ବଜେଟ୍ ୨୦୨୦: ନିର୍ମଳାଙ୍କ ଆଗରେ କ’ଣ ରହିଛି ଆହ୍ବାନ

0
376
advertisement

ନୂଆଦିଲ୍ଲୀ(ଓଟି): ଦିନକ ପରେ ଆସିବ କେନ୍ଦ୍ରୀୟ ବଜେଟ୍‍ । ସଂସଦରେ ଉପସ୍ଥାପିତ ହେବ ନରେନ୍ଦ୍ର ମୋଦୀ ସରକାରଙ୍କ ପୂର୍ଣ୍ଣାଙ୍ଗ ବଜେଟ୍ । ଏହା ମେଦୀଙ୍କ ଦ୍ୱିତୀୟ ପାଳିର ଦ୍ୱିତୀୟ ସମ୍ପୂର୍ଣ୍ଣ ବଜେଟ୍‍ ହୋଇଥିବାବେଳେ ସାମଗ୍ରିକ ଦୃଷ୍ଟିକୋଣରୁ ଖୁବ୍‍ ଗୁରୁତ୍ୱପୂର୍ଣ୍ଣ । ଅନୁରୂପ ଭାବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣଙ୍କ ପାଇଁ ଏହି ବଜେଟ୍‍ ଉପସ୍ଥାପନା ଏକ ପ୍ରକାର ଚାଲେଞ୍ଜ୍‍ କହିଲେ ଅତ୍ୟୁକ୍ତି ହେବନି । କାରଣ ସମ୍ପ୍ରତି ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବାବେଳେ ଆର୍ଥିକ ଅଭିବୃଦ୍ଧି ସମେତ ସାମଗ୍ରିକ ଅଭିବୃଦ୍ଧି ନୈରାଶ୍ୟଜନକ ରହିଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ବଜେଟ୍‍ ଆସୁଥିବାବେଳେ ଦେଶର ଭବିଷ୍ୟତ ଅର୍ଥନୀତି ଏହା ଉପରେ ହିଁ ନିର୍ଭର କରୁଛି । ମାନ୍ଦାବସ୍ଥାରୁ ନିସ୍ତାର ଆଉ ଦରଦାମ ନିୟନ୍ତ୍ରଣ ସାଙ୍ଗକୁ ସାଧାରଣ ଜନତାଙ୍କୁ ସୁହାଇବା ଭଳି ବଜେଟ୍‍ ଉପସ୍ଥାପନା ପାଇଁ ଲୋକେ ଆଶାବାଦୀ ହୋଇପଡ଼ିଛନ୍ତି ।  ଏଭଳି ସ୍ଥିତିରେ ଆସନ୍ତୁ ନଜର ପକାଇବା ସାମ୍ପ୍ରତିକ ସ୍ଥିତି ଉପରେ ।

କେନ୍ଦ୍ର ସରକାର ୫ ଟ୍ରିଲିଅନ୍‍ ଅଥବା ୫ ଲକ୍ଷ କୋଟିର ଅର୍ଥନୀତି ପାଇଁ ବହୁଦିନର ଆଶାବାଦୀ ହୋଇଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କ ଆଗରେ ଆଶାବ୍ୟକ୍ତ କରିଥିବାବେଳେ ସାମ୍ପ୍ରତିକ ଅର୍ଥନୀତିର ସ୍ଥିତି ଦୃଷ୍ଟିରୁ ସେହି ଲକ୍ଷ୍ୟରେ ପହଞ୍ôଚବା କାଠିକର ପାଠ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ତେଣୁ ଚଳିତ ବଜେଟ୍‍ ବିଗତ ଦଶନ୍ଧିର ସବୁଠାରୁ ଚାଲେଞ୍ଜ ବୋଲି କୁହାଯାଉଛି । ଏହି ବଜେଟ୍ ହିଁ ପରବର୍ତ୍ତୀ ଅର୍ଥନୀତି କାର୍ଯ୍ୟପନ୍ଥାକୁ ନୂଆ ରୂପରେଖ ଦେବ । ଅନ୍ୟପକ୍ଷରେ ସାଧାରଣ ଅର୍ଥନୀତି ବ୍ୟବସ୍ଥାକୁ ତ୍ୱରାନ୍ୱିତ କରି ଦ୍ରୁତ ଅଭିବୃଦ୍ଧି ହାସଲ କରିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଥିଲେ ମଧ୍ୟ ବଜେଟ୍ ପାଇଁ ଅନେକ କଷ୍ଟକର ଦିଗ ରହିଛି । ୨୦୧୯-୨୦ ଆର୍ଥିକ ବର୍ଷର ଜିଡିପି ୫ ପ୍ରତିଶତ ହେବ ବୋଲି କେନ୍ଦ୍ର ସରକାରଙ୍କ ଆଗୁଆ ଆକଳନ ଅନୁସାରେ କୁହାଯାଇଥିବା ବେଳେ ଏହା ଗତ ଦଶନ୍ଧିରେ ସବୁଠାରୁ ନିମ୍ନ ଅଭିବୃଦ୍ଧି ହେବ । ଖାଲି ସେତିକି ନୁହେଁ ମାନ୍ଦାବସ୍ଥା ଏବଂ ନିମ୍ନ ଅଭିବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ରାଜସ୍ୱ ଆୟରେ ହ୍ରାସ ଘଟିଛି । ଫଳରେ ବିତ୍ତୀୟ ବ୍ୟବସ୍ଥା ପ୍ରତି ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିଛି । ଏହି ପରିପ୍ରେକ୍ଷୀରେ ଚଳିତ ଆର୍ôଥକ ବର୍ଷରେ ଅନ୍ୟୂନ ୨ଲକ୍ଷ କୋଟିର ବିତ୍ତୀୟ ନିଅଣ୍ଟକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ବଜେଟ୍‌ରେ କିଭଳି ସମତୁଲତା ରକ୍ଷା କରିବେ ତାହାହିଁ ବିଶେଷଜ୍ଞ ମହଲରେ ଏକ ପ୍ରଶ୍ନ ସୃଷ୍ଟି କରିଛି । ଠିକ୍‍ ସେହିପରି ବର୍ଦ୍ଧିତ ଅର୍ଥନୀତିର ବିଭିନ୍ନ ଦିଗ ଚାପଗ୍ରସ୍ତ ହୋଇଥିଲାବେଳେ ଗତ ବର୍ଷଗୁଡିକ ତୁଳନାରେ ଅଧିକାଂଶ ସୂଚକାଙ୍କ ନିମ୍ନଗାମୀ ହୋଇଛି । ତ୍ୱରିତ ଅର୍ଥନୀତି ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରହିଥିବା ନିବେଶ ଅଭିବୃଦ୍ଧି ସର୍ବନିମ୍ନ ଭାବେ ୧ ପ୍ରତିଶତକୁ ହ୍ରାସ ପାଇଥିଲାବେଳେ ଗତ ୧୭ ବର୍ଷ ମଧ୍ୟରେ ସର୍ବନିମ୍ନ ବୋଲି କୁହାଯାଉଛି । ସେହିପରି ଘରୋଇ ଉପଯୋଗ ହାର ବିଗତ ୭ ବର୍ଷ ମଧ୍ୟରେ ସବୁଠାରୁ ନିମ୍ନରେ ରହିବା ସହିତ ଏହି କ୍ଷେତ୍ରର ଅଭିବୃଦ୍ଧି ୫.୮ ପ୍ରତିଶତକୁ ଖସିଛି । ଏପରିକି ମାନୁଫାକ୍‌ଚରିଂ କ୍ଷେତ୍ରର ଅଭିବୃଦ୍ଧି ୨୦୧୯-୨୦ ବର୍ଷରେ ୨ ପ୍ରତିଶତ ରହିଥିଲାବେଳେ ୧୫ ବର୍ଷ ମଧ୍ୟରେ ସବୁଠାରୁ ନିମ୍ନସ୍ତରରେ ପହଞ୍ଚିଛି । ଗୁରୁତ୍ୱପୂର୍ଣ୍ଣ କୃଷି କ୍ଷେତ୍ରର ଅଭିବୃଦ୍ଧି ୪ ବର୍ଷ ମଧ୍ୟରେ ସର୍ବନିମ୍ନସ୍ତରରେ ପହଞ୍ôଚବା ସହିତ ୨.୮ ପ୍ରତିଶତ ରହିଥିବା ଦୃଷ୍ଟିକୋଣରୁ ବଜେଟରେ ଏସମସ୍ତ ଦିଗକୁ କିଭଳି ବିଚାର କରାଯିବ ତାହା ବିଶେଷଜ୍ଞଙ୍କ ପାଇଁ ଆଶ୍ଚର୍ଯ୍ୟର ବିଷୟ ହୋଇଛି ।