ଦାମ ବୃକ୍ଷ କାଟିବାକୁ ବିଜେଡି କୁରାଢୀ ବେଣ୍ଟ ହେବେ ରୀନା

0
55787
advertisement

ଭୁବନେଶ୍ୱର,(ଓଟି): ବିଜେଡିକୁ ହରାଇବା ପାଇଁ ରାଜ୍ୟ ସାରା ବୁଲିବେ ବୋଲି ଦଳରୁ ବିତାଡିତ ନେତା ଡାକ୍ତର ଦାମୋଦର ରାଉତ ଘୋଷଣା କରିସାରିଛନ୍ତି। ଏହି ଘୋଷଣା ପରେ ବିଜେଡି ଶିବିରରେ ଛନକା ପଶିଛି। ଆଗାମୀ ନିର୍ବାଚନରେ ଦାମଙ୍କ ବୋମାରୁ ରକ୍ଷା ପାଇବା ପାଇଁ ବିଜେଡି ସମ୍ଭାବ୍ୟ ରଣନୀତି ସ୍ଥିର କରିବାରେ ଲାଗିଛି। ପାରାଦୀପରେ ବିଜେଡି ପ୍ରାର୍ଥୀଭାବେ ତାଙ୍କ ଘରୁ ଜଣଙ୍କୁ ପ୍ରାର୍ଥୀ କରିବାପାଇଁ ଦଳ ଏକ ପ୍ରକାର ସ୍ଥିର କରିଛି। ଅବଶ୍ୟ ସମ୍ଭାବ୍ୟ ପ୍ରାର୍ଥୀ ଜଣଙ୍କ ଦାମୋଦରଙ୍କ ପୁଅ ସମ୍ୱିତ ନୁହନ୍ତି। ପାରାଦୀପରେ ଦାମ ବୃକ୍ଷ କାଟିବାକୁ ବିଜେଡି କୁରାଢୀର ବେଣ୍ଟ ଭାବେ ତାଙ୍କ ଝିଆରୀ ରୀନା ରାଉତରାୟଙ୍କୁ ପ୍ରାର୍ଥୀ କରିବାକୁ ଶାସକ ଦଳର ଜଣେ ଯୁବ ନେତା ତଥା ପୂର୍ବତନ ମନ୍ତ୍ରୀ ଯୋଜନା ପ୍ରସ୍ତୁତି କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଦାମଙ୍କୁ ତାଙ୍କରି ନିର୍ବାଚନ ମଣ୍ଡଳୀରେ ଚେକ୍ ଦେବାପାଇଁ ବିଜେଡି ପ୍ରସ୍ତୁତ କରିଥିବା ରଣନୀତି ଅନୁଯାୟୀ ଦାମଙ୍କ ଝିଆରୀ ରୀନା ରାଉତରାୟଙ୍କୁ ଦଳ ପ୍ରାର୍ଥୀ କରିବ। ସ୍ବେଚ୍ଛାସେବୀ ରୀନାଙ୍କୁ ଏବେ ଦଳ ପକ୍ଷରୁ ପୂରା ଦମ‍୍‌ରେ ପ୍ରମୋଟ କରାଯାଉଛି। ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ସହିତ ଜଡିତ ରୀନା ରାଜ୍ୟ ସରକାର ପାଳନ କରିବାକୁ ଯାଉଥିବା ଗାନ୍ଧୀଙ୍କ ୧୫୦ତମ ବାର୍ଷିକୀ କାର୍ଯ୍ୟକ୍ରମର ମଙ୍ଗ ଧରିବେ। ଏଥିପାଇଁ ପ୍ରସ୍ତୁତ ହେଉଥିବା ମଶାଲକୁ ଧରି ରୀନା ରାଜ୍ୟସାରା ବୁଲିବାପାଇଁ ଯୋଜନା ପ୍ରସ୍ତୁତ ହେଉଛି। ଦିଲ୍ଲୀରୁ ଆସିବାକୁ ଥିବା ଅଗ୍ନି ମଶାଲରେ ସଂଯୋଗ ହେବାପରେ ରୀନା ନିଜର ଦଳ ବଳ ସହ କିଭଳି ରାଜ୍ୟ ବିଶେଷ କରି ଜଗତସିଂହପୁର ଓ ପାରାଦୀପ ପରିକ୍ରମା କରିବେ ତାହାର ନକ୍ସା ପ୍ରସ୍ତୁତ ଚାଲିଛି।

