ଆଦିତ୍ୟନାଥଙ୍କ ସମାଲୋଚନା ଭିତ୍ତିହୀନ: ପ୍ରତାପ ଦେବ

ଭୁବନେଶ୍ୱର, (ଓଟି): ଓଡ଼ିଶା ରାଜ୍ୟ ସରକାରଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯେଉଁ ସମାଲୋଚନା କରିଛନ୍ତି, ତାହା ସଂପୂର୍ଣ୍ଣ ଭିତ୍ତିହୀନ । ଯୋଗୀ ଆଦିତ୍ୟନାଥ ପ୍ରଥମେ ଉତ୍ତର ଦେବା ଆବଶ୍ୟକ ଯେ କ୍ଷମତାକୁ ଆସିଲେ ଚାଷୀଙ୍କ ଋଣଛାଡ଼ କରାଯିବ କହିଥିଲେ । କିନ୍ତୁ ଉତ୍ତରପ୍ରଦେଶରେ ଯେଉଁ ଋଣଛାଡ଼ କରାଗଲା, ସେଥିରେ ଚାଷୀ ୧୫ ଟଙ୍କା କିମ୍ବା ୧୭ ଟଙ୍କା ପାଇଲେ । ଏହାଦ୍ୱାରା ଚାଷୀ କେତେଦୂର ଉପକୃତ ହେଲା? ଅପରପକ୍ଷରେ ଭାରତର କୃଷି ବୈଜ୍ଞାନିକ, ଅର୍ଥନୀତିଜ୍ଞ, ଅନେକ ରାଜ୍ୟର ସରକାର ଏପରିକି ମାନ୍ୟବର ପ୍ରଧାନମନ୍ତ୍ରୀ କାଳିଆ ଯୋଜନାକୁ ପ୍ରଶଂସା କରିଛନ୍ତି । ଏହି ଯୋଜନାରେ ଅର୍ଥ ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଉଛି । ତେଣୁ ଏଥିରେ କୌଣସି ଦୁର୍ନୀତିର ପ୍ରଶ୍ନ ଉଠୁନାହିଁ । ଯୋଗୀ ଆଦିତ୍ୟନାଥଙ୍କ ଅଭିଯୋଗ ସଂପୂର୍ଣ୍ଣ ଅମୂଳକ ବୋଲି ବିଜୁ ଜନତା ଦଳ ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ କହିଛନ୍ତି ।
ଶ୍ରୀ ଦେବ କହିଛନ୍ତି ଯେ ଯେଉଁବର୍ଷ ଉତ୍ତରପ୍ରଦେଶରେ ୩୨୪ ଆସନରେ ବିଜେପି ବିଜୟ ଲାଭ କରି ସରକାର ଗଢ଼ିଥିଲା, ସେହିବର୍ଷ ଡିସେମ୍ବରରେ ଅନୁଷ୍ଠିତ ପୌର ନିର୍ବାଚନରେ ବିଜେପି କାହିଁକି ହାରିଗଲା? ଓଡ଼ିଶାରେ ପଞ୍ଚାୟତ ନିର୍ବାଚନରେ ଯାହା ହୋଇଛି, ତାହାର ପୁନରାବୃତ୍ତି ସାଧାରଣ ନିର୍ବାଚନରେ ହେବାର ପ୍ରଶ୍ନ ଉଠୁନାହିଁ । ବିଜୁ ଜନତା ଦଳ ୧୦୦ରୁ ଅଧିକ ଆସନ ପାଇବ, ଏଥିରେ କୌଣସି ସନ୍ଦେହ ନାହିଁ । ଭାରତବର୍ଷରେ ଏମିତି କୌଣସି ରାଜ୍ୟ ସରକାର ନାହିଁ ଯେ ୨ବର୍ଷ ଭିତରେ ୨୦ଲକ୍ଷ ଘର ତିଆରି କରିଛି । ଯୋଗୀ ଆଦିତ୍ୟନାଥ ଦୟାକରି ଓଡ଼ିଶା ମାଟିରେ ଆସି ଏଭଳି ବାହାସ୍ପୋଟ ମାରି ଗପ କରିବା ବନ୍ଦ କରନ୍ତୁ । କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ଖାଦ୍ୟ ଯୋଗାଇଦେବା ସାମ୍ବିଧାନିକ ବିଧିବ୍ୟବସ୍ଥା, ଏଥିରେ ଲୁଚାଛପା କିଛି ନାହିଁ । କେନ୍ଦ୍ର ଯାହା ଦେଉଥିଲା, ସେଥିରେ ରାଜ୍ୟ ସରକାର ଆଉ କିଛି ମିଶାଇ ହିତାଧିକାରୀଙ୍କୁ ଖାଦ୍ୟ ଯୋଗାଇ ଦେଉଛନ୍ତି । ରାଜ୍ୟ ସରକାର ୨୦୦୮ରେ ଯୋଜନା ଆରମ୍ଭ କଲେ, କିନ୍ତୁ ଯୋଗୀ ଅଭିଯୋଗ କରୁଛନ୍ତି ୨୦୧୯ ମସିହାରେ । ଓଡ଼ିଶାର ଜନସାଧାରଣ ଏହାକୁ ଭଲ ଭାବରେ ବୁଝିସାରିଛନ୍ତି । ଯୋଗୀ ଆଦିତ୍ୟନାଥଙ୍କ ପରାମର୍ଶର କୌଣସି ଆବଶ୍ୟକତା ନାହିଁ ।
