ମୋଦୀଙ୍କୁ ‘ସୁନା ଚଢ଼େଇ’ ଭୟ

0
2183
advertisement
ଲେଖକ
ଗୌରୀ ପ୍ରସାଦ ମହାପାତ୍ର
ଜଣେ ସାମ୍ବାଦିକ ଏବଂ ଏହି ଆଲେଖ୍ୟ ତାଙ୍କ ବ୍ୟକ୍ତିଗତ ଅନୁଶୀଳନରୁ ପ୍ରସ୍ତୁତ ।

ଆସନ୍ନ ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନ୍‍ଡିଏ ସରକାରଙ୍କ ଶେଷ ବଜେଟ ଯେ କେବଳ ମଧ୍ୟବିତ୍ତ ବର୍ଗ ଭୋଟସର୍ବସ୍ୱ (ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍‍ଙ୍କ ଭାଷାରେ ‘ଭୋଟ୍‍ ଅନ୍‍ ଆକାଉଣ୍ଟ’ ନୁହେଁ, ‘ଆକାଉଣ୍ଟ ଫର ଭୋଟ୍‍’) ତାହା ଆଉ ଅସ୍ପଷ୍ଟ ହୋଇ ରହିନାହିଁ । ଆଗାମୀ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେବାକୁ ଯାଉଥିବା କୃଷି ଓ କୃଷକ ପ୍ରସଙ୍ଗକୁ ଆଗରେ ରଖି ଅତି ଚତୁରତାର ସହିତ ଦେଶର ମଧ୍ୟବିତ୍ତ ବର୍ଗଙ୍କୁ ସନ୍ତୁଷ୍ଟ କରିବା ପାଇଁ ବଜେଟରେ ଯେଭଳି ପ୍ରଭାବଶାଳୀ ଉଦ୍ୟମ କରାଯାଇଛି ସେଥିପାଇଁ ନରେନ୍ଦ୍ର ମୋଦୀ ତାଙ୍କ ଟିମ୍‍ର ପ୍ରଶଂସାରେ ଶତମୁଖ ହୋଇଥିବେ ନିଶ୍ଚୟ ।

ପରମ୍ପରା ଭାଙ୍ଗି ଚଳିତବର୍ଷ ଅନ୍ତରୀଣ ବଜେଟରେ କେନ୍ଦ୍ର ସରକାର ଆୟକରରେ ଯେଉଁ ରିହାତି ବା ଛାଡ଼ ଘୋଷଣା କରିଛନ୍ତି ତାହା ଅଭୂତପୂର୍ବ । ମଧ୍ୟବିତ୍ତ ବର୍ଗ ବା ନିମ୍ନ ବର୍ଗର କରଦାତାଙ୍କ ପାଇଁ ଏହାଠାରୁ ଆଉ ବଡ଼ ସରକାରୀ ଉପହାର ବୋଧହୁଏ ଆଶା କରାଯାଇନପାରେ । କୃଷକ ଓ ଶ୍ରମିକଙ୍କ ପାଇଁ ଘୋଷିତ ଯୋଜନାର ସର୍ତ୍ତାବଳୀ ମଧ୍ୟ ପାଖାପାଖି ସେହି ନିମ୍ନ ମଧ୍ୟବିତ୍ତ ବର୍ଗ ପାଇଁ ଉଦ୍ଦିଷ୍ଟ ।

