‘ଅଜାଣତରେ ଲୋକଙ୍କ ଅଙ୍ଗ କାଢି ନେଉଛନ୍ତି ସରକାର’
ଭୁବନେଶ୍ବର,(ଓଡ଼ିଶା ଟାଇମ୍): ଦକ୍ଷିଣ କୋରିଆର ହରର ଡ୍ରାମା ସିରିଜ ସ୍କ୍ବିଡ୍ ଗେମ୍ ନେଟଫ୍ଲିକ୍ସରେ ଏବେ ବେଶ ଆଦୃତ ହେବାରେ ଲାଗିଛି । ଏହି ଶୋ’ରେ ଋଣ ଗ୍ରସ୍ତ ହୋଇଥିବା ଲୋକଙ୍କୁ ଟଙ୍କାର ପ୍ରଲୋଭନ ଦିଆଯାଇଛି । ଫଳରେ ପରସ୍ପର ମଧ୍ୟରେ ରକ୍ତାକ୍ତ ଲଢେଇ କରି ୪୫୫ ବ୍ୟକ୍ତି ଜଣଙ୍କ ପରେ ଜଣେ ମୃତ୍ୟୁ ମୁହଁରେ ପଡୁଛନ୍ତି । ଶେଷରେ ଜଣେ ବ୍ୟକ୍ତି ସମସ୍ତଙ୍କୁ ମାତ୍ ଦେଇ ଜୀବିତ ରହୁଛନ୍ତି ଏବଂ ୩୮.୭ ମିଲିୟନ ଡଲାରର ପୁରସ୍କାର ପାଉଛନ୍ତି । ଏଥିରେ ମାନବ ଅଙ୍ଗ ଚୋରାଚାଲାଣର ଖେଳ ମଧ୍ୟ ପ୍ରଦର୍ଶିତ ହୋଇଛି ।
କୁହାଯାଉଛି କି ଏହି ସିରିଜ ଚୀନ ସରକାରଙ୍କ କାର୍ଯ୍ୟକଳାପ ଉପରେ ପର୍ଯ୍ୟବେଶିତ । ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଗୁପ୍ତ ନିର୍ଦ୍ଦେଶରେ ଅଙ୍ଗପ୍ରତ୍ୟଙ୍ଗ ପାଇଁ ମଣିଷକୁ ହତ୍ୟା କରିବାର ବୀଭତ୍ସ ଖେଳ ଚାଲିଛି । ଲୋକଙ୍କୁ ମାରି ସେମାନଙ୍କ ହାର୍ଟ, ଲିଭର, କିଡନୀ ଏବଂ ଅନ୍ୟାନ୍ୟ ଅଙ୍ଗ ବାହାର କରି ବିକ୍ରି ଚାଲିଥିବା ଏକ ମାନବବାଦୀ ସଂଗଠନ ପକ୍ଷରୁ ଅଭିଯୋଗ ଅଣାଯାଇଛି । ଏକଚ୍ଛତ୍ରବାଦୀ ସରକାର ବର୍ଷକୁ ଏଥିପାଇଁ ଲକ୍ଷେ ଲୋକଙ୍କୁ ହତ୍ୟା କରୁଛନ୍ତି । ଅସନ୍ତୁଷ୍ଟ ଏବଂ ରାଜନୈତିକ ବନ୍ଦୀଙ୍କୁ ହତ୍ୟା କରି ଅଙ୍ଗପ୍ରତ୍ୟଙ୍ଗ ଚୋରି କରାଯାଉଥିବାର ଅଭିଯୋଗ ହୋଇଛି ।
ଚଳିତ ବର୍ଷ ଜୁନରେ ଜାତିସଂଘର ଏକ ସ୍ବତନ୍ତ୍ର ବିଶେଷଜ୍ଞ ଦଳ ଏହାକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ଚୀନ ସରାକାରଙ୍କ ଟାର୍ଗେଟରେ ଉଇଗର ମୁସଲିମ୍ ବନ୍ଦୀ ଅଛନ୍ତି । ସଂଖ୍ୟାଲଘୁ ସମ୍ପ୍ରଦାୟର ଏଭଳି କଏଦୀଙ୍କ ବଳପୂର୍ବକ ରକ୍ତ ପରୀକ୍ଷା, ଏକ୍ସ-ରେ ଏବଂ ଅଲଟ୍ରାସାଉଣ୍ଡ କରାଯାଉଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ଏଥି ପାଇଁ ସରକାର କୌଣସି ସ୍ବୀକୃତି ନେଉ ନାହାଁନ୍ତି । ଯାହାକୁ ନେଇ ଚୀନର ବିଭିନ୍ନ ନୀରପେକ୍ଷ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।