କୋଇଲା ଅଧ୍ୟାଦେଶ: ଘରୋଇ କମ୍ପାନୀଙ୍କୁ ପ୍ରୋତ୍ସାହନ, ବିଦେଶୀଙ୍କୁ କୋହଳ

ନୂଆଦିଲ୍ଲୀ: ଦେଶର ବର୍ଦ୍ଧିତ କୋଇଲା ଚାହିଦାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘରୋଇ କମ୍ପାନୀମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ବୁଧବାର ନୂତନ ଅଧ୍ୟାଦେଶ ଜାରି କରାଯାଇଛି । ଏହି ଅଧ୍ୟାଦେଶ ଅନୁଯାୟୀ ଏଣିକି କୋଇଲା ଖନନ ଏବଂ ବିକ୍ରି କ୍ଷେତ୍ରରେ ଘରୋଇ ସଂସ୍ଥାମାନଙ୍କୁ ସାମିଲ କରାଯାଇପାରିବ । ଏଥିସହିତ ଏହି କ୍ଷେତ୍ରରେ କାର୍ଯ୍ୟ କରିବାକୁ ବିଦେଶୀ ସଂସ୍ଥାମାନଙ୍କ ପାଇଁ ପୂର୍ବରୁ ରହିଥିବା ନୀତି ନିୟମରେ ମଧ୍ୟ କୋହଳ କରାଯାଇଛି । ଏପରିକି କୋଇଲା ଉପଯୋଗ କରୁନଥିବା ବିଦେଶୀ କମ୍ପାନୀମାନେ ଏଣିକି ଭାରତରେ କୋଇଲା ଖନନ କରିବା ସହିତ ବିକ୍ରିି କରିପାରିବେ ବୋଲି କେନ୍ଦ୍ର କ୍ୟାବିନେଟ୍ ପକ୍ଷରୁ ଜାରି କରାଯାଇଥିବା ଅଧ୍ୟାଦେଶରେ କୁହାଯାଇଛି ।

କେନ୍ଦ୍ର ସରକାରଙ୍କ ବହୁ ପ୍ରଭାବୀ ଯୋଜନା ମେକ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର କ୍ୟାବିନେଟ୍ ପକ୍ଷରୁ କୋଇଲା ଉପଯୋଗକୁ ନେଇ କୋଇଲା ଖନନ ସ୍ୱତନ୍ତ୍ର ବ୍ୟବସ୍ଥା(ସିଏମ୍ଏସ୍ପି), ୨୦୧୫ ଏବଂ ଖଣି ଓ ଖଣିଜ ଉନ୍ନୟନ ନୀତି,୧୯୫୭ ଆଧାରରେ ଗତକାଲି ନୂତନ ଅଧ୍ୟାଦେଶ ଜାରି କରାଯାଇଥିଲା । ପୂର୍ବରୁ ଘରୋଇ ସଂସ୍ଥାମାନଙ୍କୁ କୋଇଲା ଖନନ ପାଇଁ ଅନୁମତି ଦିଆଯାଉନଥିବା ବେଳେ ଏହି ଅଧ୍ୟାଦେଶ ଜାରି କରାଯିବା ଦ୍ୱାରା ଏ କ୍ଷେତ୍ରରେ ରହିଥିବା ସମସ୍ତ ପ୍ରତିବନ୍ଧକ ହଟିଯିବ ବୋଲି କୁହାଯାଇଥିଲା ।

କେନ୍ଦ୍ର କ୍ୟାବିନେଟ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବିଭିନ୍ନ ଶିଳ୍ପ କ୍ଷେତ୍ର ପାଇଁ ବର୍ଦ୍ଧିତ କୋଇଲା ଚାହିଦାକୁ ଦୃଷ୍ଟିରେ ରଖି ରାଷ୍ଟ୍ରାୟତ୍ତ ଉଦ୍ୟୋଗ କୋଲ୍ ଇଣ୍ଡିଆ ଲିଃ(ସିଆଇଏଲ୍) ୨୦୨୩-୨୪ ସୁଦ୍ଧା ୧୦୦ କୋଟି ଟନ୍ କୋଇଲା ଉତ୍ପାଦନ କରିବା ନେଇ ଲକ୍ଷ୍ୟଧାର୍ଯ୍ୟ କରିଥିଲା । ଏଥିନେଇ ଦେଶର ବିଭିନ୍ନ ଭାଗରେ କୋଇଲା ଖନନ ପାଇଁ କମ୍ପାନୀକୁ କୋଇଲା ବ୍ଲକ୍ ଆବଣ୍ଟନ କରାଯାଇଥିଲା । କିନ୍ତୁ ଇସ୍ପାତ ଶିଳ୍ପ କ୍ଷେତ୍ର ପାଇଁ କୋଇଲାର ଚାହିଦା ବୃଦ୍ଧି ପାଉଥିବାରୁ ଏହାକୁ ମେଣ୍ଟାଇବା ସହିତ ବିଦେଶରୁ କୋଇଲା ଆମଦାନୀ ହ୍ରାସ କରିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପରୋକ୍ତ ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି ।

Leave a Reply

Your email address will not be published.