ରାଜ୍ୟ ବାହାରୁ ଆସିବେ ପ୍ରସାଦଙ୍କ ବିକଳ୍ପ !

0
23
advt
< a href= "#">

ଜରୁରୀକାଳୀନ ସ୍ଥିତି ପରେ ସାରା ଦେଶରେ କଂଗ୍ରେସ ବିରୋଧରେ ଯେଉଁ ମତ ପ୍ରକାଶ ପାଇଥିଲା ତାହାକୁ ମୁକାବିଲା କରିବା ତଥା ପରିସ୍ଥିତିରେ ସୁଧାର ଆଣିବାକୁ ଇନ୍ଦିରା ଗାନ୍ଧି ଏକ ସ୍ୱତନ୍ତ୍ର ତତ୍ତ୍ୱ ତାମିଲ୍‍ନାଡ଼ୁ ଓ କର୍ଣ୍ଣାଟକରେ ପ୍ରୟୋଗ କରିଥିଲେ । ଏହି ଦୁଇ ରାଜ୍ୟରେ ସେତେବେଳ ସଂଗଠନ ସମ୍ପାଦକମାନେ ଇନ୍ଦିରାଙ୍କୁ ବିରୋଧ କରି ସଂଗଠନ ସହ ଦଳ ଛାଡ଼ିଥିଲେ । ତାମିଲ୍‍ନାଡ଼ୁରୁ କାମରାଜ ଏବଂ କର୍ଣ୍ଣାଟକରୁ ନିଜଲାଙ୍ଗାପାଙ୍କ ଇନ୍ଦିରା ଗାନ୍ଧିଙ୍କଠୁ ସମର୍ଥନ ପ୍ରତ୍ୟାହାର ସେଠାରେ କଂଗ୍ରେସକୁ ତଳି ତଳାନ୍ତ କରିଦେଇଥିଲା । କିଏ କଂଗ୍ରେସର ନେତା ହେବେ ସେ ନେଇ ବିବାଦ ଲାଗିଥିଲା । ଏହି ପରିସ୍ଥିତିର ସୁଧାର ପାଇଁ ଇନ୍ଦିରା ଗାନ୍ଧି ଆନ୍ଧ୍ର ପ୍ରଦେଶର ବରିଷ୍ଠ ନେତାଙ୍କୁ ସେଠାରେ ଦଳ ସମ୍ଭାଳିବାକୁ ଦେଇଥିଲେ । ପରବର୍ତ୍ତୀ ସମୟରେ ଏହା ସଫଳ ହୋଇଥିଲା । ଏଣୁ ଜେଜେ ମା’ଙ୍କ ଏହି ଫର୍ମୁଲାକୁ ରାହୁଲ୍‍ ଗାନ୍ଧି ଓଡ଼ିଶାରେ କଂଗ୍ରେସ ସମ୍ଭାଳିବା ପାଇଁ ଶେଷ ଅସ୍ତ୍ର ଭାବେ ବ୍ୟବହାର କରିପାରନ୍ତି।

ଭୁବନେଶ୍ୱର, (ଓଟି): ରାଜ୍ୟ କଂଗ୍ରେସ କମିଟିରେ ଚାଲିଥିବା କନ୍ଦଳ କ୍ରମଶଃ ଉଗ୍ର ରୂପ ନେବାରେ ଲାଗିଛି । ଦଳର ଶୃଙ୍ଖଳା କମିଟି ଅଧ୍ୟକ୍ଷଙ୍କୁ ମଧ୍ୟ ଦଳୀୟ ନେତାମାନେ ଶୁଣୁ ନାହାନ୍ତି । ଯାହା ପ୍ରମାଣିତ କରୁଛି ଯେ, ଦଳରେ କେହି କାହାକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି । ବିଭିନ୍ନ ବର୍ଗରେ ବିଭାଜିତ ହୋଇଥିବା କଂଗ୍ରେସ ନେତୃବୃନ୍ଦଙ୍କୁ ସମ୍ଭାଳିବା ପାଇଁ ଏବେକାର ପିସିସି ସଭାପତି ପ୍ରସାଦ ହରିଚନ୍ଦନ ସମ୍ପୂର୍ଣ୍ଣ ବିଫଳ ହୋଇଥିବାରୁ କେନ୍ଦ୍ରୀୟ ନେତୃତ୍ୱ ବି ତାଙ୍କର ବିକଳ୍ପ ଖୋଜିବା ଆରମ୍ଭ କରିଦେଇଛନ୍ତି । ଖୁବ୍‍ଶୀଘ୍ର କଂଗ୍ରେସ ପରିଚାଳନାରେ ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି । ଆଉ ଏହି ନେତା ରାଜ୍ୟ ଭିତରୁ ନହୋଇ ରାଜ୍ୟ ବାହାରୁ କିଏ ହେବେ ବୋଲି କଂଗ୍ରେସର କିଛି ବରିଷ୍ଠ ନେତା ଚର୍ଚ୍ଚା କରୁଛନ୍ତି ।

