ପଦ୍ମ ଲୋଚନ ଧରିଲେ ‘ପଦ୍ମ’

0
190
advertisement

ବାଲେଶ୍ୱର,(ଓଟି):ସିମୁଳିଆର ପୂର୍ବତନ ବିଧାୟକ ତଥା  ଟାଣୁଆ କଂଗ୍ରେସ ନେତା ପଦ୍ମଲୋଚନ ପଣ୍ଡା ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ପଦ୍ମଲୋଚନ ପଣ୍ଡା​ ତାଙ୍କର ଶହଶହ ସମର୍ଥକ, ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ, ସମିତି ସଭ୍ୟ, ପୂର୍ବତନ​ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ଉପାଧ୍ୟକ୍ଷଙ୍କ ସହିତ ବିଜେପିରେ ଯୋଗ ଦେଇଛନ୍ତି। ଆଉ ଜଣେ​ ବରିଷ୍ଠ କଂଗ୍ରେସ ନେତା ଶୁଭଙ୍କର ମହାପାତ୍ର ମଧ୍ୟ ଏହି ଅବସରରେ ବିଜେପିରେ ଯୋଗ ଦେଇଛନ୍ତି। ପୂର୍ବରୁ ପଦ୍ମଲୋଚନ ପଣ୍ଡା କଂଗ୍ରେସରୁ ଇସ୍ତଫା ଦେଇଥିଲେ। କଂଗ୍ରେସରୁ ଇସ୍ତଫା ଦେବା ପରେ ପଦ୍ମଲୋଚନ ପଣ୍ଡା ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ହୋଇ ଆସୁଥିଲା।

ଖଇରା ମେଳଣ ପଡ଼ିଆରେ ବିଜେପି ପକ୍ଷରୁ ଅନୁଷ୍ଠିତ ମିଶ୍ରଣ ପର୍ବରେ ପଦ୍ମଲୋଚନ ପଣ୍ଡା ପଦ୍ମ ଧରିଛନ୍ତି। ୧୯୮୫, ୧୯୯୫ ଓ ୨୦୦୪ରେ ସେ ସିମୁଳିଆର ବିଧାୟକ ଥିଲେ। ତେବେ ଦୀର୍ଘଦିନ ଧରି ସେ କଂଗ୍ରେସରେ ଆଉ ସକ୍ରିୟ ନଥିଲେ। ବିଶେଷକରି ପିିସିସି ଉପସଭାପତି ଅନନ୍ତ ସେଠୀଙ୍କ ସହ ତାଙ୍କର ସୁସମ୍ପର୍କ ନଥିବାରୁ ସେ କଂଗ୍ରେସ ପ୍ରତି ବୀତସ୍ପୃହ ହୋଇ ପଡ଼ିଥିଲେ।

ପଦ୍ମଲୋଚନ ବିଜେପିରେ ଯୋଗଦେବା ପରେ ସିମୁଳିଆ ବିଜେପି ରାଜନୀତି ଉଷ୍ମ ହୋଇପଡ଼ିଛି। ସିମୁଳିଆରୁ ଟିକେଟ ଦୌଡ଼ରେ ରାଷ୍ଟ୍ରୀୟ ବିଜେପି ଯୁବମୋର୍ଚ୍ଚା ଉପସଭାପତି ଠାକୁର ରଣଜିତ ଦାସ ଆଗରେ ରହିଛନ୍ତି। କିନ୍ତୁ ପଦ୍ମଲୋଚନ ନିଜେ ବିଜେପି ଟିକେଟ ପାଇଁ ଆଶାୟୀ ରହିଛନ୍ତି। ସେହିପରି ବିଜେପିରୁ ଶଶୀ କୁମାର ସାହୁ ମଧ୍ୟ ଟିକେଟ ଦୌଡ଼ରେ ରହିଛନ୍ତି।