ଜାତୀୟ ଦଳ ବିଜେପି-କଂଗ୍ରେସକୁ ପ୍ରାର୍ଥୀ ମିଳୁନାହାନ୍ତି
ରାଜ୍ୟର ଦୁଇ ପ୍ରମୁଖ ବିରୋଧୀଦଳ କଂଗ୍ରେସ ଓ ବିଜେପିରେ ଏବେ ପ୍ରାର୍ଥୀ ସଙ୍କଟ ସମସ୍ୟାରେ ଜର୍ଜରିତ। ଆସନ୍ତା ବିଧାନସଭା ନିର୍ବାଚନରେ ୧୪୭ ବିଧାନସଭା ଆସନରେ ପ୍ରାର୍ଥୀ ଦେବା ପାଇଁ ଯେତେ କସରତ କଲେ ବି ଫଳ ବାହାରି ପାରୁନାହିଁ। ଯେଉଁମାନେ ପ୍ରାର୍ଥୀ ହେବାକୁ ପାଗଭିଡି ବସିଛନ୍ତି ସେମାନଙ୍କ ଜିଣିବା ସହଜ ହୋଇନଥିବାବେଳେ ଜିଣିବା ଲୋକଙ୍କୁ ପ୍ରାର୍ଥୀ ନକରାଇ ଦେବାପାଇଁ ଦୁଇ ଦଳରେ ଆରମ୍ଭ ହୋଇଗଲାଣି ଗୋଡଟଣା କାରବାର। ଆଗାମୀ ଦିନରେ ଏହା କେବଳ ବିଜେଡିକୁ ସୁହାଇବ ବୋଲି ଏବେ ଠାରୁ ଅନୁମାନ କରାଗଲାଣି।

ନିଜକୁ ଏକ ନମ୍ବର ବିରୋଧିଦଳ ବୋଲି ଦାବି କରୁଥିବା ବିଜେପି ଏବେ ୧୪୭ଟି ବିଧାନସଭା ଆସନରେ ଜିଣିବା ଭଳି ପ୍ରାର୍ଥୀ ପାଉନଥିବା ସୂଚନା ମିଳିଛି। ଯେଉଁ ପ୍ରାର୍ଥୀମାନେ ମିଳୁଛନ୍ତି ସେମାନେ ୧୨୦ ମିଶନକୁ ବହୁ ପଛରେ ପକାଇ ଦେବେ ବୋଲି ଉପର ସ୍ତରରେ ଆଲୋଚନା ଚାଲିଛି। ଏହି ଦଳରେ ଗୋଷ୍ଠି ବିବାଦ ଚରମସୀମାରେ ଥିବାରୁ କାହାର କିଏ ପ୍ରାର୍ଥୀ ହେବ ତାହାକୁ ନେଇ ଏବେଠାରୁ ଟଣାଓଟରା ଆରମ୍ଭ ହୋଇଛି।
ଇତି ମଧ୍ୟରେ ଦିଲ୍ଲୀପ ରାୟଙ୍କ ଭଳି ବିଧାୟକ ଦଳ ଛାଡିଥିବାବେଳେ ଆଉ କିଛି ବିଧାୟକ ବିଜେପି ଛାଡିବା ନେଇ ଆଲୋଚନା ଚାଲିଛି। ଗତ ନିର୍ବାଚନରେ ଯେଉଁମାନେ ପ୍ରାର୍ଥୀ ହୋଇ ହାରିଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଦେଖାଦର୍ଶନ ନାହିଁ। ଯେଉଁମାନେ ବି ମୁହଁ ଦେଖାଉଛନ୍ତି ସେମାନେ କେଉଁ ଗୋଷ୍ଠିର ବୋଲି ଚିହ୍ନଟ ଚାଲିଛି। ରାଜ୍ୟର ପଶ୍ଚିମ ଓ ଆଭ୍ୟନ୍ତରୀଣ ଅଞ୍ଚଳ ଅପେକ୍ଷା ଉପକୂଳ ଓଡିଶାରେ ବିଜେପିର ପ୍ରାର୍ଥୀ ସଙ୍କଟ ଅଧିକ ଥିବା ଦେଖିବାକୁ ମିଳୁଛି।