advt

ବିରୋଧିଦଳ ନେତା ନରସିଂହ ମିଶ୍ରଙ୍କ ସହ ପିସିସି ସଭପତି ପ୍ରସାଦଙ୍କ ଅପଡ଼ ପରେ ପିସିସିରେ କନ୍ଦଳ ସାମ୍ନାକୁ ଆସିଥିଲା । ଏହା ଏତେ ଉଗ୍ର ରୂପ ନେଲା ଯେ ତାହା କ୍ରମଶଃ କଂଗ୍ରେସକୁ ଓଡ଼ିଶାରେ ମୂଳପୋଛ କରିବାର ଧାରା ସୃଷ୍ଟି କଲା । ସେଇଥିପାଇଁ ଓଡ଼ିଶାରେ କଂଗ୍ରେସ ନିଶ୍ଚିହ୍ନ ହୋଇ ତା’ ସ୍ଥାନ ବିଜେପି ନେଇଥିବା ଆଲୋଚନା ହେଉଛି ।

ପିସିସିରେ କନ୍ଦଳ ପରେ ଯେଉଁ ନେତାମାନେ ମଙ୍ଗ ଧରିବା ପାଇଁ ପ୍ରସାଦଙ୍କ ବିକଳ୍ପ ହେବାକୁ ଚାହିଁଥିଲେ ସେମାନଙ୍କ ଭିତରେ ଆଗୁଆ ଥିଲେ ନିରଞ୍ଜନ ପଟ୍ଟନାୟକ । ପୂର୍ବରୁ ସେ ମନ୍ତ୍ରୀ ତଥା ପିସିସିର ସଭାପତି ରହିଥିଲେ । ହେଲେ ତାଙ୍କରି ଜିଲ୍ଲାର କଂଗ୍ରେସ ନେତା ଜୟଦେବ ଜେନା ୨ଥର ପିସିସି ସଭାପତି ହୋଇଥିବାରୁ ସେ ମଧ୍ୟ ଦୁଇଥର ସଭାପତି ହେବେ ବୋଲି ଇଚ୍ଛା ପ୍ରକାଶ କରି ଅନେକ ସଂଗ୍ରାମ କରିଥିଲେ । ଭୁବନେଶ୍ୱରରେ ରାଲି, ବଳ ପ୍ରଦର୍ଶନ ସମେତ ଦିଲ୍ଲୀରେ ନିଜ ସମର୍ଥକଙ୍କୁ ନେଇ ଡେରା ପକାଇ ସେ ବିଶେଷ ଚର୍ଚ୍ଚିତ ହୋଇଥିଲେ । ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପରିବାରର ହୋଇଥିବାରୁ ତାଙ୍କୁ ସଭାପତି କଲେ ଦଳ ଖଣ୍ଡ ଖଣ୍ଡ ହୋଇଯିବ ବୋଲି ଅନେକ ମତ ଦେବାରୁ କେନ୍ଦ୍ରୀୟ ନେତୃତ୍ୱ ଆଉ ନେତା ପରିବର୍ତ୍ତନ ନକରି ସମାଧାନର ବାଟ କାଢ଼ିବାକୁ ଚାହିଁଲେ । କିନ୍ତୁ ବିବାଦ ସମାଧାନ ହେବା ବଦଳରେ ଅନେକ ନେତା ପିସିସି ମଙ୍ଗ ଧରିବାକୁ ଇଚ୍ଛା ପ୍ରକାଶ କଲେ ଆଉ ତାଙ୍କ ବିରୋଧରେ ମଧ୍ୟ ଅନ୍ୟ ନେତାମାନେ ରିପୋର୍ଟ ଦେଲେ । ଫଳରେ କଂଗ୍ରେସରେ ସବୁଥାଇ ଦୁର୍ବଳ ହେବାକୁ ବାଧ୍ୟ ହେଲା ।

