କଳାହାଣ୍ଡିରେ ବିକାଶର ନୂତନ ସୂର୍ଯ୍ୟୋଦୟ : ୨୦୮୫ କୋଟି ଟଙ୍କାର ପ୍ରକଳ୍ପର ଭେଟିଦେଲେ ମୁଖ୍ୟମନ୍ତ୍ରୀ

କଳାହାଣ୍ଡି, (ଓଡିଶା ଟାଇମ୍) :କଳାହାଣ୍ଡି ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ ମାଧ୍ୟମରେ ଇନ୍ଦ୍ରାବତୀ ମଙ୍ଗଳପୁରଠାରେ ୭୫୬ କୋଟି ବ୍ୟୟରେ ନିର୍ମିତ ପାର୍ବତୀଗିରି ମେଗା ଉଠା ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ଏହି ପ୍ରକଳ୍ପ ଦ୍ବାରା ଜୟପାଟଣା, କୋକସରା ଏବଂ ଧର୍ମଗଡ ବ୍ଲକର ୨୫ ହଜାର ୨୭୫ ହେକ୍ଟର ଜମିକୁ ଜଳସେଚନ ହୋଇପାରିବ ।

କୋଭିଡ୍ କଟକଣା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମାବେଶକୁ ୪୦ ଗୋଟି ପଞ୍ଚାୟତରେ ସିଧା ପ୍ରସାରଣର ବ୍ୟବସ୍ଥା କରାଯାଇଛି । ଯାହାକୁ ନେଇ କଳାହାଣ୍ଡି ରାଜନୀତି ସରଗରମ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରାୟ ୨୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ତଥା କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ସମାବେଶ ସମାପନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ବିଶେଷ କରି ଇନ୍ଦ୍ରାବତୀ ବହୁମୁଖୀ ଜଳ ପ୍ରକଳ୍ପ ଜଳସେଚନରୁ ଉଚ୍ଚରେ ଥିବା ୪୩ ଗୋଟି ପଞ୍ଚାୟତର ୯୦ ଗୋଟି ଗାଁ ଜଳସେଚନରୁ ବଞ୍ଚିତ ରହିଥିଲା । ଏହି ଉଠା ଜଳସେଚନ ପ୍ରକଳ୍ପ ଦ୍ବାରା ସେହି ଗାଁ ଲାଭବାନ ହୋଇପାରିବେ । ଯାହାଫଳରେ ପାଖାପାଖି ୫୦ ହଜାରରୁ ଅଧିକ ଲୋକ ଲାଭବାନ ହେବେ । କେବଳ ସେତିକି ନୁହେଁ ମୋଟ୍ ୧୦୬୪ କୋଟି ୮୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୫୪ଟି ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ଏବଂ ୧୦୨୩ କୋଟି ୪୨ ଲକ୍ଷ ଟଙ୍କାର ୫୨ ଟି ବିଭିନ୍ନ ପ୍ରକଳ୍ପର ଶୁଭ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୋଟ୍ ୨୦୮୫ କୋଟି ୨୦ଲକ୍ଷ ୯୦ ହଜାର ଟଙ୍କା ଅଟକଳରେ ୧୦୬ଟି ପ୍ରକଳ୍ପକୁ କଳାହାଣ୍ଡିବାସୀଙ୍କୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply