ନିର୍ବାଚନ ହେଲେ ଭଲ: ସଦ୍ୟ ଉପସ୍ଥାପିତ ସାଧାରଣ ବଜେଟ୍‌ ଶୀର୍ଷକର ଅନୁଶୀଳନ

0
1632
advertisement

ଭାରତରେ ଏବେ ନିର୍ବାଚନ ଆସନ୍ନ। କୌଣସି ମୁହୂର୍ତ୍ତରେ ବି ନିର୍ବାଚନ କମିଶନ ସାଧାରଣ ନିର୍ବାଚନ ସହ ଆମ ରାଜ୍ୟ ଓ ଅନ୍ୟ ୫ଟି ରାଜ୍ୟରେ ନିର୍ବାଚନ ଘୋଷଣା କରିପାରନ୍ତି। ଯେଉଁ ରାଜ୍ୟ ଗୁଡ଼ିକରେ ଲୋକସଭା ଓ ବିଧାନସଭା ପାଇଁ ନିର୍ବାଚନ ହେବ ସେଗୁଡ଼ିକ ହେଲା: ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଜମ୍ମୁ ଓ କଶ୍ମୀର, ଅରୁଣାଚଳ ପ୍ରଦେଶ, ସିକିମ୍‌ ଓ ଝାଡ଼ଖଣ୍ଡ। ଏହାସହ କିଛି ରାଜ୍ୟରେ ଉପନିର୍ବାଚନ ମଧ୍ୟ ହେବା ସମ୍ଭାବନା ରହିଛି। ତା’ ପରେ ପରେ ଅକ୍ଟୋବର ମାସକୂ ମହାରାଷ୍ଟ୍ର ଓ ହରିୟାଣା ଭଳି ରାଜ୍ୟର ନିର୍ବାଚନ ମଧ୍ୟ ୨୦୧୯ରେ ଅନୁଷ୍ଠିତ ହେବ। ଏସବୁ ନିର୍ବାଚନ ପରିପ୍ରେକ୍ଷୀରେ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ୨୦୧୯-୨୦ ହେଉଛି ଶେଷ ଅର୍ଥିକ ବଜେଟ୍‌। ଯେମିତି କେନ୍ଦ୍ର ସରକାର ଆନ୍ତରୀଣ ବଜେଟ୍‌ରେ ଉପହାରର ବର୍ଷା କରିଛନ୍ତି ତାହା ଓଡ଼ିଶା ସମେତ ଅନ୍ୟ ୫ ରାଜ୍ୟ ଓ ଏହି ଦୁଇ ରାଜ୍ୟରେ ଉପସ୍ଥାପନ ହେବାକୁ ଥିବା ବଜେଟ୍‌ରେ ସ୍ଥାନ ପାଇବା ସମ୍ଭାବନା ରହିଛି।

