ନୂଆ ବର୍ଷରୁ ବିଜେପି-ବିଜେଡ଼ି ଛକାପଞ୍ଝା

ଭୁବନେଶ୍ୱର,(ଓଟି):ନୂଆ ବର୍ଷ ଆରମ୍ଭରୁ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ଛକାପଞ୍ଝା ରାଜନୀତି । ଜାନୁଆରୀ ପ୍ରଥମ ସପ୍ତାହରୁ ଏହା ଆରମ୍ଭ ହେଉଛି । ଆସନ୍ତା ୫ ତାରିଖରେ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରିପଦା ଗସ୍ତରେ ଆସୁଥିବା ବେଳେ ସେହିଦିନ ରାଜ୍ୟ ସରକାରଙ୍କ ତରଫରୁ ସମାନ୍ତରାଳ ଭାବେ ପୁରୀରେ ଆୟୋଜିତ ହେଉଛି ଆଉ ଏକ କାର୍ଯ୍ୟକ୍ରମ ।

ବାରିପଦାରେ ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥର ଲୋକର୍ପଣ ସାଙ୍ଗକୁ ଦଳୀୟ ସମାବେଶକୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ସେହି ଦିନ ପୂରୀ ଇନଡୋର ହଲରେ ଆୟୋଜିତ ହେବ ସ୍ବୟଂ ସହାୟକ ଗୋଷ୍ଠିର ସମାବେଶ । ଏହି ସମବାେଶରେ ୬୦ହଜାରରୁ ଅଧିକ ମହିଳାଙ୍କୁ ସରକାର ଏକାଠି କରି ସେମାନଙ୍କୁ ମୋବାଇଲ ଓ ୧୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ । ଉପକୂଳ ଓଡିଶାରୁ ପ୍ରାୟ ୭୦ହଜାର ସ୍ବୟ ସହାୟକ ଗୋଷ୍ଠୀ ଏହି ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ପୂର୍ବ ଘୋଷଣା ଅନୁଯାୟୀ ସ୍ବୟଂ ସହାୟକ ଗୋଷ୍ଠିକୁ ମୋବାଇଲ ଓ ୧୫ହଜାର ଟଙ୍କା ଦିଆଯିବ । ୨୭ହଜାର ନୂଆ କରି ଗଠିତ ହୋଇଥିବା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୧୫ହଜାର ଲେଖାଏଁ ଦିଆଯିବ ଏବଂ ଏହି ଅର୍ଥ ସେମାନଙ୍କ ଆକାଉଣ୍ଟକୁ ସିଧାସଳକ ପଠାଯିବ । ସେହିଭଳି ବଳକା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୩ହଜାର ଟଙ୍କା ଲେଖାଏଁ ମୋବାଇଲ କ୍ରୟ ପାଇଁ ପ୍ରଦାନ କରାଯିବ । ମହିଳାଙ୍କୁ ଡିଜିଟାଲ କରିବାକୁ ଏହି ଉଦ୍ୟମ କରାଯାଉଛି । ପୁରୀ ଜିଲ୍ଲାର ମୋଟ ୧୧ଟି ଫେଡେରେସନ ଏବଂ ପୌରାଞ୍ଚଳରେ ଗୋଟିଏ ମହିଳା ଫେଡେରେସନକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯିବ ।

ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ସମାନ୍ତରାଳ ରାଜନୈତିକ ଛକାପଞ୍ଝା ଚାଲିଥିବା ବେଳେ ବିଜେପି ରାଜ୍ୟ ସଭାପତି କହିଛନ୍ତି ଯେ, ନିର୍ବାଚନ ବର୍ଷରେ ପ୍ରଧାନମନ୍ତ୍ରୀ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଓଡିଶା ଆସୁଛନ୍ତି । ସେହି ଅବସରରେ ଦଳର ମିଶନ ୧୨୦ ପ୍ଲସ ମିଶନ ଲକ୍ଷ୍ୟ ହାସଲ ପାଇଁ କର୍ମୀଙ୍କୁ ଉତ୍ସାହିତ କରିବେ । ସେପଟେ ବିଜେଡି କହିଛି ରାଜ୍ୟ ସରକାର ମହିଳାଙ୍କ ବିକାଶ, ସ୍ବାସ୍ଥ୍ୟ ସେବା ଓ ଚାଷୀ ଆଦି ସମସ୍ୟାକୁ ନେଇ ନିଜର ଯୋଜନା ଜାରି ରଖିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସୁଥିବା ବେଳେ ରାଜ୍ୟର ସମସ୍ୟା ସଂପର୍କରେ ରାଜ୍ୟବାସୀଙ୍କ ନିକଟରେ ଜବାବ ରଖିବା ଉଚିତ ।

ଅଧିକ ଖବର ପାଇଁ କ୍ଲିକ୍ କରନ୍ତୁ :

Leave a Reply

Your email address will not be published.