ବଜେଟ୍‌ ଅଧିବେଶନ: ଆରମ୍ଭରୁ ଅଶାନ୍ତି

ଭୁବନେଶ୍ଵର (ଓଟି): ବିଧାନସଭା ବଜେଟ୍ ଅଧିବେଶନ ଆଜି ଆରମ୍ଭ ହୋଇଯାଇଛି। ତେବେ ଆରମ୍ଭରୁ ଗୃହରେ ଅଶାନ୍ତି ପରିଲକ୍ଷିତ ହୋଇଛି। ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍‌ଙ୍କ ଅଭିଭାଷଣରୁ ବଜେଟ ଅଧିବେଶନ ଆରମ୍ଭ ହୋଇଥିଲା। ତେବେ ରାଜ୍ୟପାଳଙ୍କ ଅଭିଭାଷଣବେଳେ କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ।

ଅଭିଭାଷଣ ପ୍ରାରମ୍ଭରୁ ସହିଦ ଓ ଦିବଂଗତ ନେତାଙ୍କ ବିୟୋଗରେ ରାଜ୍ୟପାଳ ଶୋକପ୍ରସ୍ତାବ ଆଗତ କରିଥିଲେ। ଏହାପରେ ବଜେଟ୍ ଅଭିଭାଷଣରେ ରାଜ୍ୟପାଳ ‘ମୋ ସରକାର’ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ‘ମୋ ସରକାର’ ଲୋକଙ୍କ ସୁବିଧା ପାଇଁ ଆରମ୍ଭ ହୋଇଥିବାବେଳେ ୫-ଟି ଜରିଆରେ ପ୍ରଶାସନକୁ ଅଧିକ କ୍ରିୟାଶୀଳ କରାଯାଇପାରିଛି। ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନା ଏବଂ କାଳିଆ ଛାତ୍ର ବୃତ୍ତି ଯୋଜନା ବେଶ୍‌ ସହାୟକ ହୋଇପାରିଛି। ଏଥିସହ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ମୋ ସରକାର ଗୁରୁତ୍ଵ ଦେଉଛନ୍ତି। ଶ୍ରୀମନ୍ଦିରର ବିକାଶ ପାଇଁ ସରକାର ଗୁରୁତ୍ୱ ଦେଉଥିବାବେଳେ ମନ୍ଦିରର ବିଭିନ୍ନ ସୌନ୍ଦର୍ଯ୍ୟକରଣ କାର୍ଯ୍ୟରୁ ଦେଖିବାକୁ ମିଳିଛି। ଏଥିସହ ଶ୍ରୀଲିଙ୍ଗରାଜ ମନ୍ଦିର ବିକାଶ ପାଇଁ ମଧ୍ୟ ସରକାର ପଦକ୍ଷେପ ନେଉଛନ୍ତି। ରାଜ୍ୟରେ ଦାରିଦ୍ର୍ୟ ଦୂର କରିବାକୁ ବହୁବିଧ ପଦକ୍ଷେପ ନିଆଯିବା ସହ ଉଠା ଜଳସେଚନ ଜରିଆରେ ଚାଷୀଙ୍କୁ ଜଳଯୋଗାଣ ଦିଗକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ସେ ପ୍ରକାଶ କରିଥିଲେ। ରାଜ୍ୟର ୧୧ଟି ଜିଲ୍ଲାର ୫୫ ବ୍ଲକରେ ‘ଓଡ଼ିଶା ମିଲେଟ୍ ମିସନ୍’ ଯୋଜନାର ଶୁଭାରମ୍ଭ ହୋଇଥିବା ରାଜ୍ୟପାଳ ଅଭିଭାଷଣରେ କହିଥିଲେ।

Leave a Reply

Your email address will not be published.