ସାମୁହିକ ପାଣ୍ଠିର ଅପବ୍ୟବହାର

ଏଠି ଏ ପ୍ରସଙ୍ଗସବୁ ଉପସ୍ଥାପନ କରିବାର କାରଣ ହେଉଛି, ଏହି ବଜେଟ୍‌କୁ ଅନେକ ନିର୍ବାଚନ ଭିତ୍ତିକ, ଅଦୂରଦର୍ଶୀ, ଭୋଟରଙ୍କୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ କହିବା ସହ ଏହାକୁ ଦେଶର ବିକାଶ ହାରରେ ପ୍ରଶ୍ନବାଚୀ ଲଗାଇଛନ୍ତି। କିନ୍ତୁ ଯେଉଁ ଦେଶରେ ଜନସାଧାରଣ ଉତ୍କଟ ଅସମାନତା ଭିତରେ ଗତି କରୁଛନ୍ତି, ଯେଉଁ ଦେଶରେ ଜନସାଧାରଣ ଆବଶ୍ୟକ ଉତ୍ପାଦନରେ ଅସମର୍ଥ ହେଉଛନ୍ତି, ଯେଉଁ ଦେଶରେ ଜନସାଧାରଣ ମର୍ଯ୍ୟାଦାପୂଣ୍ଣ ଜୀବନଟିଏ ଜୀଇଁବା କେବଳ ସ୍ଵପ୍ନରେ ଦେଖୁଛନ୍ତି ସେଠାରେ ଦେଶ ବିକାଶ ଗୋଟିଏ ପ୍ରହେଳିକା ନୁହେଁକି? ସମାଜର ଶେଷମୁଣ୍ଡରେ ଥିବା ଲୋକ ପାଖରେ ବିକାଶ ପହଞ୍ଚାଇବା ଯଦି ‘ବିକାଶ’ ପଦବାଚ୍ୟ ତେବେ ଏପରି ବଜେଟ୍‌ ବ୍ୟବସ୍ଥା ସବୁବର୍ଷ କରାଯିବା ଆବଶ୍ୟକ। ଏହାଦ୍ଵାରା ଅତିକମ୍‌ରେ ଦୁଃସ୍ଥ ଅସହାୟଙ୍କ ପାଖରେ ଜୀବନଧାରଣର ଏକ ରାହା ଦୂର ହୋଇ ରହିବ ନାହିଁ।  ପରୋକ୍ଷ ବ୍ୟବସ୍ଥାରେ ଯେଉଁ ଟିକସ ଏହିଭଳି ଦୁଃସ୍ଥଙ୍କ ଉପରେ ଲଗାଯାଉଛି ତାହା ଅତିକମ୍‌ରେ ସେମାନଙ୍କ ପାଖକୁ ଫେରି ଆସିବ

ଉପର ଲିଖିତ ଯୁକ୍ତିକୁ ସ୍ଥାପନ କରିବାଲାଗି ନିକଟରେ ପ୍ରକାଶ ପାଇଥିବା ଅସମାନତା ରିପୋର୍ଟକୁ ଏଠାରେ ଉପସ୍ଥାପନ କରୁଛି। ଏହା ଅକ୍ସଫାମ୍‌ ଦ୍ଵାରା ଜାନୁୟାରୀ ମାସରେ ପ୍ରକାଶ ପାଇଛି।

ଅକ୍ସଫାମ୍‌ ରିପୋର୍ଟ: ଭାରତରେ ଧନୀ ବଢ଼ୁଛି ଗରିବ ହେଉଛି ଋଣଗ୍ରସ୍ତ

ଭାରତରେ ଗିନି ଓ୍ବେଲଥ କୋ ଏଫିସିଏଣ୍ଟ ( ଗୋଟିଏ ଦେଶର ସମ୍ପତ୍ତିଭିତ୍ତିକ ଅସମାନତା ସୂଚାଉଥିବା ମାପକ) ୨୦୦୮ରେ ୮୧.୨% ଥିବା ବେଳେ ୨୦୧୮ରେ ୮୫.୪ ପ୍ରତିଶତକୁ ବୃଦ୍ଧି ଘଟିଛି। ଏହା ସ୍ପଷ୍ଟ କରୁଛି ଯେ, ଅସମାନତା ବୃଦ୍ଧି ହେଉଛି । ଏହିପରି ଅସମାନତା ବୃଦ୍ଧି ସାମାଜିକ ବନ୍ଧନର ପରିପନ୍ଥୀ, ଯାହା ସମାଜରେ ଅସ୍ଥିର ଅବସ୍ଥା ଓ ଅପରାଧ ବୃଦ୍ଧିରେ ସହଯୋଗ କରିଥାଏ। ଗତ ୧୨ ମାସ ଭିତରେ ଭାରତର ସମୁଦାୟ ସମ୍ପତ୍ତିରେ ୧୦ ଲକ୍ଷ ୫୯ହଜାର ୧୦୦ କୋଟି ଟଙ୍କା ( ୧୫୧ ବିଲିୟନ୍‌ ଆମେରିକୀୟ ଡଲାର) ଅଭିବୃଦ୍ଧି ହୋଇଛି। ଶୀର୍ଷରେ ଥିବା ୧ ପ୍ରତିଶତଙ୍କ ସମ୍ପତ୍ତିରେ ୩୯ ପ୍ରତିଶତ ଅଭିବୃଦ୍ଧି ହୋଇଥିବା ବେଳେ ନିମ୍ନରେ ଥିବା ୫୦ ପ୍ରତିଶତ ଜନସାଧାରଣଙ୍କ ସମ୍ପତ୍ତିରେ ୩ ପ୍ରତିଶତ ଅଭିବୃଦ୍ଧି ହୋଇଛି।

