ଉପ-ନିର୍ବାଚନରେ ବିପୁଳ ବିଜୟ ହେଉଛି ଜନସାଧାରଣଙ୍କ ଅତୁଟ ଶ୍ରଦ୍ଧାର ନିଦର୍ଶନ: ବିଜେଡି

0
67
advertisement

ଭୁବନେଶ୍ୱର, (ଓଟି): ମୟୁରଭଞ୍ଜ ଜିଲ୍ଲା ବିଜତଳା ଜିଲ୍ଲାପରିଷଦ ଜୋନ୍‍ରେ ବିଜେଡି ପ୍ରାର୍ଥୀ ରଘୁନାଥ ପ୍ରାର୍ଥୀଙ୍କ ବିଜୟକୁ ବିରୋଧୀଙ୍କ ଅପପ୍ରଚାରର ପରାଜୟ ବୋଲି ଦଳ ବର୍ଣ୍ଣନା କରିଛି । ବିରୋଧୀ ଦଳମାନଙ୍କର ସମସ୍ତ ଅପପ୍ରଚାର ଓ ବିଭ୍ରାନ୍ତିକୁ ଓଡ଼ିଶାର ଜନସାଧାରଣ ପ୍ରତ୍ୟାଖ୍ୟାନ କରୁଥିବା ଏବଂ ପ୍ରଗତିର ପକ୍ଷଭୁକ୍ତ ହେଉଥିବା ସୂଚନା ଏହି ଉପ-ନିର୍ବାଚନରୁ ମିଳୁଛି । ଆଗାମୀ ସମୟରେ ବିଜେଡି ହିଁ ରାଜ୍ୟର ବିକାଶର ଧାରାକୁ ବଜାୟ ରଖିବ ବୋଲି ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଉପ-ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର, ସାଧାରଣ ସଂପାଦକ ତଥା ମୁଖପାତ୍ର ଡ. ଅରୁଣ କୁମାର ସାହୁ ଓ ମୁଖପାତ୍ର ସମୀର ରଞ୍ଜନ ଦାଶ କହିଛନ୍ତି ।

ଓଡ଼ିଶାର ସମୃଦ୍ଧି ଓ ସ୍ୱାଭିମାନ ହିଁ ବିଜେଡିର ଏକମାତ୍ର ଏଜେଣ୍ଡା ଏବଂ ଏହାକୁ ଆଧାର କରି ବିଜୁ ଜନତା ଦଳ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାବାସୀଙ୍କ ସେବା କରିଆସୁଛି ବୋଲି ଡ. ସାହୁ କହିଛନ୍ତି । ଓଡ଼ିଶାର ଜନସାଧାରଣ ବିଜେଡିର ବିକାଶଭିତ୍ତିକ କାର୍ଯ୍ୟକ୍ରମ ପ୍ରତି ଅକୁଣ୍ଠିତ ସହଯୋଗ ଓ ସଦିଚ୍ଛା ପ୍ରତିଟି ନିର୍ବାଚନରୁ ଏହା ପ୍ରମାଣିତ ହେଉଛି ।

ବିଜାତଳା ଜିଲ୍ଲା ପରିଷଦ ଜୋନ୍‍ ନଂ-୩୨ ଆସନ ପାଇଁ ଅନୁଷ୍ଠିତ ଭୋଟ୍‍ରେ ବିଜୁ ଜନତା ଦଳ ପ୍ରାର୍ଥୀ ରଘୁନାଥ ମାଝୀ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀଙ୍କୁ ୪୨୧୨ ଭୋଟ୍‍ ବ୍ୟବଧାନରେ ହରାଇ ବିଜୟୀ ହୋଇଛନ୍ତି ।

ସ୍ୱାଧୀନତା ପରଠାରୁ ବିଜାତଳା ଜିଲ୍ଲା ପରିଷଦ ଜୋନ୍‍ ନଂ-୩୨ ଆସନଟି କେବେବି ତତ୍କାଳୀନ ଜନତା ଦଳ ଓ ବର୍ତ୍ତମାନର ବିଜୁ ଜନତା ଦଳ ପ୍ରାର୍ଥୀ ଜିତିପାରିନଥିଲେ । ପ୍ରଥମଥର ପାଇଁ ଉପ-ନିର୍ବାଚନରେ ବିଜୁ ଜନତା ଦଳ ବିପୁଳ ବିଜୟ ହାସଲ କରିଛି । ଏହି ଆସନଟି ଗତ ୨ଟି ନିର୍ବାଚନରେ ବିଜେପି ଓ ତା’ପୂର୍ବରୁ ଜେଏମ୍‍ଏମ୍‍ କବ୍‍ଜାରେ ରହିଥିଲା। ଗତ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି ୭ ହଜାର ଭୋଟ ପାଇଥିବା ବେଳେ ଜେଏମ୍‍ଏମ୍‍ ୫ହଜାର ଓ ବିଜେଡି ୩ ହଜାର ଭୋଟ ପାଇଥିଲା । ଝାଡ଼ଖଣ୍ଡରେ ବିଜେପି ସରକାର ଗଠନ କଲା ପରେ ତା’ର ପ୍ରଭାବରେ ବିଜେପି ବିଜାତଳା ଅଞ୍ଚଳରେ ସ୍ଥିତି ସୁଦୃଢ଼ କରୁଥିଲା । କିନ୍ତୁ ଏଥର ଉପ-ନିର୍ବାଚନରେ ବିଜେଡିର ବିପୁଳ ବିଜୟ ପ୍ରମାଣିତ କରିଛି ଯେ ବିଜେଡି ସହିତ ବିଜେପି କିମ୍ବା ଅନ୍ୟ ଦଳଗୁଡିକ ଆଗାମୀ ବିଧାନସଭା ନିର୍ବାଚନ ଦୃଷ୍ଟିକୋଣରୁ ଆଦୌ ତୁଳନୀୟ ନୁହନ୍ତି । ଏହା ମଧ୍ୟ ଉଲ୍ଲେଖଯୋଗ୍ୟ ଯେ ଏଥର ନିର୍ବାଚନରେ ଯେଉଁ ଅନୁକମ୍ପା ଭୋଟ୍‍ ପାଇବାକୁ ବିଜେପି ଆଶା ରଖିଥିଲା, ତାହା ବିଜେପି ପ୍ରାର୍ଥୀଙ୍କୁ କୌଣସି ବାଟରେ ସାହାଯ୍ୟ କରିନାହିଁ ।