ଧିରେ ଧିରେ ପିସିସି କାର୍ଯ୍ୟାଳୟ ଖାଲି ହେବା ସହ କଂଗ୍ରେସର ନେତାମାନେ ନିଜ ଇଜ୍ଜତ ବଞ୍ଚାଇବାକୁ ଅନ୍ୟ ଦଳକୁ ଡେଇଁବା ଆରମ୍ଭ କରିଛନ୍ତି । କିଛି ନେତା ବିଜେଡି ଓ ବିଜେପିରେ ମିଶିଲେଣି ଆଉ କିଛି ଅପେକ୍ଷା କରିଛନ୍ତି ସୁଯୋଗକୁ । ଏହାଦ୍ୱାରା ଦଳ କ୍ରମଶଃ ନିଶ୍ଚିହ୍ନ ହେବାରେ ଲାଗିଛି । ବିଜେପୁର ନିର୍ବାଚନରେ କ଼ଂଗ୍ରେସରର ପରାଜୟ ପରେ ପୁଣିଥରେ କଂଗ୍ରେସ ନେତୃତ୍ୱରେ ପରିବର୍ତ୍ତନ ଆଶା ସୃଷ୍ଟି ହୋଇଛି ।

ହେଲେ ନିରଞ୍ଜନଙ୍କ ସମେତ ଅନେକ ଦାବିଦାର ଏବେ ଅମଙ୍ଗ ହେଲେଣି ଏହି ପରିସ୍ଥିତିରେ କଂଗ୍ରେସକୁ ହାତକୁ ନେବା ପାଇଁ । କାରଣ ଆଉ କଂଗ୍ରେସର ସୁଧାର ସମାନେ ଦେଖିପାରୁ ନାହାନ୍ତି । ଏହିକ୍ରମରେ ଇନ୍ଦିରା ଗାନ୍ଧିଙ୍କ କଂଗ୍ରେସ ସୁଧାର ତତ୍ତ୍ୱକୁ ରାଜ୍ୟରେ ରାହୁଲ ଗାନ୍ଧି ଆପଣାଇବେ ବୋଲି ସମ୍ଭାବନା ପ୍ରକାଶ ପାଇଛି ।

ଜରୁରୀକାଳୀନ ସ୍ଥିତି ହେତୁ ଦେଶ ସାରା କଂଗ୍ରେସ ଅଧ୍ୟକ୍ଷ ଇନ୍ଦିରା ଗାନ୍ଧିଙ୍କ ବିରୋଧରେ ମତ ପ୍ରକାଶ ପାଇଥିଲା । ବିଶେଷକରି ତାମିଲ୍‍ନାଡ଼ୁ ଓ କର୍ଣ୍ଣାଟକରେ ପରିସ୍ଥିତି ଅତ୍ୟନ୍ତ ଉତ୍କଟ ହୋଇଥିଲା । ସେଠାରେ ନେତୃତ୍ୱ ସଙ୍କଟ ଆଶ୍ଚର୍ଯ୍ୟଜନକ ସ୍ଥିତି ସୃଷ୍ଟି କରିଥିଲା । କର୍ଣ୍ଣାଟକରେ ଇନ୍ଦିରା ଗାନ୍ଧିଙ୍କୁ ପରାଜୟ ମଧ୍ୟ ସହିବାକୁ ପଡ଼ିଥିଲା । ଏବେ ଯେମିତି ଓଡ଼ିଶାରେ କଂଗ୍ରେସ ମୂଳପୋଛ ହୋଇଥିବାର ଆଶଙ୍କା ପ୍ରକାଶ ପାଉଛି ଠିକ୍‍ ସେମିତି।

କର୍ଣ୍ଣାଟକରେ ସଂଗଠନ ସମ୍ଭାଳିଥିବା ସିଦ୍ଦାଭନାଲୀ ନିଜଲିଙ୍ଗାପ୍ପା ନିଜ ସମର୍ଥକଙ୍କ ସହ ଦଳ ଛାଡ଼ିବାରୁ ଇନ୍ଦିରା ଗାନ୍ଧିଙ୍କ ନେତୃତ୍ୱ କଂଗ୍ରେସ ପ୍ରାୟତଃ ଦୁର୍ବଳ ହୋଇଯାଇଥିଲା । ଠିକ୍‍ ସେମିତି ପରିସ୍ଥିତି ତାମିଲ୍‍ନାଡ଼ୁରେ ମଧ୍ୟ ହୋଇଥିଲା । କାମରାଜଙ୍କ ନେତୃତ୍ୱରେ କଂଗ୍ରେସ ସଂଗଠନ ପୂରା ଦଳ ଛାଡ଼ିଦେଇଥିଲେ । ଏମାନେ ମୋରାରଜୀ ଦେଶାଇଙ୍କୁ ସମର୍ଥନ କରୁଥିଲେ । ଏହାଦ୍ୱାରା କଂଗ୍ରେସ ଭାଗ ଭାଗ ହୋଇଥିଲା ।

