ପକ୍କାଘର ମାମଲା: ‘ମିଛ କହୁଛି ବିଜେପି’

0
365
advertisement

ଭୁବନେଶ୍ଵର, (ଓଟି): ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେପି ଯେଉଁ ତଥ୍ୟ ଦେଉଛି ତାହା ସମ୍ପୂର୍ଣ୍ଣ ମିଛ । ବିଜେପି ମୁଖପାତ୍ରମାନେ ଏଭଳି ମିଥ୍ୟା ପ୍ରଚାରରୁ ବିରତ ରହିବା ସହିତ ଗଣମାଧ୍ୟମକୁ ସୂଚନା ଦେବା ପୂର୍ବରୁ ଅନ୍ତତଃ ଥରୁଟିଏ କେନ୍ଦ୍ର ସରକାରଙ୍କ ୱେବ୍‌ସାଇଟ୍‍ ଦେଖି ନେବା ଉଚିତ୍‍ ବୋଲି ବିଜେଡ଼ି ମୁଖପାତ୍ର ଲେନିନ୍‍ ମହାନ୍ତି କହିଛନ୍ତି ।
ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ୬୦ ପ୍ରତିଶତ ଅନୁଦାନ ଦେଉଥିବା ବେଳେ ରାଜ୍ୟ ସରକାର ତାଙ୍କର ଅଂଶଧନ ବାବଦକୁ ୪୦ ପ୍ରତିଶତ ଅନୁଦାନ ଦେଉଛନ୍ତି । କିନ୍ତୁ ପ୍ରୋତ୍ସାହନ ରାଶି ଓ ପ୍ରଶାସନିକ ବାବଦ ବ୍ୟୟ ପରେ ଏହା ପ୍ରାୟତଃ ୫୦-୫୦ ପ୍ରତିଶତ ହୋଇଯାଉଛି । କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ସାରା ଭାରତବର୍ଷରେ ୨୦୧୯-୨୦ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ କ୍ଷେତ୍ରରେ ଓଡ଼ିଶା ଏକ ନମ୍ବର ସ୍ଥାନ ହାସଲ କରିଛି । ଗୁଜରାଟ, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ହରିୟାଣା ଭଳି ବିଜେପି ଶାସିତ ରାଜ୍ୟମାନେ ଏ କ୍ଷେତ୍ରରେ ଓଡ଼ିଶା ଠାରୁ ଢେର ପଛରେ ରହିଛନ୍ତି । କିନ୍ତୁ ଓଡ଼ିଶା ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଘର ଯୋଗାଇ ପ୍ରଥମ ସ୍ଥାନ ହାସଲ କରିଛି । ହେଲେ ଲୋକଙ୍କ ସାମ୍ନାରେ ବାସ୍ତବ ଚିତ୍ର ରଖିବା ବଦଳରେ ବିଜେପି ନେତାମାନେ ଯେଭଳି ମିଥ୍ୟା ପ୍ରଚାରରେ ମାତିଛନ୍ତି ସେଥିରୁ ତାଙ୍କର ହତାଶା ଓ ହୀନ ରାଜିନୀତି ସ୍ପଷ୍ଟଭାବେ ବାରିହୋଇ ପଡୁଛି ବୋଲି ଶ୍ରୀ ମହାନ୍ତି ସ୍ପଷ୍ଟଭାବେ କହିଛନ୍ତି ।