ବିଜେଡି ନେତା ଅରୁପ ପଟ୍ଟନାୟକଙ୍କ ସହିତ ରୀନା ରାଉତରାୟ

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ରୀନା ହେଉଛନ୍ତି ଦାମଙ୍କ ଭାଇ ରାମଚନ୍ଦ୍ର ରାଉତଙ୍କ କନ୍ୟା ତଥା ରାଜ୍ୟ ସରକାରଙ୍କ ଅଧିନରେ ଯୁଗ୍ମ ସଚିବ ଭାବେ କାମ କରୁଥିବା ଅଜୟ କୁମାର ନାୟକଙ୍କ ସହଧର୍ମୀଣି। ଦାମଙ୍କ ଉପରେ ରାଗ ସାରିବା ପାଇଁ ପୂର୍ବରୁ ଏହି ଅଜୟ ନାୟକଙ୍କ ଘରେ ସରକାରଙ୍କ ପକ୍ଷରୁ ଭିଜିଲାନ୍ସ ଚଢାଉ ମଧ୍ୟ କରାଯାଇଥିଲା। ଜଣେ େସ୍ୱଚ୍ଛାସେବୀ ଭାବେ ରୀନାଙ୍କର ବେଶ‍୍‌ ପରିଚିତ ଥିବାବେଳେ ରାଜନୀତିରେ ସେତେଟା ରୁଚି ନଥିଲା। ହେଲେ ଦାମଙ୍କୁ ଚେକ୍ ଦେବାପାଇଁ ବିଜେଡି ପ୍ରାର୍ଥୀ ଖୋଜୁ ଖୋଜୁ ହଠାତ୍ ରାଜନୀତି ଭିତରକୁ ରୀନା ଚାଲି ଆସିଛନ୍ତି। ରୀନାଙ୍କୁ ପାରାଦୀପ‍୍‌ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିବା ପାଇଁ ଦଳ ମନସ୍ଥିର କରୁଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳୁଛି। ରୀନା ବି ଏଥିପ୍ରତି ବେଶ‍୍‌ ଆଗ୍ରହୀ ଥିବା ଜଣାଯାଇଛି।

ଦାମ ବିଜେଡିରୁ ବିଦା ହେବାପରେ ବିଜେଡିର ସମ୍ପାଦକ ଥିବା ତାଙ୍କ ପୁତ୍ର ସମ୍ୱିତଙ୍କୁ ଦଳ ପ୍ରାର୍ଥୀକରି ଦାମଙ୍କ ଘର ଭାଙ୍ଗିବ ବୋଲି ଚର୍ଚ୍ଚା ଚାଲିଥିଲା। ଏପରିକି ସମ୍ୱିତ ବିଜେଡି ପ୍ରାର୍ଥୀ ହେଲେ ଦାମ ବିଜେଡି ବିରୁଦ୍ଧରେ କଣ କହିବେ ବୋଲି ବି କିଛି ଲୋକେ ଆକଳନ ଚଳାଇଥିଲେ। ହେଲେ ଏବେ ରୀନା ରାଉତରାୟ ରାଜନୀତି ବଳୟକୁ ଆସିବାପରେ ସବୁ ଗଣିତ ଓଲଟ ପାଲଟ ହୋଇଯାଇଛି। ଏପରିକି ପାରାଦୀପରୁ ଲଢିବାର ଆଶା ରଖି ବିଶ୍ୱକର୍ମା ପୂଜାରେ ବଡ ବଡ ହୋର୍ଡିଂ ଲଗାଇଥିବା କଟକ ବିଧାୟକ ଦେବାଶିଷ ସାମନ୍ତରାୟ ମଧ୍ୟ ଚିନ୍ତିତ ଥିବାର ସୂଚନା ମିଳୁଛି।

ଗାନ୍ଧୀ କାର୍ଯ୍ୟକ୍ରମ ଆଳରେ ରୀନାଙ୍କୁ ସାରା ରାଜ୍ୟ ବୁଲାଇ ପରିଚିତ କରିବାପରେ ବିଜେଡି ତାଙ୍କୁ ପାରାଦୀପର ପ୍ରାର୍ଥୀ କରିବ ବୋଲି ଯେଉଁ ସୂଚନା ମିଳୁଛି ତାହା ଯଦି ଫଳପ୍ରଦ ହୁଏ ତେବେ ଦାମଙ୍କ ତୁଣ୍ଡରେ ଦଳ ଲଗାମ ଲଗାଇବାରେ ସକ୍ଷମ ହେବ ବୋଲି କୁହାଯାଉଛି। କାରଣ ଦାମ ନିଜ ରକ୍ତର ଝିଆରୀ ବିରୁଦ୍ଧରେ ପ୍ରଚାର କରିବା ପୂର୍ବରୁ ଅନ୍ତତଃ ପକ୍ଷେ ଶହେ ଥର ଭାବିବେ। ଯଦି ନିଜ ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ଟକ୍କର ଦେଇପାରିବେ ନାହିଁ ତେବେ ଅନ୍ୟଆଡେ ଲୋକେ ତାଙ୍କୁ ଗ୍ରହଣ କରିବାକୁ ପଛଘୁଞ୍ଚା ଦେବେ। ତେଣୁ ଦାମଙ୍କୁ ଚେକ୍ ଦେବା ପାଇଁ ବିଜେଡି ଯେ ରୀନା ନାମକ ଅସ୍ତ୍ରକୁ ଶାଣିତ କରୁଛି ଏଥିରେ କୌଣସି ସନ୍ଦେହ ନାହିଁ।