advertisement

ମଧ୍ୟବିତ୍ତ ବର୍ଗଙ୍କୁ ସନ୍ତୁଷ୍ଟ କରିବା ପାଇଁ ମୋଦୀ ଯେ କେବଳ ବଜେଟ୍‍ର ସାହାରା ନେଇଛନ୍ତି ତା’ ନୁହେଁ, ବରଂ ବହୁ ପୂର୍ବରୁ ଏଥିପାଇଁ ଚିନ୍ତା ଓ ଯୋଜନା ଆରମ୍ଭ କରିସାରିଛନ୍ତି । ବିଗତ ଅଧିବେଶନର ଶେଷ ପର୍ଯ୍ୟାୟରେ ଯେଭଳି ଆକସ୍ମିକ ଭାବେ ସାଧାରଣ ବର୍ଗର ଗରିବ(ପରିବାରର ବାର୍ଷିକ ଆୟ ୮ଲକ୍ଷ ଟଙ୍କାରୁ କମ୍‍) ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୧୦% ସଂରକ୍ଷଣ ଆଇନ ପ୍ରଣୟନ ହେଲା ସେଥିରୁ ମଧ୍ୟବିତ୍ତ ବର୍ଗର ଭୋଟର ସନ୍ତୁଷ୍ଟିକରଣ ଗନ୍ଧ ଆସିବା ସ୍ୱାଭାବିକ । ଅଧିକନ୍ତୁ ମଧ୍ୟବିତ୍ତ ବର୍ଗଙ୍କ ପ୍ରତି ବିଜେପି କେତେ ସମ୍ବେଦନଶୀଳ ଓ ଯତ୍ନବାନ ତାହା ଜାନୁଆରୀ ପହିଲାରେ ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟ କରିସାରିଥିଲେ । ଭୋଟ ବିଶାରଦ ମାନଙ୍କ ମତରେ ନିର୍ବାଚନ ବା ଭୋଟଦାନରେ ମଧ୍ୟବିତ୍ତବର୍ଗର ସକ୍ରିୟତା ଗରିବ, ପଛୁଆ ଓ ଅବହେଳିତ ବର୍ଗ ତୁଳନାରେ ସେତେଟା ଉତ୍ସାହଜନକ ନୁହେଁ। ତଥାପି ମୋଦୀଙ୍କ ମଧ୍ୟବିତ୍ତ ବର୍ଗ ପ୍ରତି ଏଭଳି ଉତ୍ସାହ, ମୋହ ବା ଭୟର କାରଣ କଣ ହୋଇପାରେ? ବିଗତ ଦୁଇ ଦଶନ୍ଧିର ନିର୍ବାଚନ ଫଳାଫଳକୁ ଅନୁଶୀଳନ କଲେ ଏହି ପ୍ରଶ୍ନର ଉତ୍ତର ମଧ୍ୟ ମିଳିଯିବ ।

ସାମାଜିକ ବିଜ୍ଞାନୀ, ଅର୍ଥନୀତିଜ୍ଞ ଓ ପରିସଂଖ୍ୟାନବିତ୍‍ଙ୍କ ମୁଣ୍ଡପିଛା ଆୟ ସଂଜ୍ଞା, ଜୀବନଧାରଣର ମାନ, ଭୌଗୋଳିକ ସ୍ଥିତି, ଜ୍ଞାନ ଆହରଣର ଅନୁସନ୍ଧିତ୍ସା, ପରିବର୍ତ୍ତିତ ଅର୍ଥନୈତିକ ଓ ରାଜନୈତିକ ସ୍ଥିତି ଆଦି ଆଧାରରେ ଏବେ ଭାରତରେ ମଧ୍ୟବିତ୍ତ(ନିମ୍ନ ଓ ଉଚ୍ଚ) ବର୍ଗଙ୍କ ସଂଖ୍ୟା ୫୦ କୋଟିରୁ ଅଧିକ। ପ୍ରାୟ ୧୯୭୦ ପର୍ଯ୍ୟନ୍ତ ଅର୍ଥନୀତି ଓ ରାଜନୀତିରେ ଗୁୁରୁତ୍ୱହୀନ ଏହି ବର୍ଗ ୧୯୯୧ରେ ଜଗତୀକରଣ ଓ ଉଦାରୀକରଣ ପରେ ନିଜର ଏକ ନୂଆ ପରିଚୟ ସୃଷ୍ଟି କରିବାରେ ସକ୍ଷମ ହେଲେ । ସାଟେଲାଇଟ୍‍ ଓ ଇଣ୍ଟରନେଟ୍‍ର ବହୁଳ ବ୍ୟବହାର କରି ଭାରତକୁ ଏକ ନୂଆ ଦୃଷ୍ଟି ଭଙ୍ଗୀରେ ଦେଖିବା ସହ ରାଷ୍ଟ୍ରଗଠନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କଲେ । ବଜାର ଓ ବାଣିଜ୍ୟରେ କ୍ରମଶଃ ଏହି ବର୍ଗ ହିଁ ପ୍ରମୁଖ ଭୂମିକା ନିର୍ବାହ କରିବା ପରେ ସେମାନଙ୍କୁ ନେଇ ଅର୍ଥନୀତିର ନୂଆ ରୂପରେଖ ପ୍ରସ୍ତୁତ ହେଲା । କାଳକ୍ରମେ ରାଜନୀତିରେ ମଧ୍ୟବିତ୍ତବର୍ଗ ପ୍ରଭାବଶାଳୀ ଓ ନିର୍ଣ୍ଣାୟକ ସାବ୍ୟସ୍ତ ହେଲେ । ଭୋଟଦାନରେ ପ୍ରତ୍ୟକ୍ଷ ଅବଦାନ କମ୍‍ ହେଲେ ମଧ୍ୟ ଗଣମାଧ୍ୟମ ଓ ବଜାର ମାଧ୍ୟମରେ ଦେଶର ଜନସାଧାରଣଙ୍କ ସାମଗ୍ରିକ ଆବେଗ, ଆଭିମୁଖ୍ୟ ଓ ଆକ୍ରୋଶକୁ ସେମାନେ ପ୍ରତିଫଳିତ କରିପାରିଲେ । ଡିଜିଟାଲ୍‍ ମିଡିଆ ଯୁଗରେ ଜନମତ ସବୁଠାରୁ ପ୍ରଭାବଶାଳୀ ଥିବାରୁ ତାହା ନିର୍ବାଚନରେ ପ୍ରତିଫଳିତ ହେଲା । ବିଭିନ୍ନ ସମୟରେ ଏହି ବର୍ଗର ଦୁର୍ନୀତି ବିରୋଧୀ ସ୍ୱର ଓ ନ୍ୟାୟ ସଙ୍ଗତ ଦାବି ଯୋଗୁଁ ସରକାରଙ୍କୁ ବାଧ୍ୟବାଧକତାରେ ଆଇନ ପ୍ରଣୟନ କରିବାକୁ ପଡ଼ିଲା । ପରବର୍ତ୍ତୀ ସମୟରେ ସେହି ସବୁ ଆଇନ୍‍ ସାଧାରଣ ଜନତାଙ୍କ ଶକ୍ତି ଭାବେ ପରିଗଣିତ ହେଲା ।

