ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ପ୍ରମିଳା ମଲ୍ଲିକଙ୍କ ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ

0
99
advertisement

 

ଭୁବନେଶ୍ୱର,(ଓଟି):ବିଜୁ ଜନତା ଦଳର କେନ୍ଦ୍ରାପଡା ଜିଲ୍ଲା ପର୍ଯ୍ୟବେକ୍ଷକ ବିଧାୟିକା ପ୍ରମିଳା ମଲ୍ଲିକ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ହେଉଥିବା ଅଭିଯୋଗର ତଦନ୍ତ କରି ରିପୋର୍ଟ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି। ସାଂସଦ ପଣ୍ଡାଙ୍କ ସପକ୍ଷରେ ଅଳ୍ପ ଲୋକ ମତ ଦେଇଥିବାବେଳ ଅଧିକାଂଶ କର୍ମୀ ତାଙ୍କ ବିରୋଧରେ ମତ ଦେଇଥିବା ଶ୍ରୀମତୀ ମଲ୍ଲିକ ମତ ଦେଇଛନ୍ତି।

ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୁଦ୍ଧରେ ଦଳୀୟ କର୍ମୀ ଓ ନେତାମାନେ ଯେଉଁ ସବୁ ଅଭିଯୋଗ ଆଣିଛନ୍ତି ତାହା ଉପରେ ତଦନ୍ତ କରିଥିବା ତଥା କେନ୍ଦ୍ରାପଡା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ଘଟଣା ସମ୍ପର୍କରେ ସେ ସାଂସଦଙ୍କ ସହ ଫୋନରେ କଥା ହୋଇଛନ୍ତି । ହାତରେ ସମୟ କମ‌୍‍ ଥିବାରୁ ଲିଖିତ ଭାବରେ ଅଭିଯୋଗ ଗୁଡିକ ଜଣାଇପାରିବେ ନାହିଁ । ଅନ୍ୟପକ୍ଷରେ ତଦନ୍ତ କାର୍ଯ୍ୟରେ ସାଂସଦ ଶ୍ରୀ ପଣ୍ଡାଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ।

ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ ଦଳୀୟ କର୍ମୀ ଓ ନେତାଙ୍କ ମଧ୍ୟରେ ଯେଉଁ ସମସ୍ୟା ରହିଛି ତାର ସମାଧାନ ପାଇଁ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ। ଘର କଥା ପଦାରେ ପଡିବା ଉଚିତ‌୍‍ ନୁହେଁ । ମୋର ଯାହା ଜାଣିବାର ଥିଲା ମୁଁ ତାହା ସାଂସଦଙ୍କୁ ପଚାରି ନେଇଛି ବୋଲି ସେ କହିଛନ୍ତି ।

କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁ କହିଛନ୍ତି ଯେ ସାଂସଦଙ୍କ ବିରୋଧରେ ଯେଉଁ ଅଭିଯୋଗମାନ ଆସିଛି ସମ୍ପର୍କରେ ସେ ଅବଗତ ଅଛନ୍ତି ଏବଂ ସେ ସମ୍ପର୍କରେ ସେ ଅଭିଯୋଗପତ୍ର ମଧ୍ୟ ପାଇଛନ୍ତି । ସାଂସଦ ଶ୍ରୀ ପଣ୍ଡା ଯାହା କହିବା କଥା ପାର୍ଟି ଫୋରମରେ କୁହନ୍ତୁ । ସୋସିଆଲ ମିଡିଆ ବା ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ଦେଇ ପିଲାଳିଆମି ନକରନ୍ତୁ । ସାଂସଦଙ୍କୁ ଅନୁରୋଧ ସେ ତଦନ୍ତରେ ସହଯୋଗ କରନ୍ତୁ ।

ଅପରପକ୍ଷରେ ଏହାର ପ୍ରତିକ୍ରିୟାରେ ସାଂସଦ ଶ୍ରୀ ପଣ୍ଡା କହିଛନ୍ତି ଯେ ତଦନ୍ତ ପ୍ରକ୍ରୟାରେ ଅସହଯୋଗ କରିବାର ପ୍ରଶ୍ନ ଉଠୁନାହିଁ । ଯେଉଁସବୁ ଅଭିଯୋଗ ଅଣାଯାଉଛି ତାହାକୁ ଲିଖିତ ଆକାରରେ ଦିଅନ୍ତୁ । ସେ ପୁଣି ଥରେ ଶ୍ରୀମତୀ ମଲ୍ଳିକଙ୍କ ସହିତ କଥା ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ବ୍ୟକ୍ତିଗତ ଭାବେ ଏସମ୍ପର୍କରେ ୨ ଥର କଥା ହୋଇଥିବା ତାଙ୍କୁ ଜଣାଇଛି । ସାଂସଦଙ୍କ ପାଣ୍ଠି ବିଧାୟକଙ୍କ ହାତରେ ଦିଆଯାଏ ନାହିଁ । ଜନସ୍ୱାର୍ଥ ଓ ନୀତି ସହିତ କୌଣସି ସାଲିସ‌୍‍ ନକରିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।