ସେହିପରି ନବନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ ଉପରେ ପ୍ରତିକ୍ରିୟା ରଖି ଶ୍ରୀ ଦେବ କହିଛନ୍ତି ଯେ ଗତକାଲି ମୁଁ ଯେଉଁ ପ୍ରଶ୍ନ ପଚାରିଥିଲି, ତା’ର ଏ ପର୍ଯ୍ୟନ୍ତ ଉତ୍ତର ଆସିଲା ନାହିଁ । ପ୍ରାଇସ୍‍, ପ୍ରେଷ୍ଟିଜ୍‍ ଓ ପେନ୍‍ସନ୍‍କୁ ଦ୍ୱାହି ଦେଇ ଯେଉଁ ଆନ୍ଦୋଳନ କରାଯାଉଛି, ସେଥିରେ ରାଜନୈତିକ ଅଭିସନ୍ଧି ରହିଥିବାର ସ୍ପଷ୍ଟ ଜଣାପଡୁଛି । ଏପରିକି ଭାରତୀୟ ଜନତା ପାର୍ଟିର ଇଙ୍ଗିତରେ ନବନିର୍ମାଣ କୃଷକ ସଂଗଠନ ଆଗକୁ ଗତି କରୁଛି । ସଂଗଠନ ଚାହିଁଥିଲେ ୪ଦିନ ଆଗରୁ ଆନ୍ଦୋଳନର ଡାକରା ଦେଇପାରିଥାନ୍ତା, କିନ୍ତୁ ତାହା କଲା ନାହିଁ । ଅପରପକ୍ଷରେ ଆଜି ପରୋକ୍ଷରେ ସଂଗଠନ ସ୍ୱୀକାର କରିଛି ଯେ ଯେହେତୁ ଶିକ୍ଷକ ଓ ଚିଟ୍‍ଫଣ୍ଡ କ୍ଷତିଗ୍ରସ୍ତମାନେ ଆନ୍ଦୋଳନରେ ବସିଛନ୍ତି, ତେଣୁ ସେମାନଙ୍କ ସହିତ ଆଲୋଚନା କରି ଆମେ ଆମର ଆନ୍ଦୋଳନର ତାରିଖ ଧାର୍ଯ୍ୟ କରିଛୁ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ଲୋୟର ପିଏମ୍‍ଜିରେ ଯେଉଁ ଆନ୍ଦୋଳନ ହେଉଛି, ତାହା ଯୋଜନାବଦ୍ଧ ବୋଲି ନବନିର୍ମାଣ କୃଷକ ସଂଗଠନର ପ୍ରବକ୍ତା ପରୋକ୍ଷରେ ସ୍ୱୀକାର କରିଛନ୍ତି । କଂଗ୍ରେସ ଯେଉଁ କୃଷିଋଣ ଛାଡ଼ କଥା କହୁଛି, ସେଥିରେ ନବନିର୍ମାଣ କୃଷକ ସଂଗଠନ ଏକମତ କି? ସ୍ୱାମୀନାଥନ କମିଟି ରିପୋର୍ଟ ଲାଗୁ ହେଲା ନାହିଁ, ସେଥିପାଇଁ ନବନିର୍ମାଣ କୃଷକ ସଂଗଠନ କେନ୍ଦ୍ର ବିରୋଧରେ ଆନ୍ଦୋଳନ କଲାଣି କି ବୋଲି ଶ୍ରୀ ଦେବ ପ୍ରଶ୍ନ କରିଥିଲେ । ଏଥିରୁ ଭଲ ଭାବେ ସ୍ପଷ୍ଟ ଜଣାପଡୁଛି ଯେ ଏହି ଆନ୍ଦୋଳନ ରାଜନୈତିକ ଦଳମାନଙ୍କ ପ୍ରାୟୋଜିତରେ କରାଯାଉଛି । ରାଜ୍ୟ ସରକାରଙ୍କୁ ବଦନାମ କରିବା ପାଇଁ ନବନିର୍ମାଣ କୃଷକ ସଂଗଠନ ସହ ଅନ୍ୟ ବିରୋଧୀ ଦଳମାନଙ୍କର ଏହା ଏକ ମିଳିତ ଷଡ଼ଯନ୍ତ୍ର ବୋଲି ଶ୍ରୀ ଦେବ କହିଛନ୍ତି ।

Leave a Reply

Your email address will not be published.