ଏହି ଅଫୁରନ୍ତ ଶକ୍ତିସମ୍ପନ୍ନ ଓ ବିଶାଳ ସମ୍ଭାବନାପୂର୍ଣ୍ଣ ଭାରତର ମଧ୍ୟବିତ୍ତ ବର୍ଗକୁ ତେଣୁ ୨୦୦୭ରେ ମ୍ୟାକ୍‍ କିନ୍‍ ସେ ଦ୍ୱାରା ‘ବାର୍ଡ ଅଫ୍‍ ଗୋଲ୍ଡ’ ବା ‘ସୁୁନା ଚଢ଼େଇ’ ନାମରେ ନାମିତ କରାଯାଇଥିଲା ।

ସାଧାରଣତଃ ଭୋଟଦାନରୁ ବିରତ ରହିବାକୁ ପସନ୍ଦ କରୁଥିବା ଏହି ‘ସୁୁନା ଚଢ଼େଇ’ମାନେ ଯେତେବେଳେ ସରକାରୀ ନୀତି ନିୟମ, ଆଭିମୁଖ୍ୟ ଓ କାର୍ଯ୍ୟଧାରାରେ ଅତିଷ୍ଠ ହୋଇଉଠନ୍ତି ସେତେବେଳେ ନିର୍ବାଚନୀ ଅଙ୍କ ଓଲଟପାଲଟ ହୋଇଯାଏ – ୨୦୧୪ ସାଧାରଣ ନିର୍ବାଚନ ଓ ଦିଲ୍ଳୀ ବିଧାନସଭା ନିର୍ବାଚନରେ ଏହାର ଉଦାହରଣ ଓ ପ୍ରତିଫଳନ ଦେଖିବାକୁ ମିଳିଥିଲା । କଂଗ୍ରେସ ନେତୃତ୍ୱାଧୀନ ‘ଉପା’ ସରକାର ବିରୋଧରେ ‘ସୁୁନା ଚଢ଼େଇ’ମାନଙ୍କର ଆକ୍ରୋଶ ହିଁ ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ପାଇଁ ବିପୁଳ ବିଜୟ ଆଣିଦେଇଥିଲା । କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ମିଡିଆ ଉପଦେଷ୍ଟା ମଣିଶଙ୍କର ଆୟାର ମଧ୍ୟ ନିର୍ବାଚନ ପରେ ମୁକ୍ତ କଣ୍ଠରେ ଏହା ସ୍ୱୀକାର କରିଥିଲେ ।