୨୦୧୮ର ଅନୁଶୀଳନ ଅନୁସାରେ ଭାରତର ଅରବପତି ମାନଙ୍କ ସମ୍ପତ୍ତିରେ ଦୈନିକ ୨୨୦୦ କୋଟି ଟଙ୍କାର ଅଭିବୃଦ୍ଧି ହେଉଛି। କିନ୍ତୁ ଅର୍ଥନୀତିକ ସୂଚକାଙ୍କରେ ଦାରିଦ୍ର୍ୟ ତାଲିକାରେ ଥିବା ପ୍ରତିଟି ବ୍ୟକ୍ତି ୨୦୦୪ରୁ ଋଣରେ ବୁଡ଼ିବା ଜାରି ରଖିଛି। ଗତବର୍ଷ ଆମ ଦେଶରେ ୧୮ ଜଣ ନୂଆ ଅରବପତିଙ୍କ ଅଭ୍ୟୁଦୟ ହୋଇଛି, ଯାହାଦ୍ଵାରା ସମୁଦାୟ ଅରବପତିଙ୍କ ସଂଖ୍ୟା ୧୧୯ରେ ପହଞ୍ଚିଛି।  ଏମାନଙ୍କ ସମୁଦାୟ ସମ୍ପତ୍ତି ମୂଲ୍ୟ ୨୮ଲକ୍ଷ କୋଟି ( ୪୦୦ ବିଲିୟନ୍‌ ଆମେରିକୀୟ ଡଲାର) ପାର୍‌ କରିଛି। ପ୍ରଥମଥର ପାଇଁ ଏପରି ହୋଇଛି। ୨୦୦୮ ବିଶ୍ଵ ଅର୍ଥନୀତିକ ମାନ୍ଦାବସ୍ଥା ପରେ ଏହା ହେଉଛି ସବୁଠାରୁ ବଡ଼ ଅଭିବୃଦ୍ଧି।

୨୦୧୮-୧୯ ମସିହାରେ ଏହି ସମୁଦାୟ ସମ୍ପତ୍ତି ମୂଲ୍ୟ ଭାରତର ବାର୍ଷିକ ବ୍ୟୟ ଅଟକଳ ( ବଜେଟ୍‌)ଠୁ ବି ଅଧିକ। ଏହି ବର୍ଷ ବଜେଟ୍‌ ପରିମାଣ ୨୪ ଲକ୍ଷ୪୨ହଜାର୨୦୦ କୋଟି ଟଙ୍କା ଥିଲା। ଗଲା ୧୨ ମାସ ଭିତରେ ଏହି ୧୧୯ ଜଣ ଅରବପତିଙ୍କ ସମ୍ପତ୍ତି ମୂଲ୍ୟରେ ୮ହଜାର ୨୦ କୋଟି ଟଙ୍କାର ଅଭିବୃଦ୍ଧି ହୋଇଛି, ଯାହା ରାଜ୍ୟ ଓ କେନ୍ଦ୍ର ଉଭୟ ସରକାରଙ୍କ ବାର୍ଷିକ ପ୍ରତ୍ୟକ୍ଷ କର ( ୨୦୧୬-୧୭ରେ ୮ହଜାର୬୨୦ କୋଟି )ସହ ପ୍ରାୟ ସମାନ। ଖାଲି ସେତିକି ନୁହେଁ, ୨୦୧୮ରୁ ୨୦୨୨ ଭିତରେ ଭାରତ ପ୍ରତିଦିନ ୭୦ ଜଣ ନୂଆ ଡଲାର ମିଲିଅନେୟାର (କୋଟିପତି)ଙ୍କୁ ସୃଷ୍ଟି କରିବ ବୋଲି ଆକଳନ କରାଯାଉଛି।[

