ଫେବୃୟାରୀ ୧ରୁ ଖୋଲିବ ସିନେମା ହଲ୍
ଭୁବନେଶ୍ବର, (ଓଡିଶା ଟାଇମ୍) :ସାରାଦେଶରେ ୧୦୦ ପ୍ରତିଶତ କ୍ଷମତ ସହ ସିନେମା ହଲ ଖୋଲିବାକୁ ଅନୁମତି ଦିଆଯାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ କରୋନା ମହାମାରୀ ବିସ୍ତାର ରୋକିବାକୁ ସିନେମାହଲ ପାଇଁ ନୂଆ ଏସଓପି ଜାରି କରିଛନ୍ତି। ନୂଆ ଏସଓପି ଅନୁସାରେ ଫେବୃଆରୀ ୧ ତାରିଖରୁ ସାରା ଦେଶରେ ୧୦୦ ପ୍ରତିଶତ କ୍ଷମତା ସହ ସିନେମାହଲ ଖୋଲାଯାଇ ପାରିବ।
କରୋନା ମହାମାରୀ ଆରମ୍ଭ ସମୟରୁ ଗତ ମାର୍ଚ୍ଚ ମାସରୁ ସାରା ଦେଶରେ ସିନେମାହଲ, ଥିଏଟର, ମଲ୍ଟିପ୍ଲେକ୍ସ ଆଦି ବନ୍ଦ ରହିଥିଲା। ବର୍ତ୍ତମାନ ଏସଓପି ପାଳନ କରି ସିନେମାହଲ ଓ ମଲ୍ଟିପ୍ଲେକ୍ସରେ ବସିବା କ୍ଷମତା ୫୦ ପ୍ରତିଶତରୁ ବଢ଼ାଇ ୧୦୦ ପ୍ରତିଶତ କରିବାକୁ ଅନୁମତି ଦିଆଯାଇଛି। ରବିବାର ସନ୍ଧ୍ୟା ସୁଦ୍ଧା ବିସ୍ତୃତ ସୂଚନା ଜାରି କରାଯିବ।
ପ୍ରକାଶ ଜାବଡେକର ଏ ସମ୍ବନ୍ଧରେ ସୂଚନା ଦେଇ କହିଛନ୍ତି ଯେ, ସିନେମାପ୍ରେମୀଙ୍କ ପାଇଁ ଖୁସି ଖବର। ଫେବୃଆରୀ ମାସରେ ୧୦୦ ପ୍ରତିଶତ କ୍ଷମତା ସହ ସିନେମାହଲ ଖୋଲିବ। ତେବେ ଅନଲାଇନ ବୁକିଂ ଉପରେ ଅଧିକ ଜୋର ଦିଆଯିବ। ତେବେ ଦୁଇଟି ଶୋ’ ମଧ୍ୟରେ ଅନ୍ତର ରଖାଯିବ ଯେପରି ଅଧିକ ଭିଡ ନ ହେବ। କରୋନା କଟକଣା ବର୍ତ୍ତମାନ ଶେଷ ହେବାରେ ଉପରେ। ଲୋକେ ଖାଇବା ସାମଗ୍ରୀ ନେଇ ସିନେମାହଲ ଭିତରକୁ ଯାଇପାରିବେ ବୋଲି ସେ କହିଛନ୍ତି।