ଏହି ପରିସ୍ଥିତିକୁ ଠିକଣା ଭାବେ ପରିଚାଳନା କରିବା ପାଇଁ ଇନ୍ଦିରା ଆନ୍ଧ୍ର ପ୍ରଦେଶର ବରିଷ୍ଠ ନେତାଙ୍କୁ କର୍ଣ୍ଣାଟକ ଓ ତାମିଲ୍‍ନାଡ଼ୁରେ ସଂଗଠନ ସମ୍ଭାଳିବା ଦାୟିତ୍ୱ ଦେଇଥିଲେ । ସେମାନଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ତାମିଲ୍‍ନାଡ଼ୁ ଓ କର୍ଣ୍ଣାଟକ କଂଗ୍ରେସ ସ୍ଥିତିରେ ସୁଧାର ଆସିପାରିଥିଲା । ତାମିଲ୍‍ନାଡ଼ୁରେ ଆର୍‍ ଭେଙ୍କଟରମଣ ଦଳକୁ ଫେରି ଆସିଥିଲେ । କର୍ଣ୍ଣାଟକରେ ସେହିପରି ଅନେକ ନେତା କଂଗ୍ରେସ ଫେରିଲେ । ଆର୍‍ ଗୁଣ୍ଡୁରାଓ, ଏସ୍‍ଏମ୍‍ କ୍ରିଷ୍ଣା, ଦେବରାଜ ଉର୍ସ ପ୍ରଭୃତି ଏଥିରେ ଅନ୍ତର୍ଭୁକ୍ତ । କଂଗ୍ରେସ ପୁଣି କ୍ଷମତାକୁ ଫେରିଲା । ଏଣୁ ଏହି ତତ୍ତ୍ୱକୁ ଓଡ଼ିଶାରେ ପ୍ରୟୋଗ କରାଯାଇପାରେ ବୋଲି ସମ୍ଭାବନା ଉନ୍ମୁକ୍ତ ହୋଇଛି । ଯଦି ତାହା ହୁଏ ତେବେ ପଡ଼ୋଶୀ କୌଣସି ଏକ ରାଜ୍ୟର ବରିଷ୍ଠ ନେତାଙ୍କୁ କଂଗ୍ରେସ ସଂଗଠନ ସଜାଡ଼ିବା ଦାୟିତ୍ୱ ଦିଆଯାଇପାରେ । ଜେଜେମା’ଙ୍କ ଏହି ସଫଳ ପରୀକ୍ଷଣକୁ ରାହୁଲ ଗାନ୍ଧି ଅନ୍ତିମ ଅସ୍ତ୍ର ଭାବେ ପ୍ରୟୋଗ କରିପାରନ୍ତି ବୋଲି ମଧ୍ୟ କଂଗ୍ରେସ ନେତାମାନେ ଚର୍ଚ୍ଚା କରୁଛନ୍ତି। ଏହା ହେଲେ ଦଳରେ କେହି ସଭାପତି ରହିବେ ନାହିଁ । ଦଳର ନିଷ୍ପତ୍ତି ସମ୍ପୃକ୍ତ ନେତା ହିଁ ନେବେ । ସଂଗଠନ ସୁଦୃଢ଼ ହେବା ପରେ କଂଗ୍ରେସକୁ ଓଡ଼ିଶା ନେତାଙ୍କ ହାତରେ ଦେଇ ସେ ଓଡ଼ିଶା ଛାଡ଼ି ପାରନ୍ତି । ଏହି ଅସ୍ତ୍ରକୁ ପ୍ରୟୋଗ ନକରିବା ଯାଏ କଂଗ୍ରେସରେ ଗୋଡ଼ ଭିଡ଼ା ଓ ଗୋଷ୍ଠୀବାଦ ରାଜନୀତିରେ ଯବନୀକା ପଡ଼ିବ ନାହିଁ ବୋଲି ଆଲୋଚନା ହେଉଛି ।

advt
< a href= "#">