୨୦୧୮ ମସିହାରେ  ଅରବପତିଙ୍କ ସମ୍ପତ୍ତି ବିଷୟରେ ଅନୁଶୀଳନ ଏହା ଦର୍ଶାଉଛି ଯେ, ସମୁଦାୟ ଅରବପତିଙ୍କ ସଂଖ୍ୟାରେ ୧୫ ଜଣ ଉପଭୋକ୍ତା ସାମଗ୍ରୀ ଭିତ୍ତିକ ଶିଳ୍ପପତି ହୋଇଥିବା ବେଳେ ଅଉ ୧୫ ଜଣ ଫାର୍ମାସ୍ୟୁଟିକାଲ୍‌ ଶିଳ୍ପ ସହ ଜଡ଼ିତ[– ଏହା ହେଉଛି ବିକଶିତ ଦେଶ ଗୁଡ଼ିକର ବାସ୍ତବତା। ଏହି ଅରବପତି ତାଲିକାରେ ମାତ୍ର ୯ ଜଣ ମହିଳାଙ୍କ ନାଁ ସାମିଲ, ଅର୍ଥାତ୍‌ ସମୁଦାୟ ଭାରତୀୟ ଅରବପତିଙ୍କ ଭିତରୁ ମାତ୍ର ୭.୫ ପ୍ରତିଶତ ହେଉଛନ୍ତି ମହିଳା। ଏଣୁ ‘ଅରବପତି ପୁରୁଷଙ୍କ କ୍ଲବ୍‌’  କୌଣସି  କଳ୍ପନା ନୁହେଁ।

ମାଗଣା ଜନସେବା

ଯେତେବେଳେ ଧନୀ ଓ ଦରିଦ୍ରଙ୍କ ଭିତରେ ଥିବା ତାରତମ୍ୟ ଅହେତୁକ ଭାବେ ବଢ଼ୁଛି, ଏହାକୁ ଦେଖି କିଛି ଗୋଷ୍ଠୀଙ୍କ ଭିତରେ କଠୋର ଭାବନା ଆସିବା ସ୍ଵଭାବିକ। ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ରହୁଥିବା ଭିନ୍ନ ଭିନ୍ନ ସାମାଜିକ  ଅର୍ଥନୀତିକ ଗତିପଥ ଏବଂ ସେମାନଙ୍କ ଭିତରେ ଥିବା ଅସମାନତା ଭିନ୍ନ ଭିନ୍ନ। ଧନୀ-ଗରିବ ଏବଂ ପୁରୁଷ ଓ ମହିଳାଙ୍କ ଭିତରେ ଥିବା ଏହିପରି ଅସମାନତା ସାର୍ବଜନୀନ ମାଗଣା ଜନସେବା ଏବଂ ସମସ୍ତଙ୍କୁ ସାମାଜିକ ସୁରକ୍ଷା ଯୋଗାଇଦେବା ଦ୍ଵାରା ହ୍ରାସ କରାଯାଇପାରିବ। ଉପର ଲିଖିତ ବିଷୟବସ୍ତୁ ବାବଦରେ ଏହି ରିପୋର୍ଟ ଏକ ଶକ୍ତଧାରଣା ଅବତାରଣ କରୁଛି।