ସେହିପରି ପାଲଲହଡ଼ା ବ୍ଲକର ନାଗିରା, ମାହାଙ୍ଗାର ବାସୁଦେବପୁର, ପୋଲସରାର ବନ୍ଥପଲ୍ଲୀ, ରାୟଗଡ଼ାର କେରାଣ୍ଡି, ଭାପୁରର ବାଘୁଆପଲ୍ଲୀ, ବୋରିଗୁମ୍ମାର ବିଜାପୁର, ନନ୍ଦପୁରର ହାକିମପୁର, ବଣାଇଗଡ଼ ବ୍ଲକର ପିଠାଚୋରା ପଞ୍ଚାୟତ, ଢେଙ୍କାନାଳ ସଦର ବ୍ଲକର କାଇମାଟି ଓ ମଙ୍ଗଳପୁର, ଜୁନାଗଡ଼ ବ୍ଲକର ସନ୍ୟାସୀକୁଣ୍ଡମାଳ ଓ ହାବାସପୁର ପଞ୍ଚାୟତରେ ଅନୁଷ୍ଠିତ ସରପଞ୍ଚ ଉପ-ନିର୍ବାଚନ ଏବଂ ରେମୁଣାର ତାଳପଦା, ହିଞ୍ଜିଳିକାଟୁର ଦୁରାବନ୍ଧ, ବଡ଼ଚଣାର ଗୋପାଳପୁର, ଖଜୁରୀପଡ଼ାର ଅଡଶୀପଡ଼ା, ଉମରକୋଟର ବଡ଼କୁମାରୀ, ଲାଠିକଟା ବ୍ଲକର କୁଲାଙ୍ଗ-ବି ପଞ୍ଚାୟତ ଓ ମୁନିଗୁଡ଼ା ବ୍ଲକର ଶିବପଦର ଓ ସରଧାପୁର ପଞ୍ଚାୟତରେ ଅନୁଷ୍ଠିତ ସମିତି ସଭ୍ୟ ଉପ-ନିର୍ବାଚନରେ ବିଜୁ ଜନତା ଦଳର ସମର୍ଥିତ ପ୍ରାର୍ଥୀଙ୍କ ବିପୁଳ ବିଜୟ ହୋଇଛି ବୋଲି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ଦଳ ପକ୍ଷରୁ କୁହାଯାଇଛି ଯେ, ୨୦୧୭ରେ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ଏ ପର୍ଯ୍ୟନ୍ତ ହୋଇଥିବା କୌଣସି ଗୋଟିଏ ନିର୍ବାଚନରେ ମଧ୍ୟ ବିଜେଡି ପରାଜିତ ହୋଇନାହିଁ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ରାଜନୀତିକ ଦିଗ । ଏଥିରୁ ଏକ ବଳିଷ୍ଠ ସୂଚନା ମିଳୁଛି ଯେ ଓଡ଼ିଶାବାସୀଙ୍କ ମନ ଓ ହୃଦୟରେ ବିଜେଡି ପାଇଁ ଅଶେଷ ସମର୍ଥନ ରହିଛି । ବିଜେପିର ମିଶନ-୧୨୦ ଦାବି ସମ୍ପର୍କରେ ଏଠାରେ ମତ ରଖି ଡ. ସାହୁ କହିଛନ୍ତି, ଏଭଳି ଦାବି ଏକ ମରୀଚିକା ସଦୃଶ। ଏଭଳି ଉକ୍ତିର କୌଣସି ଯୁକ୍ତିଯୁକ୍ତ ଆଧାର ନାହିଁ ।

ଏହି ସାମ୍ବାଦିକ ସମ୍ମିଳନୀରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଓ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଉପସ୍ଥିତ ଥିଲେ ।

 

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ 

ଭୋଟର ତାଲିକା ସଂଶୋଧନ ଅବଧି ବଢ଼ିଲା: ୧୫ ଯାଏ ଚାଲିବ ଆପତ୍ତି ଗ୍ରହଣ, ଜାନୁୟାରୀ…

ଭୋଟର ତାଲିକା ସଂଶୋଧନ ଅବଧି ବଢ଼ିଲା: ୧୫ ଯାଏ ଚାଲିବ ଆପତ୍ତି ଗ୍ରହଣ, ଜାନୁୟାରୀ ୨୧ରେ ଚୁଡ଼ାନ୍ତ ଭୋଟର ତାଲିକା

କଂଗ୍ରେସ ପଙ୍ଗୁ ହେବ : ଶ୍ରୀକାନ୍ତ

କଂଗ୍ରେସ ପଙ୍ଗୁ ହେବ : ଶ୍ରୀକାନ୍ତ

ଗାଈଙ୍କୁ ଷଣ୍ଢ ଜନ୍ମ କରିବା ମନା କଲା ଉତ୍ତର ପ୍ରଦେଶ

ଗାଈଙ୍କୁ ଷଣ୍ଢ ଜନ୍ମ କରିବା ମନା କଲା ଉତ୍ତର ପ୍ରଦେଶ