ଅପରାଜିତାଙ୍କ ମୁଣ୍ଡରେ ରାଜନୀତି ଶିରିପାବନ୍ଧା ପର୍ବ ଶେଷ ମୂହୂର୍ତ୍ତରେ ଅଟକିଲା

0
62389
advertisement

 ଭୁବନେଶ୍ୱର,(ଓଟି):ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିବା ବରିଷ୍ଠ ଆଇଏସ‍୍‌ ଅଫିସର ଅପରାଜିତା ଷଡଙ୍ଗୀଙ୍କ ରାଜନୀତିରେ ପ୍ରବେଶକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନାହିଁ। ଅପରାଜିତାଙ୍କ ଅବସର ଆବେଦନ ମଞ୍ଜୁର ହୋଇଥିଲେ ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ସମୟରେ ସିଏ ବିଜେପିରେ ମିଶିଥାନ୍ତେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଏହି ସୂତ୍ର ଅନୁଯାୟୀ ଅପରାଜିତାଙ୍କ ମୁଣ୍ଡରେ ରାଜନୀତି ଶିରିପାବନ୍ଧା ପର୍ବ ଶେଷ ମୂହୂର୍ତ୍ତରେ ଅଟକି ଯାଇଛି।

ଏହି ସୂତ୍ର ଅନୁଯାୟୀ ଦିଲ୍ଲୀରୁ ଫେରିବା ପରେ ଅପରାଜିତା ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିବା ସମୟରେ ସପ୍ତାହେ ମଧ୍ୟରେ ଏହା ମଞ୍ଜୁର ପାଇଁ ଅନୁରୋଧ କରିଥିଲେ। ଯଦି ସପ୍ତାହେ ମଧ୍ୟରେ ରାଜ୍ୟ ସରକାର ଏହାକୁ ଗ୍ରହଣ କରିନେଇଥାନ୍ତେ ତେବେ ମୋଦିଙ୍କ ୨୨ ତାରିଖ ଓଡିଶା ଗସ୍ତ ସମୟରେ ଅପରାଜିତା ବିଜେପିରେ ମିଶିବା ସହିତ ୨୪ତାରିଖରୁ ଆରମ୍ଭ ହେଉଥିବା ମହିଳା ସମାବେଶରେ ଯୋଗ ଦେଇଥାନ୍ତେ। ହେଲେ ସବୁକିଛି ଯୋଜନା ଶେଷ ମୂହୂର୍ତ୍ତରେ ବାତିଲ ହୋଇଯାଇଛି। ବର୍ତ୍ତମାନ ଶ୍ରୀମତୀ ଷଡଙ୍ଗୀଙ୍କ ସ୍ବେଚ୍ଛାକୃତ ଅବସର ଗ୍ରହଣକୁ ରାଜ୍ୟ ସରକାର ଡିସେମ୍ୱର ମାସ ପର୍ଯ୍ୟନ୍ତ ଗଡାଇ ନେବେ ବୋଲି ସୂଚନା ମିଳୁଛି।

ଏଠାରେ ଉଲ୍ଲେଖ କରରାଯାଇପାରେ ଯେ ବିଏମ‍୍‌ସି କମିଶନର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଭାବେ ଅପରାଜିତା ରାଜ୍ୟରୁ ବେଶ‍୍‌ ପ୍ରଶଂସା ସାଉଁଟିଛନ୍ତି। ତାଙ୍କରି ପଦକ୍ଷେପ ଯୋଗୁଁ ଆଜି ସହରଠାରୁ ଗାଁ ଗହଳ ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଡ୍ରେସ‍୍‌କୋଡ୍ ପାଳନ କରୁଥିବାବେଳେ ପିଲାମାନେ ବି ଠିକଣା ସମୟରେ ପାଠ୍ୟପୁସ୍ତକ ପାଇପାରୁଛନ୍ତି। ସେହିଭଳି ବିଏମ‍୍‌ସି କମିଶନର ଭାବେ ତାଙ୍କର ବିଭିନ୍ନ କାର୍ଯ୍ୟକୁ ରାଜଧାନୀବାସୀ ବେଶ‍୍‌ ପସନ୍ଦ କରିଥିଲେ।

ରାଜ୍ୟ ସରକାରଙ୍କର ଅତ୍ୟନ୍ତ ବିଶ୍ୱସ୍ତ ଅଫିସର ଥିବା ଶ୍ରମତୀ ଷଡଙ୍ଗୀ ମଧ୍ୟ ୨୦୧୪ ମସିହାରେ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହୋଇଥିଲା। ଏପରିକି ସେତେବେଳେ ସେ ଶାସକ ବିଜୁ ଜନନା ଦଳରୁ ବିଧାୟକ ପ୍ରାର୍ଥୀହେବେ ବୋଲି ଆଲୋଚନା ଚାଲିଥିଲା। ହେଲେ ସବୁ ଆଲୋଚନାର ସମାପ୍ତି ଘଟାଇ ଶ୍ରୀମତୀ ଷଡଙ୍ଗୀ କେନ୍ଦ୍ରୀୟ ଡେପୁଟେସନରେ ଦିଲ୍ଲୀ ଚାଲିଯାଇଥିଲେ। ଦିଲ୍ଲୀରୁ ଫେରିବାପରେ ତାଙ୍କୁ ରାଜ୍ୟ ପ୍ରଶାସନର ଗୁରୁ ଦାୟିତ୍ୱ ଦିଆଯିବ ବୋଲି ଅନେକ ଆଶା କରିଥିଲେ। କିନ୍ତୁ ସମସ୍ତ ଅଙ୍କକୁ ଭୁଲ‍୍‌ ପ୍ରମାଣିତ କରି ଜଣେ ଦକ୍ଷ ଅଫିସର ଭାବେ ପରିଚିତ ଅପରାଜିତା ସ୍ବେଚ୍ଛାକୃତ ଆବେଦନ କରିବା ପରଠାରୁ ତାଙ୍କର ରାଜନୀତିରେ ଯୋଗଦାନକୁ ନେଇ ଚର୍ଚ୍ଚା ଜୋର ଧରିଛି।

ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କର ଭବିଷ୍ୟତ କାର୍ଯ୍ୟପନ୍ଥା ସଂକ୍ରାନ୍ତରେ ଅପରାଜିତା କୌଣସି ପ୍ରକାରେ ମୁହଁ ଖୋଲୁନଥିବାବେଳେ ଦିଲ୍ଲୀରେ ଥିବା ସମୟରେ ସେ ବିଜେପିର ନିକଟତର ହୋଇଥିବା କୁହାଯାଉଛି। ଯେଉଁଥିପାଇଁ ତାଙ୍କୁ ଦଳରେ ସାମିଲ ସହିତ ଗୁରୁତ୍ୱପୂର୍ଣ୍ଣ ଆସନରେ ବିଜେପି ଲଢାଇପାରେ ବୋଲି ରାଜନୀତି ମହଲରେ ଆଲୋଚନା ହେଉଛି। କିନ୍ତୁ ଏ ନେଇ ବିଜେପି କିମ୍ୱା ଅପରାଜିତା ଏବେ ବି ନୀରବ।