କ୍ଷତିଗ୍ରସ୍ତ କ୍ଷୁଦ୍ର, ନିମ୍ନ ମଧ୍ୟବିତ୍ତ ଓ ଗରିବ

ବିମୁଦ୍ରାକରଣ, ଜିଏସ୍‌ଟି ଭଳି ପରୋକ୍ଷ ପ୍ରଭାବ ଓ ଟିକସ ଫଳରେ ଦେଶର ଗରିବ ତଥା ଦରିଦ୍ର ଲୋକ ଯଥେଷ୍ଟ କ୍ଷତିଗ୍ରସ୍ତ ହୋଇଛନ୍ତି। ଏସବୁ ପ୍ରଭାବ ପ୍ରତ୍ୟକ୍ଷଭାବେ ଅନୁମାନ କରିହେବ ନାହିଁ। କିନ୍ତୁ ଆପଣ କିଣୁଥିବା ସାବୁନ୍‌ ଉପରେ ଗାଁର ଗରିବ ଲୋକଟିଏ ଯେତିକି ଟିକସ ଦିଏ ଦେଶର ସର୍ବୋଚ୍ଚ ଧନୀ ବି ସେଇ ଟିକସ ଦିଅନ୍ତି। ୮ପୃଷ୍ଠା ଟାବ୍ଲଏଡ୍‌ ୧୦୦୦ ଖଣ୍ଡ ଛାପୁଥିବା ଖବରକାଗଜ ସମ୍ପାଦକ ଯେତିକି ଟିକସ କାଗଜ କିଣା ବାବଦରେ ଦେବ ସେତିକି ଟିକସ ଟାଇମ୍ସ ଅଫ୍‌ ଇଣ୍ଡିଆ ଛାପୁଥିବା ପ୍ରକାଶକ ବି କାଗଜ କିଣା ପାଇଁ ଦେଉଛନ୍ତି। ଏଭଳି ସ୍ଥିତିରେ ଗରିବ, ଛୋଟ ବ୍ୟବସାୟୀ  ଓ ନିମ୍ନମଧ୍ୟବିତ୍ତ କ୍ଷତିଗ୍ରସ୍ତ ହେଉଥିବା ସ୍ଵଭାବିକ। ଗଲା ୪ ବର୍ଷ ହେଲା ଆମେ ଏଇ ଯନ୍ତ୍ରଣା ଭିତରେ ରହିଥିବାବେଳେ ଏବେ ଏକ ବଜେଟ୍‌ରେ କିଛି ସହାୟତା ପ୍ୟାକେଜ୍‌ ଘୋଷଣା କରାଯାଇଛି। ଏଥିରେ ଅସୁବିଧା କେଉଁଠି? ଏହାକୁ ନିର୍ବାଚନ ଭିତ୍ତିକ ଯଦି କୁହାଯାଏ ତେବେ ପ୍ରତିବର୍ଷ ନିର୍ବାଚନ ରହିବା ଭଲ। ଏହାଦ୍ଵାରା ଶାସକ ଅତିକମ୍‌ରେ ଦେଶର ତଳସ୍ତରର ବିକାଶ ପାଇଁ ସହଯୋଗୀ ହେବେ। ଧନୀ ଦରିଦ୍ର ତଫାତ କମିବ, ନୁହେଁକି?

ଏବେ ନିର୍ବାଚନ ଭିତ୍ତିକ ବଜେଟ୍‌

ଫେବୃୟାରୀ୧ ତାରିଖରେ କେନ୍ଦ୍ର ସରକାର ଘୋଷଣା କରିଥିବା ଆନ୍ତରୀଣ ବଜେଟ୍‌ରେ ଚାଷୀ, ମଧ୍ୟବିତ୍ତ, ଅଣ ସଂଗଠିତ ଶ୍ରମିକ, ଆଦିମ ଅଧିବାସୀଙ୍କ ପାଇଁ କିଛି ସହାୟତା ଘୋଷଣା କରିଛନ୍ତି। ଏହି ସହାୟତା ଦ୍ଵାରା ସିଧାସଳଖ ଅର୍ଥ ଫାଇଦା ଏହି ବର୍ଗଙ୍କୁ ମିଳିପାରିବ।

ପ୍ରଥମେ ଚାଷୀ

ସରକାର ଚାଷୀଙ୍କୁ ସିଧାସଳଖ ରୋଜଗାର ସହାୟତା ଦେବା ପାଇଁ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଘୋଷଣା କରିଛନ୍ତି। ଏହି ସ୍ଵତନ୍ତ୍ର ପାଣ୍ଠି ଦ୍ଵାରା ଅତି ବେଶୀରେ ୨ ହେକ୍ଟର ଜମି ଥିବା ଜଣେ ଚାଷୀ ବର୍ଷକୁ ୬୦୦୦ ଟଙ୍କା ନଗଦ ସହାୟତା ପାଇପାରିବେ। ଏହାଦ୍ଵାରା ୧୨.୫୬ କୋଟି ଚାଷୀ ଉପକୃତ ହେବେ। ଏଥିଲାଗି ସରକାର ୭୫ ହଜାର କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ ଦେଇଛନ୍ତି। ସଙ୍ଗେ ସଙ୍ଗେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଲାଗି ସରକାର ୨୦୧୮-୧୯ ଆର୍ଥିକ ବର୍ଷ ବଜେଟ୍‌ରେ ମଧ୍ୟ ୨୦ ହଜାର କୋଟି ଟଙ୍କାର ଅଟକଳ ପୁନର୍ବିଚାର କରିବେ।

