରେ ପ୍ରତିଶ୍ରୁତି ।

୫ବର୍ଷ ମଧ୍ୟରେ ଦେଶର ବିଭିନ୍ନ ସଂସ୍ଥାଗୁଡ଼ିକ ଦୁର୍ବଳ ହୋଇଯାଇଥିବା କହିବା ସହ ଆରବିଆଇ, ସିବିଆଇ, ଇସିଆଇ, ସିଆଇସି ଇତ୍ୟାଦି ସଂସ୍ଥା ଗୁଡ଼ିକୁ ଅଧିକାର ଏବଂ ସ୍ୱରାଜ୍ୟ ଦେବାର ପ୍ରତିଶ୍ରୁତି ।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

୩ରୁ ଦକ୍ଷିଣ ଓଡ଼ିଶାରୁ ନବୀନଙ୍କ ମାରାଥନ ପ୍ରଚାର ଆରମ୍ଭ

ଆଉ ୯ ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା, ୩ ବରିଷ୍ଠ କଟିଲେ, ଭର୍ତ୍ତୃହରି ସୁରକ୍ଷିତ

କଂଗ୍ରେସ-ବିଜେଡି ଗରିବ ଓ କୃଷକଙ୍କ ଶତ୍ରୁ

Leave a Reply

Your email address will not be published.