ଅନୁରୂପ ଅବସ୍ଥା କଂଗ୍ରେସରେ। ଏହିଦଳ ତାହାର ସମସ୍ତ ବିଧାୟକଙ୍କୁ ଟିକଟ ଦିଆଯିବ ବୋଲି ଆଗୁଆ ଘୋଷଣା କରିଥିବାବେଳେ ଇତି ମଧ୍ୟରେ ତିନି ବିଧାୟକ ନବ, ଯୋଗେଶ ଓ ସଗରିଆ ବାଡ ଡେଇଁ ପଳାଇଲେଣି। ଆଉ କାଳେ କିଏ ଡିଆଁମାରିବେ ସେଥିପାଇଁ ପିସିସି କଠୋର ନୀତି ଆପଣେଇବାରେ ଲାଗିଛି। ଅନ୍ୟ ପକ୍ଷରେ ଦଳର ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ୪୦ ଆସନର ପ୍ରାର୍ଥୀ ତାଲିକା ଧରି ଦିଲ୍ଲୀରେ। ଏହି ତାଲିକା କେବେ ଘୋଷଣା ହେବ ତାହା କେହି କହିପାରୁ ନାହାନ୍ତି।
ଦଳରେ ଗୋଷ୍ଠି କନ୍ଦଳ ତୀବ୍ର ଥିବାବେଳେ କଂଗ୍ରେସର ସାମାନ୍ୟ ଉତ୍ଥାନ ଦେଖି ଗୋଟିଏ ଗୋଟିଏ ନିର୍ବାଚନମଣ୍ଡଳୀରେ ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ହେଲେ ଏମାନଙ୍କ ମଧ୍ୟରୁ କିଏ ଜିଣିବ ତାହା ଖୋଦ ପିସିସି ସଭାପତି ବି ଆକଳନ କରିପାରୁ ନାହାନ୍ତି । ଯିଏ ଆସୁଛି ସମସ୍ତଙ୍କୁ ମୁଣ୍ଡ ଟୁଙ୍ଗାରୁଥିବା ଦେଖିବାକୁ ମିଳୁଛି।

ଦୁଇ ଦଳର ଏଭଳି ଅବସ୍ଥା ଥିବାବେଳେ ବିଜେଡିରେ କିନ୍ତୁ ପ୍ରାର୍ଥୀ ବଳକା ହେଲେଣି। ବିଶେଷକରି ଦଳ ମଧ୍ୟକୁ ଡିଆଁମାରି ଧଶେଇ ପଶି ଆସୁଥିବା ଅନ୍ୟଦଳର ନେତାମାନେ ଏଠାରୁ ଟିକଟ ନେଇ ପଳାଇବା ଆଶଙ୍କା ଦେଖାଦେବାରୁ ୧୧୮ର ବିଧାୟକ ଥିବା ଶାସକଦଳରେ ମଧ୍ୟ ଶେଷ ମୂହୂର୍ତ୍ତରେ ଗଣ୍ଡଗୋଳିଆ ସ୍ଥିତି ଉପୁଜିବାର ଆଶଙ୍କା ସୃଷ୍ଟି ହୋଇଛି। ତେବେ ଏଠାରେ ଥିବା ଓ ଆସୁଥିବା ଅଧିକାଂଶ ନେତା ଜିଣିବାର ଦମ୍ ରଖିଥିବାରୁ ବିଜେପି ଓ କଂଗ୍ରେସ ଭଳି ଏଠାରେ ପ୍ରାର୍ଥୀ ସଙ୍କଟ ଦେଖାଦେବ ନାହିଁ ବୋଲି କୁହାଯାଉଛି।