ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ

କୋଲକାତା, (ଓଡିଶା ଟାଇମ୍): ଚୋରି ଅଭିଯୋଗରେ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ । ପଶ୍ଚିମବଙ୍ଗର କାନ୍ଥିରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ଭାଇଙ୍କ ବିରୋଧରେ କେସ ଦାଏର କରାଯାଇଛି । ଦୁଇ ଭାଇ ମ୍ୟୁନିସିପାଲିଟିରୁ ରିଲିଫ୍ ସାମଗ୍ରୀ ଚୋରି କରିଥିବା ଅଭିଯୋଗ ଆଣିଛି ତୃଣମୂଳ କଂଗ୍ରେସ (ଟିଏମସି) । ଚୋରି ମାମଲାରେ ଶୁଭେନ୍ଦୁ ଅଧିକାରୀ ଓ ଦିବ୍ୟେନ୍ଦୁ ଅଧିକାରୀଙ୍କ ବିରୋଧରେ ଏଫଆଇଆର ଦିଆଯାଇଛି ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଶୁଭେନ୍ଦୁ ଅଧିକାରୀ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିଲେ। ସେ ନନ୍ଦିଗ୍ରାମ ଆସନରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରି ତାଙ୍କୁ ମାତ୍ ମଧ୍ୟ ଦେଇଛନ୍ତି । ନିର୍ବାଚନ ଫଳାଫଳ ପରଠାରୁ ବିଜେପି ଏବଂ ଟିଏମସି ମଧ୍ୟରେ ବିବାଦ ସ୍ପଷ୍ଟ ଦେଖିବାକୁ ମିଳୁଛି ।

ନନ୍ଦୀଗ୍ରାମରୁ ବିଧାୟକ ତଥା ମମତାଙ୍କ ଅତି ନିକଟବର୍ତ୍ତୀ ଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ପଶ୍ଚିମବଙ୍ଗ ବିଧାନସଭା ପାଇଁ ବିରୋଧୀ ଦଳ ନେତା ଭାବେ ଚୟନ କରିଛି ବିଜେପି । ପଶ୍ଚିମବଙ୍ଗରେ ବିଜେପି ଓ ଟିଏମସି କଳହ ବଢ଼ୁଥିବାରୁ ସୁରକ୍ଷା ଦୃଷ୍ଟିରୁ ଶୁଭେନ୍ଦୁଙ୍କ ବାପା ଶିଶିର ଅଧିକାରୀ ଏବଂ ଭାଇ ଦିବ୍ୟେନ୍ଦୁ ଅଧିକାରୀଙ୍କୁ  (Y+) ବର୍ଗର ସୁରକ୍ଷା ଉପଲବ୍ଧ କରାଇଛି କେନ୍ଦ୍ର ।

ଶୁଭେନ୍ଦୁ ଅଧିକାରୀ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଆସନରୁ ୧୯୫୬ ଭୋଟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରାସ୍ତ କରିଥିଲେ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ବିଜେପି ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଥିଲା । ପଶ୍ଚିମବଙ୍ଗର ମୋଟ ୨୯୨ ଟି ଆସନରୁ ମଧ୍ୟରୁ ୨୧୩ ଟି ସିଟ୍ ହାସଲ କରିଛି ଟିଏମସି । ୨୦୧୬ ନିର୍ବାଚନରେ ଟିଏମସି ୨୧୧ ଟି ଆସନ ହାସଲ କରିଥିଲା ।

Leave a Reply

Your email address will not be published.