ଚାଷୀ ଆତ୍ମହତ୍ୟା ସମାଲୋଚନାରୁ ବଞ୍ଚିବା ପାଇଁ ବିଜେଡିର ଆଗୁଆ ଯୋଜନା!

0
28

ଭୁବନେଶ୍ୱର,(ଓଟି): ବରଗଡ ଜିଲ୍ଲା କଳାପାଣି ଗାଁର ଚାଷୀ ବୃନ୍ଦାବନ ସାହୁ ଆତ୍ମହତ୍ୟା ଘଟଣାରେ ଶାସକ ବିଜେଡିକୁ ବିଧାନସଭାରେ ଘେରିବା ଲାଗି ବିଜେପି ପ୍ରସ୍ତୁତି ଚଳାଇଛି। ବିଧାନସଭାର ଆଗାମୀ ଅଧିବେଶନ କାଳରେ ଏଥିରୁ ବଞ୍ଚିବା ପାଇଁ ଧାନର ସହାୟକ ମୂଲ୍ୟ ବୃଦ୍ଧି ଆଳରେ ବିଜେଡି ବିଧାନ ସଭା ଅଚଳ ଲାଗି ଯୋଜନା ଆରମ୍ଭ କରିଦେଇଛି। ବିଧାନ ସଭା ଅଧବବେଶନ ବସିବାକୁ ଆଉ ମାତ୍ର ୧୦ ଦିନ ସମୟ ଥିବାବେଳେ ଏହି ଦାବିରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଲାଗି ବିଜେଡି ଆଜି ଘୋଷଣା କରିଛି। ମୁଖ୍ୟ ବିରୋଧିଦଳ କଂଗ୍ରେସ ଏହି ପ୍ରସଙ୍ଗରେ ବିଜେଡି ସ୍ୱରରେ ସ୍ୱର ମିଳାଇଥିବାରୁ ଦୁଇ ଦଳ ମିଶି ବିଧାନସଭାରେ କୌଣସି ଆଲୋଚନା ନକରି ହଟ୍ଟଗୋଳ କରିବା ସ୍ପଷ୍ଟ ହୋଇଛି।

ପୂର୍ବରୁ ଧାନର ସହାୟକ ମୂଲ୍ୟ କ୍ୟୁଣ୍ଟାଲ ପିଛା ୨୯୩୦ଟଙ୍କା ବୃଦ୍ଧି ଲାଗି ୨୫ ମାର୍ଚ୍ଚ୨୦୧୭ରେ ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଥିଲା। ସେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଲାଗି ବାଚସ୍ପତିଙ୍କ ଅଧ୍ୟକ୍ଷତରେ ଗଠିତ ବିଧାନସଭା କମିଟି ଯିବାକୁ ସ୍ଥିର ହୋଇଥିଲା। ଏଥିଲାଗି ବାଚସ୍ପତି ପ୍ରଧାନମନ୍ତ୍ରୀଙ୍କୁ ସମୟ ମାଗିଥିଲେ। କିନ୍ତୁ ଏହି ପ୍ରସଙ୍ଗରେ କମିଟି କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟିବା ଲାଗି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା। ସେତେବେଳେ ବିଧାନସଭା କମିଟି ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଲାଗି ଅଡିବସି ଆଉ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଭେଟିନଥିଲେ।

ଗତ ବର୍ଷାକାଳୀନ ଅଧିବେଶନ ସମୟରେ ଉଭୟ ବିଜେଡି ଓ କଂଗ୍ରେସ ପ୍ରଧାନମନ୍ତ୍ରୀ କାହିଁକି ବିଧାନସଭା କମିଟିକୁ ଭେଟିଲେ ନାହିଁ ବୋଲି ପ୍ରଶ୍ନ ଉଠାଇବା ସହିତ ଖୋଦ‍୍‌ ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ଗୃହରେ ନିନ୍ଦା ପ୍ରସ୍ତାବ ଆଣିବାକୁ ଅଡି ବସିଥିଲେ। ହେଲେ ତାହା ସଫଳ ହୋଇନଥିଲା।

ବର୍ତ୍ତମାନ ଗୁଜୁରାଟ ନିର୍ବାଚନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଯୋଗୁଁ ପ୍ରଧାନମନ୍ତ୍ରୀ ଓଡିଶାର ନେତାମାନଙ୍କୁ ଆଠ ଦିନ ମଧ୍ୟରେ ସାକ୍ଷାତ କରିବା ଏକ ପ୍ରକାର ଅସମ୍ଭବ। ଏ କଥା ଉଭୟ ବିଜେଡି ଓ କଂଗ୍ରେସର ନେତାମାନେ ଭଲ ଭାବେ ଜାଣିଛନ୍ତି। ହେଲେ ବିଜେପିର ନିନ୍ଦା ବାଣକୁ ମୁକ୍କାବିଲା ଲାଗି ବିଜେଡି କଂଗ୍ରେସ ସହାୟତାରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିବା ସହିତ ସେହି ଆଳରେ ବିଧାନସଭା ଅଚଳ ଲାଗି ଆଗୁଆ ଯୋଜନା କରିଥିବା ଜଳ ଜଳ ହୋଇ ଦେଖାଗଲାଣି।

Loading...