ଦ୍ଵିତୀୟରେ ଅଣ ସଂଗଠିତ ଶ୍ରମିକ

ଅଣ ସଂଗଠିତ ଶ୍ରମିକଙ୍କୁ ସିଧାସଳଖ ଅର୍ଥ ସହାୟତା ଦେବା ଲାଗି ସରକାର ’ପ୍ରଧାନମନ୍ତ୍ରୀ ଯୋଗୀ ମାନଧନ’ ଯୋଜନା ଘୋଷଣା କରିଛନ୍ତି। ଏଥିଲାଗି ୫୦୦ କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ କରାଯାଇଛି। ଏହି ଯୋଜନା ବଳରେ ଅଣ ସଂଗଠିତ ଶ୍ରମିକଙ୍କୁ ମାସିକ ୩ ହଜାର ଟଙ୍କା ପେନ୍‌ସନ୍‌ ମିଳିବ। ଯେଉଁ ଶ୍ରମିକଙ୍କ ମାସିକ ଆୟ ୧୫୦୦୦ ଟଙ୍କାରୁ କମ୍‌ ସେମାନେ ଏହି ଯୋଜନାରେ ଯୋଗ ଦେଇପାରିବେ। ସେମାନେ ମାସିକ ୫୫ରୁ ୧୦୦ଟଙ୍କା ଦେଇ ଏହି ଯୋଜନାରେ ସାମିଲ୍‌ ହେବ। ୬୦ ବର୍ଷରେ ପହଞ୍ଚିଲେ ତାଙ୍କୁ ସରକାର ୩୦୦୦ ଟଙ୍କା ନଗଦ ଟଙ୍କା ମାସକୁ ଦେବେ।

ତୃତୀୟରେ ଟିକସ ଦାତାଙ୍କୁ ରିହାତି

କେତେ ରୋଜଗାରଧାରୀ ଆୟକର ଦେବେ ଅର୍ଥାତ୍‌ ଆୟକର ସ୍ଲାବ୍‌କୁ ସରକାର ଛୁଇଁ ନାହାନ୍ତି। ତାହା ଅପରିବର୍ତ୍ତତ ରହିଛି। କିନ୍ତୁ ସରକାର ଆୟକର ରିହାତି ସିଲିଂକୁ ବଢ଼ାଇଛନ୍ତି। ଏହା ସାଢ଼େ ତିନି ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରାଯାଇଛି। ଅର୍ଥାତ୍‌ ଆପଣ ସାଢ଼େ ତିନି ଲକ୍ଷ ଟଙ୍କା ବର୍ଷକୁ ରୋଜଗାର କଲେ ଆୟକର ରିଟର୍ନ ଭରିବେ କିନ୍ତୁ ବାର୍ଷିକ ୫ ଲକ୍ଷ ଟଙ୍କାଯାଏ କୌଣସି ଟିକସ ଦେବେ ନାହିଁ। ଏହାଦ୍ଵାରା ୩ କୋଟି ଟିକସଦାତା ଲାଭ ପାଇବେ ।

ପୁଣି ଯଦି ଆପଣଙ୍କ ବାର୍ଷିକ ଆୟ ସାଢ଼େ ୬ ଲକ୍ଷ ଟଙ୍କା ତେବେ ଆପଣ ଆବଶ୍ୟକ ପୁଞ୍ଜି ନିବେଶ କରିଲେ ଆପଣଙ୍କୁ ଆୟକର ରିହାତି ମିଳିବ।

