ଗଣପତିନଗର ବସ୍ତିକୁ ସିଲ୍‌ କଲା ବିଏମ୍‌ସି

ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ବର ଗଣପତି ବସ୍ତିରେ ଏକାଥରକେ ୧୪ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ବସ୍ତିର ଜଣେ ଗର୍ଭବତୀ ମହିଳାଙ୍କ ସଂସ୍ପର୍ଶରେ ଆସି ସମସ୍ତେ ସଂକ୍ରମିତ ହୋଇଛନ୍ତି । ଅଧିକାଂଶ ମହିଳାଙ୍କ ପାଖ ପଡୋଶୀ । ସଂକ୍ରମିତଙ୍କ ମଧ୍ୟରେ ଦୁଇ ଜଣ କୋଭିଡ୍‌ ସଚେତକ, ଜଣେ ଆଶା କର୍ମୀ ବି ଅଛନ୍ତି । କିଛି ଦିନ ତଳେ ଉକ୍ତ ଗର୍ଭବତୀ ମହିଳା ପଜିଟିଭ୍‌ ଆସିଥିଲେ । ସେ ପଜିଟିଭ୍‌ ଆସିବା ପରେ ତାଙ୍କୁ ଆମ୍ବଲାନ୍ସରେ ନେବାକୁ କୋଭିଡ୍‌ ସଚେତକ ଓ ଆଶା କର୍ମୀ ଯାଇଥିଲେ । ସେଠାରୁ ସେମାନେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ତାଙ୍କ ସ୍ୱାମୀ ଶ୍ରମିକ ଭାବେ କାମ କରନ୍ତି । ତେବେ ସେ କେମିତି ସଂକ୍ରମିତ ହେଲେ ତାହା ଜଣାପଡୁନି । ଏହାକୁ ନେଇ ତନାଘନା ଆରମ୍ଭ ହୋଇଛି ।

ବସ୍ତିରୁ ଏତେ ସଂଖ୍ୟାରେ ପଜିଟିଭ୍‌ ବାହାରିବା ପରେ ବିଏମସି ଏହାକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି । ପୂରା ଅଞ୍ଚଳକୁ ସିଲ୍‌ କରାଯାଇଛି । ବୈରାଗୀ ଚରଣ ମିଶନରୁ ତାରିଣୀ ମନ୍ଦିର, ତାରିଣୀ ମନ୍ଦିରରୁ ହାଟ ଦେଇ ଅନ୍ନପୂର୍ଣ୍ଣା ମଣ୍ଡପ ଏବଂ ଅନ୍ନପୂର୍ଣ୍ଣା ମଣ୍ଡପଠାରୁ ପ୍ଲଟ୍‌ ନଂ ୬/୨ ଦେଇ ବୈରାଗୀ ଚରଣ ମିଶନ ଯାଏ ରାସ୍ତାକୁ ବିଏମସି ସିଲ୍‌ କରିଛି । ଏହି ଅଞ୍ଚଳରେ ଥିବା ସମସ୍ତ ସରକାରୀ ବେସରକାରୀ ଅଫିସ୍‌ ବନ୍ଦ ରହିବ । ସମସ୍ତ ଲୋକେ ବାଧ୍ୟତାମୂଳକ ଭାବେ କ୍ୱାରେଣ୍ଟାଇନ୍‌ରେ ରହିବେ କୁହାଯାଇଛି ।

Leave a Reply