ନରେନ୍ଦ୍ର ମୋଦୀଙ୍କ ଐତିହାସିକ ବିଜୟ ଓ ବିଜେପିର ଉତ୍ଥାନ ପଛରେ ପ୍ରଚ୍ଛନ୍ନ ଭୂମିକା ଥିବା ଏହି ‘ସୁୁନା ଚଢ଼େଇ’ମାନେ ହିଁ ଏକଦା ବିଜେପିର ପରାଜୟ ପଛର କାରଣ ସାଜି ଥିଲେ । ‘ସେଣ୍ଟର ଫର ଷ୍ଟଡି ଅଫ୍‍ ଡେଭେଲପିଙ୍ଗ ସୋସାଇଟି’ରେ ‘ଲୋକନୀତି’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ୧୯୯୯ ସାଧାରଣ ନିର୍ବାଚନରେ ଉଭୟ ବିଜେପି ଓ କଂଗ୍ରେସର ମଧ୍ୟବିତ୍ତ ବର୍ଗ ଭୋଟ ହାର ଥିଲା ୨୯% । ୨୦୦୪ରେ ବିଜେପିର ଏହି ଭୋଟ ହାର ୨୩କୁ କମିଗଲା ଓ କଂଗ୍ରେସର ୩୦%କୁ ବଢ଼ିଗଲା । ଏହା ହିଁ ଥିଲା ଅଟଳ ବିହାରି ବାଜପେୟୀଙ୍କ ‘ସାଇନିଂ ଇଣ୍ଡିଆ ସ୍ଲୋଗାନ୍‍’କୁ ଦେଇଥିବା ଝଟ୍‍କା ପଛର କାରଣ । ୨୦୦୯ ପର୍ଯ୍ୟନ୍ତ ବିଜେପି ଏହି ଝଟ୍‍କାରୁ ମୁକୁଳିପାରିନଥିଲା । ୨୦୧୪ରେ ‘ସୁୁନା ଚଢ଼େଇ’ମାନଙ୍କର ‘ଫିଲ୍‍ ଗୁଡ୍‍ ଫ୍ୟାକ୍ଟର’ ଯୋଗୁଁ ଭାରତର ରାଜନୈତିକ ମାନଚିତ୍ରରେ ଏକ ବିରାଟ ପରିବର୍ତ୍ତନ ଆସିଲା । ମଧ୍ୟବିତ୍ତ ବର୍ଗର ୩୩% ଭୋଟ ବିଜେପି ପାଇଁ ସର୍ବକାଳୀନ ଶ୍ରେଷ୍ଠ ବିଜୟ ଆଣିଦେଇଥିବା ବେଳେ ଏହି ବର୍ଗର ମାତ୍ର ୨୦% ଭୋଟ ପାଇ କଂଗ୍ରେସ ବିରୋଧୀ ଦଳର ମାନ୍ୟତା ହରାଇଥିଲା ।

ସାଧାରଣତଃ ‘ଭୋଟ ପାଇଁ ନୋଟ’ରେ ଭଳି ଯାଉନଥିବା କିମ୍ବା ଆଜୀବନ କୃତଜ୍ଞତାରେ ବିଶ୍ୱାସ ରଖୁନଥିବା ଏହି ‘ସୁୁନା ଚଢ଼େଇ’ମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ନରେନ୍ଦ୍ର ମୋଦୀ ଅନ୍ତରୀଣ ବଜେଟ୍‍ରେ ଭରପୂର ତଥା ଶେଷ ପ୍ରୟାସ କରିଛନ୍ତି । କାରଣ ମୋଦୀଙ୍କୁ ଏକଥା ଅଜଣା ନାହିଁ ଯେ ୨୦୧୪ରେ ଦେଇଥିବା ନିଯୁକ୍ତି ଓ କଳାଟଙ୍କା ଫେରାଇ ଆଣିବା ପ୍ରତିଶ୍ରୁତି ରକ୍ଷା କରିବାରେ ସେ ଓ ତାଙ୍କ ଦଳ ବିଫଳ ହୋଇଛନ୍ତି । ବେରୋଜଗାରୀ ହାର ୪୫ ବର୍ଷର ସର୍ବନିମ୍ନ ସ୍ତରକୁ ଖସି ଆସିଛି। ଆରବିଆଇ ଓ ସିବିଆଇର ସ୍ୱାଧୀନତାରେ ହସ୍ତକ୍ଷେପ ଜନିତ ବ୍ୟଥା ଓ ରାଫେଲ୍‍ ଦୁର୍ନୀତିର ଧୂଆଁ , ତୈଳ ଓ ଗ୍ୟାସ ମୂଲ୍ୟ ବୃଦ୍ଧି ‘ସୁନା ଚଢ଼େଇ’ମାନଙ୍କୁ ଅତିଷ୍ଠ କରିଛି । ସବୁଠାରୁ ଊଦ୍ଧ୍ୱର୍ରେ ରହିଛି ବିମୁଦ୍ରାକରଣର ଆକ୍ରୋଶ, ଫାଇନାନ୍ସିଆଲ୍‍ ରିଜୋଲ୍ୟୁସନ୍‍ ଆଣ୍ଡ ଡିପୋଜିଟ୍‍ ଇନ୍ସ୍ୟୁରାନ୍ସ ଆଇନ୍‍ ଜରିଆରେ ବ୍ୟାଙ୍କଜମା ବାଜ୍ୟାପ୍ତି ଭୟ ଏବଂ ୨୦୧୮-୧୯ସାଧାରଣ ବଜେଟ୍‍ର ସେସ୍‍ ବୋଝ ।