ଘରଭଡ଼ା ଦାତାଙ୍କୁ ସହାୟତା

ଆପଣ ଦ୍ଵିତୀୟ ଘର କିଣିଲେ ଆୟକର ରିହାତି ପାଇବେ। ଆଉ ଘର ଭଡ଼ା ଦେଉଥିଲେ ବି ଆୟକର ରିହାତି ଲାଭ କରିବେ। କେନ୍ଦ୍ର ସରକାର ଏଥିପାଇଁ ଉଦ୍ଦିଷ୍ଟ ନିୟମାବଳୀରେ ପରିବର୍ତ୍ତନ ଆଣିଛନ୍ତି। ଦ୍ଵିତୀୟ ଘର ଉପରୁ ମଧ୍ୟ ଆୟକର ରିହାତି ମିଳିବ।

ଅଣ ତାଲିକାଭୁକ୍ତ ଆଦିମ ଅଧିବାସୀଙ୍କ ପାଇଁ ବିକାଶ ବୋର୍ଡ଼

ଯେଉଁ ଆଦିମ ଅଧିବାସୀଙ୍କୁ ତାଲିକାଭୁକ୍ତ କରାଯାଇ ନାହିଁ ସେମାନଙ୍କ ପାଇଁ ପ୍ରଥମଥର ପାଇଁ ସରକାର ବିକାଶ ଯୋଜନା କରିଛନ୍ତି। ଏହାଦ୍ଵାରା ଦେଶର ୨୬୦ ପ୍ରଜାତି ସମ୍ପ୍ରଦାୟଙ୍କୁ ସୁବିଧରା ମିଳିବ। ୨୦୦୧ ଜନଗଣନା ଅନୁସାରେ ୧୦.୭୪ କୋଟି ଜନ ସଂଖ୍ୟା ଲାଭବାନ ହେବେ।

ଜନମଙ୍ଗଳ ନା ଜିଡିପି ପରିପନ୍ଥୀ

ଉପସ୍ଥାପନ କରାଯାଇଥିବା ବଜେଟ୍‌ ଖୁବ୍‌ ଶୀଘ୍ର ଲୋକସଭାରେ ପାରିତ ହେବ ଆଉ ଆଇନରେ ପରିଣତ ବି ହେବ। କିନ୍ତୁ ଯେଉଁ ପ୍ରଶ୍ନସବୁ ଲଗାଯାଇଛି ତାହାର ଜବାବ ମିଳିବ ତ? ଅର୍ଥାତ୍‌ ଏହି ବଜେଟ୍‌ ଜନ ମଙ୍ଗଳକାରୀ ବଜେଟ୍‌ ନା ଜିଡିପି ପରିପନ୍ଥୀ? ଏହା ଭୋଟ୍‌ ଯୋଗୀ ନା ଦେଶରେ ଆର୍ଥିକ ନିଅଣ୍ଟ ସୃଷ୍ଟିର ଏକ ଉଦାହରଣ? ଏସବୁ ପ୍ରଶ୍ନ ପଛରେ ସକରାତ୍ମକ ଓ ନକରାତ୍ମକ ଯୁକ୍ତି ରହିଛି। କିନ୍ତୁ ଦେଶର ଅଧିକାଂଶ ଜନତା ଯଦି ଉପକୃତ ହେଉଛନ୍ତି ତେବେ ତାହାଠୁ ଭଲ ଅର୍ଥନୀତିକ ପରିଚାଳନା ବିଶ୍ଵରେ ନ ରହିପାରେ? ଯେଉଁ ଆର୍ଥିକ ନିଅଣ୍ଟ ସ୍ଥିତି ସୃଷ୍ଟି ହେଉଛି ତାହାକୁ ପୂରଣ ପାଇଁ ସରକାର ଧନୀକଙ୍କ ଉପରେ ଅଧିକ ଟିକସ ବସାଇପାରନ୍ତି। ଆଉ ଧନୀ-ଦରିଦ୍ରଙ୍କ ଭିତରେ ଥିବା ତାରତମ୍ୟକୁ ହ୍ରାସ କରି ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୋଇପାରନ୍ତି!

ବଜେଟ୍‌ ୨୦୧୯-୨୦: ରାଜ୍ୟ ହରାଇବ ୨୬ ହଜାର ୩୪୨ କୋଟି

କୃଷକଙ୍କୁ କେନ୍ଦ୍ର ବଜେଟରୁ ଅଧିକ ସହାୟତା ଦେଉଛନ୍ତି ତେଲେଙ୍ଗାନା- ଓଡ଼ିଶା