କଟକରେ ସାର୍ବଜନୀନ ଗଣେଶ ପୂଜାକୁ ମିଳିବନି ଅନୁମତି : ଡିସିପି

କଟକ, (ଓଡିଶା ଟାଇମ୍) : ଚଳିତ ବର୍ଷ କଟକରେ ସାର୍ବଜନୀନ ଗଣେଶ ପୂଜାକୁ ଅନୁମତି ମିଳିବ ନାହିଁ । କଟକ ଡିସିପି ପ୍ରତୀକ ସିଂହ ଆଜି ଏହା ସ୍ପଷ୍ଟ କରିଛନ୍ତି । ସାଂପ୍ରତିକ କରୋନା ପରିସ୍ଥିତି ଦେଖୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ଡିସିପି କହିଛନ୍ତି ।

ସୂଚନାଥାଉ କି , ସାର୍ବଜନୀନ ଗଣେଶ ପୂଜାକୁ ଅନୁମତି ପାଇଁ ହାଇକୋର୍ଟରେ ମାମଲା ହୋଇଥିଲା । ବୁଢ଼ା ଗଣେଶ ପୂଜା କମିଟି ପକ୍ଷରୁ ଏହି ମାମଲା କରାଯାଇଥିଲା । ତେବେ କୋର୍ଟ ମାମଲାକୁ ଖାରଜ କରି ସ୍ଥାନୀୟ ପ୍ରଶାସନ ଉପରେ ନିଷ୍ପତ୍ତି ଛାଡ଼ିଥିଲେ ।

ପୂର୍ବରୁ କରୋନା କଟକଣା ଯୋଗୁଁ ଏବର୍ଷ ଟ୍ବିନ୍ ସିଟିର କୌଣସି ମଣ୍ଡପରେ ଗଣେଶ ପୂଜା ହେବ ନାହିଁ ବୋଲି ସୂଚନା ଦିଆଯାଇଥିଲା । ଗଣେଶ ପୂଜା ବନ୍ଦ କରିବାକୁ ନେଇ ଗତ ୧୩ ତାରିଖରେ କମିଶନରେଟ୍ ପୋଲିସ୍ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଥିଲା ।

ପୋଲିସ୍ କମିଶନରେଟ୍ ଟ୍ବିଟ୍ କରି ସୂଚନା ଦେଇଥିଲେ ଯେ, ଚଳିତ ବର୍ଷ କଟକ, ଭୁବନେଶ୍ବରରେ ଗଣେଶ ପୂଜା ହେବ ନାହିଁ। କରୋନା ସଂକ୍ରମଣ ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖି ଏପରି ନିଷ୍ପତ୍ତି ନିଆଯାଇଛି । ଏବର୍ଷ ମୁମ୍ବାଇରେ ମଧ୍ୟ ଗଣେଶ ପୂଜା ହେବ ନାହିଁ। ସମସ୍ତଙ୍କୁ ଏହି ନିର୍ଦ୍ଦେଶ ପାଳନ କରିବାକୁ ଅନୁରୋଧ କରାଯାଇଥିଲା ।

Leave a Reply

Your email address will not be published.