ଫେବୃଆରୀ ୨ରେ ଭୁବନେଶ୍ଵରରେ ହେବ ବିଜେପିର ରାଷ୍ଟ୍ରୀୟ ଜନଜାତି ମହାଧିବେଶନ

0
72
advertisement
ଭୁୁବନେଶ୍ୱର, (ଓଟି):  ଫେବୃଆରୀ ୨ ଏବଂ ୩ ତାରିଖ ଦିନ ଭୁବନେଶ୍ୱରଠାରେ ଭାରତୀୟ ଜନତାପାର୍ଟିର ରାଷ୍ଟ୍ରୀୟ ଜନଜାତି  ମହାଅଧିବେଶନ ଅନୁଷ୍ଠିତ ହେବ । ଜନଜାତିମାନଙ୍କର ଅଧିକାରକୁ ଛଡାଇ ନେବା, କେନ୍ଦ୍ର ସରକାର ପ୍ରଣୟନ କରିଥିବା ଯୋଜନାକୁ ସଠିକ୍ ଭାବରେ ଲାଗୁ କରାଇ ନଦେବା ଏବଂ ଜନଜାତି ଆଦିବାସୀମାନଙ୍କର ବିଭିନ୍ନ ଜ୍ୱଳନ୍ତ ପ୍ରସଙ୍ଗକୁ ନେଇ ଏହି ଅଧିବେଶନ ଆୟୋଜିତ ହେବ ବୋଲି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ସୂଚନା ଦେଇଛନ୍ତି । 
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଓରାମ କହିଛନ୍ତି ଯେ, ଆଦିବାସୀଙ୍କ ଅଧିକାର ପାଇଁ ଆୟୋଜିତ ଏହି ଅଧିବେଶନରେ ୫ ହଜାରରୁ ଉଦ୍ଧ୍ୱର୍ ପ୍ରତିନିଧି ସାମିଲ ହେବା ସହ ଦେଶର ପ୍ରମୁଖ ଆଦିବାସୀ ନେତା, ମନ୍ତ୍ରୀ, ବିଧାୟକ, ଜିଲ୍ଲାପରିଷଦ ଅଧ୍ୟକ୍ଷମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହା ସହ ଫେବୃଆରୀ ୩ ତାରିଖ ଦିନ  ‘ଆଦିବାସୀଙ୍କ ହକ୍ ପାଇଁ ଭୁବନେଶ୍ୱର ଚାଲ’ ଅଭିଯାନ ରାଲି  ଆୟୋଜିତ ହେବ । ଏହି ରାଲିରେ ବିଜେପି ରାଷ୍ଟ୍ରୀୟ ସଭାପତି ଶ୍ରୀ ଅମିତ ଶାହାଙ୍କ ସମେତ ୧ ଲକ୍ଷରୁ ଅଧିକ ଆଦିବାସୀ ଯୋଗ ଦେଇ ନିଜ ଅଧିକାର ସୁରକ୍ଷା ପାଇଁ ଦାବି ଓ ରାଜ୍ୟସରକାରଙ୍କ ଜନଜାତି ବିରୋଧୀ ନୀତିକୁ ବିରୋଧ କରିବେ ବୋଲି ଶ୍ରୀ ଓରାମ କହିଛନ୍ତି । 
ରାଜ୍ୟରେ ସବୁ ସମୟରେ ଆଦିବାସୀମାନେ ଉପେକ୍ଷିତ ହୋଇ ଆସୁଛନ୍ତି । ରାଜ୍ୟସରକାର ଆଦିବାସୀମାନଙ୍କୁ ସେମାନଙ୍କ ଅଧିକାର ଦେବାରେ ସପୂର୍ଣ୍ଣରୂପେ ବିଫଳ ହୋଇଛନ୍ତି । ଜମି ନଥାଇ ଜମି ପଟ୍ଟା ଦେବେ ବୋଲି ମିଥ୍ୟା ପ୍ରତିଶୃତି ଦେଇଛନ୍ତି । ସେହିପରି ଜାତି ପ୍ରମାଣପତ୍ର ପାଇଁ ବିଭିନ୍ନ  ଆଇନ କରି ଜନଜାତି ଲୋକମାନଙ୍କୁ ହଇରାଣ କରୁଛନ୍ତି । ଜନଜାତି ବର୍ଗଙ୍କ ଷ୍ଟାଇପେଣ୍ଡ ବକେୟା ରହିଛି । ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ନାଁରେ  ୯ଟି ପରିଷଦ କରି ନିର୍ବାଚିତ ପ୍ରତିନିଧୀମାନଙ୍କ ଅଧିକାରକୁ ଛଡାଇ ନେଇଛନ୍ତି । ରାଜ୍ୟସରକାରଙ୍କ ଆଦିବାସୀମାରଣ ନୀତିକୁ ବିରୋଧ ସହ ଆଦିବାସୀମାନଙ୍କୁ ସେମାନଙ୍କ ହକ୍ ଦେବା ଏହି ଅଧିବେଶନରେ ପ୍ରମୁଖ ଉଦ୍ଦେଶ୍ୟ ବୋଲି ଶ୍ରୀ ଓରାମ କହିଛନ୍ତି । 
ଆଜି ରାଜ୍ୟ କାର୍ଯ୍ୟାଳୟରେ ଜନଜାତି ମୋର୍ଚ୍ଚା ଅଧ୍ୟକ୍ଷ ତଥା ବିଧାୟକ   ରବି ନାୟକଙ୍କ ଅଧ୍ୟକ୍ଷତାରେ ଏହି ଅଧିବେଶନକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହି ପ୍ରସ୍ତୁତି ବୈଠକରେ ଦୁଇ କେନ୍ଦ୍ରମନ୍ତ୍ରୀ  ଜୁଏଲ ଓରାମ ଓ  ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ତଥା ସାସଂଦ ରାମବିଚାର ନେତମ, ବିଧାୟକ ଦଳ ନେତା  କେଭି ସିଂହହେଓ, ରାଜ୍ୟ ବିଜେପି ସାଧାରଣ ସଂପାଦକ (ସଂଙ୍ଗଠନ) ମାନସ ମହାନ୍ତି, ଆଦିବାସୀ ମୋର୍ଚ୍ଚା ରାଜ୍ୟ ପ୍ରଭାରୀ ଲକ୍ଷ୍ମଣ ଟୁଡୁ, ରାଜ୍ୟ ସାଧାରଣ ସଂପାଦକ ଅନନ୍ତ ନାୟକ,  ପୂର୍ବତନ ସାସଂଦ ଜୟୀରାମ ପାଙ୍ଗୀ, ରାଜ୍ୟ ଉପସଭାପତି  ସମୀର ମହାନ୍ତି ଓ  ସୁକେଶୀ ଓରାମ, ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର, ପୂର୍ବତନ ବିଧାୟକ ମୋହନ ମାଝୀ, କାଳିରାମ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।